ଅମୋଡା ଓ ରାଜେଶ ମାର୍ଚ୍ଚ ୨୩ରେ ଯେତେବେଳେ ଦକ୍ଷିଣ ବାଙ୍ଗାଲୁରୁର କୋଠା ନିର୍ମାଣ ସ୍ଥଳରେ ସେମାନଙ୍କ ନୂଆ କାମରେ ଯୋଗ ଦେବା ପାଇଁ ପହଞ୍ଚିଲେ ସେତେବେଳେ ସେମାନଙ୍କ ଭାଗ୍ୟରେ କ’ଣ ଭୋଗିବାକୁ ଲେଖାହୋଇଛି ତାହା ସେମାନେ ଜାଣିନଥିଲେ ।
ଜେ.ପି ନଗର ପାଖ ଅଞ୍ଚଳରେ ଥିବା ନିର୍ମାଣ ସ୍ଥଳରେ ସେମାନଙ୍କ କାମ ଆରମ୍ଭ କରିବା ଯୋଜନା କୋଭିଡ୍-୧୯ ତାଲାବନ୍ଦ ଘୋଷଣା ହେବା ସହିତ ପଣ୍ଡ ହୋଇଗଲା । ସେମାନେ କରୋନା ଭୂତାଣୁ ବିଷୟରେ କିଛି ଜାଣନ୍ତି ନାହିଁ, ବର୍ତ୍ତମାନ ମଧ୍ୟ ନୁହେଁ । “କେହି ଜଣେ ଆମକୁ ସାବଧାନ ରହିବାକୁ କହିଲେ, ହେଲେ କେଉଁ ଜିନିଷ ପ୍ରତି ସାବଧାନ ରହିବୁ ତାହା ମଧ୍ୟ ଆମକୁ ଜଣା ନାହିଁ । ଆମକୁ କେବଳ ଏତିକି ଜଣା ଯେ ଆମ ପାଖରେ କିଛି କାମ ନାହିଁ,” ବୋଲି ଏପ୍ରିଲ ଆରମ୍ଭରେ ଅମୋଡାଙ୍କ ସହିତ ଆମେ ସାକ୍ଷାତ କରିବା ବେଳେ ସେ ଆମକୁ କହିଥିଲେ ।
ଅମୋଡା ଓ ରାଜେଶ, ଯେଉଁମାନେ ସେମାନଙ୍କର କେବଳ ପ୍ରଥମ ନାମ ବ୍ୟବହାର କରିବାକୁ ପସନ୍ଦ କରନ୍ତି। ଉଭୟଙ୍କ ବୟସ ହେଉଛି ୨୩ ବର୍ଷ । ସେମାନେ ସାଧାରଣତଃ ସେମାନଙ୍କ ଦୁଇ ସନ୍ତାନ – ତିନି ବର୍ଷର ରକ୍ଷିତା ଓ ଏକ ବର୍ଷର ରକ୍ଷିତଙ୍କ ସହିତ ବାଙ୍ଗାଲୁରୁରେ ଗୋଟିଏ ନିର୍ମାଣ ସ୍ଥଳରୁ ଅନ୍ୟ ନିର୍ମାଣସ୍ଥଳକୁ ଯାଇଥାନ୍ତି – ଅର୍ଥ ଉପାର୍ଜନ କରିବା ପାଇଁ ।
ମାର୍ଚ୍ଚ ୨୩ ଠାରୁ, ଏହି ପରିବାର ଜେ.ପି ନଗର ନିର୍ମାଣ ସ୍ଥଳରେ ରହି ଆସୁଛନ୍ତି, ସେମାନଙ୍କ ପାଖରେ କରିବାକୁ କୌଣସି କାମ ନାହିଁ, ମଜୁରି ମଧ୍ୟ ମିଳୁନି ଓ ସେମାନଙ୍କ ପାଖରେ ଅଳ୍ପ ପରିମାଣର ଖାଦ୍ୟ ମହଜୁଦ ଅଛି । ବିଦ୍ୟୁତ୍ ଓ ପାଣି ଯୋଗାଣ ନେଇ ମଧ୍ୟ ଅନିୟମିତତା ରହିଛି । “ଠିକାଦାର ଆମକୁ ସବୁବେଳେ ଏହା କହୁଛନ୍ତି ଯେ ସେ ପୁଣି ଆସିବେ। ସେ ଆସନ୍ତା କାଲି ଆସିବେ । ସେ ଆସୁଛନ୍ତି ଓ ଚାଲି ଯାଉଛନ୍ତି । ଆମେ ତାଙ୍କ ବିଷୟରେ ବିଶେଷ କିଛି ଜାଣିନୁ, ସେ କିଏ, କଣ କରନ୍ତି , କିଛି ଜାଣିନୁ । “ଆମକୁ ତାଙ୍କ ନାମ ମଧ୍ୟ ଜଣା ନାହିଁ” ବୋଲି ଅମୋଡା କହିଥିଲେ ।






