ସମା ବ୍ରହ୍ମା ମନେ ପକାଇଲେ, “ସବୁ ବୋଡୋ ଝିଅମାନଙ୍କ ଭଳି ମୁଁ ମଧ୍ୟ ମୋ ମା’ଙ୍କୁ ବୁଣାବୁଣି କରୁଥିବାର ଦେଖି ବଡ଼ ହୋଇଛି।’’ ଲୋୟର ଆସାମର ବୋଡୋଲାଣ୍ଡର ଚିରାଙ୍ଗ ଜିଲ୍ଲାରେ ଆଜି ନଦୀ କୂଳରେ ସବୁଜ ଧାନ କ୍ଷେତ ମଧ୍ୟରେ ଥିବା ଏକ ଛୋଟ ଗାଁ ଖୁଜ୍ରାବଗୁଡ଼ି ନଂ-୨ରେ ଥିବା ତାଙ୍କ ଘରର ବାରଣ୍ଡାରେ ବାଉଁଶରେ ତିଆରି ତନ୍ତରେ ସେ ବସିଛନ୍ତି ।
ନିକଟବର୍ତ୍ତୀ ସହର ବୋଙ୍ଗାଇଗାଓଁ ପ୍ରାୟ ୨୦ କିମି ଦୂରରେ ରହିଛି । ୮୭ଟି ପରିବାର ରହୁଥିବା ତାଙ୍କ ଗାଁକୁ ଯିବା ରାସ୍ତାରେ କିଛି ସ୍ଥାନରେ ବାଲୁକାପୂର୍ଣ୍ଣ ନଦୀ ଶଯ୍ୟା ରାସ୍ତା ଭଳି କାମ କରିଥାଏ; ଗୋଟିଏ ସ୍ଥାନରେ ଏକ ଭଙ୍ଗା ବାଉଁଶପୋଲକୁ ପାଦରେ ଅତିକ୍ରମ କରିବା ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ ।
ଆସାମର ଗାଁମାନଙ୍କରେ ପ୍ରତି ବୋଡୋ ସଂପ୍ରଦାୟର ଘରେ ଏକ ତନ୍ତ ରହିଛି । ଏହି ସଂପ୍ରଦାୟ( ଆସାମରେ ‘ବୋରୋ’ ଭାବେ ପରିଚିତ) ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ହୋଇଛନ୍ତି । ମହିଳାମାନଙ୍କ ନିକଟରେ ବିଶେଷ କରି ଭାବି କନ୍ୟାଙ୍କ କ୍ଷେତ୍ରରେ ବୁଣାବୁଣିକୁ ଖୁବ୍ ପ୍ରଶଂସନୀୟ ଦକ୍ଷତା ଭାବେ ଦେଖାଯାଇଥାଏ । ଅବଶ୍ୟ ସମାଙ୍କ ଭଳି ଅଳ୍ପ କିଛି ମହିଳା ଏହି ପାରମ୍ପରିକ ଦକ୍ଷତାକୁ ରୋଜଗାର ପାଇଁ ବ୍ୟବହାର କରିଛନ୍ତି । ଏବେ ୪୨ ବର୍ଷରେ ଉପନୀତ ସମା କହିଲେ, “ମୋତେ ୧୫ ବର୍ଷ ହେବା ପୂର୍ବରୁ ମୁଁ ବୁଣାବୁଣି ଆରମ୍ଭ କରିଥିଲି । ସାଲା ମାତା କପଡ଼ା (ସାଧାରଣ ଫେବ୍ରିକ୍ ) ବୁଣି ମୁଁ ଏହି କଳାକୁ ଭଲ ଭାବେ ଆୟତ୍ତ କଲି।’’ “ ଅଧିକ ଆତ୍ମବିଶ୍ୱାସୀ ହେବା ପରେ ମୁଁ ଗୋମୋସା (ସାଲ ପରି କପଡ଼ା) ଭଳି ପାରମ୍ପରିକ ଜିନିଷ ବୁଣିଲି, ତା’ ସହିତ ବେଡସିଟ୍ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବୁଣାବୁଣି କଲି । କିନ୍ତୁ ଦୋଖୋନା (ଶାଢି ଭଳି କପଡ଼ା) ବୁଣିବାକୁ ବିଶେଷ କରି ଜଟିଳ ଫ୍ଲାୱାର ମୋଟିଫ୍ ଥିବା ଦୋଖୋନାକୁ ମୁଁ ସବୁଠୁ ଅଧିକ ଉପଭୋଗ କଲି ।’’








