ସେ ଫୁଟପାଥ୍‌ରେ ଖାଲି ହାତରେ ଛିଡ଼ା ହୋଇଥିଲା । ଦୁଃଖର ପାହାଡ଼ ଚାରି ପଟୁ ତା’କୁ ଘେରି ରହିଥିଲା । ଏହାର କବଳରୁ ମୁକ୍ତି ପାଇବାର ଆଶା ସେ ଛାଡ଼ି ଦେଇଥିଲା । ତା’ର କେତେ କ୍ଷତି ହୋଇଛି, ସେ ହିସାବ ମଧ୍ୟ ସେ କରୁନଥିଲା, କାରଣ ଏବେ ସବୁକିଛି ତା’ ନିୟନ୍ତ୍ରଣ ବାହାରେ ଥିଲା। ଅବିଶ୍ୱାସ, ଭୟ, କ୍ରୋଧ, ନିରାଶା ଏବଂ ସ୍ତବ୍ଧତା- ଏସବୁ ଭାବନା କିଛି ମିନିଟ୍‌ ମଧ୍ୟରେ ତା’ ମନକୁ ଛୁଇଁ ଚାଲି ଯାଇଥିଲେ। ଏବେ ସେ ସଡ଼କର ଦୁଇ ପାଖରେ ଛିଡ଼ା ହୋଇ ଚୁପଚାପ ତମାସା ଦେଖୁଥିବା ଲୋକଙ୍କ ଭଳି ଛିଡ଼ା ହୋଇଥିଲା। ଆଖିର ଲୁହ ବରଫ ଭଳି ଜମି ଯାଇଥିଲା ଏବଂ କଣ୍ଠ ଯନ୍ତ୍ରଣାରେ ରୁନ୍ଧି ହୋଇଯାଉଥିଲା। ତା’ ଜୀବନକୁ ବୁଲଡୋଜର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରି ଦେଇଥିଲା। ଏମିତିରେ ଦଙ୍ଗା ଜନିତ ଘା’ ଏବେ ସୁଦ୍ଧା ଶୁଖି ନାହିଁ ।

ନଜମା ଜାଣିଥିଲା ଯେ ଏବେ ସମୟ ବଦଳୁଛି । କିଛିଦିନ ହେବ ତା’ର ପଡ଼ୋଶୀ ରଶ୍ମୀଙ୍କ ମନୋଭାବ ବଦଳି ଯାଇଥିଲା । ଏକଥା ସେ ସେତିକିବେଳେ ଅନୁଭବ କରିଥିଲା, ଯେତେବେଳେ ସେ ଦହି ବସାଇବା ପାଇଁ କିଛି ଖଟା ମାଗିବାକୁ ଯାଇଥିଲା। ଏହି ପରିବର୍ତ୍ତନ କେବଳ ସେତିକିରେ ସୀମିତ ନଥିଲା । ଏହା ତା’ ପାଇଁ କେବଳ ଏକ ଦୁଃସ୍ଵପ୍ନ ନଥିଲା, ଯାହା କିଛିଦିନ ପରେ ଚାଲିଯିବ। ଶାହୀନ ବାଗର ମହିଳାମାନଙ୍କ ଆନ୍ଦୋଳନରେ ଯୋଡ଼ି ହେବା ପରଠାରୁ ସେ ଏହି ସ୍ଵପ୍ନ ଲଗାତାର ଦେଖି ଆସୁଥିଲା। ସେବେଠାରୁ ସେ ନିଜକୁ ଏକ ଗଭୀର ଗର୍ତ୍ତ ଭିତରେ ଏକାକୀ ପଡ଼ିଯାଇଥିବା ଭଳି ଅନୁଭବ କରୁଥିଲା। ତା’ ଭିତରେ ମଧ୍ୟ ଏକ ପରିବର୍ତ୍ତନ ଆସିଥିଲା, ବିଭିନ୍ନ କଥାକୁ, ନିଜକୁ ଏବଂ ନିଜ ଝିଅମାନଙ୍କୁ ସେ ପରିବର୍ତ୍ତିତ ଦୃଷ୍ଟିକୋଣରୁ ଦେଖୁଥିଲା। ତା’ ମନ ଭିତରେ ଏକ ଭୟ ବସା ବାନ୍ଧି ନେଇଥିଲା।

ଏକଥା ଭିନ୍ନ ଯେ ନିଜ ଆପଣାର ଜିନିଷ ସବୁ ହରାଇବାର ଅନୁଭବ ତା’ ପରିବାର ପାଇଁ ନୂଆ ନଥିଲା। ସେ ଜାଣିଥିଲା ଯେ ତା’ର ଜେଜେ ମା’ ମଧ୍ୟ ଏହି କଷ୍ଟକୁ ଅନୁଭବ କରିଛି, ଯାହାକି ସାମ୍ପ୍ରଦାୟିକ ଦଙ୍ଗାକାରୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଘୃଣା ଯୋଗୁ ଉତ୍ପନ୍ନ ହୋଇଥିଲା। ଛୋଟିଆ ଆଙ୍ଗୁଠି ତା’ର ଚୁନ୍ନି (କାନି) କୁ ଛୁଇଁ ଯାଇଥିଲା। ପଛକୁ ବୁଲି ଚାହିଁବାରୁ ସେ ଦେଖିଲା ଯେ ନିରୀହ ହସ ହସ ମୁହଁରେ କେହି ତା’ର ସ୍ୱାଗତ କରୁଥିଲା। ସେତିକି ବେଳେ ପୁଣିଥରେ ତା’ ମନରେ ଆଶାର ଫୁଲ ଖେଳି ଉଠିଲା।

ପ୍ରତିଷ୍ଠା ପାଣ୍ଡ୍ୟାଙ୍କ କବିତା ଆବୃତ୍ତି ଶୁଣନ୍ତୁ

ଜଙ୍ଗଲୀ ଫୁଲ

ମୋଟା ଧାରୁଆ, କ୍ରୁର ବ୍ଲେଡ୍‌
ଭାଙ୍ଗି ଦେଉଛି ସବୁ ଅଟ୍ଟାଳିକା,
ନିଶ୍ଚିହ୍ନ କରି ଦେଉଛି ସବୁ କାହାଣୀ,
ମସଜିଦ୍‌, ମୀନାରକୁ ଭାଙ୍ଗି ଦେଉଛି ।
ସବୁ ବରଗଛକୁ ମଧ୍ୟ ସେ ଉପାଡ଼ି ଫିଙ୍ଗି ଦେଇପାରିବ,
ଚଢ଼େଇ ବସା ଓ ଆକାଶ ମାର୍ଗକୁ ମଧ୍ୟ ନିଶ୍ଚିହ୍ନ କରିଦେବ।
ବୁଲେଟ୍‌ ଟ୍ରେନ୍‌ ପାଇଁ ମାର୍ଗ ପ୍ରଶସ୍ତ କରିବା ଲାଗି,
ବାଟରେ ଥିବା ସବୁ ଖୁଣ୍ଟ ଓ ପଥରକୁ ବାହାର କରି ଦେଇପାରେ,
ଯୁଦ୍ଧ ଭୂମି ପାଇଁ ବାଧା ଦୂର କରିବାକୁ,
ଗୁଳି ବର୍ଷା କରିବା ପାଇଁ ସ୍ଥାନ ପ୍ରସ୍ତୁତ କରିବାକୁ।
ଲୁହାର ଧାରୁଆ ପଞ୍ଝାରେ
ଘନ ମୈଦାନରେ ସବୁ ବାଧାକୁ ପାର କରିବା ଲାଗି।
ସବୁକିଛି କିପରି ଭାଙ୍ଗି, ସଫା କରି ସମାନ କରିବାକୁ ହେବ ତାହା ସେମାନେ ଜାଣନ୍ତି।

କିନ୍ତୁ ଦେଖିବ, ଯେବେ ସବୁ କାମ ସରିଯିବ,
ତଥାପି ତୁମକୁ ସଂଘର୍ଷ କରିବାକୁ ହେବ,
ଏପରି ସ୍ନେହୀ, କୋମଳ, ଶକ୍ତିଶାଳୀ ଓ ଦୁଷ୍ଟ କ୍ଷୁଦ୍ର ଜୀବଙ୍କ ସହ,
ପୁସ୍ତକରୁ ବାହାରି
ସେମାନେ ମୁହଁରେ ଜବାବ ଦେବେ ।
ଏମିତି ବିଦ୍ରୋହୀ ପୁସ୍ତକକୁ ଚିରି ଦେବା
କିମ୍ବା ଏହି ଶାଣିତ ସ୍ୱରକୁ ଚାପିଦେବା ଅତି ସହଜ
ଏଥିପାଇଁ ବୁଲଡୋଜର କ’ଣ ଦରକାର।

କିନ୍ତୁ ପବନର ସାହାରା ନେଇ ଉଡ଼ିଯାଉଥିବା,
ପକ୍ଷୀ ଓ ମହୁମାଛିଙ୍କ ଡେଣାରେ ବସିଥିବା,
ନଦୀ ସ୍ରୋତରେ ବୋହି ଯାଉଥିବା,
କବିତାର ଛନ୍ଦ ତଳେ ଆଗେଇ ଚାଲିଥିବା,
ବିନା ବାଧାରେ ସଞ୍ଚରିତ ହେଉଥିବା
ଏଠି, ସେଠି, ସବୁଠି,
ସେମାନଙ୍କ ସହିତ ତୁମେ କ’ଣ କରିବ?

ଧୂଳି ସହିତ ଉଡ଼ୁଥିବା ଏ ହାଲୁକା, ହଳଦିଆ, ଶୁଖିଲା, ଜିଦଖୋର ଧୂଳିକଣା,
ଜମି, ଚାରା, ଫୁଲ ସହିତ ମନରେ, ଶାଣିତ ସ୍ୱରରେ ନିଜ ପାଇଁ
ସ୍ଥାନ ପକ୍କା କରି ନେଉଛନ୍ତି ।
ଦେଖ ସେମାନେ କେମିତି ଫୁଟି ଉଠୁଛନ୍ତି!
ଉଜ୍ଜ୍ୱଳ ଫୁଲର ସମ୍ଭାର,
ଜଙ୍ଗଲୀ ଗନ୍ଧ,
ସାରା ପୃଥିବୀରେ ଖେଳିଯାଇଛି ।
ତୁମ ବୁଲଡୋଜରର
ଧାରୁଆ ଲୁହା ପାତ ମଝିରେ,
ତୁମ ବୁଲଡୋଜର
ଯାଉଥିବା ରାସ୍ତା ତଳୁ
ଆଶା ଭଳି ବଢ଼ି ବଢ଼ି ଚାଲିଛନ୍ତି।
ଦେଖ ସେମାନେ କିପରି ବିସ୍ଫୋରିତ ହେଉଛନ୍ତି!


ଅନୁବାଦ: ଓଡ଼ିଶାଲାଇଭ୍‍

Poem and Text : Pratishtha Pandya

ପ୍ରତିଷ୍ଠା ପାଣ୍ଡ୍ୟା ପରୀରେ କାର୍ଯ୍ୟରତ ଜଣେ ବରିଷ୍ଠ ସମ୍ପାଦିକା ଯେଉଁଠି ସେ ପରୀର ସୃଜନଶୀଳ ଲେଖା ବିଭାଗର ନେତୃତ୍ୱ ନେଇଥାନ୍ତି। ସେ ମଧ୍ୟ ପରୀ ଭାଷା ଦଳର ଜଣେ ସଦସ୍ୟ ଏବଂ ଗୁଜରାଟୀ ଭାଷାରେ କାହାଣୀ ଅନୁବାଦ କରିଥାନ୍ତି ଓ ଲେଖିଥାନ୍ତି। ସେ ଜଣେ କବି ଏବଂ ଗୁଜରାଟୀ ଓ ଇଂରାଜୀ ଭାଷାରେ ତାଙ୍କର କବିତା ପ୍ରକାଶ ପାଇଛି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Pratishtha Pandya
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE