ଭାରତର କୃଷି କ୍ଷେତ୍ରରେ ବିପର୍ଯ୍ୟୟ କେବଳ କୃଷିକ୍ଷେତ୍ରରେ ସୀମିତ ହୋଇନାହିଁ।
ଏହା ଏକ ସାମାଜିକ ସଙ୍କଟ। ଏପରିକି ଏହାକୁ ସଭ୍ୟତାର ବିପର୍ଯ୍ୟୟ ବୋଲି କୁହାଯାଇପାରେ, ବୋଧହୁଏ ପୃଥିବୀର ସର୍ବାଧିକ ସଂଖ୍ୟକ କ୍ଷୁଦ୍ର ଚାଷୀ ଓ ମୂଲିଆ ସେମାନଙ୍କର ଜୀବିକାର ସୁରକ୍ଷା ପାଇଁ ଅହରହ ସଂଗ୍ରାମ କରୁଛନ୍ତି। କୃଷି କ୍ଷେତ୍ରରେ ବିପର୍ଯ୍ୟୟ କେବଳ ଜମି ହରାଇବାରେ ସୀମିତ ହୋଇନାହିଁ। ଏହା କେବଳ ମାନବ ଜୀବନ ବା ଉତ୍ପାଦକତା ହାନିର ପରିମାପ ହୋଇନାହିଁ। ଏହା ହେଉଛି ଆମ ନିଜର ମାନବିକତାର ଅବକ୍ଷୟର ଏକ ପରିମାପ। ଆମର ମାନବିକତାର ପରିସର ସଙ୍କୁଚିତ ହୋଇଯାଉଛି। ଆମ୍ଭେମାନେ ଏହି ବେସାହାରା ଲୋକମାନଙ୍କର ବଢ଼ି ଚାଲିଥିବା ଦୁଃଖ ଦେଖି କେବଳ ନିରବଦ୍ରଷ୍ଟା ସାଜିଛୁ, ଏହାଠାରୁ ଆଉ ଅଧିକ ବଡ ଦୁଃଖର କଥା କ’ଣ ହୋଇପାରେ ଯେ, ଗତ ୨୦ ବର୍ଷ ମଧ୍ୟରେ ୩୦୦,୦୦୦ରୁ ଅଧିକ ସଂଖ୍ୟକ କୃଷକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଯେତେବେଳେ କି କେତେକ - ‘ଆଗଧାଡ଼ିର ଅର୍ଥନୀତି ବିଶେଷଜ୍ଞ’- ଆମ ଚାରିପଟର ଏହି ଦୁଃଖ ଦୁର୍ଦ୍ଦଶାକୁ ଉପହାସ କରିଛନ୍ତି, ଏପରିକି କୌଣସି ବିପର୍ଯ୍ୟୟ ନାହିଁ ବୋଲି ମତ ଦେଇଛନ୍ତି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ଏବେ ଦୁଇବର୍ଷ ହେଲା ଚାଷୀ ଆତ୍ମହତ୍ୟା ବିଷୟରେ କୌଣସି ତଥ୍ୟ ପ୍ରକାଶ କରିନାହିଁ। ତାହାପୂର୍ବରୁ କିଛି ବର୍ଷ ଧରି, ଅଧିକାଂଶ ରାଜ୍ୟ ଦ୍ୱାରା ଭୁଲ୍ ତଥ୍ୟ ଲଗ୍ଇନ୍ କରି ଏଜେନ୍ସିର ଆକଳନକୁ ବହୁଳ ଭାବରେ ବିଭ୍ରାନ୍ତ କରାଯାଇଥିଲା। ଉଦାହରଣସ୍ୱରୂପ ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଅନ୍ୟ କେତେକ ରାଜ୍ୟ ସେମାନଙ୍କ ରାଜ୍ୟରେ ‘ଶୂନ୍ୟ ଚାଷୀ ଆତ୍ମହତ୍ୟା’ ଦାବି କରିଥିଲେ। ୨୦୧୪ ମସିହାରେ, ୧୨ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ‘ଶୂନ୍ୟ ଚାଷୀ ଆତ୍ମହତ୍ୟା’ ଦାବି କରିଥିଲେ। ୨୦୧୪ ଏବଂ ୨୦୧୫ର ଏନ୍ସିଆର୍ବି ରିପୋର୍ଟରେ ବ୍ୟାପକ ଲଜ୍ଜ୍ୟାହୀନ ତ୍ରୁଟି ସହିତ ପଦ୍ଧତିରେ ବିଭ୍ରାଟ ଦେଖାଯାଇଥିଲା- ଯାହାର ଲକ୍ଷ୍ୟ ଥିଲା ଏହି ସଂଖ୍ୟାକୁ କମ୍ କରିବା।
କିନ୍ତୁ ବାସ୍ତବରେ ଦିନକୁ ଦିନ ଏହା ବଢ଼ି ଚାଲିଛି।
ଏହି ସମୟରେ ଚାଷୀମୂଲିଆଙ୍କର ବିକ୍ଷୋଭ ମୁଣ୍ଡ ଟେକିଲା। ମଧ୍ୟପ୍ରଦେଶରେ ଚାଷୀମାନଙ୍କୁ ଗୁଳିକରି ହତ୍ୟା କରାଗଲା। ମହାରାଷ୍ଟ୍ରରେ ରାଜିନାମାରେ କୃଷକମାନଙ୍କୁ ଠକି ଦିଆଗଲା। ସବୁଆଡେ ଏହି ବିକ୍ଷୋଭକୁ ଦୃଢ଼ ହସ୍ତରେ ଦମନ କରାଗଲା। ଗ୍ରାମାଞ୍ଚଳରେ ଦିନକୁ ଦିନ କ୍ରୋଧ ଓ ଯନ୍ତ୍ରଣା ପୁଞ୍ଜିଭୁତ ହେଲା। କେବଳ କୃଷକମାନଙ୍କ ମଧ୍ୟରେ ନୁହେଁ, ନରେଗା ଯୋଜନାରେ ନିଯୁକ୍ତି ପାଇଥିବା ମୁଲିଆମାନଙ୍କୁ ମଧ୍ୟ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଦମନ କରାଗଲା। ସେମାନଙ୍କ ସହିତ ମତ୍ସ୍ୟଜୀବୀ, ବନବାସୀ, କାରିଗର, ଅଙ୍ଗନୱାଡି କର୍ମୀମାନଙ୍କୁ ମଧ୍ୟ ଶୋଷଣ କରାଗଲା। ସେମାନଙ୍କ ମଧ୍ୟରୁ ଯେଉଁମାନେ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ପଠାଉଥିଲେ, ସେଠାରେ ଦେଖାଗଲା ଯେ ସରକାର ନିଜେ ନିଜ ବିଦ୍ୟାଳୟର ବିନାଶ କରୁଛନ୍ତି। ଏହା ସହିତ ସରକାରଙ୍କ ଅଧୀନରେ ଛୋଟମୋଟ ଚାକିରି କରୁଥିବା ଏବଂ ପରିବହନ କ୍ଷେତ୍ର ଓ ସାର୍ବଜନୀନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ମଧ୍ୟ କୃଷିର ଘରୋଇକରଣ ଯୋଗୁଁ ପ୍ରଭାବିତ ହେଉଛନ୍ତି।





