ଗଣେଶ ସୋରେନଙ୍କ ଗାବଗୁବି ଏକ ଆଦିବାସୀମାନଙ୍କ ଶୈଳୀରେ ତିଆରି କରାଯାଇଛି ଏବଂ ଏହାକୁ ଅନୁସରଣ କରି ବଙ୍ଗଳା ଲୋକ ସଂଗୀତର ଏକ ଲୋକପ୍ରିୟ ଉପକରଣ ଖୋମୋକ୍ ନିର୍ମାଣ କରାଯାଇଛି। ସେ ଏହାକୁ ତିଆରି କରିବା ପାଇଁ ଏକ ଢୋଲ (ଡ୍ରମ୍) ଏବଂ ତାଙ୍କ ପୁଅର ଗୋଟିଏ ଖେଳନା ବ୍ୟବହାର କରିଛନ୍ତି । ସେ କୁହନ୍ତି ଯେ ଏହାର ସ୍ୱର ତାଙ୍କୁ ତାଙ୍କ ପୁଅର ସରଳ ନିରୀହ ଖିଲ୍ ଖିଲ୍ ହସ ମନେ ପକାଇଦିଏ ଏବଂ ଏହାର ତାଳ ଶୁଣିଲେ ଜଙ୍ଗଲ କଥା ମନେପଡ଼େ। ସେ କୁହନ୍ତି, “ମୋ ମନ ଖୁସି କରିବା ପାଇଁ ମୁଁ ଗତ ୧୫ ବର୍ଷ ଧରି ଉଭୟ ବାଦ୍ୟ ବଜାଉଥିଲି।’’ “ଗୋଟିଏ ସମୟ ଥିଲା ଯେତେବେଳେ ମୁଁ ଦିନସାରା ପରିଶ୍ରମ ପରେ ସନ୍ଧ୍ୟାରେ ବାଜା ବଜାଏ, ବହୁତ ଲୋକ ଶୁଣିବାକୁ ଆସନ୍ତି। କିନ୍ତୁ ଆଜି ସେମାନଙ୍କ ପାଖରେ ଆହୁରି ଅନେକ ଜିନିଷ ଶୁଣିବାର ବିକଳ୍ପ ଅଛି ଏବଂ ଏହି ପୁରୁଣା ବାଦ୍ୟକୁ ଶୁଣିବାକୁ କେହି ଚାହୁଁ ନାହାଁନ୍ତି।”
ସେମାନଙ୍କ ଗାଁର ଅନେକ ପୁରୁଷ ମିସ୍ତ୍ରୀ ଭାବରେ, କିମ୍ବା ବିଭିନ୍ନ ସହରରେ ଦିନ ମଜୁରିଆ ଭାବରେ କାମ କରନ୍ତି, ଏବଂ ସେମାନଙ୍କ ମଧ୍ୟରୁ କେତେକ ଏବେ ମଧ୍ୟ ନିଜ ପାଖରେ ବନମ୍ ରଖିଥାନ୍ତି। କିନ୍ତୁ ସଂଗୀତର ଏହି ପରମ୍ପରାକୁ ଶିଖିବା ଉପରେ ଅନେକ ଧ୍ୟାନ ଧ୍ୟାନ ଦେଉ ନାହାଁନ୍ତି ବୋଲି ଗଣେଶ ଏବଂ ହୋପନ୍ କୁହନ୍ତି । ହୋପନ୍ କୁହନ୍ତି, “ଏହି ଅନନ୍ୟ ଧ୍ୱନି ସୃଷ୍ଟି କରିବା ପାଇଁ ଆବଶ୍ୟକ ଜ୍ଞାନ ଏବଂ କାରିଗରୀ ଗାଁ ଏବଂ ସମ୍ପ୍ରଦାୟରେ ବହୁତ କମ୍ ଲୋକ ଜାଣିଛନ୍ତି।
ଗଣେଶ କୁହନ୍ତି, “ଆମ ସ୍ଥାନୀୟ ସ୍କୁଲମାନଙ୍କରେ ଶିକ୍ଷାଦାନ କରିବା ପାଇଁ କିଛି ଆଗ୍ରହୀ ଛାତ୍ର ରହିବା ଦରକାର। କିନ୍ତୁ, ବର୍ତ୍ତମାନ ପୀଢ଼ିରେ ଷ୍ଟ୍ରିମ୍ଡ ମ୍ୟୁଜିକ୍ ଏବଂ ମୋବାଇଲ୍ ଆପ୍ଗୁଡ଼ିକ ଅଧିକ ଲୋକପ୍ରିୟ ହେବାରେ ଲାଗିଛି, ସବୁ କାମ ଗୋଟିଏ କ୍ଲିକ୍ରେ ହୋଇଯାଉଛି। ଏଭଳି ପରିସ୍ଥିତିରେ ବନମ୍ ପ୍ରତି ସେମାନଙ୍କ ଆଗ୍ରହ ରହିବ କେମିତି?
ତେବେ ଗଣେଶ କିମ୍ବା ହୋପନ୍ଙ୍କ ପାଖରେ ସେଲ୍ଫୋନ୍ ନାହିଁ କିମ୍ବା କିଣିବାର କ୍ଷମତା ମଧ୍ୟ ନାହିଁ।
ଉଭୟ ଗଣେଶ ଏବଂ ହୋପନ୍ ମଧ୍ୟ ସେମାନଙ୍କର ପ୍ରିୟ ବନମ୍ର ଲୋକପ୍ରିୟତା ହ୍ରାସକୁ ନିଜ ଆର୍ଥିକ ପରିସ୍ଥିତି ସହିତ ଜଡ଼ିତ କରିଛନ୍ତି । ସେମାନେ ଗରିବ କୃଷି ଶ୍ରମିକ, ଅଳ୍ପ ଟଙ୍କା ପାଇଁ ଅଧିକ ଘଣ୍ଟାର ପରିଶ୍ରମ କରନ୍ତି । ଗଣେଶ କୁହନ୍ତି, "ଯଦି ମୁଁ ବନମ୍ ବଜାଇବି, ତେବେ ମୋର ପୁରା ପରିବାର ଭୋକରେ ରହିବେ।"
“ଶବ୍ଦରେ ଆମ ଭୋକ ମେଣ୍ଟିବ ନାହିଁ,” ହୋପନ୍ କୁହନ୍ତି।
ଅନୁବାଦ: ଓଡ଼ିଶାଲାଇଭ୍