ଜୟପାଲଙ୍କର ଦୁଇ-ବଖୁରିଆ ଟିଣ ଛପର ଥିବା ଇଟା ଘରେ ଅନେକ ଭବ୍ୟ ଅଟ୍ଟାଳିକା ରହିଛି । ଏସବୁର ଏକାଧିକ ମହଲା, ଲମ୍ବା ସ୍ତମ୍ଭ, ବାଲ୍‌କୋନୀ ଓ  ଗମ୍ବୁଜ ଅଛି ।

ଏବଂ ସେଗୁଡ଼ିକ ଅଠା ଦ୍ୱାରା ସଂଯୁକ୍ତ କରାଯାଇ କାଗଜରେ ପ୍ରସ୍ତୁତ ହୋଇଛି ।

ଗତ ୪-୫ ବର୍ଷ ଧରି ୧୯ ବର୍ଷ ବୟସ୍କ ଜୟପାଲ୍ ଚୌହ୍ୱାନ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଥିବା ତାଙ୍କ ଗ୍ରାମ କରୋଲିସ୍ଥିତ ତାଙ୍କ ଘରେ ସକାଳ ଓ ଅପରାହ୍ଣର କିଛି ସମୟ ଯତ୍ନର ସହ କାଗଜ ମୋଡ଼ି ନଳୀ ତିଆରି କରିବା ଏବଂ ସେଗୁଡ଼ିକୁ ଗୋଟିଏ ଉପରେ ଗୋଟିଏ ଇଟା କାନ୍ଥ ତିଆରି କରିବା ପରି ରଖିବା ଏବଂ ଦୁର୍ଗ ପରି ସଂରଚନା ପ୍ରସ୍ତୁତ କରିବା ପାଇଁ ସେଗୁଡ଼ିକୁ ଅଠା ଲଗାଇ ଯୋଡ଼ିବାରେ କିଛି ସମୟ ବ୍ୟୟ କରୁଛନ୍ତି ।

ସେ କୁହନ୍ତି, ‘‘ମୁଁ ସବୁବେଳେ ଅଟ୍ଟାଳିକା ଏବଂ ସେଗୁଡ଼ିକ କିପରି ତିଆରି ହୁଏ ସେଥିପ୍ରତି ଆଗ୍ରହୀ ରହିଛି ।’’

ଜୟପାଲ ତାଙ୍କୁ ପ୍ରାୟ ୧୩ ବର୍ଷ ହେବା ସମୟରୁ ମନ୍ଦିର କାର୍ଡବୋର୍ଡ ମଡେଲ୍‌ ସହ ଏହି କାମ ଆରମ୍ଭ କରିଥିଲେ । ସେ ଥରେ ଅନ୍ୟ ଗ୍ରାମରେ ହେଉଥିବା ଏକ ବିବାହରେ ଯୋଗ ଦେବାକୁ ଯାଇଥିଲେ ଯେଉଁଠାରେ ସେ କାହା ଘରେ ଏକ ଛୋଟ କାଚ ମନ୍ଦିର ଦେଖିଥିଲେ ଏବଂ ତାହା ତାଙ୍କୁ କାର୍ଡବୋର୍ଡ ବ୍ୟବହାର କରି ନିଜ ପାଇଁ ଗୋଟିଏ କରିବା ନିମନ୍ତେ କୌତୁହଳ ସୃଷ୍ଟି ହୋଇଥିଲା । ସେ କେତେଗୁଡ଼ିଏ ତିଆରି କଲେ, ସମ୍ପର୍କୀୟମାନଙ୍କୁ ସେଗୁଡ଼ିକ ଉପହାର ଦେଲେ ଏବଂ ଏପରିକି ୨୦୧୭ରେ ଏକ ସ୍କୁଲ୍ ପ୍ରଦର୍ଶନୀରେ ଗୋଟିଏ ମଡେଲ୍‌ ପାଇଁ ଏକ ପୁରସ୍କାର ଜିତିଥିଲେ ।

ସେ ସ୍କୁଲ୍‌ରେ ଏକ କାର୍ଡବୋର୍ଡ ମୋଟର ବାଇକ୍‌ ପାଇଁ ମଧ୍ୟ ପୁରସ୍କାର ଜିତିଥିଲେ । ଏବଂ ତାଙ୍କ ନିକଟରେ ଥିବା ଏସବୁ ସାମଗ୍ରୀର ସଂଗ୍ରହ ମଧ୍ୟରେ ରହିଛି ଗୋଟିଏ ଟେବୁଲ୍ ଫ୍ୟାନ୍‌, ଗୋଟିଏ ରେସ୍‌ କାର୍‌, ଏବଂ ଗୋଟିଏ କ୍ରେନ୍‌ ଯାହାର ଚକଗୁଡ଼ିକ ଗୋଟିଏ ପୁରୁଣା ଖେଳନାରୁ ନିଆଯାଇଛି ।

Jaypal with one of his paper creations; he also designs doors made by father Dilawar Chouhan (right), who works as a carpenter
PHOTO • Nipun Prabhakar

ଜୟପାଲ ତାଙ୍କର ଅନ୍ୟତମ କାଗଜ ସର୍ଜନା ସହିତ; ସେ ମଧ୍ୟ ବଢ଼େଇ ଭାବରେ କାର୍ଯ୍ୟ କରୁଥିବା ତାଙ୍କ ବାପା ଦିଲୱାର୍ ଚୌହ୍ୱାନ (ଡାହାଣ)ଙ୍କ ଦ୍ୱାରା ପ୍ରସ୍ତୁତ କବାଟଗୁଡ଼ିକର ଡିଜାଇନ୍‌ କରନ୍ତି

ଜୟପାଲ କୁହନ୍ତି, ‘‘କିନ୍ତୁ ସମୟ କ୍ରମେ କାର୍ଡବୋର୍ଡଗୁଡ଼ିକ ଆର୍ଦ୍ରତା ଯୋଗୁଁ ବଙ୍କେଇଯିବା ଆରମ୍ଭ ହୋଇଥିଲା। ଏହା ପରେ ଦିନେ ମୁଁ ଚିନ୍ତା କଲି ଘରେ ରଦ୍ଦିରେ ବିକ୍ରି ହେବା ପାଇଁ ରହିଥିବା ପୁରୁଣା [ସ୍କୁଲ୍] ବହିଗୁଡ଼ିକର ଭଲ ଉପଯୋଗ କରିପାରିବି । ଏହି ବିଚାର ହଠାତ୍‌ ଆସିଥିଲା । ମୁଁ ସେଗୁଡ଼ିକର ପୃଷ୍ଠାଗୁଡ଼ିକୁ ଗୁଡ଼ାଇ ନଳୀ କରିବା ଏବଂ ତାହାକୁ ଏସବୁ ବଡ଼ [ଘର] ମଡେଲ୍‌ ତିଆରିରେ ବ୍ୟବହାର କରିବା ଆରମ୍ଭ କଲି ।

ପୁନାସା ତହସିଲ୍‌ରେ ଥିବା ତାଙ୍କ ଗ୍ରାମ କରୋଲିରେ ତିଆରି ହେଉଥିବା ନୂଆ ସିମେଣ୍ଟ ଘର ନୂତନ ଚିନ୍ତାଧାରା ନିମନ୍ତେ ଆରମ୍ଭ ବିନ୍ଦୁ । ଜୟପାଲ କୁହନ୍ତି, ‘‘ଯେଉଁ ଲୋକମାନେ ନୂଆ ଘର ତିଆରି କରୁଛନ୍ତି ସେମାନେ ଗାଁ ଭିତରେ ଅଛନ୍ତି, ଯେତେବେଳେ କି ଆମେ [ତାଙ୍କ ପରିବାର] ଏବଂ ଯେଉଁମାନେ ଅନ୍ୟମାନଙ୍କ ଜମିରେ କାମ କରନ୍ତି ଗାଁର ବାହାରେ ଅଛନ୍ତି ଏବଂ ଏ ପର୍ଯ୍ୟନ୍ତ କଚ୍ଚା ଘରେ ରହୁଛନ୍ତି । କିନ୍ତୁ ମୋତେ କୌଣସି ସିମେଣ୍ଟ ଘରର ଡିଜାଇନ୍‌ ସମ୍ପୂର୍ଣ୍ଣ ପସନ୍ଦ ନୁହେଁ । ତେଣୁ ମୁଁ ଦୁଇ-ତିନୋଟି ଡିଜାଇନ୍‌କୁ ମିଶାଇଦିଏ । ଯଦି ଡିଜାଇନ୍‌ଗୁଡ଼ିକ ଖୁବ୍‌ ସରଳ, ତେବେ ସେଗୁଡ଼ିକ ଖୁବ୍‌ ସାଦା ଲାଗେ, କିନ୍ତୁ ଯଦି ଏହା ଏକ ଭିନ୍ନ ପ୍ରକାର ଡିଜାଇନ୍‌ ହୋଇଥାଏ ତେବେ ମୁଁ ଏହାକୁ ଏକ କାଗଜ ମଡେଲ୍‌ କରିବାକୁ ପସନ୍ଦ କରେ ।’’

ସେ ଏମିତି ଘର ଚାହାଁନ୍ତି ଯେଉଁଗୁଡ଼ିକରେ କେବଳ ସାଧାରଣ କବାଟ ଓ ଝରକା ଥିବା ତାହା ନୁହେଁ ବରଂ କଟ୍-ଆଉଟ୍ ଏବଂ ସାଜସଜ୍ଜା ଥିବ । ସେ କୁହନ୍ତି ସେ ତିଆରି କରିଥିବା ଗୋଟିଏ ମଡେଲ୍‌ ପାଇଁ, ‘‘ମୁଁ ଗାଁରେ ଥିବା ଗୋଟିଏ ଘର ପରି ଉପର ମହଲା ତିଆରି କଲି କିନ୍ତୁ ତଳ ମହଲାଟି ଭିନ୍ନ ।’’ ଏହି ଡିଜାଇନ୍‌ ଜଣେ ସ୍ଥାନୀୟ ଶିକ୍ଷକଙ୍କ ଘର ଦ୍ୱାରା ଅନୁପ୍ରେରିତ ହୋଇଥିଲା ଯିଏ କି ତାଙ୍କୁ ନିଜ ସ୍କୁଲ୍‌ରୁ ପୁରୁଣା ଖାତା ଦେଇଥିଲେ । କିନ୍ତୁ ଏଥିରେ ଅନେକ ଚିତ୍ର ଏବଂ କାର୍ଟୁନ୍‌ ଥିଲା ଯାହାକି କାଗଜ ମଡେଲ୍‌ରେ ଖରାପ ଦେଖାଯାଏ ବୋଲି ଜୟପାଲ କୁହନ୍ତି । ତେଣୁ ସେ ନିକଟସ୍ଥ ଆଉ ଏକ ସରକାରୀ ସ୍କୁଲ୍‌ରୁ ପୁରୁଣା ବହି ଓ ଖାତା ଆଣିଥିଲେ ।

ଜୟପାଲ କୁହନ୍ତି, ‘‘ମୁଁ କୌଣସି [ଆର୍କିଟେକ୍ଚରାଲ] ଯୋଜନା କିମ୍ବା ଡିଜାଇନ୍‌ କରେ ନାହିଁ, ମୁଁ କେବଳ ସିଧାସଳଖ ଘର ତିଆରି କରିବା ଆରମ୍ଭ କରେ ।’’ ପ୍ରଥମ କେତୋଟି ସମ୍ପର୍କୀୟମାନଙ୍କୁ ଉପହାର ଦିଆଯାଇଥିଲା, କିନ୍ତୁ ଯେତେବେଳେ ଲୋକମାନେ ମଡେଲ୍‌ଗୁଡ଼ିକ ଦେଖିବା ପାଇଁ ତାଙ୍କ ଘରକୁ ଆସିବା ଆରମ୍ଭ କଲେ, ସେ ସେଗୁଡ଼ିକ ଦେଇଦେବା ବନ୍ଦ କଲେ । ସେ ଏ ପର୍ଯ୍ୟନ୍ତ ସେଗୁଡ଼ିକ ମଧ୍ୟରୁ କୌଣସିଟି ବିକ୍ରି କରିନାହାନ୍ତି – ଏବଂ କେତେଗୁଡ଼ିଏ ବର୍ତ୍ତମାନ ତାଙ୍କ ଘରେ ପ୍ରଦର୍ଶିତ ହେଉଛି ।

He looks for houses that have some ornamentation. This design (right) was inspired by the house (left) of a local teacher who gave him waste notebooks
PHOTO • Jaypal Chouhan
He looks for houses that have some ornamentation. This design (right) was inspired by the house (left) of a local teacher who gave him waste notebooks
PHOTO • Jaypal Chouhan

ସେ କିଛି ସାଜସଜ୍ଜା ଥିବା ଘର ଖୋଜନ୍ତି । ଏହି ଡିଜାଇନ୍‌ (ଡାହାଣ) ଜଣେ ସ୍ଥାନୀୟ ଶିକ୍ଷକଙ୍କ ଘର (ବାମ) ଦ୍ୱାରା ଅନୁପ୍ରେରିତ ଯେ କି ତାଙ୍କୁ ପୁରୁଣା ଖାତା ଦେଇଥିଲେ

ମଡେଲ୍‌ର ସୂକ୍ଷ୍ମତା ଉପରେ ଏବଂ ତାହା କରିବା ପାଇଁ ତାଙ୍କୁ ମିଳୁଥିବା ସମୟ ଉପରେ ନିର୍ଭର କରି ଜୟପାଲଙ୍କୁ କାଗଜରେ ଗୋଟିଏ ଘରେ କରିବା ପାଇଁ ୪ରୁ ୨୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ – ପ୍ରତ୍ୟେକ ଘର ପ୍ରାୟ ୨ x ୨ ଉଚ୍ଚ ଏବଂ ଗଭୀର, ଚଉଡ଼ା ପ୍ରାୟ ୨.୫ ଫୁଟ ।

ଦୁର୍ଗ ତିଆରି କରୁନଥିବା ବେଳେ, ଜୟପାଲ ପାଠ ପଢ଼ନ୍ତି – ସେ ନିକଟରେ ଏକ ନିକଟସ୍ଥ ଗ୍ରାମରେ ଥିବା ସ୍କୁଲ୍‌ରୁ ୧୨ ଶ୍ରେଣୀ ସମାପ୍ତ କରିଛନ୍ତି [ମହାମାରୀ ସମୟରେ ଅନ୍‌ଲାଇନ୍‌ରେ] । ଏବଂ ସେ ତାଙ୍କ ବାପା ଦିଲବର ସିଂହ ଚୌହ୍ୱାନ, ୪୫ଙ୍କ ସହ କାମ କରନ୍ତି । ତାଙ୍କ ବାପା ଜଣେ ବଢ଼େଇ ଯେ କି ଟେବୁଲ୍‌, ଚେୟାର୍‌, ପିଲାମାନଙ୍କ ପାଇଁ ଦୋଳି ଓ ଅନ୍ୟ ଆସବାବପତ୍ର ତିଆରି କରନ୍ତି । ଏଥିସହିତ ସେ କରୋଲି ଏବଂ ନିକଟସ୍ଥ ଗ୍ରାମ ଓ ସହରରେ କବାଟର ଛାଞ୍ଚ ଏବଂ ଦୁଆର ବନ୍ଧ (ଚୌକାଠ) ।

ଜୟପାଲ କୁହନ୍ତି ସେ କାଠ କାମରେ ଆଗ୍ରହୀ ନୁହଁନ୍ତି, କିନ୍ତୁ କବାଟ ଓ ଝରକାର ଡିଜାଇନ୍‌ ପ୍ରସ୍ତୁତ କରିବାରେ, ଉପକରଣ ସମ୍ଭାଳିବାରେ ଏବଂ ଆବୁଡ଼ାଖାବୁଡ଼ା ହୋଇଥିବା ଛାତ ମରାମତି କରିବାରେ ସାହାଯ୍ୟ କରନ୍ତି । ସେ କୁହନ୍ତି, ‘‘ମୁଁ ଗୋଟିଏ ନିକଟସ୍ଥ ଗ୍ରାମରେ ତିନୋଟି କବାଟ, କରୋଲିରେ ଦୁଇଟି ଡିଜାଇନ୍‌ କରିଛି । ମୁଁ ଅନେକ ସମୟରେ ଇଣ୍ଟରନେଟ୍ ଏବଂ ଅନ୍‌ଲାଇନ୍‌ ମାଗାଜିନ୍‌ଗୁଡ଼ିକ ଦେଖି ଏକ ଅନନ୍ୟ ଡିଜାଇନ୍‌ ତିଆରି କରିବାକୁ ଚେଷ୍ଟା କରେ। ଅନେକ ସମୟରେ କାଗଜ ଉପରେ, କିନ୍ତ ଅଧିକାଂଶ ସମୟରେ ସିଧାସଳଖ କାଠ ଉପରେ – ଏବଂ ଏହା ପରେ ମୋ ବାପା ଏହା ତିଆରି କରନ୍ତି ।’’

ଅନ୍ୟ ସମୟରେ, ଜୟପାଲ ମଧ୍ୟ ଭିଣୋଇ (ଭଉଣୀର ସ୍ୱାମୀ)ଙ୍କ ସହ କାମ କରନ୍ତି । ସେ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ଗୋଟିଏ ଗ୍ରାମରେ ଟେଲର ଭାବରେ କାମ କରନ୍ତି । ସେ ବେଳେ ବେଳେ ସେଠାକୁ ଯାଆନ୍ତି ଏବଂ କପଡ଼ା କାଟିବାରେ କିମ୍ବା ଟ୍ରାଉଜର୍‌ ସିଲେଇ କରିବାରେ ସାହାଯ୍ୟ କରନ୍ତି ।

ଜୟପାଲଙ୍କ ମା’ ରାଜୁ ଚୌହ୍ୱାନ, ୪୧ ହେଉଛନ୍ତି ଜଣେ ଗୃହିଣୀ । ଅତୀତରେ ସେ ମଧ୍ୟ ପରିବାରର ବଢ଼େଇ ବ୍ୟବସାୟର କାମ କରୁଥିଲେ । ଜୟପାଲ କୁହନ୍ତି, ‘‘ଯଦି ସେମାନେ ଚାର୍‌ପାଇ ତିଆରି କରୁଥିଲେ, ମୋ ବାପା ଅନ୍ୟ ସବୁକିଛି କରିବା ସମୟରେ ସେ ଗୋଡ଼ଗୁଡ଼ିକ ତିଆରି କରୁଥିଲେ । ତେବେ ପରିବାରର ଆର୍ଥିକ ଅବସ୍ଥା କିଛି ପରିମାଣରେ ଉନ୍ନତ ହୋଇଛି ଏବଂ ସେ ଏବେ ଏସବୁ କାମ ଆଉ କରୁନାହାନ୍ତି ।’’

Japyal's collection of hand-made items includes a table fan; he also designs some of the doors that his father makes in wood
PHOTO • Jaypal Chouhan
Japyal's collection of hand-made items includes a table fan; he also designs some of the doors that his father makes in wood
PHOTO • Jaypal Chouhan

ଜୟପାଲଙ୍କ ହାତ ତିଆରି ସାମଗ୍ରୀଗୁଡ଼ିକର ସଂଗ୍ରହ ମଧ୍ୟରେ ରହିଛି ଗୋଟିଏ ଟେବୁଲ୍‌ ଫ୍ୟାନ୍‌; ସେ ମଧ୍ୟ ତାଙ୍କ ବାପା କାଠରେ ତିଆରି କରୁଥିବା କେତେକ କବାଟର ଡିଜାଇନ୍‌ କରିଛନ୍ତି

ତାଙ୍କ ମାମାଜୀ (ମାମୁଁ) ମନୋହର ସିଂହ ତନୱାର ଜୟପାଲଙ୍କ ମଡେଲ୍‌ ତିଆରିକୁ ସବୁଠାରୁ ଅଧିକ ସହଯୋଗ କରିଥିଲେ । ସେ ଜଣେ କୃଷକ ଥିଲେ। ସେ ତାଙ୍କ ପଡ଼ିଶା ଘରେ ରହୁଥିଲେ ଏବଂ ତାଙ୍କ ଘରକୁ ଆସୁଥିବା ସବୁ ଅତିଥିଙ୍କୁ ତାଙ୍କ ଭଣଜାର କାମ ଦେଖାଇବାକୁ ଆଣୁଥିଲେ। ଏହି ମାମୁଁ ଗତବର୍ଷ ମୃତ୍ୟୁବରଣ କରିଛନ୍ତି, ସମ୍ଭବତଃ ଡେଙ୍ଗୁ କାରଣରୁ ।

ଉଭୟ ଦିଲୱାର ଏବଂ ରାଜୁ ମଧ୍ୟ ସେମାନଙ୍କ ପୁଅର ମଡେଲ୍‌ ତିଆରି ପ୍ରତି ନିଷ୍ଠାକୁ ସମର୍ଥନ କରନ୍ତି। ଦିଲୱାର କୁହନ୍ତି, ‘‘ମୁଁ ପାଠ ପଢ଼ିନି କିନ୍ତୁ ମୁଁ ଚିନ୍ତା କରେ ସେ ଠିକ୍‌ ବାଟରେ ଅଛି ଏବଂ ଅନେକ ଲୋକ ତା’ର କାମ ଦେଖିବାକୁ ଆସନ୍ତି। ମୁଁ ଚାହେଁ ସେ ଯେପର୍ଯ୍ୟନ୍ତ ଚାହୁଁଛି ସେ ପର୍ଯ୍ୟନ୍ତ ପାଠ ପଢ଼ୁ ଏବଂ ମୁଁ ତା’କୁ ସହଯୋଗ ଦେବା ପାଇଁ ଯାହା କରିପାରିବି କରିବି। ମୁଁ ତା’କୁ କୁହେ ଯଦି ତା’ର ପାଠପଢ଼ା ପାଇଁ ମୋତେ ମୋ ଜମି ଏବଂ ଘର ବିକିବାକୁ ପଡ଼େ ମୁଁ କରିବି କାରଣ ଜମି ପୁଣି ଥରେ ଆସିପାରିବ କିନ୍ତୁ ପାଠ ପଢ଼ିବା ପାଇଁ ତା’ର ସମୟ ଆଉ ଆସିବନି।’’ ରାଜୁ କେବଳ ମୋତେ କୁହନ୍ତି, ‘‘ଦୟାକରି ତା’ର ଯତ୍ନ ନିଅ। ଆମର ଅଧିକ ନାହିଁ, ସେ ଆମ ପାଖରେ ଥିବା ଏକମାତ୍ର ସନ୍ତାନ, ତାଙ୍କ [ଦୁଇ] ଭଉଣୀ ବିବାହ କରିସାରିଛନ୍ତି ।’’

ଜୟପାଲଙ୍କ ମଡେଲଗୁଡ଼ିକ ସେମାନଙ୍କ ଘରର ଶୋଭା ବୃଦ୍ଧି କରୁଥିବା ବେଳେ ତାଙ୍କ ପରିବାରର ଯାତ୍ରା ବିସ୍ଥାପନ ଦ୍ୱାରା ପ୍ରଭାବିତ ହୋଇଛି । ୨୦୦୮ରେ ସେମାନଙ୍କୁ କରୋଲିଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ସେମାନଙ୍କ ଗାଁ ଟୋକି ଛାଡ଼ିବାକୁ ପଡ଼ିଥିଲା । ଯେତେବେଳେ ଏହା ଓମକାରେଶ୍ୱର ନଦୀବନ୍ଧ ଜଳମଗ୍ନ ହେବା କାରଣରୁ ବୁଡ଼ିଯାଇଥିଲା ।

ଏହି ପରିବାରକୁ ୧୦ କିଲୋମିଟର ଦୂରରେ ଥିବା ଆଉ ଏକ ଗାଁକୁ ଯିବାକୁ କୁହାଯାଇଥିଲା, କିନ୍ତୁ ଦିଲୱାର ସେଠାକୁ ଯିବାକୁ ମନା କରିଥିଲେ କାରଣ ଏହା ଅଗମ୍ୟ ଏବଂ ଅନୁର୍ବର ଥିଲା । ଜୟପାଲ କୁହନ୍ତି, ‘‘ସେଠାରେ କୌଣସି ଦୋକାନ ନଥିଲା, କୌଣସି କାମ ମଧ୍ୟ ନଥିଲା । ତାଙ୍କ ବାପା ସେତେବେଳେ ସରକାରଙ୍କଠାରୁ ପ୍ରଦାନ କରାଯାଇଥିବା କ୍ଷତି ପୂରଣ ସାହାଯ୍ୟରେ କରୋଲିରେ ଏକ ଛୋଟ ଜାଗା କିଣିଲେ । ସେହି ଘରେ ବର୍ତ୍ତମାନ ସେମାନେ ରହୁଛନ୍ତି । ଦିଲୱାର ମଧ୍ୟ ତାଙ୍କ ବାପାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଦୁଇ ଏକର ଜମି ପାଇଥିଲେ, ଯାହାକି କରୋଲିଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ରହିଛି । ସେମାନଙ୍କ ପରିବାର ସେଠାରେ ମୁଖ୍ୟତଃ ସୋୟାବିନ୍‌, ଗହମ ଓ ପିଆଜ ଚାଷ କରନ୍ତି ।

'I don't make any [architectural] plans or designs, I just start making the houses directly', Jaypal says. The first few were gifted to relatives, but when people started visiting his home to look at the models, he stopped giving them away
PHOTO • Jaypal Chouhan
'I don't make any [architectural] plans or designs, I just start making the houses directly', Jaypal says. The first few were gifted to relatives, but when people started visiting his home to look at the models, he stopped giving them away
PHOTO • Jaypal Chouhan

ଜୟପାଲ କୁହନ୍ତି, ମୁଁ କୌଣସି [ଆର୍କିଟେକ୍‌ଚରାଲ୍‌] ଯୋଜନା କିମ୍ବା ଡିଜାଇନ୍‌ କରେ ନାହିଁ, ମୁଁ କେବଳ ସିଧାସଳଖ ଘରଗୁଡ଼ିକ ତିଆରି କରେ । ପ୍ରଥମ କେତେଗୁଡ଼ିଏ ସମ୍ପର୍କୀୟମାନଙ୍କୁ ଉପହାର ଦିଆଯାଇଥିଲା, କିନ୍ତୁ ଯେତେବେଳେ ଲୋକମାନେ ସେହି ମଡେଲ୍‌ଗୁଡ଼ିକ ଦେଖିବା ପାଇଁ ତାଙ୍କ ଘରକୁ ଆସିବା ଆରମ୍ଭ କଲେ ସେ ସେଗୁଡ଼ିକ ଦେଇଦେବା ବନ୍ଦ କରିଦେଇଥିଲେ

ଜୟପାଲଙ୍କର କେବଳ ଟୋକି ଗ୍ରାମରେ ଥିବା ତାଙ୍କ ଜନ୍ମ ଗ୍ରାମର ସାଦାସିଧା ମାଟି ଏବଂ ଟିଣ ଘରର ହାଲ୍‌କା ସ୍ମୃତି ରହିଛି । ‘‘ମୋର ଏହା ବେଶୀ ମନେନାହିଁ । ଏବେ ଯେତେବେଳେ ମୁଁ ମଡେଲ୍‌ ତିଆରି କରୁଛି, ସେତେବେଳେ ମୁଁ ଏହାକୁ ଦେଖିବା ପାଇଁ ଫେରିଯାଇପାରିବି ନାହିଁ କାରଣ ଏହା ବୁଡ଼ିଯାଇଛି କିନ୍ତୁ ମୁଁ ମୋର ବର୍ତ୍ତମାନର ଛୋଟ ଘରର ଏକ ମଡେଲ୍‌ ତିଆରି କରିବା ପାଇଁ ଚିନ୍ତା କରୁଛି ।’’

ଏହି ପରିବାର ଏହି ଘରୁ ମଧ୍ୟ ବିସ୍ଥାପିତ ହୋଇପାରନ୍ତି, କାରଣ ଏହି ଜାଗା ଗୋଟିଏ ରାସ୍ତା ନିକଟରେ ଅଛି ଏବଂ ସରକାର ଏହାକୁ ଛଅ-ଲେନ୍‌ ରାସ୍ତାରେ ପ୍ରସାରଣ କରିବାର ଯୋଜନା କରିଛନ୍ତି ବୋଲି ଶୁଣାଯାଉଛି । ଜୟପାଲ କୁହନ୍ତି, ‘‘ତେବେ ଆମକୁ ପୁଣି ଥରେ ଆଉ କେଉଁ ସ୍ଥାନକୁ ଯିବାକୁ ହେବ।’’ ସେ ଆଉ ଅଧିକ ପଢ଼ିବାକୁ ଯୋଜନା କରୁଛନ୍ତି ଏବଂ ଅଟ୍ଟାଳିକା ନିର୍ମାଣରେ ତାଙ୍କର ଆଗ୍ରହ ଏବଂ ସେହି ଶିକ୍ଷାଗତ ଯୋଗ୍ୟତା ସହ ଏକ ସରକାରୀ ଚାକିରି ପାଇବାର ସମ୍ଭାବନା କାରଣରୁ ଜଣେ ସିଭିଲ୍‌ ଇଞ୍ଜିନିୟର୍‌ ହେବାକୁ ଚାହୁଁଛନ୍ତି।

ନିକଟରେ ସେ ତାଜ୍‌ମହଲ୍‌ର ଏକ ମଡେଲ୍‌ ତିଆରି କରିବାକୁ ଆରମ୍ଭ କରିଛନ୍ତି । ସେ କୁହନ୍ତି, ‘‘ଯିଏବି ଆମ ଘରକୁ ଆସନ୍ତି ଏବଂ ମୋ ମଡେଲ୍‌ଗୁଡ଼ିକ ଦେଖନ୍ତି ମୋତେ ପଚାରନ୍ତି ମୁଁ ତାଜ୍‌ ମହଲ୍‌ର ମଡେଲ୍‌ କରିଛି କି ନାହିଁ ।’’ ଏହା ବହୁତ କାଗଜ ଆବଶ୍ୟକ କରିବ କିନ୍ତୁ ଏହି ମହାନ୍ ସ୍ମାରକ ଏହାର ରୂପ ନେବା ଆରମ୍ଭ କରିଛି । ଏବଂ ସମୟ କ୍ରମେ ଅନ୍ୟ ପ୍ରତିକୃତିଗୁଡ଼ିକ ମଧ୍ୟ ସୃଷ୍ଟି ହେବ – ପ୍ରତ୍ୟେକଟି କୁଶଳତା ଏବଂ ଧୈର୍ଯ୍ୟ ଓ ଅଠା ଏବଂ ପ୍ରଚୁର ଅବ୍ୟବହୃତ କାଗଜରେ ପ୍ରସ୍ତୁତ ହୋଇଛି ।

ଅନୁବାଦ: ଓଡ଼ିଶାଲାଇଭ୍‍

Nipun Prabhakar

ନିପୁନ୍ ପ୍ରଭାକର କଚ୍ଛ, ଭୋପାଳ ଏବଂ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଜଣେ ବୃତ୍ତ ଚିତ୍ର ଫଟୋଗ୍ରାଫର୍‌ । ସେ ମଧ୍ୟ ଜଣେ ପ୍ରଶିକ୍ଷଣପ୍ରାପ୍ତ ସ୍ଥପତି ଏବଂ ମୁଖ୍ୟତଃ ସ୍ଥାନୀୟ ସମୂହଗୁଡ଼ିକ ସହ କାମ କରନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Nipun Prabhakar
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE