ରାଧାଙ୍କ ସାହସର ପରିଣାମ ତାଙ୍କ ପୋଷା କୁକୁରମାନଙ୍କୁ ଭୋଗିବାକୁ ପଡ଼ିଲା। ପ୍ରଥମ କୁକୁରର ମୁଣ୍ଡ କାଟ କରାଗଲା, ଦ୍ୱିତୀୟଟିକୁ ବିଷ ଦେଇ ମାରି ଦିଆଗଲା, ତୃତୀୟଟି ନିଖୋଜ ହୋଇଗଲା ଏବଂ ଚତୁର୍ଥ କୁକୁରକୁ ତାଙ୍କ ଉପସ୍ଥିତିରେ ହିଁ ମାରି ଦିଆଗଲା। ସେ କୁହନ୍ତି, “ମୋ ଗ୍ରାମର ଚାରି ଜଣ ପ୍ରଭାବଶାଳୀ ବ୍ୟକ୍ତି ମୋ ସହିତ ଯାହା କଲେ, ସେଥିପାଇଁ ସେମାନେ ଜେଲରେ ଅଛନ୍ତି। ମୁଁ ବଳାତ୍କାର ମାମଲା ପ୍ରତ୍ୟାହାର ନକରିବା ଯୋଗୁଁ  ସେମାନେ ମୋତେ ଘୃଣା କରିଥାନ୍ତି।”

ପ୍ରାୟ ଛଅ ବର୍ଷ ତଳର କଥା, ଚାରି ଜଣ ବ୍ୟକ୍ତି ରାଧା (ଛଦ୍ମନାମ) ଙ୍କୁ ଗଣବଳାତ୍କାର କରିଥିଲେ। ବୀଡ୍‌ ଜିଲ୍ଲାରେ ଥିବା ନିଜ ଗାଁ ଠାରୁ ପ୍ରାୟ ୧୦୦  କିଲୋମିଟର ଦୂର ବୀଡ୍‌ ସହରକୁ ଯାଉଥିବା ସମୟରେ ବୀଡ୍‌ ଜିଲ୍ଲାର ଏକ ଘରୋଇ ଗାଡ଼ିର ଚାଳକ ତାଙ୍କୁ ଲିଫ୍ଟ ଦେବା ବାହାନାରେ ଅପହରଣ କରି ନେଇଥିଲା। ଏହାପରେ ସେ ଓ ତା’ର ତିନି ଜଣ ସାଙ୍ଗ ମିଶି ରାଧାଙ୍କୁ ବଳାତ୍କାର କରିଥିଲେ। ସମସ୍ତ ଅଭିଯୁକ୍ତମାନେ ସେହି ଗୋଟିଏ ଗାଁର ଥିଲେ।

୪୦ ବର୍ଷୀୟା ରାଧା ନିଜ ସହ ହୋଇଥିବା ଏହି ଘୃଣ୍ୟ ଅପରାଧ ବିଷୟରେ ସ୍ମରଣ କରି କୁହନ୍ତି, “ଏହି ଘଟଣାର କିଛିଦିନ ପର୍ଯ୍ୟନ୍ତ ମୁଁ ଅତ୍ୟନ୍ତ ବ୍ୟଥିତ ଥିଲି। ଆଇନ ମାଧ୍ୟମରେ ସେମାନଙ୍କୁ ଦଣ୍ଡ ଦେବା ଲାଗି ମୁଁ ନିଷ୍ପତ୍ତି ନେଲି, ତେଣୁ ମୁଁ ପୁଲିସରେ ଏକ ଅଭିଯୋଗ କଲି।”

ତାଙ୍କ ପ୍ରତି ହୋଇଥିବା ଏହି  ହିଂସାତ୍ମକ ଆକ୍ରମଣ ସମୟରେ, ରାଧା ନିଜ ସ୍ୱାମୀ ଓ ପିଲାମାନଙ୍କ ସହିତ ବୀଡ୍‌ ସହରରେ ରହୁଥିଲେ। ସେ କୁହନ୍ତି, “ମୋର ସ୍ୱାମୀ ସେଠାରେ ଏକ ଫାଇନାନ୍ସ ଏଜେନ୍ସିରେ କାମ କରୁଥିଲେ। ମୁଁ ମୋ ଚାଷ ଜମିର ଦେଖାଶୁଣା କରିବା ଲାଗି ମଝିରେ ମଝିରେ ଗାଁକୁ ଯାଉଥିଲି।”

ଅଭିଯୋଗ ଦାୟର କରିବା ପରେ, ରାଧାଙ୍କ ଉପରେ ମାମଲା ପ୍ରତ୍ୟାହାର କରିବା ଲାଗି ବେଶ୍‌ ଚାପ ପଡ଼ିଲା। ସେ କୁହନ୍ତି, ଅପରାଧୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କର ଗ୍ରାମ ପଞ୍ଚାୟତ ସଦସ୍ୟ ଓ ଗାଁର ପ୍ରଭାବଶାଳୀ ଲୋକଙ୍କ ସହିତ ଭଲ ସମ୍ପର୍କ ଥିଲା। ରାଧା କୁହନ୍ତି, “ମୋ ଉପରେ ବେଶ୍‌ ଚାପ ପଡ଼ିଥିଲା। କିନ୍ତୁ ମୁଁ ଗାଁ ଠାରୁ ଦୂରରେ ରହୁଥିଲି। ସହରରେ ମୋତେ ସାହାଯ୍ୟ କରିବା ଲୋକମାନେ ଥିଲେ। ମୁଁ ବେଶ ସୁରକ୍ଷିତ ଏବଂ ଆଶ୍ୱସ୍ତ ଅନୁଭବ କରୁଥିଲି।”

କିନ୍ତୁ ମାର୍ଚ୍ଚ ୨୦୨୦ରେ କୋଭିଡ-୧୯ ପ୍ରକୋପ ଦେଖାଦେବା ପରେ, ତାଙ୍କ ସୁରକ୍ଷାର ପ୍ରାଚୀର ଭାଙ୍ଗି ଯାଇଥିଲା। ଦେଶବ୍ୟାପୀ ଲକଡାଉନ ଘୋଷଣା ହେବା ପରେ ତାଙ୍କ ସ୍ୱାମୀ ମନୋଜ (ଛଦ୍ମନାମ)ଙ୍କ ଚାକିରି ଚାଲିଗଲା। ରାଧା କୁହନ୍ତି, “ସେ ମାସିକ ୧୦,୦୦୦ ଟଙ୍କା ରୋଜଗାର କରୁଥିଲେ। ଆମେ ଏକ ଭଡ଼ା ଫ୍ଲାଟରେ ରହୁଥିଲୁ। କିନ୍ତୁ ମନୋଜ ବେରୋଜଗାର ହୋଇଯିବା ପରେ, ଆମେ ଭଡ଼ା ଦେଇପାରିଲୁ ନାହିଁ। ଏହାପରେ, ଆମ ପାଇଁ ପେଟ ପୋଷିବା କଷ୍ଟକର ହୋଇପଡ଼ିଲା।”

ଅନ୍ୟ କୌଣସି ଚାରା ନମିଳିବାରୁ, ଇଚ୍ଛା ନଥିଲେ ମଧ୍ୟ ରାଧା, ମନୋଜ ଓ ତାଙ୍କର ପିଲାମାନଙ୍କୁ ଗାଁରେ ଯାଇ ରହିବାକୁ ପଡ଼ିଲା-ଅର୍ଥାତ୍ ସେହି ଗ୍ରାମ ଯେଉଁଠି ରାଧା ଗଣବଳାତ୍କାରର ଶିକାର ହୋଇଥିଲେ। ସେ କୁହନ୍ତି, “ଆମ ପାଖରେ ତିନି ଏକର ଜମି ଥିଲା, ସେଥିପାଇଁ ଆମେ ଏଠାକୁ ରହିବା ଲାଗି ଆସିଲୁ। ଅନ୍ୟ କୌଣସି ବିକଳ୍ପ ବିଷୟରେ ଆମେ ଚିନ୍ତା କରିପାରିନଥିଲୁ।” ତାଙ୍କ ପରିବାର ଏବେ ସେହି ଜମିରେ ତିଆରି କୁଡ଼ିଆରେ ରହୁଛନ୍ତି ଏବଂ ରାଧା ସେଠାରେ କପା ଓ ଯଅ ଚାଷ କରୁଛନ୍ତି।

ସେ ଗାଁକୁ ଫେରି ଆସିବା କ୍ଷଣି, ଅପରାଧୀମାନଙ୍କ ପରିବାର ଲୋକମାନେ ରାଧାଙ୍କ ପଛରେ ଲାଗିଗଲେ। ସେ କୁହନ୍ତି, “ମାମଲା ଚାଲିଥିଲା। ଏହାକୁ ପ୍ରତ୍ୟାହାର କରିବା ଲାଗି ଚାପ ବହୁତ ବଢ଼ିଗଲା।” କିନ୍ତୁ ସେ ଯେତେବେଳେ ପଛକୁ ହଟିବାକୁ ମନା କଲେ, ଏହି ଚାପ ହଠାତ୍ ଧମକରେ ପରିବର୍ତ୍ତିତ ହୋଇଗଲା। ରାଧା କୁହନ୍ତି, “ଗାଁରେ ମୁଁ ସେମାନଙ୍କ ଠିକ୍ ସାମ୍ନାରେ ରହୁଥିଲି। ମୋତେ ଧମକାଇବା ଏବଂ ନିର୍ଯାତନା ଦେବା ସେମାନଙ୍କ ପାଇଁ ଆହୁରି ସହଜ ହୋଇଗଲା”। କିନ୍ତୁ ରାଧା ଡରିଯାଇ ପଛକୁ ହଟିବା ଭଳି ମହିଳା ନଥିଲେ।

ରାଧା ନିଜ ଗାଁରେ ଥିବା ଚାଷ ଜମି ଦେଖିସାରି ସହରକୁ ଯାଉଥିଲେ, ଏହି ସମୟରେ ତାଙ୍କୁ ଅପହରଣ କରି ନେଇ ଗଣବଳାତ୍କାର କରାଗଲା

୨୦୨୦ ବର୍ଷର ମଧ୍ୟଭାଗରେ ତାଙ୍କ ଗାଁ ଏବଂ ଦୁଇ ପଡ଼ୋଶୀ ଗ୍ରାମକୁ ନେଇ ଗଠିତ ପଞ୍ଚାୟତ ରାଧା ଓ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରିବା ଲାଗି ଆହ୍ୱାନ କଲେ। ରାଧାଙ୍କୁ “ଚରିତ୍ରହୀନା” ବୋଲି କୁହାଯିବା ସହିତ ଗାଁକୁ ବଦନାମ କରିଥିବା ଭଳି ଅଭିଯୋଗ ଅଣାଗଲା। ଏହି ତିନୋଟି ଗାଁରେ ତାଙ୍କ ଯିବା ଆସିବା ଉପରେ “କଟକଣା” ଲାଗୁ କରାଗଲା। ସେ ସ୍ମରଣ କରି କୁହନ୍ତି, “ମୁଁ ଯେତେବେଳେ ନିଜ ଆବଶ୍ୟକତା ପାଇଁ ଗୋଟିଏ ବାଲ୍ଟି ପାଣି ଭରିବା ଲାଗି ଘରୁ ବାହାରୁଥିଲି, ମୋତେ ନାନା କଟୁ କଥା ଶୁଣିବାକୁ ପଡ଼ୁଥିଲା।” ରାଧା ଆହୁରି କୁହନ୍ତି, “ସେମାନେ ବାସ୍ତବରେ କହିବାକୁ ଚାହୁଁଥିଲେ, ତୁ ଆମ ଲୋକଙ୍କୁ ଜେଲକୁ ପଠାଇ ତଥାପି ଆମ ସହ ରହିବାକୁ ଚେଷ୍ଟା କରୁଛୁ।”

ଅଧିକାଂଶ ସମୟରେ ସେ ଭାଙ୍ଗି ପଡ଼ୁଥିଲେ। ସେ ମରାଠୀ ଭାଷାରେ କହୁଥିଲେ, “ମାଲା ସ୍ୱତହଲା ସମ୍ଭଲନା ମହତ୍ୱାଚା ହୋତା (ମୁଁ ନିଜକୁ ସମ୍ଭାଳିବା ଜରୁରି ଥିଲା)। “ମାମଲା ପାଖାପାଖି ବନ୍ଦ ହେବାକୁ ଯାଉଥିଲା।”

ବୀଡ୍‌ର ଜଣେ ମହିଳା ଅଧିକାର କର୍ମୀ ମନୀଷା ଟୋକଲେ କୋର୍ଟରେ କେସ୍‌ ଚାଲିବା ସମୟରେ ରାଧାଙ୍କ ସହ ଯୋଗାଯୋଗରେ ଥିଲେ। ସେ ହିଁ ପ୍ରଥମେ ପୋଲିସ ନିକଟରେ ଅଭିଯୋଗ କରିବା ଲାଗି ରାଧାଙ୍କୁ ସାହାଯ୍ୟ କରିଥିଲେ। ଟୋକଲେ କୁହନ୍ତି, “ଆମ ଓକିଲ (ସକାରାତ୍ମକ) ରାୟ ଆସିବା ନେଇ ଆଶ୍ୱସ୍ତ ଥିଲେ। କିନ୍ତୁ ରାଧା ଦୃଢ଼ମନା ରହିବା ଜରୁରି ଥିଲା। ମୁଁ ଚାହୁଁଥିଲି ଯେ ସେ ଦୃଢ଼ମନା ହୋଇ ରୁହନ୍ତୁ ଏବଂ କୌଣସି ପ୍ରକାରେ ପରିସ୍ଥିତି ଆଗରେ ହାର ନମାନନ୍ତୁ।” ମନୋଧୈର୍ଯ୍ୟ ଯୋଜନା ମାଧ୍ୟମରେ ସେ  ରାଧାଙ୍କ ପାଇଁ ୨.୫ ଲକ୍ଷ ଟଙ୍କାର ସହାୟତା ବ୍ୟବସ୍ଥା କରାଇ ଦେଇଥିଲେ। ମହାରାଷ୍ଟ୍ର ସରକାର ବଳାତ୍କାର ପୀଡ଼ିତାମାନଙ୍କୁ ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି।

ଦୀର୍ଘ ଆଇନଗତ ପ୍ରକ୍ରିୟା ମନୋଜଙ୍କୁ ଅନେକ ଥର ଅସ୍ଥିର କରିଥିଲା। ଟୋକଲେ କୁହନ୍ତି, “ସେ ବେଳେବେଳେ ନିରାଶ ହୋଇପଡ଼ୁଥିଲେ। ମୁଁ ତାଙ୍କୁ ଧୈର୍ଯ୍ୟ ଧରିବାକୁ କହିଥିଲି”। ରାଧାଙ୍କ ସଂଘର୍ଷରେ ମନୋଜ କିଭଳି ଭାବେ ସାହସର ସହିତ ସମର୍ଥନ ଯୋଗାଇ ଦେଇଥିଲେ ତାହା ଟୋକଲେ ପ୍ରତ୍ୟକ୍ଷ ଭାବେ ଦେଖିଥିଲେ।

ମାମଲା ପୂର୍ବରୁ ଧିରେ ଧିରେ ଆଗକୁ ବଢ଼ୁଥିଲା, କିନ୍ତୁ ମହାମାରୀ ଆସିବା ପରେ ଆହୁରି ଧିମା ହୋଇଗଲା, କାରଣ ଏହି ସମୟରେ ନ୍ୟାୟାଳୟର କାମ ଅନଲାଇନ ମାଧ୍ୟମରେ ହେଲା। ରାଧା କୁହନ୍ତି, “(ସେତେବେଳକୁ) ଚାରି ବର୍ଷ ବିତିସାରିଥିଲା। ଲକଡାଉନ ପରେ ଅନେକ ଥର ଶୁଣାଣି ଘୁଞ୍ଚିଥିଲା। ଆମେ ହାର୍ ମାନିଲୁ ନାହିଁ, କିନ୍ତୁ ନ୍ୟାୟ ପାଇବାର ଆଶା ଧିରେ ଧିରେ କମି ଯାଉଥିଲା।

ତାଙ୍କର ଧୈର୍ଯ୍ୟ ଓ ଦୃଢ଼ତା ବ୍ୟର୍ଥ ଗଲା ନାହିଁ। ଗତବର୍ଷ ଅକ୍ଟୋବର ମାସରେ, ଅପରାଧର ପାଖାପାଖି ଛଅ ବର୍ଷ ପରେ ବୀଡ୍‌ ଦୌରା ନ୍ୟାୟାଳୟ ଅଭିଯୁକ୍ତମାନଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା। ଟୋକଲେ କୁହନ୍ତି, “ଯେତେବେଳେ ଆମେ ରାଧାଙ୍କୁ ରାୟ ବିଷୟରେ ସୂଚନା ଦେଲୁ, ସେ ଗୋଟିଏ ମିନିଟ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିରବ ହୋଇଗଲେ। ଏହାପରେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲେ। ତାଙ୍କର ଦୀର୍ଘଦିନର ସଂଘର୍ଷ ଶେଷରେ ଅନ୍ତିମ ପରିଣତିରେ ପହଞ୍ଚିଥିଲା।”

କିନ୍ତୁ ନିର୍ଯାତନା ଏଇଠି ଶେଷ ହୋଇନଥିଲା।

ଦୁଇ ମାସ ପରେ ରାଧାଙ୍କୁ ଏକ ନୋଟିସ ମିଳିଲା। ସେଥିରେ ଅନ୍ୟର ଜମି ହଡ଼ପ କରିବା ଅଭିଯୋଗ ତାଙ୍କ ବିରୋଧରେ ଅଣାଯାଇଥିଲା। ନୋଟିସରେ ଗ୍ରାମ ସେବକଙ୍କ ଦସ୍ତଖତ ରହିଥିଲା। ରାଧା ଯେଉଁ ଜମିରେ ରହୁଥିଲେ ଏବଂ ଚାଷ କରୁଥିଲେ ତାହା ଗାଁର ଅନ୍ୟ ଚାରି ଜଣଙ୍କ ନାମରେ ରହିଥିଲା। ରାଧା କୁହନ୍ତି, “ସେହି ଲୋକମାନେ ମୋ ଜମି ପଛରେ ପଡ଼ିଛନ୍ତି। ଏଠାରେ କ’ଣ ଚାଲିଛି ସମସ୍ତେ ଜାଣନ୍ତି, କିନ୍ତୁ ଭୟ କାରଣରୁ କେହି ଖୋଲାଖୋଲି ମୋର ସମର୍ଥନ କରନ୍ତି ନାହିଁ। ଜଣେ ମହିଳାଙ୍କ ଜୀବନକୁ ଦୟନୀୟ କରିବା ଲାଗି ଲୋକମାନେ କେତେ ତଳକୁ ଖସିପାରନ୍ତି ତାହା ମହାମାରୀ ସମୟରେ ମୁଁ ଅନୁଭବ କରିପାରିଥିଲି।”

ଅଭିଯୋଗ ଦାୟର କରିବା ପରେ, ରାଧାଙ୍କ ଉପରେ ମାମଲା ପ୍ରତ୍ୟାହାର କରିବା ଲାଗି ଚାପ ବଢ଼ିଚାଲିଲା। ଅପରାଧୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କର, ଗ୍ରାମ ପଞ୍ଚାୟତ ସଦସ୍ୟ ଓ ଗାଁର ପ୍ରଭାବଶାଳୀ ଲୋକଙ୍କ ସହିତ ନିବିଡ଼ ସମ୍ପର୍କ ଥିଲା

ରାଧାଙ୍କ ପରିବାର ଟିଣ ଛାତ ଥିବା ଘରେ ରହୁଥିଲା। ବର୍ଷା ଦିନେ ଛାତରୁ ପାଣି ଗଳୁଥିଲା ଏବଂ ଖରା ଦିନେ ଘର ତାତି ଯାଉଥିଲା। ସେ କୁହନ୍ତି, "ଖୁବଜୋରରେ ପବନ ବୋହିଲେ, ଛାତ ଖସି ପଡ଼ିବା ଭଳି ଲାଗୁଥିଲା। ଯେତେବେଳେ ଏପରି ହେଉଥିଲା, ମୋ ପିଲାମାନେ ଖଟ ତଳେ ଲୁଚିଯାଉଥିଲେ। ମୋ ସ୍ଥିତି ଏତେ ଖରାପ ଥିଲା, ତଥାପି ସେମାନେ ମୋ ପଛରେ ଲାଗିଥିଲେ । ସେମାନେ ମୋ ଘରକୁ ପାଣି ବନ୍ଦ କରିଦେଲେ ଏବଂ ମୋତେ ଏଠାରୁ ବାହାର କରିଦେବା ଲାଗି ଧମକ ମଧ୍ୟ ଦେଲେ। କିନ୍ତୁ ମୋ ପାଖରେ ସବୁ କାଗଜପତ୍ର ଅଛି। ମୁଁ ଅନ୍ୟ କେଉଁ ଆଡ଼େ ଯାଉନାହିଁ।”

ଜିଲ୍ଲାପାଳଙ୍କୁ ଲେଖିଥିବା ପତ୍ରରେ ରାଧା ତାଙ୍କ ଜମି ଉପରେ କବ୍‌ଜା କରିବା ଲାଗି ହେଉଥିବା ଉଦ୍ୟମ ବିଷୟରେ ଅଭିଯୋଗ କରିଥିଲେ। ସେ କୁହନ୍ତି ଯେ, ବିପଦରେ ଥିବାରୁ ତାଙ୍କୁ ସୁରକ୍ଷାର ଆବଶ୍ୟକତା ରହିଥିଲା। ପରବର୍ତ୍ତୀ ସମୟରେ, ଗ୍ରାମ ସେବକ ପତ୍ର ଲେଖି ମାଜିଷ୍ଟ୍ରେଟଙ୍କୁ ଜଣାଇଥିଲେ ଯେ ନୋଟିସରେ ତାଙ୍କର ଜାଲ୍‌ ଦସ୍ତଖତ କରାଯାଇଛି ଏବଂ ସେହି ଜମି ରାଧାଙ୍କର।

ରାଧାଙ୍କ ପରିସ୍ଥିତିକୁ ଧ୍ୟାନରେ ରଖି, ୨୦୨୧ ପ୍ରାରମ୍ଭରେ, ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ନୀଲମ ଗୋରେ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀ ହସନ ମୁଶ୍ରୀଫଙ୍କୁ ପତ୍ର ଲେଖିଥିଲେ। ସେ ରାଧା ଓ ତାଙ୍କ ପରିବାର ପାଇଁ ସୁରକ୍ଷା ଦାବି କରିବା ସହିତ ତିନୋଟି ଗାଁ ପକ୍ଷରୁ ଜାରି କରାଯାଇଥିବା ଅବୈଧ ସାମାଜିକ ବାସନ୍ଦ ନୋଟିସର ତଦନ୍ତ କରିବା ଉପରେ ଜୋର୍‌ ଦେଇଥିଲେ।

ରାଧାଙ୍କ ଘର ବାହାରେ ଏବେ ସବୁବେଳେ ଜଣେ ପୋଲିସ କନଷ୍ଟେବଳ ମୁତୟନ ରହୁଛନ୍ତି। ସେ କୁହନ୍ତି, “ମୁଁ ଏବେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅନୁଭବ କରୁନାହିଁ। ପୁଲିସ କର୍ମଚାରୀ କେତେବେଳେ ଉପସ୍ଥିତ ଥାଆନ୍ତି ତ’ ଆଉ କେତେବେଳେ ନଥାନ୍ତି। ରାତିରେ ମୁଁ କେବେ ବି ଶାନ୍ତିରେ ଶୋଇପାରିନଥାଏ। ଲକଡାଉନ ପୂର୍ବରୁ (ମାର୍ଚ୍ଚ ୨୦୨୦ରେ) ଅତି କମ୍‌ରେ ମୁଁ ଶାନ୍ତିରେ ତ’ ଶୋଇପାରୁଥିଲି, କାରଣ ମୁଁ ଗାଁ ଠାରୁ ଦୂରରେ ଥିଲି। ଏବେ ମୁଁ ସବୁବେଳେ ସତର୍କ ରହୁଛି; ବିଶେଷ କରି ଘରେ କେବଳ ମୁଁ ଓ ମୋର ପିଲାମାନେ ରହୁଥିବା ସମୟରେ।”

ଏପରିକି ମନୋଜ ମଧ୍ୟ ନିଜ ପରିବାରଠାରୁ ଦୂରରେ ରହୁଥିବା କାରଣରୁ ଶାନ୍ତିରେ ଶୋଇ ପାରୁନାହାନ୍ତି। ସେ କୁହନ୍ତି, “ସେମାନେ ଠିକ୍ ଭାବେ ସୁରକ୍ଷିତ ରହିବାର ଚିନ୍ତା ମୋତେ ସବୁବେଳେ ଘାରିଥାଏ।” ସହରରେ ଚାକିରି ଚାଲିଯିବା ପରେ ଦିନ ମଜୁରିଆ ଭାବେ ସେ କିଛିଦିନ କାମ କରିଥିଲେ। ଗତ ବର୍ଷ ସେପ୍ଟେମ୍ବର ମାସରେ ତାଙ୍କୁ କାମ ମିଳିଥିଲା। ତାଙ୍କର କର୍ମସ୍ଥଳୀ ଗାଁ ଠାରୁ ୬୦ କିଲୋମିଟର ଦୂରରେ ରହିଛି। ସେଥିପାଇଁ ସେ ଛୋଟ ଭଡ଼ା ଘରଟିଏ ନେଇ ସେଠାରେ ରହୁଛନ୍ତି। ରାଧା କୁହନ୍ତି, “ମହାମାରୀ ପୂର୍ବରୁ ତାଙ୍କୁ ଯେତିକି ବେତନ ମିଳୁଥିଲା ଏବେ ତା’ଠାରୁ କମ୍‌ ସେ ରୋଜଗାର କରୁଛନ୍ତି । ସେଥିପାଇଁ ସେ ଆମ ସମସ୍ତଙ୍କ ପାଇଁ ବଡ଼ ଘର ଭଡ଼ାରେ ନେଇପାରିବେ ନାହିଁ। ତେଣୁ ସପ୍ତାହକୁ ୩-୪ ଦିନ ଆସି ସେ ଆମ ପାଖରେ ରୁହନ୍ତି।”

ସ୍ଥାନୀୟ ସ୍କୁଲ ଖୋଲିଲେ ତାଙ୍କର ୮, ୧୨ ଓ ୧୫ ବର୍ଷୀୟା ତିନି ଝିଅଙ୍କ ସହ କିଭଳି ବ୍ୟବହାର କରାଯିବ ସେହି ଚିନ୍ତା ଏବେ ରାଧାଙ୍କୁ ଘାରିଛି।  “ସେମାନଙ୍କୁ ହଇରାଣ କରାଯିବ କିମ୍ବା ଧମକ ଦିଆଯିବ ତାହା ମୁଁ ଜାଣିନାହିଁ।”

ରାଧାଙ୍କର କୁକୁର ତାଙ୍କ ଭୟ ଦୂର କରିବାରେ ସହାୟକ ହେଉଥିଲେ। ରାଧା କୁହନ୍ତି, “ସେମାନେ ସୁରକ୍ଷା ମଧ୍ୟ ଯୋଗାଇ ଦେଉଥିଲେ। କେହି ତାଙ୍କ କୁଡ଼ିଆ ପାଖକୁ ଆସିଲେ, ସେମାନେ ଜୋରରେ ଭୁକୁଥିଲେ। କିନ୍ତୁ ଏ ଲୋକମାନେ ସେମାନଙ୍କୁ ଧିରେ ଧିରେ ମାରିବା ଆରମ୍ଭ କଲେ। ମୋର ଚତୁର୍ଥ କୁକୁରକୁ ସେମାନେ ନିକଟରେ ମାରି ଦେଇଛନ୍ତି।”

ରାଧା କୁହନ୍ତି, ପଞ୍ଚମ କୁକୁର ପାଳିବା ଲାଗି ଏବେ ପ୍ରଶ୍ନ ଉଠୁନାହିଁ। “ଅତି କମ୍‌ରେ ଗାଁର କୁକୁରମାନେ ସୁରକ୍ଷିତ ରହିବା ଉଚିତ୍।”

ଏ ଷ୍ଟୋରୀ ସେହି ସିରିଜର ଏକ ଅଧ୍ୟାୟ ଯାହାକୁ ପୁଲିଜର ସେଣ୍ଟର ପକ୍ଷରୁ ସହଯୋଗ ମିଳିଛି। ଏହି ସହଯୋଗ ନିରପେକ୍ଷ ସାମ୍ବାଦିକତା ଅନୁଦାନ ଆକାରରେ ରିପୋର୍ଟରଙ୍କୁ ପ୍ରାପ୍ତ ହୋଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Text : Parth M.N.

ପାର୍ଥ ଏମ୍.ଏନ୍. ୨୦୧୭ର ଜଣେ PARI ଫେଲୋ ଏବଂ ବିଭିନ୍ନ ୱେବ୍ସାଇଟ୍ପାଇଁ ଖବର ଦେଉଥିବା ଜଣେ ସ୍ୱାଧୀନ ସାମ୍ବାଦିକ। ସେ କ୍ରିକେଟ୍ ଏବଂ ଭ୍ରମଣକୁ ଭଲ ପାଆନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Parth M.N.
Illustrations : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE