ଜୟପାଲଙ୍କର ଦୁଇ-ବଖୁରିଆ ଟିଣ ଛପର ଥିବା ଇଟା ଘରେ ଅନେକ ଭବ୍ୟ ଅଟ୍ଟାଳିକା ରହିଛି । ଏସବୁର ଏକାଧିକ ମହଲା, ଲମ୍ବା ସ୍ତମ୍ଭ, ବାଲ୍କୋନୀ ଓ ଗମ୍ବୁଜ ଅଛି ।
ଏବଂ ସେଗୁଡ଼ିକ ଅଠା ଦ୍ୱାରା ସଂଯୁକ୍ତ କରାଯାଇ କାଗଜରେ ପ୍ରସ୍ତୁତ ହୋଇଛି ।
ଗତ ୪-୫ ବର୍ଷ ଧରି ୧୯ ବର୍ଷ ବୟସ୍କ ଜୟପାଲ୍ ଚୌହ୍ୱାନ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଥିବା ତାଙ୍କ ଗ୍ରାମ କରୋଲିସ୍ଥିତ ତାଙ୍କ ଘରେ ସକାଳ ଓ ଅପରାହ୍ଣର କିଛି ସମୟ ଯତ୍ନର ସହ କାଗଜ ମୋଡ଼ି ନଳୀ ତିଆରି କରିବା ଏବଂ ସେଗୁଡ଼ିକୁ ଗୋଟିଏ ଉପରେ ଗୋଟିଏ ଇଟା କାନ୍ଥ ତିଆରି କରିବା ପରି ରଖିବା ଏବଂ ଦୁର୍ଗ ପରି ସଂରଚନା ପ୍ରସ୍ତୁତ କରିବା ପାଇଁ ସେଗୁଡ଼ିକୁ ଅଠା ଲଗାଇ ଯୋଡ଼ିବାରେ କିଛି ସମୟ ବ୍ୟୟ କରୁଛନ୍ତି ।
ସେ କୁହନ୍ତି, ‘‘ମୁଁ ସବୁବେଳେ ଅଟ୍ଟାଳିକା ଏବଂ ସେଗୁଡ଼ିକ କିପରି ତିଆରି ହୁଏ ସେଥିପ୍ରତି ଆଗ୍ରହୀ ରହିଛି ।’’
ଜୟପାଲ ତାଙ୍କୁ ପ୍ରାୟ ୧୩ ବର୍ଷ ହେବା ସମୟରୁ ମନ୍ଦିର କାର୍ଡବୋର୍ଡ ମଡେଲ୍ ସହ ଏହି କାମ ଆରମ୍ଭ କରିଥିଲେ । ସେ ଥରେ ଅନ୍ୟ ଗ୍ରାମରେ ହେଉଥିବା ଏକ ବିବାହରେ ଯୋଗ ଦେବାକୁ ଯାଇଥିଲେ ଯେଉଁଠାରେ ସେ କାହା ଘରେ ଏକ ଛୋଟ କାଚ ମନ୍ଦିର ଦେଖିଥିଲେ ଏବଂ ତାହା ତାଙ୍କୁ କାର୍ଡବୋର୍ଡ ବ୍ୟବହାର କରି ନିଜ ପାଇଁ ଗୋଟିଏ କରିବା ନିମନ୍ତେ କୌତୁହଳ ସୃଷ୍ଟି ହୋଇଥିଲା । ସେ କେତେଗୁଡ଼ିଏ ତିଆରି କଲେ, ସମ୍ପର୍କୀୟମାନଙ୍କୁ ସେଗୁଡ଼ିକ ଉପହାର ଦେଲେ ଏବଂ ଏପରିକି ୨୦୧୭ରେ ଏକ ସ୍କୁଲ୍ ପ୍ରଦର୍ଶନୀରେ ଗୋଟିଏ ମଡେଲ୍ ପାଇଁ ଏକ ପୁରସ୍କାର ଜିତିଥିଲେ ।
ସେ ସ୍କୁଲ୍ରେ ଏକ କାର୍ଡବୋର୍ଡ ମୋଟର ବାଇକ୍ ପାଇଁ ମଧ୍ୟ ପୁରସ୍କାର ଜିତିଥିଲେ । ଏବଂ ତାଙ୍କ ନିକଟରେ ଥିବା ଏସବୁ ସାମଗ୍ରୀର ସଂଗ୍ରହ ମଧ୍ୟରେ ରହିଛି ଗୋଟିଏ ଟେବୁଲ୍ ଫ୍ୟାନ୍, ଗୋଟିଏ ରେସ୍ କାର୍, ଏବଂ ଗୋଟିଏ କ୍ରେନ୍ ଯାହାର ଚକଗୁଡ଼ିକ ଗୋଟିଏ ପୁରୁଣା ଖେଳନାରୁ ନିଆଯାଇଛି ।









