ଶାହାବାଈ ଘରାତ ଗତ ଏକ ବର୍ଷ ହେବ କରୋନା ଭୂତାଣୁର ମୁକାବିଲା କରି ଆସୁଥିଲେ-ହେଲେ ଦିନେ ତାଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡ଼ିଲା। ମହାରାଷ୍ଟ୍ରର ବୀଡ୍ ଜିଲ୍ଲାରେ ଥିବା ନିଜ ଗ୍ରାମ ସୁଲତାନପୁରରେ ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ ବା ଆଶା କର୍ମୀ ଶାହାବାଈ ଘରକୁ ଘର ବୁଲି କୋଭିଡ-19 ତଥ୍ୟ ସଂଗ୍ରହ କରିଆସୁଥିଲେ। କିନ୍ତୁ ମଇ ମାସ ଅନ୍ତିମ ସପ୍ତାହରେ, ତାଙ୍କର ସେହି ଭୟାନକ ଆଶଙ୍କା ସତ ସାବ୍ୟସ୍ତ ହୋଇଥିଲା, ସେ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।
୩୮ ବର୍ଷୀୟା ଶାହାବାଈ, ମହାମାରୀ ସମୟରେ ତାଙ୍କ ଚାକିରିରେ ରହିଥିବା ବିପଦ ସମ୍ପର୍କରେ ଜାଣିଥିଲେ, କିନ୍ତୁ ଏହାର ଦୁଷ୍ପରିଣାମକୁ ସେ ଆକଳନ କରିପାରିନଥିଲେ। ସେ ସଂକ୍ରମିତ ହେବାର ତୁରନ୍ତ ପରେ ତାଙ୍କର ୬୫ ବର୍ଷୀୟା ମା’ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଯାଇଥିଲେ। ଏହାପରେ, ତାଙ୍କର ଚାରି ଜଣ ପୁତୁରା ମଧ୍ୟ ସଂକ୍ରମିତ ହୋଇଥିଲେ। ଏହି ରୋଗ କାରଣରୁ ତାଙ୍କର ସମ୍ପୂର୍ଣ୍ଣ ପରିବାର ବିପଦରେ ପଡ଼ିଯାଇଥିଲା।
ଶାହାବାଈଙ୍କୁ ସୁସ୍ଥ ହେବା ଲାଗି କିଛି ସପ୍ତାହ ଲାଗିଥିଲା। ଶାହାବାଈ କୁହନ୍ତି, “ମୋର ପୁତୁରାମାନେ ମଧ୍ୟ ଭଲ ହୋଇଗଲେ, କିନ୍ତୁ ମୋ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଲା।” “ମା’ଙ୍କ ଚିକିତ୍ସାରେ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ମୋତେ ଏଥିପାଇଁ ନିଜର ୨.୫ ଏକର ଜମି ଏବଂ କିଛି ଗହଣା ବିକିବାକୁ ପଡ଼ିଲା।”
ଆଶା କର୍ମୀ ଭାବେ ତାଙ୍କର କାମ କେବେ ବି ସହଜ ନଥିଲା, କିନ୍ତୁ ମହାମାରୀ ଏହାକୁ ଆହୁରି କଷ୍ଟକର କରି ଦେଇଥିଲା। ଶାହାବାଈ କୁହନ୍ତି, “ମୋତେ ଧମକ ଓ ଗାଳିର ସମ୍ମୁଖିନ ହେବାକୁ ପଡ଼ୁଥିଲା। ଲୋକମାନେ ପ୍ରଥମେ ପ୍ରଥମେ ସଂକ୍ରମଣ ଲକ୍ଷଣକୁ ଲୁଚାଉଥିଲେ। ମୋତେ ମୋ କାମ କରିବା ଲାଗି, ଗାଁରେ ଅନେକ ନକାରାତ୍ମକ ପ୍ରତିକ୍ରିୟାର ସାମ୍ନା କରିବାକୁ ପଡ଼ିଛି।”
ମହାରାଷ୍ଟ୍ରରେ ୭୦,୦୦୦ରୁ ଅଧିକ ମାନ୍ୟତାପ୍ରାପ୍ତ ଆଶା କର୍ମୀ ଅଛନ୍ତି। ମାର୍ଚ୍ଚ ୨୦୨୦ରେ ଭୂତାଣୁ ଦ୍ରୁତ ଗତିରେ ବ୍ୟାପିବା ପରେ ସେମାନେ ଏହା ବିରୋଧରେ ଜାରି ରହିଥିବା ଲଢ଼େଇର ଆଗ ଧାଡ଼ିରେ ଛିଡ଼ା ହୋଇଆସିଛନ୍ତି। ଘରକୁ ଘର ବୁଲି ନିରୀକ୍ଷଣ କରିବା ବ୍ୟତୀତ ସେମାନେ ଗାଁରେ ଟିକା ନେବାକୁ ଅନିଚ୍ଛୁକ ହେଉଥିବା ଲୋକମାନଙ୍କୁ ମଧ୍ୟ ବୁଝାଇଥାନ୍ତି।
ବିଧିବଦ୍ଧ ଭାବେ ସ୍ୱେଚ୍ଛାସେବୀ କୁହାଯାଉଥିବା, ଆଶା କର୍ମୀମାନେ ପ୍ରକୃତରେ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ଯେଉଁମାନେ ସାରା ଦେଶରେ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାରେ ସହାୟତା କରିଥାନ୍ତି। ଏମାନଙ୍କର ମୁଖ୍ୟ କାମଗୁଡ଼ିକ ମଧ୍ୟରେ- ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ସହାୟତା କରିବା, ଡାକ୍ତରଖାନାରେ ଶିଶୁ ଜନ୍ମକୁ ପ୍ରୋତ୍ସାହନ, ପିଲାମାନଙ୍କ ଟିକାକରଣ ସୁନିଶ୍ଚିତ କିରବା, ପରିବାର ନିୟୋଜନକୁ ପ୍ରୋତ୍ସାହିତ କରିବା, ପ୍ରାଥମିକ ଚିକିତ୍ସା ଏବଂ ରେକର୍ଡ ରଖିବା ଆଦି ସାମିଲ ରହିଛି।
ଏ ସମସ୍ତ କାମ ପାଇଁ ସମ୍ମାନସୂଚକ ଅର୍ଥରାଶି ରୂପରେ ସେମାନଙ୍କୁ ପାଖାପାଖି ୩,୩୦୦ ଟଙ୍କା ଦିଆଯାଇଥାଏ। ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଅନ୍ତର୍ଗତ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଇଥାଏ। ପ୍ରୋତ୍ସାହନ ରାଶି ରୂପରେ ଶାହାବାଈଙ୍କୁ ମାସକୁ ୩୦୦-୫୦୦ ଟଙ୍କା ମିଳିଥାଏ। କିନ୍ତୁ, କଠିନ ପରିଶ୍ରମ ଓ ଅନେକ ଘଣ୍ଟା ପର୍ଯ୍ୟନ୍ତ କାମ କରିବା ସତ୍ତ୍ୱେ, ଆଶା କର୍ମୀମାନଙ୍କୁ ମହାମାରୀ ସମୟରେ ଖୁବ୍ କମ୍ ସହାୟତା ମିଳିଥିଲା। ଶାହାବାଈ କୁହନ୍ତି, “ଏହି କଷ୍ଟକର ସମୟରେ ସହାୟତା ତ’ ବହୁତ ବଡ଼ କଥା, ଆମକୁ ଠିକ୍ ସମୟରେ ସମ୍ମାନ ସୂଚକ ଅର୍ଥରାଶି ମଧ୍ୟ ମିଳୁନଥିଲା। ଶେଷଥର ପାଇଁ ଆମକୁ ଏପ୍ରିଲ୍ ମାସରେ ବେତନ ମିଳିଥିଲା।”
ସେମାନଙ୍କୁ ନିଜର ସୁରକ୍ଷା ପାଇଁ କେବଳ ଗୋଟିଏ ମାସ୍କ ଦିଆଯାଇଥାଏ, ଏବଂ ତାହା ମଧ୍ୟ ଯଥେଷ୍ଟ ନୁହେଁ। ଶାହାବାଈ କୁହନ୍ତି, ମାର୍ଚ୍ଚ ୨୦୨୦ ପରଠାରୁ ତାଙ୍କୁ ମାତ୍ର ୨୨ଟି ଡିସ୍ପୋଜେବଲ୍ ମାସ୍କ ଏବଂ ୫ଟି ଏନ୯୫ ମାସ୍କ ମିଳିଛି। “ଆପଣ ଭାବୁଛନ୍ତି କି ଆମ କାମରେ ଥିବା ବିପଦକୁ ଦେଖି ଆମକୁ ଯାହା ମିଳୁଥିଲା ତାହା ଯଥେଷ୍ଟ?”
ଏହା ଏପରି ଏକ ପ୍ରଶ୍ନ ଯାହାକୁ ପ୍ରତ୍ୟେକ ଆଶା କର୍ମୀ ପଚାରିଥାନ୍ତି।
ନିଜର ପରିବାର ଲୋକଙ୍କୁ କୋଭିଡ-୧୯ ଠାରୁ ସୁରକ୍ଷିତ ରଖିବା ଲାଗି ଶୋଭା ଗଣଗେ ଅନେକ ମାସ ପର୍ଯ୍ୟନ୍ତ ଗାଧୁଆଘର ପରିବର୍ତ୍ତେ ନିଜ ଘରର ଶୌଚାଳୟରେ ଗାଧୋଉଥିଲେ। ସୁଲତାନପୁରଠାରୁ ଦୁଇ କିଲୋମିଟର ଦୂର, ବୀଡ୍ ଜିଲ୍ଲାର ଚୌସଲା ଗ୍ରାମର ୩୩ ବର୍ଷୀୟା ଆଶାକର୍ମୀ କୁହନ୍ତି, “ମୋ ଝିଅକୁ ଆଠ ବର୍ଷ। ଅନେକ ମାସ ଧରି ପରିସ୍ଥିତି ଏପରି ହେଲା ଯେ ସେ କାନ୍ଦୁଥିଲେ ସୁଦ୍ଧା ମୁଁ ତାକୁ କୋଳେଇ ନେଇପାରୁନଥିଲି। ସେ ମୋ ମୋ ପାଖରେ ଶୋଇବାକୁ ଚାହୁଁଥିଲା, କିନ୍ତୁ ମୁଁ ସେଥିପାଇଁ ତା’କୁ ଅନୁମତି ଦେଇପାରୁନଥିଲି।”
ଜୁନ ମାସ ମଧ୍ୟ ଭାଗରେ, ମହାରାଷ୍ଟ୍ରରେ ଆଶା କର୍ମୀ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ, ଏହା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିଲା। ରାଜ୍ୟ ସରକାର ସେମାନଙ୍କର ଦାବି ମାନିନେଲେ ଏବଂ ନିଷ୍ପତ୍ତି ନିଆଗଲା ଯେ ସେମାନଙ୍କୁ ମିଳୁଥିବା ସମ୍ମାନସୂଚକ ଅର୍ଥରାଶି ମାସିକ ୧,୫୦୦ ଟଙ୍କା ବୃଦ୍ଧି କରାଯିବ, ଏଥିମଧ୍ୟରୁ ୧,୦୦୦ ଟଙ୍କା ସେମାନଙ୍କ ବେତନର ଅଂଶବିଶେଷ ହେବ ଏବଂ ଅବଶିଷ୍ଟ ୫୦୦ ଟଙ୍କା କୋଭିଡ ଭତ୍ତା ଆକାରରେ ଦିଆଯିବ
ଶୋଭାଙ୍କ ମତରେ, ସେମାନଙ୍କ ତ୍ୟାଗ ପ୍ରତି ଅଣଦେଖା କରାଯାଇଛି। “ମୁଖ୍ୟମନ୍ତ୍ରୀ ଆମର ପ୍ରଶଂସା କରିଥାନ୍ତି, କିନ୍ତୁ ବାସ୍ତବରେ ସହାୟତା କରିନଥାନ୍ତି।” ଜୁଲାଇ ପ୍ରାରମ୍ଭରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଶା କର୍ମୀମାନଙ୍କୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ‘ଯୋଦ୍ଧା ଓ ନାୟକ’ ବୋଲି ଦର୍ଶାଇଥିଲେ । ସେ କହିଥିଲେ ଯେ ଯଦି କିମ୍ବା ଯେତେବେଳେ କୋଭିଡର ତୃତୀୟ ଲହରୀ ଆସିବ, ଆଶାକର୍ମୀ ତାହାର ମୁକାବିଲା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବେ। କିନ୍ତୁ, ସରକାର କେବଳ ଭାଷଣ ମାରିବା ପରିବର୍ତ୍ତେ କିଛି କରି ଦେଖାଇବେ ବୋଲି ଶୋଭା ଆଶା କରିଥାନ୍ତି। “ତାଙ୍କର ପ୍ରଶଂସା ଆମକୁ ଆମ ଘର ଚଳାଇବାରେ ସହାୟତା କରିବ ନାହିଁ।”
ଶାହାବାଈ ଓ ଶୋଭାଙ୍କ ପାଇଁ, ଏହି କାମକୁ ଗ୍ରହଣ କରିବା ପଛରେ ସବୁଠୁ ବଡ଼ କାରଣ ହେଉଛି ଆର୍ଥିକ ସ୍ଥିରତା -କିନ୍ତୁ ଆହୁରି ଭିନ୍ନ ଭିନ୍ନ କାରଣ ମଧ୍ୟ ରହିଛି।
ମରାଠା ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଶାହାବାଈ ଏକାକୀ ଏବଂ ନିଜ ମା’, ଦୁଇ ଭାଇ ଏବଂ ସେମାନଙ୍କ ପରିବାର ସହିତ ରହିଥାନ୍ତି। ସେ କୁହନ୍ତି, “୧୩ ବର୍ଷ ପୂର୍ବେ ମୋର ଛାଡ଼ପତ୍ର ହୋଇଥିଲା।” “ଏହି ଘଟଣା ପରେ ଗାଁରେ ସ୍ଵୀକୃତ ହେବା ସହଜ ନଥିଲା। ଲୋକମାନେ ଟାହିଟାପରା କରିଥାନ୍ତି ଏବଂ ମୁଁ ଭାବୁଛି ଯେ ମୁଁ ମୋ ପରିବାରକୁ ସମସ୍ୟାରେ ପକାଇଛି।” ଶାହାବାଈ ନିଜ ସ୍ଵାଭିମାନ ପାଇଁ ଆର୍ଥିକ ସ୍ଵାଧୀନତା ଚାହାଁନ୍ତି।
ଏବେ ପରିବାରର ଅନ୍ୟ ଲୋକମାନେ କୋଭିଡରେ ସଂକ୍ରମିତ ହେବା ଲାଗି ସେ ନିଜକୁ ଦୋଷ ଦେଇଥାନ୍ତି। ଶାହାବାଈ କୁହନ୍ତି, “ମୁଁ ନିଜକୁ କ୍ଷମା କରିପାରିବି ନାହିଁ। ମୁଁ ସବୁକିଛି ଠିକ୍ କରିବା ଲାଗି ଚାହୁଁଛି, କିନ୍ତୁ ମୁଁ ଜାଣିନାହିଁ ଯେ ଏହା କିପରି ହେବ। ସେମାନେ ମୋତେ ଦୋଷ ଦିଅନ୍ତୁ ବୋଲି ମୁଁ ଚାହୁଁନାହିଁ।” ଏଥିସହିତ ଗାଁରେ କାମ କରିବା ସମୟରେ ତାଙ୍କୁ ଖରାପ କଥା ଶୁଣିବାକୁ ପଡ଼ିଥାଏ; ବିଶେଷ କରି ପୁରୁଷମାନଙ୍କଠାରୁ। ସେ କୁହନ୍ତି, “ମୁଁ ଯେତେବେଳେ କାହା ସହିତ କଥା ହୁଏ, ସେମାନେ ତା’ର ଭିନ୍ନ ଅର୍ଥ ବାହାର କରିଥାନ୍ତି। ଲୋକମାନଙ୍କ ସହିତ ଆଲୋଚନା କରିବା ମୋ କାମ। ମୁଁ କ’ଣ କରିବି?”
ଶୋଭା କୁହନ୍ତି, କାମ କରିବା ସମୟରେ ପୁରୁଷମାନଙ୍କ ଅଭଦ୍ର ଟିପ୍ପଣୀର ପ୍ରଭାବ ତାଙ୍କ ଉପରେ ପଡ଼ିନଥାଏ। “ସେମାନଙ୍କୁ କିପରି ସେମାନଙ୍କର ସଠିକ ଜାଗା ଦେଖାଇବାକୁ ହେବ ମୁଁ ଜାଣିଛି’’। ତାଙ୍କର ସମସ୍ୟା ଭିନ୍ନ-ତାଙ୍କର ରୋଜଗାରରେ ତାଙ୍କ ପରିବାରର ମୌଳିକ ଆବଶ୍ୟକତା ପୂରଣ ହୋଇଥାଏ। ଦଳିତ ସମ୍ପ୍ରଦାୟର ଶୋଭା କୁହନ୍ତି, “ଆମ ପାଖରେ ଜମି ନାହିଁ। ମୋ ସ୍ୱାମୀ ଜଣେ କୃଷି ଶ୍ରମିକ ଏବଂ ଦିନକୁ ସେ ୩୦୦ ଟଙ୍କା ରୋଜଗାର କରିଥାନ୍ତି। ଗୋଟିଏ ସପ୍ତାହରେ ତାଙ୍କୁ ୩ରୁ ୪ ଦିନ କାମ ମିଳିଥାଏ, କିନ୍ତୁ କୋଭିଡ ଆସିବା ପରେ କାମ ମିଳିବା କମିଯାଇଛି।”
କୋଭିଡ ମହାମାରୀ ବ୍ୟାପିବାର ଗୋଟିଏ ମାସ ପରେ, ଶୋଭାଙ୍କ ପରିବାର ଚାଉଳ ଓ ଡାଲି ଘରକୁ ଆଣିଥିଲେ ଯାହାକି ନଷ୍ଟ ହୋଇଯିବା ସ୍ଥିତିକୁ ଚାଲିଆସିଥିଲା। ଶୋଭା କୁହନ୍ତି, “ସେହି ଚାଉଳ ଓ ଡାଲି ସ୍କୁଲ ପିଲା (ମଧ୍ୟାହ୍ନ ଭୋଜନ ଲାଗି)ଙ୍କ ପାଇଁ ଥିଲା, କିନ୍ତୁ ସ୍କୁଲ ବନ୍ଦ ହୋଇଯାଇଥିବା କାରଣରୁ ସବୁ ଚାଉଳ ଓ ଡାଲି ଖରାପ ହୋଇଯାଇଥିଲା।” ସେଗୁଡ଼ିକ ଅଧିକ ନଷ୍ଟ ହୋଇଯିବା ପୂର୍ବରୁ କୌଣସି ଗରିବ ଲୋକକୁ ବାଣ୍ଟି ଦେଲେ ଭଲ ହେବ ବୋଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ଚିନ୍ତା କରିଥିଲେ। “ମୁଁ ତା’କୁ ରାନ୍ଧିଲି ଏବଂ ମୋ ଝିଅ ମଧ୍ୟ ଖାଇଲା।”
ଉଭୟ ଶାହାବାଈ ଏବଂ ଶୋଭା ଏହା ଜାଣନ୍ତି ଯେ, ଯଦିଓ ଅନ୍ୟମାନଙ୍କ ଆଶା ପୂରଣ କରୁଥିବାରୁ ସେମାନଙ୍କୁ ‘ଆଶା’ କର୍ମୀ କୁହାଯାଉଛି। ତଥାପି ଏହି କାମରୁ ଆର୍ଥିକ କ୍ଷମତା ହାସଲ କରିବାର କୌଣସି ଆଶା ନାହିଁ।
ଦୀର୍ଘ ସମୟ ଧରି, ଆଶା କର୍ମୀମାନେ ଅଧିକ ପାରିଶ୍ରମିକ ଏବଂ ସ୍ଥାୟୀ କର୍ମଚାରୀ ମାନ୍ୟତା ଦାବି କରି ଆସୁଛନ୍ତି। ଜୁନ ମଧ୍ୟ ଭାଗରେ, ମହାରାଷ୍ଟ୍ରରେ ଆଶା କର୍ମୀ’ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଘୋଷଣା କରିଥିଲେ ଯାହାକି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟ ସରକାର ସେମାନଙ୍କର ଦାବି ମାନିନେଲେ ଏବଂ ନିଷ୍ପତ୍ତି ନିଆଗଲା ଯେ ସେମାନଙ୍କୁ ମିଳୁଥିବା ସମ୍ମାନସୂଚକ ଅର୍ଥରାଶି ଜୁଲାଇ ପହିଲା ଠାରୁ, ମାସିକ ୧୫୦୦ ଟଙ୍କା ବୃଦ୍ଧି କରାଯିବ, ଏଥିମଧ୍ୟରୁ ୧୦୦୦ ଟଙ୍କା ସେମାନଙ୍କ ବେତନର ଅଂଶବିଶେଷ ହେବ ଏବଂ ଅବଶିଷ୍ଟ ୫୦୦ ଟଙ୍କା କୋଭିଡ ଭତ୍ତା ଆକାରରେ ଦିଆଯିବ। ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଧ୍ୟ ଘୋଷଣା କରିଥିଲେ ଯେ ଅନଲାଇନ୍ ରିପୋର୍ଟ ଦାଖଲ କରିବାରେ ସହାୟତା ଲାଗି ପ୍ରତ୍ୟେକ ଆଶା କର୍ମୀଙ୍କୁ ଗୋଟିଏ ଲେଖାଏଁ ସ୍ମାର୍ଟ ଫୋନ ଦିଆଯିବ।
କିନ୍ତୁ ଏହିସବୁ ପ୍ରତିଶ୍ରୁତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ ବୋଲି କୁହନ୍ତି ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିଅନ୍ସ (ବା ସିଆଇଟିୟୁ)ର ରାଜ୍ୟ ସମ୍ପାଦିକା ଶୁଭା ଶମିମ। “ଆଶା କର୍ମୀଙ୍କୁ ପ୍ରତିଶ୍ରୁତି ମୁତାବକ ଲାଭ କେବେ ମିଳିବ ସେ ନେଇ ସେତେଟା ସ୍ପଷ୍ଟତା ନାହିଁ।” ସେ କୁହନ୍ତି ଯେ ମଇ ମାସରୁ ରାଜ୍ୟରେ ସମ୍ମାନସୂଚକ ଅର୍ଥରାଶି ପରିଶୋଧ ହୋଇନାହିଁ। ଏଥିସହିତ, ବିଗତ ବର୍ଷ ଯେଉଁ କୋଭିଡ ଭତ୍ତା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ମଧ୍ୟ ବର୍ତ୍ତମାନସୁଦ୍ଧା ଦିଆଯାଇନାହିଁ।
ଯେତେବେଳେ ଆଶା କର୍ମୀ ଆନ୍ଦୋଳନ କରୁଥିଲେ, ସେହି ସମୟରେ ଚୁକ୍ତିଭିତ୍ତିରେ କାମ କରୁଥିବା ପାଖାପାଖି ୨୫୦ ଜଣ ସ୍ୱାସ୍ଥ୍ୟ କର୍ମୀ ବୀଡ଼ ଜିଲ୍ଲାରେ, ଚାକିରି ନିୟମିତ କରିବା ଏବଂ ବେତନ ବୃଦ୍ଧି କରିବା ଦାବିକୁ ନେଇ ଆନ୍ଦୋଳନ କରିଥିଲେ।
ଏମାନଙ୍କ ମଧ୍ୟରେ ମୁଖ୍ୟତଃ କୋଭିଡ ମହାମାରୀ ସମୟରେ ସରକାରୀ ସୁବିଧାରେ ଅଧିକସଂଖ୍ୟକ ରୋଗୀଙ୍କ ଚିକିତ୍ସା ଲାଗି ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇଥିବା ନର୍ସିଂ କର୍ମଚାରୀ ଓ ୱାର୍ଡ ସହାୟକମାନେ ରହିଥିଲେ। ଚୁକ୍ତି ଅବଧି ଶେଷ ହେବା ପରେ କିମ୍ବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବେରୋଜଗାର ହୋଇଯାଇଥିଲେ। ୨୯ ବର୍ଷୀୟ ପ୍ରଶାନ୍ତ ସର୍ଦ୍ଦାରେ କୁହନ୍ତି, “ଏଭଳି ନୀତି ‘ୟୁଜ୍ ଆଣ୍ଡ ଥ୍ରୋ’ ଠାରୁ ଆଦୌ ଭିନ୍ନ ନୁହେଁ। ସେ ବୀଡ଼ ସହରଠାରୁ ୩୦ କିଲୋମିଟର ଦୂର, ବଡୱାନି ତାଲୁକାରେ ନିର୍ମିତ ହୋଇଥିବା ସ୍ୱତନ୍ତ୍ର କୋଭିଡ କେୟାର ସେଣ୍ଟରରେ ୱାର୍ଡ ସହାୟକ ଭାବେ କାମ କରୁଥିଲେ। “ଚଳିତ ବର୍ଷ ମଇ ମାସରେ ମୋତେ ଚାକିରିରେ ରଖାଯାଇଥିଲା ଏବଂ ଏହାର ଦୁଇ ମାସ ପାଇଁ କାମ ଛାଡ଼ିବାକୁ କୁହାଯାଇଥିଲା।”
ପ୍ରଶାନ୍ତଙ୍କ ମାତାପିତା କୃଷି ଶ୍ରମିକ ଏବଂ ସେମାନଙ୍କୁ ନିଜର ମୌଳିକ ଆବଶ୍ୟକତା ପୂରଣ କରିବା ଲାଗି ବେଶ ସଂଘର୍ଷ କରିବାକୁ ପଡ଼ିଥାଏ। ତାଙ୍କୁ ଯେତେବେଳେ କାମରେ ରଖାଗଲା, ଦିନକୁ ୪୦୦ ଟଙ୍କା ମିଳୁଥିଲା। ଏଥିରୁ ସେ ଆଶା କରିଥିଲେ ଯେ ସେ ତାଙ୍କର ବାପାମା’ଙ୍କୁ ସାମାନ୍ୟ ଆରାମ ଦେଇପାରିବେ। ସେ କୁହନ୍ତି, “ଡାକ୍ତରଖାନାରେ ଯେତେବେଳେ ଅଧିକ ରୋଗୀ ଥିଲେ, ମୁଁ ସେସବୁ କରିଥିଲି, ଯାହା ମୋତେ କୁହାଯାଇଥିଲା। ଏପରିକି ମୁଁ ମୋ ଜୀବନକୁ ବାଜି ଲଗାଇ ଦେଇଥିଲି।” “କୋଭିଡ ୱାର୍ଡ ସଫା କରିବା ଠାରୁ ଆରମ୍ଭ କରି କୋଭିଡ ସଂକ୍ରମିତ ରୋଗୀଙ୍କୁ ଖାଇବାକୁ ଦେବା ପର୍ଯ୍ୟନ୍ତ, ମୁଁ ସବୁକିଛି କରିଥିଲି। ଆମେ କ’ଣ ମାନସିକ ଭାବେ ଚାପଗ୍ରସ୍ତ ହୋଇନାହୁଁ? କେହି ଏ ବିଷୟରେ ଚିନ୍ତା କରିଛି କି?” ଏବେ ସେ ଏକ ଘରୋଇ ବିଦ୍ୟାଳୟରେ ଅସ୍ଥାୟୀ ଶିକ୍ଷକ ଭାବେ କାମ କରୁଛନ୍ତି, ମାସକୁ ୫,୦୦୦ ଟଙ୍କା ମିଳୁଛି।
ଲହୁ ଖଡ଼ଗେ, ୨୪, ବଡୱାନିରେ ଥିବା ସେହି କୋଭିଡ କେନ୍ଦ୍ରରେ ଜଣେ ୱାର୍ଡ ସହାୟକ ଥିଲେ। ବିଜ୍ଞାପନ ଦେଖି ସେ ଏହି ଚାକିରି ପାଇଁ ଆବେଦନ କରିଥିଲେ। ମାଟ୍ରିକ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଉଥିଲା। ଏଥିପାଇଁ ଚୟନ ହେବା ଲାଗି ଲହୁ ନିଜର ପୂର୍ବ ଚାକିରି ଛାଡ଼ି ଦେଇଥିଲେ। ପୂର୍ବରୁ ସେ ସ୍ଥାନୀୟ ବ୍ୟାଙ୍କ ପାଇଁ ପିଗମୀ ଏଜେଣ୍ଟ ଭାବେ ଲୋକମାନଙ୍କଠାରୁ ସ୍ୱଳ୍ପ ଜମା ସଂଗ୍ରହ କରୁଥିଲେ। “ଆମେ ତିନି ମାସିଆ ଚୁକ୍ତିରେ ନିଯୁକ୍ତି ପାଇଛୁ, ଚୁକ୍ତି ଶେଷ ହେବାର ଗୋଟିଏ ଦିନ ପରେ ପୁଣିଥରେ ନବୀକରଣ ହୋଇଥାଏ”, ଏବେବି ଏହି ଚାକିରିରେ ଥିବା ଖଡ଼ଗେ କୁହନ୍ତି। “ଶ୍ରମ ଆଇନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି କ୍ରମାଗତ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଚାକିରି କରନ୍ତି ତା’ହେଲେ ତାଙ୍କୁ ସ୍ଥାୟୀ କରି ଦିଆଯିବା ବାଧ୍ୟତାମୂଳକ। ଏହି କାରଣରୁ ଅଳ୍ପ କିଛି ମାସରେ, ଗୋଟିଏ ଦିନ ଲେଖାଏଁ ବ୍ୟବଧାନ ରଖି ଏସବୁ ଚୁକ୍ତି ନବୀକରଣ କରାଯାଇଥାଏ।”
ବୀଡ୍ରେ ଆନ୍ଦୋଳନରତ ସ୍ୱାସ୍ଥ୍ୟ କର୍ମୀମାନେ ଅସମ୍ବେଦନଶୀଳ ନିଯୁକ୍ତି ନୀତିକୁ ବିରୋଧ କରିବା ସହିତ ଚାକିରି ନିୟମିତ କରିବା ଲାଗି ଦାବି କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର, ପ୍ରଭାରୀ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଜୁନ ୧୮ ତାରିଖରେ ଏକ କୋଭିଡ-୧୯ ସମୀକ୍ଷା ବୈଠକରେ ଯୋଗ ଦେବା ଲାଗି ବୀଡ ଜିଲ୍ଲାକୁ ଆସିଥିବା ବେଳେ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆନ୍ଦୋଳନକାରୀମାନେ ଚାହିଁଥିଲେ।
“କିନ୍ତୁ ସେମାନେ ଆମକୁ ଅଣଦେଖା କରିଥିଲେ”, ସେଦିନ ଆନ୍ଦୋଳନରେ ଯୋଗ ଦେଇଥିବା ୨୯ ବର୍ଷୀୟା ଅଙ୍କିତା ପାଟିଲ କୁହନ୍ତି। “ଆମେ କେବଳ ସେମାନଙ୍କଠାରୁ ପାଞ୍ଚ ମିନିଟ୍ ସମୟ ଚାହୁଁଥିଲୁ। ଆମେ ଏକ ଦାବିଗୁଡ଼ିକୁ ଏକ କାଗଜରେ ଲେଖି ଦେବାକୁ ଯାଇଥିଲୁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳ଼ୟଠାରେ ଆମର ଦାବିପତ୍ର ଦେବାକୁ ଯିବା ବେଳେ ଜଣେ କର୍ମଚାରୀ ଆମର ଜଣେ ସଦସ୍ୟାଙ୍କଠାରୁ ସେହି କାଗଜଟିକୁ ଛଡ଼ାଇ ନେଲେ। ଜଣେ ମନ୍ତ୍ରୀ ତାଙ୍କୁ ଚାଲିଯିବାକୁ କହିଲେ, ଅନ୍ୟମାନେ ଆମ ଆଡ଼କୁ ସୁଦ୍ଧା ଚାହିଁଲେ ନାହିଁ”, ସେ ଆହୁରି କହିଥିଲେ।
ଏପରି ରୁକ୍ଷ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ, କେତେକ ଆନ୍ଦୋଳନକାରୀ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଥିଲା। “ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ଏଭଳି ବ୍ୟବହାର କରାଯିବା କ’ଣ ଉଚିତ୍ ଥିଲା?” ଅଙ୍କିତା ପ୍ରଶ୍ନ କରିଥାନ୍ତି। “ଗୋଟିଏ ଦିନ ସୁଦ୍ଧା ଛୁଟି ନନେଇ, ନିଜର ଓ ପରିବାର ଲୋକଙ୍କ ଜୀବନକୁ ବାଜି ଲଗାଇ ଆମେ କୋଭିଡ ରୋଗୀଙ୍କ ପାଇଁ ନିଜକୁ ସମର୍ପି ଦେଇଥିଲୁ। ହେଲେ ଆମ ସହିତ କଥା ହେବା ଲାଗି ସେମାନଙ୍କ ପାଖରେ ପାଞ୍ଚ ମିନିଟ୍ ସୁଦ୍ଧା ସମୟ ନାହିଁ? ଆମ ସହିତ ସମ୍ମାନପୂର୍ବକ ବ୍ୟବହାର କରାଯିବା ଉଚିତ୍।”
ବଡ଼ୱାନିରେ ଥିବା କୋଭିଡ କେନ୍ଦ୍ରରେ ଅଙ୍କିତା ଜଣେ ନର୍ସ ଭାବେ କାମ କରିଥାନ୍ତି ଏବଂ ମାସିକ ୨୦,୦୦୦ ଟଙ୍କା ରୋଜଗାର କରିଥାନ୍ତି। “ମୋର ଆଜି ଚାକିରି ଅଛି, କିନ୍ତୁ ଆସନ୍ତାକାଲି ମୁଁ ବେକାର ହୋଇଯାଇପାରେ”, ସେ କୁହନ୍ତି। “ଆମେ ବହୁତ ମାନସିକ ଚାପ ଓ ଅବସାଦର ଶିକାର ହୋଇସାରିଲୁଣି। ଆମେ ଚାକିରିରେ ସ୍ଥିରତା ଚାହୁଁ। ଦ୍ୱିତୀୟ (କୋଭିଡ) ଲହରୀ ହ୍ରାସ ପାଇବା ପରେ ଆମର କେତେଜଣ ବନ୍ଧୁଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା ଆମେ ଦେଖିଛୁ। ଆମ ପାଳି ମଧ୍ୟ କେତେବେଳେ ପଡ଼ିପାରେ।”
ବିଡ଼ମ୍ବନାର ବିଷୟ ହେଉଛି, ଏହି ଚୁକ୍ତିଭିତ୍ତିକ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କେବଳ ସେତିକି ବେଳେ ଚାକିରି ମିଳିପାରିବ ଯେତେବେଳେ କୋଭିଡର ତୃତୀୟ ଲହରୀ ଆସିବ। କିନ୍ତୁ ଏପରି ହେଉ ବୋଲି କେହି ଚାହିଁବେ ନାହିଁ।
ଏହି ଷ୍ଟୋରୀ ପୁଲିଜର ସେଣ୍ଟର ପକ୍ଷରୁ ରିପୋର୍ଟରଙ୍କୁ ଦିଆଯାଉଥିବା ନିରପେକ୍ଷ ସାମ୍ବାଦିକତା ଅନୁଦାନର ସମର୍ଥନରେ ପ୍ରସ୍ତୁତ ହେଉଥିବା ସିରିଜର ଏକ ଅଂଶବିଶେଷ।
ଅନୁବାଦ: ଓଡ଼ିଶାଲାଇଭ୍