ମଞ୍ଜିତ କୌର ନିଜର ଦୁଇ ହାତରେ ଗୁହାଳର ଇଟା ଓ କାଦୁଅ ଚଟାଣରୁ ମଈଁଷି ଗୋବର ସଫା କରିଥାନ୍ତି। ତଳେ ଟେକି ହୋଇ ବସି, ଏହି ୪୮ ବର୍ଷୀୟା ମହିଳା ଜଣକ ଚଟାଣରେ ପଡ଼ିଥିବା ବହଳିଆ ଗୋବର ଉଠାଇଥାନ୍ତି, ତା’କୁ ବାଲଟା (ଝୁଡ଼ି)ରେ ଭର୍ତ୍ତି କରି ମୁଣ୍ଡରେ ବୋହି ଚାଲିଥାନ୍ତି। ସତର୍କତାର ସହିତ ମୁଣ୍ଡ ଉପରେ ଥିବା ଓଜନର ସନ୍ତୁଳନ ରକ୍ଷା କରି ସେ ଗୁହାଳର କାଠ ଫାଟକ ପାର୍ ହୋଇ ପାଖାପାଖି ୫୦ ମିଟର ଦୂର ଗୋବର ଗଦା ପାଖକୁ ଯାଆନ୍ତି। ତାଙ୍କ ଛାତି ଉଚ୍ଚା ଠିଆ ହୋଇଥିବା ଗୋବର ଗଦା, ତାଙ୍କର ଦୀର୍ଘ ମାସ ଶ୍ରମର ପ୍ରମାଣ ଦେଇଥାଏ।
ଏହା ଏକ ଉତ୍ତପ୍ତ ଏପ୍ରିଲ ମାସର ଅପରାହ୍ଣ। ୩୦ ମିନିଟ୍ ମଧ୍ୟରେ, ମଞ୍ଜିତ ନିଜର ଏହି ଛୋଟ ଯାତ୍ରାକୁ ଆଠ ଥର ଦୋହରାଇଥାନ୍ତି। ଶେଷରେ, ସେ ନିଜ ଖାଲି ହାତକୁ ପାଣି ପାତ୍ରରେ ଧୂଅନ୍ତି। ସେଦିନର କାମ ସାରି ଫେରିବା ପୂର୍ବରୁ, ସେ ନିଜର ଛୋଟ ନାତି ପାଇଁ କୌଣସି ଗୋଟିଏ ମଇଁଷିଠାରୁ ଅଧାଲିଟର କ୍ଷୀର ଦୁହିଁ ଷ୍ଟିଲ କଣ୍ଟେନରରେ ଭରିଥାନ୍ତି।
ସକାଳ ୭ଟାଠାରୁ ସେ ଏହି କାମ ଆରମ୍ଭ କରିଛନ୍ତି, ଏହା ତାଙ୍କର ଷଷ୍ଠ ଘର। ଘରର ମାଲିକମାନେ ହେଉଛନ୍ତି ଜାଟ୍ ଶିଖ ସମ୍ପ୍ରଦାୟର, ପଞ୍ଜାବର ତର୍ଣ୍ଣ ତରନ ଜିଲ୍ଲାରେ ଥିବା ତାଙ୍କ ଗାଁ ହାଭେଲିୟାଁରେ ଏମାନେ ହେଉଛନ୍ତି ପ୍ରଭାବଶାଳୀ ଜାତିର ଜମିଦାର।
ସେ କୁହନ୍ତି, ‘‘ ମଜବୁରୀ ହୈ ।’’ ଅସହାୟତା କାରଣରୁ ସେ ଜୀବିକା ନିର୍ବାହ ପାଇଁ ଗୁହାଳ ସଫା କରିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ ଦିନରେ ସେ କେତେ ଓଜନର ଗୋବର ନିଜ ମୁଣ୍ଡରେ ମୁଣ୍ଡାଇ ବୋହିଥାନ୍ତି ତାହା ସେ ଜାଣନ୍ତି ନାହିଁ, କିନ୍ତୁ କୁହନ୍ତି, ‘‘ ବଡା ସିର ଦୁଖଦା ହୈ , ଭାର୍ ଚୁକଦେ ଚୁକଦେ ’’ [ମୁଣ୍ଡରେ ସବୁ ଓଜନ ବୋହିବା କାରଣରୁ ମୋ ମୁଣ୍ଡ ଯନ୍ତ୍ରଣାରେ ଫାଟି ପଡ଼ିଥାଏ]
ଚାଲି ଚାଲି ସେ ଘରକୁ ଫେରିବା ସମୟରେ, ରାସ୍ତାରେ ଦିଗନ୍ତ ବିସ୍ତାରୀ ସୁନେଲି ରଙ୍ଗର ଗହମ କ୍ଷେତ ବ୍ୟାପି ରହିଥାଏ। ଖୁବଶୀଘ୍ର ଏସବୁର ଅମଳ ହୋଇଯିବ, ଠିକ୍ ବୈଶାଖୀ ପରେ ପରେ। ଏପ୍ରିଲ ମାସରେ ପଡ଼ୁଥିବା ଏହି ପର୍ବଠାରୁ ପଞ୍ଜାବରେ କୃଷି ଋତୁ ଆରମ୍ଭ ହୋଇଥାଏ। ହାଭେଲିୟାଁର ଜାଟ ଶିଖମାନଙ୍କ ପାଖରେ ଗଣ୍ଡିୱିଣ୍ଡ ବ୍ଲକର ସବୁଠୁ ଅଧିକ ଚାଷ ଜମି ରହିଛି, ଏଥିରେ ମୁଖ୍ୟତଃ ଧାନ ଓ ଗହମ ଚାଷ ହୋଇଥାଏ।
ତେବେ ମଧ୍ୟାହ୍ନ ଭୋଜନରେ ମଞ୍ଜିତ ଗୋଟିଏ ଥଣ୍ଡା ରୁଟି ଓ ଚା’ ସେବନ କରିଥାନ୍ତି। ଏହାପରେ ଗୋଟିଏ ଘଣ୍ଟା ବିଶ୍ରାମ ନିଅନ୍ତି। ଏବେ ତାଙ୍କୁ ଶୋଷ ଲାଗୁଛି। ‘‘ଏ ଖରା ଗରମରେ ସେମାନେ ସାମାନ୍ୟ ପାଣି ସୁଦ୍ଧା ଯାଚନ୍ତି ନାହିଁ,’’ ମଞ୍ଜିତ ତାଙ୍କ ଉଚ୍ଚ ଜାତିର ନିଯୁକ୍ତିଦାତାଙ୍କ ବିଷୟରେ କୁହନ୍ତି।
ମଞ୍ଜିତ ମଜହବୀ ଶିଖମାନଙ୍କ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି। ପାଖାପାଖି ଦୁଇ ଦଶନ୍ଧି ପୂର୍ବରୁ, ସେ ଓ ତାଙ୍କ ପରିବାର ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି। ହିନ୍ଦୁସ୍ତାନ ଟାଇମ୍ସ ରେ ୨୦୧୯ ରିପୋର୍ଟରେ ପ୍ରକାଶ ପାଇଥିବା ଅନୁଯାୟୀ, ହାଭେଲିୟାଁରେ ପ୍ରାୟ ଏକ ତୃତୀୟାଂଶ ଜନସଂଖ୍ୟା ଅନୁସୂଚିତ ଜାତି ଏବଂ ପଛୁଆ ବର୍ଗ ସମ୍ପ୍ରଦାୟର ଯେଉଁମାନେ କୃଷି ଶ୍ରମିକ କିମ୍ବା ଦିନ ମଜୁରିଆ ଭାବେ ଜୀବନ ନିର୍ବାହ କରନ୍ତି। ଅନ୍ୟମାନେ ହେଉଛନ୍ତି ଜାଟ୍ ଶିଖ। ଜାଟ୍ ଶିଖମାନଙ୍କର ପ୍ରାୟ ୧୫୦ ଏକର ଜମି ସୀମାବର୍ତ୍ତୀ ତାର ବାଡ଼ ବାହାରେ ରହିଛି, ଏଠାରୁ ପାକିସ୍ତାନର ଦୂରତା ମାତ୍ର ୨୦୦ ମିଟର ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଥିଲା।
ହାଭେଲିୟାଁର ଦଳିତ ମହିଳାମାନେ ଜାଟ୍ ଶିଖମାନଙ୍କ ଘରେ ଗୋବର ଓ ଗୁହାଳ ସଫା କରନ୍ତି କିମ୍ବା ଅନ୍ୟାନ୍ୟ ଘରୋଇ କାମ କରିଥାନ୍ତି।
ମଞ୍ଜିତ କୁହନ୍ତି, ‘‘ ଗରିବାଁ ବାରେ ସରକାର ନହିଁ ସୋଚଦି ତାହି ତେ ଗୋହା ଚୁକଦେ ହାଁ ଅସି [ଗରିବ ଲୋକଙ୍କ ବିଷୟରେ ସରକାର ଚିନ୍ତା କରୁନାହାନ୍ତି, ଏହି କାରଣରୁ ଆମେ ଗାଈ ଗୋବର ସଂଗ୍ରହ ଓ ସଫା କରୁଛୁ]।’’
କାମ ପାଇଁ ସେମାନେ କ’ଣ ପାଆନ୍ତି?
‘‘ପ୍ରତି ଗୋରୁ କିମ୍ବା ମଇଁଷିଙ୍କ ପାଇଁ, ଆମେ ଗୋଟିଏ ମାନ୍ [କିମ୍ବା ମାଉନ୍ଦ; ପାଖାପାଖି ୩୭ କିଲୋଗ୍ରାମ] ଗହମ କିମ୍ବା ଚାଉଳ, ଫସଲ ଋତୁ ଅନୁଯାୟୀ, ଛଅମାସରେ ଥରେ ପାଇଥାଉ।
ମଞ୍ଜିତ ସାତ ଘଣ୍ଟା କାମ କରିଥାନ୍ତି, ଯେଉଁଥିରେ ମୋଟ ୫୦ ଡଙ୍ଗର [ଗୃହପାଳିତ ପଶୁ] ଥାଆନ୍ତି। ‘‘ଗୋଟିଏ ଘରେ ୧୫, ଆଉ ଏକ ଘରେ ସାତ। ତୃତୀୟ ଜଣଙ୍କ ଘରେ ୫; ଚତୁର୍ଥ ଜଣଙ୍କ ଘରେ ଛଅ....’’ ମଞ୍ଜିତ ଗଣିବା ଆରମ୍ଭ କରନ୍ତି।
ସମସ୍ତେ ସଠିକ୍ ପରିମାଣରେ ଗହମ କିମ୍ବା ଚାଉଳ ଦିଅନ୍ତି, କେବଳ ୧୫ଟି ପଶୁ ଥିବା ଘରକୁ ଛାଡ଼ି ଦେଲେ, ସେ କୁହନ୍ତି। ‘‘ସେମାନେ ୧୫ଟି ପଶୁଙ୍କ ପାଇଁ ମାତ୍ର ୧୦ ମାନ୍ [୩୭୦ କିଲୋଗ୍ରାମ] ଦିଅନ୍ତି,’’ ସେ କୁହନ୍ତି। ‘‘ମୁଁ ସେମାନଙ୍କ କାମ ଛାଡ଼ି ଦେବାକୁ ଚିନ୍ତା କରୁଛି।’’
ସାତଟି ମଇଁଷି ଥିବା ପରିବାରଠାରୁ ମଞ୍ଜିତ ନିଜ ନବଜାତ ନାତି ପାଇଁ କପଡ଼ା କିଣିବା ଓ ଘର ଖର୍ଚ୍ଚ ପାଇଁ ୪ ହଜାର ଟଙ୍କା ଉଧାର ଆଣିଥିଲେ। ଛଅ ମାସ’ ସେଠାରେ କାମ କରି ସାରିବା ପରେ, ମେ ମାସରେ, ଗହମ କିଲୋପ୍ରତି ଦରକୁ ଆଧାର କରି ତାଙ୍କର ବକେୟା ଉଧାର ସୁଝିବା ପରେ ସେ ଅବଶିଷ୍ଟ ଗହମ ପାଇଥିଲେ।
ସାତଟି ପଶୁଙ୍କ ପାଇଁ ତାଙ୍କର ପାଉଣା ହେଉଛି ସାତ ମାନ୍ , ପାଖାପାଖି ୨୬୦ କିଲୋଗ୍ରାମ।
ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ଗୋଟିଏ କୁଇଣ୍ଟାଲ (୧୦୦ କିଲୋଗ୍ରାମ) ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ଚଳିତ ବର୍ଷ ୨,୦୧୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହି ଆଧାରରେ ୨୬୦ କିଲୋଗ୍ରାମ ଗହମ ମୂଲ୍ୟ ପ୍ରାୟ ୫,୨୪୦ ଟଙ୍କା ହେବ। ନିଜ ଋଣ ସୁଝିବା ପରେ, ମଞ୍ଜିତଙ୍କର ୧,୨୪୦ ଟଙ୍କାର ଗହମ ପାଇବାର ଥିଲା।
ନଗଦ ଆକାରରେ ସୁଧ ମଧ୍ୟ ପାଇବାର ଥିଲା। ‘‘ପ୍ରତି ୧୦୦ ଟଙ୍କା ପିଛା (ଋଣର), ସେମାନେ ମାସିକ ୫ ଟଙ୍କା ଦାବି କରିଥାନ୍ତି,’’ ସେ କୁହନ୍ତି। ଏହି ଆଧାରରେ ବାର୍ଷିକ ସୁଧ ହାର ହେଉଛି ୬୦ ପ୍ରତିଶତ।
ଏପ୍ରିଲ ମଧ୍ୟଭାଗ ସୁଦ୍ଧା ସେ ୭୦୦ ଟଙ୍କା ସୁଧ ପୈଠ କରିଥିଲେ।
ମଞ୍ଜିତଙ୍କ ପରିବାରରେ ସାତ ଜଣ ସଦସ୍ୟ ଅଛନ୍ତି – ୫୦ ବର୍ଷ ଟପି ସାରିଥିବା ତାଙ୍କ କୃଷି ଶ୍ରମିକ ସ୍ୱାମୀ, ୨୪ ବର୍ଷର କୃଷି ଶ୍ରମିକ ପୁଅ, ବୋହୂ, ଦୁଇ ଜଣ ନାତି ଏବଂ ୨୨ ଓ ୧୭ ବର୍ଷର ଦୁଇ ଅବିବାହିତା ଝିଅ। ତାଙ୍କର ଦୁଇ ଝିଅ ଜାଟ୍ ଶିଖ୍ମାନଙ୍କ ଘରେ ଘରକରଣା କାମ କରି, ମାସିକ ୫୦୦ ଟଙ୍କା ରୋଜଗାର କରିଥାନ୍ତି।
ଆଉ ଜଣେ ନିଯୁକ୍ତିଦାତାଙ୍କଠାରୁ ସେ ବିନା ସୁଧରେ ମଧ୍ୟ ଋଣ ନେଇଛନ୍ତି। ସେ କୁହନ୍ତି, ସଉଦା, ଚିକିତ୍ସା ଖର୍ଚ୍ଚ, ପରିବାରରେ ବାହାଘର ଓ ଅନ୍ୟ ସମାରୋହ ଖର୍ଚ୍ଚ ତୁଲାଇବା ଏବଂ ଗୃହପାଳିତ ପଶୁ କିଣିବା କିମ୍ବା ଅନ୍ୟ କୌଣସି ଖର୍ଚ୍ଚ ପାଇଁ ମହିଳାମାନଙ୍କୁ ନଗଦ ଆର୍ଥିକ ସହାୟତା କରୁଥିବା କ୍ଷୁଦ୍ର ସଞ୍ଚୟ ଗୋଷ୍ଠୀର ମାସିକ କିସ୍ତି ସୁଝିବା ଲାଗି ଉଚ୍ଚ ଜାତିର ଲୋକଙ୍କ ଘରୁ ଟଙ୍କା ଉଦ୍ଧାର ନେବା ଅତି ଜରୁରି ହୋଇଥାଏ।
ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରାଧ୍ୟାପକ (ପୂର୍ବତନ) ଡକ୍ଟର ଗ୍ୟାନ ସିଂ, ମାର୍ଚ୍ଚ ୨୦୨୦ରେ ଏକ ଅଧ୍ୟୟନ - ‘ଗ୍ରାମୀଣ ପଞ୍ଜାବରେ ଦଳିତ ମହିଳା ଶ୍ରମିକ : ଅନ୍ତର୍ନିହିତ ତଥ୍ୟ’ ପ୍ରକାଶ କରିଥିଲେ। ଏଥିରେ ସେ କହିଛନ୍ତି, ତାଙ୍କ ଦଳ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଗ୍ରାମୀଣ ପଞ୍ଜାବୀ ପରିବାରରେ ଥିବା ୯୬.୩ ପ୍ରତିଶତ ଦଳିତ ମହିଳା ଋଣ ବୋଝରେ ପଡ଼ିଛନ୍ତି। ପ୍ରତ୍ୟେକଙ୍କ ଉପରେ ହାରାହାରି ୫୪,୩୦୦ ଟଙ୍କାର ଋଣ ରହିଛି। ମୋଟ୍ ଋଣ ମଧ୍ୟରୁ ପ୍ରାୟ ୮୦.୪୦ ପ୍ରତିଶତ ଅଣସଂସ୍ଥାଗତ ଉତ୍ସରୁ ନିଆଯାଇଛି।
ହାଭେଲିୟାଁର ଆଉ ଜଣେ ଦଳିତ ମହିଳା ୪୯ ବର୍ଷୀୟା ସୁଖବୀର କୌର କୁହନ୍ତି, ପୁରୁଣା ମାଲିକମାନେ ବେୟାଜ (ସୁଧ) ନିଅନ୍ତି ନାହିଁ; କେବଳ ନୂଆ ନିଯୁକ୍ତିଦାତାମାନେ ଏପରି କରିଥାନ୍ତି।
ମଞ୍ଜିତଙ୍କ ପରିବାରର ଜଣେ ସମ୍ପର୍କୀୟ, ସୁଖବୀର ସେହି ପାଖରେ ନିଜ ଦୁଇ ବଖୁରିଆ ଘରେ ରୁହନ୍ତି। ପରିବାର କହିଲେ, ତାଙ୍କ ସ୍ୱାମୀ ଓ ୨୦ ବର୍ଷ ଟପି ସାରିଥିବା ଦୁଇ ପୁଅ। ସମସ୍ତେ କାମ ମିଳିଲେ, ଦିନକୁ ୩୦୦ ଟଙ୍କା ମଜୁରିରେ କୃଷି ଶ୍ରମିକ କିମ୍ବା ଦିନ ମଜୁରିଆ ଭାବେ କାମ କରିଥାନ୍ତି। ସୁଖବୀର ଗତ ୧୫ ବର୍ଷ ଧରି ଜାଟ୍ ଶିଖମାନଙ୍କ ଘରେ ଗୋବର ଉଠାଇବା ଏବଂ ଗୁହାଳ ସଫା କାମ କରି ଆସୁଛନ୍ତି।
ଏମିତି ଦୁଇଟି ଘରେ ମୋଟ୍ ୧୦ଟି ଗୃହପାଳିତ ପଶୁଙ୍କ ପାଇଁ ସେ କାମ କରିଥାନ୍ତି। ତୃତୀୟ ଘରେ ସେ ମାସିକ ୫୦୦ ଟଙ୍କାରେ ଘରକରଣା କାମ କରିଥାନ୍ତି। ସକାଳ ୯ଟା ବେଳୁ ସେ କାମକୁ ବାହାରି ଯାଆନ୍ତି, ଫେରିବା ସମୟର କିଛି ଠିକଠିକଣା ନଥାଏ। ‘‘ବେଳେବେଳେ ମୁଁ ମଧ୍ୟାହ୍ନ ସୁଦ୍ଧା ଫେରି ଆସେ, କେବେ ଅପରାହ୍ଣ ୩ଟା ବାଜିଯାଏ, ଆଉ କେବେ ସନ୍ଧ୍ୟା ୬ଟା ହୋଇଯାଏ,’’ ସୁଖବୀର କୁହନ୍ତି। ‘‘ଫେରିବା ପରେ, ମୋତେ ରୋଷେଇ କରିବାକୁ ହୋଇଥାଏ ଏବଂ ଅବଶିଷ୍ଟ ଘର କାମ ମୁଁ ସାରିଥାଏ। ରାତି ୧୦ଟା ବେଳକୁ ଶୋଇବାକୁ ଯାଏ।’’
ମଞ୍ଜିତଙ୍କ ଅବସ୍ଥା ଟିକିଏ ଭଲ, ସୁଖବୀର କୁହନ୍ତି, ତାଙ୍କ ବୋହୂ ଅଧିକାଂଶ ଘର କାମ କରି ଦେଇଥାଏ।
ମଞ୍ଜିତଙ୍କ ଭଳି, ସୁଖବୀର ମଧ୍ୟ ନିଜ ନିଯୁକ୍ତିଦାତାଙ୍କଠାରୁ ଉଧାର ଆଣି ଋଣବୋଝରେ ରହିଛନ୍ତି। ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ, ସେ ନିଜ ଝିଅ ବାହାଘର ପାଇଁ ଗୋଟିଏ ପରିବାରଠାରୁ ୪୦,୦୦୦ ଟଙ୍କା ଋଣ ଆଣିଥିଲେ। ପ୍ରତି ଛଅ ମାସରେ ଥରେ ତାଙ୍କୁ ମିଳିବାକୁ ଥିବା ଛଅ ମାନ୍ (ପ୍ରାୟ ୨୨୦ କିଲୋଗ୍ରାମ) ଗହମ କିମ୍ବା ଚାଉଳ କଟିଯିବା ପରେ ମଧ୍ୟ, ସମ୍ପୂର୍ଣ୍ଣ ଋଣ ପରିଶୋଧ ହୋଇନାହିଁ।
ପ୍ରତି ଛଅ ମାସରେ ଥରେ ବଳକା ଋଣ ପରିମାଣ ହିସାବ ହୋଇଥାଏ, କିନ୍ତୁ ସେ ପରିବାରର ଭରଣପୋଷଣ ଏବଂ ଅନ୍ୟ ଖର୍ଚ୍ଚ ପାଇଁ ଅଧିକ ଟଙ୍କା ଉଧାର ଆଣିଥାନ୍ତି। ‘‘ ତେ ଚଲଦା ହି ରେହନ୍ଦା ହୈ [ଏହା ଏମିତି ଚାଲିଥାଏ]। ଏହି କାରଣରୁ ଆମେ ଋଣ ଚକ୍ରରୁ ମୁକୁଳି ପାରିନଥାଉ,’’ ସୁଖବୀର କୁହନ୍ତି।
ସେ ଯେଉଁ ପରିବାରଠାରୁ ଟଙ୍କା ଧାର ଆଣିଛନ୍ତି, ସେମାନେ ବେଳେବେଳେ କିଛି ଅଧିକ କାମ ପାଇଁ ଆଦେଶ ଦେଇଥାନ୍ତି। ‘‘ତାଙ୍କଠାରୁ ଋଣ ଆଣିଥିବାରୁ, ଆମେ କୌଣସି କାମକୁ ମନା କରିପାରିବୁ ନାହିଁ,’’ ସୁଖବୀର କୁହନ୍ତି। ‘‘ଦିନେ ଆମେ କାମ କରିବାକୁ ସକ୍ଷମ ନହେଲେ, ସେମାନେ ଆମକୁ ଗାଳି କରିଥାନ୍ତି, ଟଙ୍କା ସୁଝିଦିଅ ଓ ତା’ପରେ ଘରେ ବସ ବୋଲି ସେମାନେ ଆମକୁ କୁହନ୍ତି।’’
ଦଳିତ ଦାସ୍ତାଁ ବିରୋଧୀ ଆନ୍ଦୋଳନ ସଂଗଠନ ୧୯୮୫ ମସିହାଠାରୁ ପଞ୍ଜାବରେ ଦାସତ୍ୱ ଏବଂ ଜାତିଗତ ବାଛବିଚାର ବିରୋଧରେ କାର୍ଯ୍ୟ କରି ଆସୁଛି। ଏହାର ସଭାପତି ତଥା ଆଇନଜୀବୀ-ସାମାଜିକ କର୍ମୀ ଗଗନଦୀପ କୁହନ୍ତି, ଏହି କାମରେ ନିୟୋଜିତ ଅଧିକାଂଶ ଦଳିତ ମହିଳା ନିରକ୍ଷର। ‘‘ସେମାନଙ୍କୁ ମିଳିବାକୁ ଥିବା ଶସ୍ୟରୁ ପରିଶୋଧ ହେଉଥିବା ଋଣର ହିସାବ କରିବା ଲାଗି ସେମାନେ ଅକ୍ଷମ। ଏହି କାରଣରୁ ସବୁବେଳେ ଋଣ ବୋଝରେ ଚାପି ହୋଇ ରୁହନ୍ତି’’।
ଗଗନଦୀପ ନିଜ ପ୍ରଥମ ନାଁରେ ହିଁ ପରିଚିତ ହେବାକୁ ପସନ୍ଦ କରିଥାନ୍ତି। ସେ କୁହନ୍ତି, ମାଲୱା (ଦକ୍ଷିଣ ପଞ୍ଜାବ) ଏବଂ ମାଝା (ପଞ୍ଜାବର ସୀମାବର୍ତ୍ତୀ କ୍ଷେତ୍ର, ଯେଉଁଠି ତର୍ଣ୍ଣ ତରନ ରହିଛି) ଅଞ୍ଚଳରେ ଏପରି ମହିଳା ଶୋଷଣର ଶିକାର ହେବା ସାଧାରଣ କଥା। ‘‘ଦୋଆବା କ୍ଷେତ୍ର (ପଞ୍ଜାବର ବ୍ୟାସ ଏବଂ ସତଲେଜ ନଦୀ ମଧ୍ୟରେ ଅବସ୍ଥିତ)ରେ ପରିସ୍ଥିତି ଭଲ କାରଣ ଏଠାକାର ଅଧିକାଂଶ ଲୋକ ବିଦେଶରେ ରୁହନ୍ତି।’’
ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସର୍ବେକ୍ଷଣରେ ସାମିଲ ହୋଇଥିବା ଅଧିକାଂଶ ଦଳିତ ମହିଳା ଶ୍ରମିକମାନେ ସର୍ବନିମ୍ନ ମଜୁରି ଆଇନ, ୧୯୪୮ ସମ୍ପର୍କରେ କିଛି ଜାଣନ୍ତି ନାହିଁ।
ଗଗନଦୀପ କୁହନ୍ତି, ଗୁହାଳରେ ଗୋବର ସଫା କରୁଥିବା ମହିଳାମାନଙ୍କୁ ଶ୍ରମିକ ମାନ୍ୟତା ମିଳୁନାହିଁ। ସେମାନଙ୍କୁ ସର୍ବନିମ୍ନ ମଜୁରି ଆଇନ ଅଧୀନରେ ଅଧିସୂଚୀତ ଅନୁସୂଚୀରେ ସେମାନଙ୍କୁ ସାମିଲ କରାଯାଉନାହିଁ। ସରକାର ଘରୋଇ ଶ୍ରମିକମାନଙ୍କୁ ଏହି ଅନୁସୂଚୀରେ ସାମିଲ କରିଥିବା ବେଳେ ଘର ବାହାରେ ଥିବା ଗୁହାଳ ସଫା କରୁଥିବା ଶ୍ରମିକମାନଙ୍କୁ ଏଥିରେ ସାମିଲ କରାଯାଇନାହିଁ। ‘‘ଏହି ମହିଳାମାନଙ୍କୁ ମଧ୍ୟ ଘଣ୍ଟା ପ୍ରତି ସର୍ବନିମ୍ନ ମଜୁରି ଦିଆଯିବାର ଆବଶ୍ୟକତା ରହିଛି, କାରଣ ସେମାନେ ଗୋଟିଏ ଦିନରେ ଗୋଟିଏରୁ ଅଧିକ ଘରେ ଗୁହାଳ ସଫା ଓ ଗୋବର ଉଠାଇବା କାମ କରିଥାନ୍ତି,’’ ଗଗନଦୀପ କୁହନ୍ତି।
ଝିଅର ଶାଶୁ ଘର ଲୋକଙ୍କୁ ସୁଖବୀର କେବେବି ଏସବୁ କଥା କହିପାରିବେ ନାହିଁ। ‘‘ସେମାନେ ଏକଥା ଜାଣିଲେ ଘୃଣା କରିବେ। ସେମାନେ ଭାବୁଛନ୍ତି ଯେ ସେମାନେ ତାଙ୍କ ଝିଅକୁ ଏକ ଗରିବ ପରିବାରରେ ବାହା ଦେଇଛନ୍ତି,’’ ସେ କୁହନ୍ତି। ତାଙ୍କର ଜ୍ୱାଇଁ ରାଜମିସ୍ତ୍ରୀ ଭାବେ କାମ କରିଥାଏ, କିନ୍ତୁ ତାଙ୍କ ପରିବାର ଶିକ୍ଷିତ। ସୁଖବୀର ତାଙ୍କୁ କହିଛନ୍ତି ଯେ, ବେଳେବେଳେ ସେ ଜଣେ ଦିନ ମଜୁରିଆ ଭାବେ କାମ କରିଥାନ୍ତି।
ମାତ୍ର ୧୭ ବର୍ଷ ବୟସରେ ବାହା ହୋଇ ହାଭେଲିଆଁ ଗାଁକୁ ଆସିଥିଲେ ମଞ୍ଜିତ। ଏହା ପୂର୍ବରୁ ସେ କେବେ କାମ କରିନଥିଲେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ତାଙ୍କୁ କାମ ଖୋଜିବା ଲାଗି ବାଧ୍ୟ କରିଥିଲା। ତାଙ୍କ ଝିଅମାନେ ଘରୋଇ ଶ୍ରମିକ ଭାବେ କାମ କରିଥାନ୍ତି, କିନ୍ତୁ ସେମାନେ ସଂକଳ୍ପ ନେଇଛନ୍ତି ଯେ ପେଟ ପୋଷିବା ଲାଗି ସେମାନେ କେବେ ହେଲେ ଗୋବର ଉଠାଇବେ ନାହିଁ।
ଉଭୟ ମଞ୍ଜିତ ଏବଂ ସୁଖବୀର କୁହନ୍ତି ଯେ ତାଙ୍କର ସ୍ୱାମୀମାନଙ୍କ ରୋଜଗାର ମଦ ପିଇବାରେ ଉଡ଼ିଯାଇଥାଏ। ‘‘ସେମାନଙ୍କ ୩୦୦ ଟଙ୍କା ଦିନ ମଜୁରିରୁ ୨୦୦ ଟଙ୍କା ମଦ କିଣିବା ଲାଗି ନେଇଯାଆନ୍ତି। ତେଣୁ ଚଳିବା (ବାକି ଟଙ୍କାରେ) କଷ୍ଟକର ହୋଇପଡ଼େ,’’ ସୁଖବୀର କୁହନ୍ତି। କାମ ନଥିଲେ, ସେମାନେ ମହିଳାଙ୍କ ରୋଜଗାର ଟଙ୍କା ମଧ୍ୟ ନେଇଯାଆନ୍ତି। ‘‘ଆମେ ସେମାନଙ୍କୁ ଅଟକାଇଲେ, ସେମାନେ ଆମକୁ ମାଡ଼ ମାରନ୍ତି, ଠେଲି ଦିଅନ୍ତି ଏବଂ ଆମ ଉପରକୁ ବାସନକୁସନ ଫିଙ୍ଗିଥାନ୍ତି,’’ ସୁଖବୀର କୁହନ୍ତି।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ (ଏନଏଫଏଚଏସ-୫) ଅନୁଯାୟୀ, ପଞ୍ଜାବରେ ୧୮-୪୯ ବର୍ଷ ବୟସ୍କ ପ୍ରାୟ ୧୧ ପ୍ରତିଶତ ବିବାହିତା ମହିଳାମାନେ ସେମାନଙ୍କ ସ୍ୱାମୀଙ୍କର ଶାରୀରିକ ହିଂସାର ଶିକାର ହୋଇଥାନ୍ତି। ୫ ପ୍ରତିଶତ ମହିଳା ଠେଲି ଦିଆଯିବା ଧକ୍କା ମାରିବା ଏବଂ କିଛି ସାମଗ୍ରୀ ଫିଙ୍ଗିବା ଭଳି ହିଂସାର ଶିକାର ହୋଇଥାନ୍ତି। ୧୦ ପ୍ରତିଶତ ମହିଳାଙ୍କୁ ସେମାନଙ୍କ ସ୍ୱାମୀ ଚାପୁଡ଼ା ମାରିଥାନ୍ତି। ୩ ପ୍ରତିଶତ ମହିଳାଙ୍କୁ କଷ୍ଟ ହେବା ଭଳି ଠେଲି ଦିଆଯାଏ ଏବଂ ସମାନ ପ୍ରତିଶତ ମହିଳା ଲାତ, ଘୋଷଡ଼ା କିମ୍ବା ମାଡ଼ ମରାର ଶିକାର ହୋଇଥାନ୍ତି। ୩୮ ପ୍ରତିଶତ ମହିଳା କୁହନ୍ତି ଯେ ସେମାନଙ୍କର ସ୍ୱାମୀ ଅଧିକାଂଶ ସମୟରେ ମଦ ପିଇଥାନ୍ତି।
୩୫ ବର୍ଷ ବୟସ୍କା ସୁଖବିନ୍ଦର କୌର ଜଣେ ଦଳିତ ମଜହବୀ ଶିଖ୍, ସେ ମଧ୍ୟ ପଡ଼ିଶା ଘରେ
ତାଙ୍କର ୧୫ ଓ ୧୨ ବର୍ଷର ପୁଅ ଓ ଝିଅଙ୍କ ସହିତ ରହିଥାନ୍ତି। ପରିବାରରେ ତାଙ୍କର ୬୦ ବର୍ଷରୁ ଅଧିକ ବୟସ୍କ ଶ୍ୱଶୁର ରୁହନ୍ତି।
ତାଙ୍କୁ ଗୋବର ଗୋଟାଇବାକୁ ପଡ଼ିବ ବୋଲି ଯୁବାବସ୍ଥାରେ ସେ କେବେବି କଳ୍ପନା କରିପାରିନଥିଲେ ବୋଲି
କୁହନ୍ତି। ତେବେ, ପୁଅ ଜନ୍ମ
ହେବା ପରେ ତାଙ୍କ ଶାଶୁ (ପାଞ୍ଚ ବର୍ଷ ପୂର୍ବରୁ ଯାହାଙ୍କର ପ୍ରାଣହାନି ଘଟିଛି) ନିଜ
ପରିବାର ଖର୍ଚ୍ଚ ଚଳାଇବା ଲାଗି କାମ କରିବାକୁ କହିଥିଲେ, ଯଦିଓ
ତାଙ୍କ ସ୍ୱାମୀ ଜଣେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।
ବାହାଘରର ପାଞ୍ଚ ବର୍ଷ ପରେ ସେ ଗୋବର ଉଠାଇବା, ଗୁହାଳ ସଫା କରିବା ଏବଂ ଉଚ୍ଚ ଜାତିର ଘର ଲୋକଙ୍କ ଚଟାଣ ସଫା କରିବା କାମ ଆରମ୍ଭ କରିଥିଲେ। ଆଜି, ସେ ପାଞ୍ଚଟି ଘରେ କାମ କରୁଛନ୍ତି, ଦୁଇଟି ଘରେ ଘରୋଇ ଶ୍ରମିକ ଭାବେ ମାସିକ ୫୦୦ ଟଙ୍କାରେ କାମ କରୁଛନ୍ତି। ଆଉ ତିନୋଟି ପରିବାରର ୩୧ଟି ଗୃହପାଳିତ ପଶୁଙ୍କ ଗୋବର ସେ ସଫା କରିଥାନ୍ତି।
ପୂର୍ବରୁ, ସେ ଏହାକୁ ଘୃଣା କରୁଥିଲେ। ‘‘ଏହା ମୋ ମୁଣ୍ଡ ଉପରେ ଏକ ବୋଝ ଥିଲା,’’ ସେ କୁହନ୍ତି। ଏକାଥରକେ ସେ ପ୍ରାୟ ୧୦ କିଲୋଗ୍ରାମ ଗୋବର ମୁଣ୍ଡାଇ ନେଇଥାନ୍ତି। ଆଉ ସେ ଗନ୍ଧ, ସେ ବ୍ୟତିବ୍ୟସ୍ତ ହୋଇ କୁହନ୍ତି, ‘‘ ଓ ଦିମାଗ ଦା କିଡ୍ଡା ମର ଗୟା [ମୋ ମୁଣ୍ଡରୁ ପୋକ ମରିଯାଇଥିବେ],’’ ସେ କୁହନ୍ତି।
ଅକ୍ଟୋବର ୨୦୨୧ରେ ତାଙ୍କର କୃଷି ଶ୍ରମିକ ସ୍ୱାମୀ ଅସୁସ୍ଥ ହୋଇପଡ଼ିଲେ, କିଛିଦିନ ପରେ ତାଙ୍କ କିଡନୀ ଅଚଳ ହୋଇ ପଡ଼ିଥିବା ଜଣାପଡ଼ିଥିଲା। ସେମାନେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇଗଲେ, କିନ୍ତୁ ପରଦିନ ସେ ପ୍ରାଣ ହରାଇଥିଲେ। ‘‘(ମେଡ଼ିକାଲ) ରିପୋର୍ଟରୁ ଆମକୁ ଜଣାପଡ଼ିଥିଲା ଯେ, ତାଙ୍କୁ ଏଡ୍ସ ହୋଇଥିଲା,’’ ସୁଖବୀର କୁହନ୍ତି।
ଡାକ୍ତରୀ ପରୀକ୍ଷା କରିବା ପାଇଁ ସେତେବେଳେ ସେ ନିଜର ନିଯୁକ୍ତିଦାତାଙ୍କଠାରୁ ୫,୦୦୦ ଟଙ୍କା ଋଣ ନେଇଥିଲେ। ଅନ୍ତ୍ୟେଷ୍ଟି କ୍ରିୟା ଏବଂ ଅନ୍ୟ ପ୍ରଥା ପାଇଁ ସେ ଯଥାକ୍ରମେ ୧୦,୦୦୦ ଏବଂ ୫,୦୦୦ ଟଙ୍କାର ଋଣ ନେଇଥିଲେ।
ଗୋଟିଏ ଋଣ ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ନେଇଥିଲେ। ଏଥିରେ ପ୍ରତି ୧୦୦ ଟଙ୍କା ପିଛା ମାସିକ ସୁଧ ଦର ଥିଲା ୧୦ଟଙ୍କା, ବାର୍ଷିକ ସୁଧ ଦର ୧୨୦ ଟଙ୍କା ଥିଲା। ସେହି ପରିବାର ହିଁ ତାଙ୍କ ବିରୋଧରେ ଘରୁ ଗହଣା ଚୋରି ଅଭିଯୋଗ ଆଣିଥିଲା। ‘‘ତେଣୁ ମୁଁ କାମ ଛାଡ଼ିଦେଲି ଏବଂ ଅନ୍ୟମାନଙ୍କଠାରୁ ୧୫,୦୦୦ ଟଙ୍କା ଉଧାର ଆଣି ତାଙ୍କ ଋଣ ସୁଧ ସହିତ ପରିଶୋଧ କଲି। ଶେଷରେ ସେମାନଙ୍କ ଘରୁ ହିଁ ଅଳଙ୍କାର ମିଳିଲା,’’ ସୁଖବିନ୍ଦର କୁହନ୍ତି।
ଏବେ ସୁଦ୍ଧା ତାଙ୍କର ୧୫,୦୦୦ ଟଙ୍କା ସୁଝିବାକୁ ବାକି ଅଛି।
ଅସହାୟତା ଏବଂ ଦାରିଦ୍ର୍ୟ ଯୋଗୁ ହାଭେଲିୟାଁର ମଞ୍ଜିତ କୌରଙ୍କ ଭଳି ମଜହବୀ ଶିଖ ମହିଳାମା ନେ କ ମ୍ ମଜୁରିରେ ଗୋରୁ ଗୁହାଳ ସଫା କରିବା ଭଳି କାମ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ପରିବାର ଖର୍ଚ୍ଚ ତୁଲାଇବା ପାଇଁ ଜାଟ୍ ଶିଖ ପରିବାରଠାରୁ ଅଳ୍ପ ପରିମାଣର ଋଣ ଆଣିବା ଜରୁରି ହୋଇଥାଏ , କିନ୍ତୁ ଉଚ୍ଚ ସୁଧ ହାର ସେମାନଙ୍କୁ ଋଣ ଯନ୍ତାରେ ଛନ୍ଦି ଦେଇଥାଏ।
ଦଳିତ ଦାସ୍ତାଁ ବିରୋଧୀ ଆନ୍ଦୋଳନର ତର୍ଣ୍ଣ ତରନ ଜିଲ୍ଲା ସଭାପତି ରଞ୍ଜିତ ସିଂ କୁହନ୍ତି, ଉଚ୍ଚ ସୁଧ ହାର ଯୋଗୁଁ ଏପରି ମହିଳାମାନଙ୍କର ଋଣ କେବେ ବି ସମ୍ପୂର୍ଣ୍ଣ ପରିଶୋଧ ହୋଇପାରିନଥାଏ। ‘‘ସୁଧ ପରିମାଣ ଏତେ ଅଧିକ ହୋଇଥାଏ ଯେ ମହିଳାମାନେ ସେମାନଙ୍କର ଋଣ ସୁଝିବାକୁ ସକ୍ଷମ ହୁଅନ୍ତି ନାହିଁ। ଶେଷରେ, ସେମାନେ ବନ୍ଦୁଆମଜଦୁର [ଗୋତି ଶ୍ରମିକ] ପାଲଟିଯାଆନ୍ତି,’’ ସେ କୁହନ୍ତି। ଉଦାହରଣ ସ୍ୱରୂପ ସୁଖବୀନ୍ଦର ମାସିକ ୧୦,୦୦୦ ଟଙ୍କା ଋଣ ପାଇଁ ମାସିକ ୧,୦୦୦ ଟଙ୍କା ସୁଧ ଦେଇଥାନ୍ତି।
ପଇଁଚାଳିଶ ବର୍ଷ ପୂର୍ବରୁ, ଭାରତରେ ଗୋତି ଶ୍ରମିକ ବ୍ୟବସ୍ଥା (ଉଚ୍ଛେଦ) ଆଇନ, ୧୯୭୬ ଲାଗୁ କରାଯାଇଥିଲା। ଏହି ଆଇନର ଉଲ୍ଲଙ୍ଘନ କ୍ଷେତ୍ରରେ ତିନି ବର୍ଷର ଜେଲ୍ ଦଣ୍ଡ ଏବଂ ୨,୦୦୦ ଟଙ୍କା ଜୋରିମାନା ବ୍ୟବସ୍ଥା ରହିଛି। ଏହାଛଡ଼ା ଯଦି ଜଣେ ଅନୁସୂଚିତ ଜାତିର ଲୋକଙ୍କୁ ଗୋତି ଶ୍ରମିକ ଭାବେ କାମ କରିବା ଲାଗି ବାଧ୍ୟ କରାଯାଏ ତା’ହେଲେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ଆଇନ ୧୯୮୯ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯିବ।
ଏପରି ମାମଲାରେ ଦଣ୍ଡାଦେଶ ଦେବା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ବିଶେଷ ଆଗ୍ରହ ପ୍ରକାଶ କରିନଥାଏ ବୋଲି ରଞ୍ଜିତ କୁହନ୍ତି।
‘‘ସେ [ତାଙ୍କ ସ୍ୱାମୀ] ବଞ୍ଚିଥିଲେ ଘର ଚଳାଇବା ସହଜ ହୋଇଥାନ୍ତା,’’ ନିଜର ଅସହାୟତା ବିଷୟରେ ମତପ୍ରକାଶ କରି ସୁଖବୀନ୍ଦର କୁହନ୍ତି। ‘‘ଋଣ ନେବା ଏବଂ ଏହାକୁ ପରିଶୋଧ କରିବାରେ ଆମ ଜୀବନ ବିତିଯିବ।’’
ଅନୁବାଦ: ଓଡ଼ିଶାଲାଇଭ୍