‘‘ମୋର ଅବ୍ବୁ (ବାପା) ଜଣେ ମଜୁରିଆ ଥିଲେ, କିନ୍ତୁ ମାଛ ଧରିବାକୁ ସେ ଭଲ ପାଉଥିଲେ। ସେତେବେଳେ... ସେ ଗୋଟିଏ ଦିନ କାମକୁ ଗଲେ ଯେମିତି ହେଉ ଗୋଟିଏ କିଲୋଗ୍ରାମ ଚାଉଳ ପାଇଁ ଟଙ୍କା ଯୋଗାଡ଼ କରି ନେଉଥିଲେ... ତା’ପରେ ତାଙ୍କର କାମ ସରି ଯାଉଥିଲା! ମୋ ଅମ୍ମି (ମା’)ଙ୍କୁ ସବୁକିଛି ବୁଝିବାକୁ ହେଉଥିଲା,’’ କୋହିନୁର ବେଗମ ବେଲଡାଙ୍ଗାର ଉତ୍ତରପାଡ଼ା ଅଞ୍ଚଳରେ ଥିବା ନିଜ ଘର ଛାତ ଉପରେ ବସି ଏକଥା କହିଥାନ୍ତି ।

‘‘ଆଉ କଳ୍ପନା କରନ୍ତୁ, ସେହି ଗୋଟିଏ କିଲୋଗ୍ରାମ ଚାଉଳରେ ମୋ ଅମ୍ମିଙ୍କୁ ନିଜର ଚାରି ଜଣ ପିଲା, ଆମ ଦାଦି (ଜେଜେ ମା’), ମୋ ବାପା, ଆଉ ଜଣେ ପିଉସୀ ଓ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ହେଉଥିଲା।’’ କିଛି ସମୟ ପର୍ଯ୍ୟନ୍ତ ନିରବ ରହିବା ପରେ ସେ ପୁଣି କୁହନ୍ତି, ‘‘ଏହାକୁ ବାଦ୍‌ ଦେଲେ, ଅବ୍ବୁ ବେଳେବେଳେ ମାଛଙ୍କୁ ଖୁଆଇବା ପାଇଁ କିଛି ଭାତ ମାଗି ନେବା ଲାଗି ସାହସ କରୁଥିଲେ। ଏ ଲୋକଟି ପାଇଁ ଆମେ ଅନେକ ସମୟରେ ଚିନ୍ତାରେ ପଡ଼ିଯାଉଥିଲୁ!’’

୫୫ ବର୍ଷୀୟା କୋହିନୁର ଆପା (ଭଉଣୀ) ଏଠାରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଜାନକୀ ନଗର ପ୍ରାଥମିକ ବିଦ୍ୟାଳୟରେ ଜଣେ ମଧ୍ୟାହ୍ନ ଭୋଜନ ପାଚିକା ଭାବେ କାର୍ଯ୍ୟରତ। ଖାଲି ସମୟରେ, ସେ ବିଡ଼ି ବାନ୍ଧି ଥାନ୍ତି ଏବଂ ଏହି କାମରେ ନିୟୋଜିତ ଅନ୍ୟ ମହିଳାଙ୍କ ପାଇଁ ଆନ୍ଦୋଳନ କରିଥାନ୍ତି। ମୁର୍ଶିଦାବାଦରେ, ସବୁଠୁ ଗରିବ ମହିଳାମାନେ ବିଡ଼ି ବାନ୍ଧିବା କାମ କରିଥାନ୍ତି - ଯାହାକି ଏକ କଷ୍ଟଦାୟକ କାର୍ଯ୍ୟ। ଅତି କମ୍‌ ବୟସରୁ ଲଗାତାର ତମାଖୁ ସଂସ୍ପର୍ଶରେ ଆସିବା କାରଣରୁ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପ୍ରତି ଗମ୍ଭୀର ବିପଦ ଦେଖା ଦେଇଥାଏ। ପଢ଼ନ୍ତୁ : ଧୂଆଁରେ ବିପନ୍ନ: ମହିଳା ବିଡ଼ି ଶ୍ରମିକଙ୍କ ସ୍ୱାସ୍ଥ୍ୟ

କୋହିନୁର ଆପା ବିଡ଼ି ଶ୍ରମିକଙ୍କ ପାଇଁ ଏକ ଆନ୍ଦୋଳନରେ ଯୋଗ ଦେଇ ଫେରିବା ପରେ ଏହି ରିପୋର୍ଟର ୨୦୨୧ ଡିସେମ୍ବର ମାସର ଏକ ସକାଳେ ତାଙ୍କୁ ଭେଟିଥିଲେ। କିଛି ସମୟ ପରେ ସାମାନ୍ୟ ଫୁରସତରେ ସେ ଆମକୁ ନିଜର ପିଲାଦିନ ବିଷୟରେ କହିଥିଲେ । ଏପରିକି ନିଜେ ପ୍ରସ୍ତୁତ କରିଥିବା ଏକ ଗୀତ ଗାଇଥିଲେ - ଏହି ଗୀତଟି ବିଡ଼ି ଶ୍ରମିକଙ୍କ ହାଡ଼ଭଙ୍ଗା ପରିଶ୍ରମ ଓ ଶୋଷଣକାରୀ କାର୍ଯ୍ୟ ସ୍ଥିତି ଉପରେ ଆଧାରିତ ଥିଲା।

କୋହିନୁର ଆପା କହିଥିଲେ ଯେ, ସେ ଯେତେବେଳେ ଛୋଟ ପିଲା ଥିଲେ ତାଙ୍କ ପରିବାରର ଦୁର୍ବଳ ଆର୍ଥିକ ପରିସ୍ଥିତି କାରଣରୁ ଘରେ ଅନେକ ସମୟରେ କଳହ ସୃଷ୍ଟି ହେଉଥିଲା। ତାଙ୍କ ଭଳି ଛୋଟ ଝିଅ ପାଇଁ ଏହା ଅସହନୀୟ ଥିଲା। ‘‘ମୋତେ ସେତେବେଳେ ମାତ୍ର ୯ ବର୍ଷ ହୋଇଥିଲା,’’ ସେ କୁହନ୍ତି। ‘‘ଦିନେ ସକାଳୁ, ଘରେ ସ୍ୱାଭାବିକ ଝଗଡ଼ା ଚାଲିଥିବା ବେଳେ, ମୋ ଅମ୍ମି କୋଇଲା, ଗୋବର ଘସି ଓ କାଠରେ ମାଟି ଚୁଲି ଜାଳିବାକୁ ପ୍ରସ୍ତୁତି କରୁଥିଲେ। ରୋଷେଇ କରିବା ପାଇଁ ତାଙ୍କ ପାଖରେ ଆଦୌ ଚାଉଳ ନଥିଲା।

ବାମ: ନିଜ ମା’ଙ୍କ ସହିତ କୋହିନୁର ବେଗମ ଯାହାଙ୍କର ସଂଘର୍ଷ ତାଙ୍କୁ ସମାଜରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବା ଲାଗି ଲଢ଼େଇ କରିବାକୁ ଅନୁପ୍ରାଣିତ କରିଥିଲା। ଡାହାଣ: ୨୦୨୨ ଡିସେମ୍ବର ମାସରେ କୋହିନୁର ମୁର୍ଶିଦାବାଦର ବରହମପୁର ଠାରେ ଏକ ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି । ଫଟୋ ସୌଜନ୍ୟ: ନଶିମା ଖାତୁନ

ନଅ ବର୍ଷର ଝିଅ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଲା। ‘‘ମୁଁ ଜଣେ ବଡ଼ କୋଇଲା ଡିପୋ ମାଲିକଙ୍କ ପତ୍ନୀଙ୍କୁ ଭେଟିବା ପାଇଁ ଦୌଡ଼ିଗଲି ଏବଂ ସେହି ମହିଳାଙ୍କୁ ପଚାରିଲି, ‘(କାକି ଆମାକେ ଏକ ମୋନ କୋରେ କୋୟଲା ଦେବେ ରୋଜ? ‘କାକି, ମୋତେ ସବୁଦିନ କିଛି କୋଇଲା ଦେବେ କି?’),’’ ସେ ଗର୍ବର ସହିତ ମନେ ପକାଇ କୁହନ୍ତି। ‘‘କିଛି ସମୟ ପର୍ଯ୍ୟନ୍ତ ଅନୁରୋଧ କରିବା ପରେ, ସେହି ମହିଳା ଜଣଙ୍କ ରାଜି ହେଲେ ଏବଂ ମୁଁ ଏକ ରିକ୍ସାରେ ସେମାନଙ୍କ ଡିପୋରୁ ଘରକୁ କୋଇଲା ଆଣିବା ଆରମ୍ଭ କଲି। ଭଡ଼ା ବାବଦରେ ମୁଁ ୨୦ ପଇସା ଖର୍ଚ୍ଚ କରିଥିଲି।’’

ଜୀବନ ଏମିତି ଆଗକୁ ବଢ଼ିଲା ଏବଂ ତାଙ୍କୁ ୧୪ ବର୍ଷ ହେବା ବେଳକୁ, କୋହିନୁର ନିଜ ଗାଁ ଉତ୍ତରପାଡ଼ା ଓ ଆଖପାଖ ଅଞ୍ଚଳରେ ବର୍ଜ୍ୟ କୋଇଲା ବିକ୍ରି କରୁଥିଲେ; ନିଜ କଅଁଳ କାନ୍ଧରେ ସେ ୨୦ କିଲୋଗ୍ରାମ ପର୍ଯ୍ୟନ୍ତ କୋଇଲା ବୋହି ଆଣୁଥିଲେ। ‘‘ଯଦିଓ ମୁଁ ଖୁବ ଅଳ୍ପ ଟଙ୍କା ରୋଜଗାର କରୁଥିଲି, ଏହା ଆମ ଘର ଲୋକଙ୍କ ଖାଇବା ଖର୍ଚ୍ଚରେ ସହାୟକ ହେଉଥିଲା,’’ ସେ କୁହନ୍ତି ।

ପରିବାର ଲୋକଙ୍କୁ ସହାୟତା କରୁଥିବା ନେଇ ଯଦିଓ ସେ ଖୁସି ଓ ଆଶ୍ୱସ୍ତ ଥିଲେ, ତଥାପି ସେ ଜୀବନରେ କିଛି ହରାଇବା ଭଳି ଅନୁଭବ କରୁଥିଲେ । ‘‘ରାସ୍ତାରେ କୋଇଲା ବିକ୍ରି କରୁଥିବା ସମୟରେ, ଛୋଟ ଝିଅମାନେ ସ୍କୁଲ ଯାଉଥିବା ଏବଂ ଯୁବତୀ ଓ ମହିଳାମାନେ କାନ୍ଧରେ ବ୍ୟାଗ ପକେଇ କଲେଜ ଓ ଅଫିସ ଯାଉଥିବାର ମୁଁ ଦେଖୁଥିଲି। ମୁଁ ନିଜ ପାଇଁ ଦୁଃଖ ଅନୁଭବ କରୁଥିଲି,’’ ସେ କୁହନ୍ତି । ତାଙ୍କର କଣ୍ଠସ୍ୱର ବାଷ୍ପରୁଦ୍ଧ ହୋଇପଡ଼ୁଥାଏ କିନ୍ତୁ ସେ ଲୁହ ପୋଛି ଦେଇ କହୁଥାନ୍ତି, ‘‘ମୁଁ ମଧ୍ୟ ନିଜ କାନ୍ଧରେ ବ୍ୟାଗ ପକାଇ କୌଣସି ସ୍ଥାନକୁ ଯାଇଥାନ୍ତି....’’

ଏହି ସମୟରେ, ଜଣେ ସମ୍ପର୍କୀୟା ଭଉଣୀ କୋହିନୁରଙ୍କୁ ନେଇ ପୌରପାଳିକା ଦ୍ୱାରା ଆୟୋଜିତ ଏକ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ପରିଚୟ କରାଇ ଦେଲେ। ‘‘ବିଭିନ୍ନ ଲୋକଙ୍କ ଘରେ କୋଇଲା ବିକ୍ରି କରିବା ସମୟରେ, ମୁଁ ଅନେକ ମହିଳାଙ୍କୁ ଭେଟିଥିଲି। ମୁଁ ସେମାନଙ୍କର କଷ୍ଟ ଜାଣିଥିଲି। ପୌରପାଳିକା ମୋତେ ଜଣେ ଆୟୋଜକ ଭାବେ ଗ୍ରହଣ କରିବା ଲାଗି ମୁଁ ଅନୁରୋଧ କଲି।’’

ତେବେ ଆଉ ଏକ ସମସ୍ୟା ଥିଲା, ତାଙ୍କ ସମ୍ପର୍କୀୟା ଭଉଣୀ ଏଥିରେ ଆପତ୍ତି ଦର୍ଶାଇ କହିଥିଲେ ଯେ, କୋହିନୁର ସ୍କୁଲରେ ପାଠ ପଢ଼ିନଥିବା ଯୋଗୁଁ ସେ ଏହି ଚାକିରି ପାଇଁ ଯୋଗ୍ୟ ନୁହନ୍ତି କାରଣ ସେ ହିସାବପତ୍ର ରଖିବାରେ ସକ୍ଷମ ହେବେ ନାହିଁ।

‘‘ଏହା ମୋ ପାଇଁ ଏକ ବଡ଼ ସମସ୍ୟା ନଥିଲା,’’ ସେ କୁହନ୍ତି, ‘‘ଗଣତି ଓ ହିସାବପତ୍ରରେ ମୁଁ ଖୁବ ଭଲ ଥିଲି। ବର୍ଜ୍ୟ କୋଇଲା ବିକ୍ରି କରିବା ସମୟରେ ମୁଁ ଏହାକୁ ଶିଖି ଯାଇଥିଲି।’’ ସେ କୌଣସି ଭୁଲ କରିବେ ନାହିଁ ବୋଲି ଆଶ୍ୱାସନା ଦେବା ସହିତ, କୋହିନୁର କହିଥିଲେ ଯେ, ତାଙ୍କର ସମ୍ପର୍କୀୟା ଭଉଣୀର ସହାୟତା ନେଇ ସେ ସବୁକିଛି ଡାଏରୀରେ ନୋଟ୍‌ କରି ରଖିବେ। ‘‘ଅବଶିଷ୍ଟ ମୁଁ ଚଳେଇ ନେବି।’’

Kohinoor aapa interacting with beedi workers in her home.
PHOTO • Smita Khator
With beedi workers on the terrace of her home in Uttarpara village
PHOTO • Smita Khator

ଫଟୋ. ବାମ:  ନିଜ ଘରେ ବିଡ଼ି ଶ୍ରମିକଙ୍କ ସହିତ କଥା ହେଉଛନ୍ତି କୋହିନୁର ଆପା। ଡାହାଣ: ଉତ୍ତରପାଡ଼ା ଗ୍ରାମରେ ଥିବା ନିଜ ଘର ଛାତ ଉପରେ ବିଡ଼ି ଶ୍ରମିକଙ୍କ ସହିତ ସେ ଛିଡ଼ା ହୋଇଛନ୍ତି

ଆଉ ସେ ତାହା କଲେ। ସ୍ୱୟଂ ସହାୟକ ଗୋଷ୍ଠୀ ସହ କାର୍ଯ୍ୟ କରିବା ଫଳରେ ଏହି ମହିଳାମାନଙ୍କୁ ଭଲ ଭାବେ ଜାଣିବା ପାଇଁ କୋହିନୁରଙ୍କୁ ଏକ ସୁଯୋଗ ମିଳିଲା - ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଡ଼ି ବାନ୍ଧିବା ଶ୍ରମିକ ଥିଲେ। ସେ ଏକ କର୍ପସ ତିଆରି କରିବା ଓ ସଞ୍ଚୟ କରିବା ଏବଂ ସେଥିରୁ ଉଧାର ନେବା ଓ ପରିଶୋଧ କରିବା ବିଷୟରେ ମଧ୍ୟ ଶିଖିଥିଲେ ।

ଯଦିଓ କୋହିନୁରଙ୍କ ପାଇଁ ଅର୍ଥାଭାବ ଏକ ସଂଘର୍ଷର କାରଣ ଥିଲା, ତେବେ ସେ କୁହନ୍ତି ଯେ କ୍ଷେତ୍ରୀୟ ସ୍ତରରେ କାମ କରିବା ତାଙ୍କ ପାଇଁ ଏକ ‘‘ମୂଲ୍ୟବାନ ଅନୁଭୂତି’’ ଥିଲା କାରଣ ‘‘ମୁଁ ରାଜନୈତିକ ଭାବେ ସଚେତନ ହେଉଥିଲି। କିଛି ଭୁଲ ଦେଖିଲେ ମୁଁ ଲୋକମାନଙ୍କ ସହିତ ସବୁବେଳେ ଯୁକ୍ତିତର୍କ କରୁଥିଲି । ଶ୍ରମିକ ସଂଗଠନର କର୍ମକର୍ତ୍ତାଙ୍କ ସହିତ ମୋର ସମ୍ପର୍କ ବଢ଼ିଥିଲା।’’

ତେବେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଏହାକୁ ସହଜରେ ଗ୍ରହଣ କରିନଥିଲେ। ‘‘ତେଣୁ ସେମାନେ ମୋ ବାହାଘର କରାଇ ଦେଇଥିଲେ।’’ ୧୬ ବର୍ଷ ବୟସରେ ଜମାଲୁଦ୍ଦିନ ଶେଖଙ୍କ ସହିତ ତାଙ୍କ ବାହାଘର ହୋଇଥିଲା। ଏହି ଦମ୍ପତିଙ୍କର ତିନି ପିଲା ରହିଛନ୍ତି ।

ସୌଭାଗ୍ୟବଶତଃ ବାହାଘର କୋହିନୁର ଆପାଙ୍କୁ ନିଜ ପସନ୍ଦର କାମ କରିବାରୁ ଅଟକାଇ ପାରିନଥିଲା: ‘‘ମୋ ଚାରିପାଖରେ ଘଟୁଥିବା ସବୁ ଘଟଣାକୁ ମୁଁ ଦେଖୁଥିଲି। ମୋ ଭଳି ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ତୃଣମୂଳ ସ୍ତରର ସଂଗଠନ ସହିତ ମୁଁ ଯୋଡ଼ି ହୋଇଥିଲି ଏବଂ ସେମାନଙ୍କ ସହିତ ମୋର ସମ୍ପର୍କ ବଢ଼ିଚାଲିଲା।’’ ଜମାଲୁଦ୍ଦିନ ଜଣେ ପ୍ଲାଷ୍ଟିକ ଓ ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଭାବେ କାମ କରୁଥିବା ସମୟରେ, କୋହିନୁର ସ୍କୁଲରେ ତାଙ୍କର କାମକୁ ନେଇ ବ୍ୟସ୍ତ ରହିଥାନ୍ତି। ଆହୁରି ସେ ମୁର୍ଶିଦାବାଦ ଜିଲ୍ଲା ବିଡ଼ି ମଜଦୁର ଓ ପେକର୍ସ ସଂଘରେ ସାମିଲ ହୋଇ ବିଡ଼ି ବନ୍ଧା ଶ୍ରମିକଙ୍କ ଅଧିକାର ପାଇଁ ଲଢ଼ିଥାନ୍ତି।

‘‘କେବଳ ରବିବାର ସକାଳୁ, ମୋତେ କିଛି ସମୟ ମିଳିଥାଏ,’’ ପାଖରେ ଥୁଆ ହୋଇଥିବା ଏକ ବୋତଲରୁ କିଛି ନଡ଼ିଆ ତେଲ ପାପୁଲିରେ ଢାଳି ସେ କୁହନ୍ତି । ସେ ତାଙ୍କର ଘନ କେଶରେ ସେହି ତେଲ ଲଗାଇ ଯତ୍ନର ସହକାରେ ତା’କୁ କୁଣ୍ଡେଇ ଥାଆନ୍ତି।

ଏହା ସରିଯିବା ପରେ, କୋହିନୁର ମୁଣ୍ଡରେ ଓଢ଼ଣି ଦେଇ ତାଙ୍କ ଆଗରେ ଥୁଆ ହୋଇଥିବା ଛୋଟିଆ ଆଇନାକୁ ଦେଖନ୍ତି। ‘‘(ଆଜି ମୋର ଗୀତ ଗାଇବାକୁ ଇଚ୍ଛା ହେଉଛି)... ଏକଟା ବିଡ଼ି ବାନ୍ଧାଇ-ଏର ଗାନ୍‌ ଶୋନାଇ (ବିଡ଼ି ବାନ୍ଧିବା ଉପରେ ମୁଁ ଗୀତଟିଏ ଗାଉଛି...)।’’

ଭିଡ଼ିଓ ଦେଖନ୍ତୁ: କୋହିନୁର ଆପାଙ୍କ ଶ୍ରମର ସଙ୍ଗୀତ

বাংলা

একি ভাই রে ভাই
আমরা বিড়ির গান গাই
একি ভাই রে ভাই
আমরা বিড়ির গান গাই

শ্রমিকরা দল গুছিয়ে
শ্রমিকরা দল গুছিয়ে
মিনশির কাছে বিড়ির পাতা আনতে যাই
একি ভাই রে ভাই
আমরা বিড়ির গান গাই
একি ভাই রে ভাই
আমরা বিড়ির গান গাই

পাতাটা আনার পরে
পাতাটা আনার পরে
কাটার পর্বে যাই রে যাই
একি ভাই রে ভাই
আমরা বিড়ির গান গাই
একি ভাই রে ভাই
আমরা বিড়ির গান গাই

বিড়িটা কাটার পরে
পাতাটা কাটার পরে
বাঁধার পর্বে যাই রে যাই
একি ভাই রে ভাই
আমরা বিড়ির গান গাই
ওকি ভাই রে ভাই
আমরা বিড়ির গান গাই

বিড়িটা বাঁধার পরে
বিড়িটা বাঁধার পরে
গাড্ডির পর্বে যাই রে যাই
একি ভাই রে ভাই
আমরা বিড়ির গান গাই
একি ভাই রে ভাই
আমরা বিড়ির গান গাই

গাড্ডিটা করার পরে
গাড্ডিটা করার পরে
ঝুড়ি সাজাই রে সাজাই
একি ভাই রে ভাই
আমরা বিড়ির গান গাই
একি ভাই রে ভাই
আমরা বিড়ির গান গাই

ঝুড়িটা সাজার পরে
ঝুড়িটা সাজার পরে
মিনশির কাছে দিতে যাই
একি ভাই রে ভাই
আমরা বিড়ির গান গাই
একি ভাই রে ভাই
আমরা বিড়ির গান গাই

মিনশির কাছে লিয়ে যেয়ে
মিনশির কাছে লিয়ে যেয়ে
গুনতি লাগাই রে লাগাই
একি ভাই রে ভাই
আমরা বিড়ির গান গাই
একি ভাই রে ভাই
আমরা বিড়ির গান গাই

বিড়িটা গোনার পরে
বিড়িটা গোনার পরে
ডাইরি সারাই রে সারাই
একি ভাই রে ভাই
আমরা বিড়ির গান গাই
একি ভাই রে ভাই
আমরা বিড়ির গান গাই

ডাইরিটা সারার পরে
ডাইরিটা সারার পরে
দুশো চুয়ান্ন টাকা মজুরি চাই
একি ভাই রে ভাই
দুশো চুয়ান্ন টাকা চাই
একি ভাই রে ভাই
দুশো চুয়ান্ন টাকা চাই
একি মিনশি ভাই
দুশো চুয়ান্ন টাকা চাই।

ଓଡ଼ିଆ

ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ

ଶ୍ରମିକଙ୍କ ଦଳ ଗଢ଼ିଛୁ
ଶ୍ରମିକଙ୍କ ଦଳ ଗଢ଼ିଛୁ
ମୁନ୍‌ଷୀ(ମଧ୍ୟସ୍ଥ)ର ପାଖେ ଯାଉଛୁ, ବିଡ଼ି ପତର ପାଇଁ ରେ ପାଇଁ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ।

ପତ୍ରଟା ଆଣିବା ପରେ
ପତ୍ରଟା ଆଣିବା ପରେ
କାଟିବାକୁ ହେବ ଯାଇରେ ଯାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ

ଥରେ ବିଡ଼ିଟା କାଟିବା ପରେ
ଥରେ ପତ୍ରଟା କାଟିବା ପରେ
ବାନ୍ଧିବାକୁ ହେବ, ଯାଇରେ ଯାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ

ବିଡ଼ିଟା ବାନ୍ଧିବା ପରେ
ବିଡ଼ିଟା ବାନ୍ଧିବା ପରେ
ଗଣ୍ଠି ପଡ଼ିବ ଯାଇରେ ଯାଇ।
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ

ଥରେ ଗଣ୍ଠିଟା କରିବା ପରେ
ଥରେ ଗଣ୍ଠିଟା କରିବା ପରେ
ଝୁଡ଼ି ସଜେଇବା ଯାଇ ରେ ଯାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ

ଏବେ ଝୁଡ଼ିଟା ସଜେଇ ସାରି
ଏବେ ଝୁଡ଼ିଟା ସଜେଇ ସାରି
ମୁନ୍‌ଷିର ପାଖେ ଦେବାରେ ଯାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ

ଥରେ ମୁନ୍‌ଷି ପାଖେ ନେଇ ଯାଇ
ଥରେ ମୁନ୍‌ଷି ପାଖେ ନେଇ ଯାଇ
ଗଣତି କରାଇ ରେ କରାଇ
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ବିଡ଼ିର ଏହି ଗୀତ
ଆମ ଗୀତ ଶୁଣ

ବିଡ଼ିଟା ଗଣତି ପରେ
ବିଡ଼ିଟା ଗଣତି ପରେ
ଡାଇରୀ ଲେଖା ହୁଏରେ ଯାଇ ।
ରେ ଭାଇରେ ଭାଇ
ମୁଁ ବିଡ଼ିର ଗୀତ ଗାଇ
ବିଡ଼ିର ଏହି ଗୀତ
ଆମ ଗୀତ ଶୁଣ।

ଡାଇରୀ ଲେଖା ସରିବା ପରେ
ଡାଇରୀ ଲେଖା ସରିବା ପରେ
ଆମର ମଜୁରୀ ଦିଅ ଏବଂ ଆମର କଥା ଶୁଣ।
ରେ ଭାଇରେ ଭାଇ
ଆମର ମଜୁରୀ ପାଇଁ, ଆମେ କହୁଛୁ।
ଦୁଇ ଶ’ ଚଉବନ ଟଙ୍କା ଚାହେଁ
ଆରେ ମୁନଷି ଭାଇ, ବ୍ୟବସ୍ଥା କରିଦିଅ।
ଦୁଇ ଶହ ଚଉବନ ଟଙ୍କା ଚାହେଁ,
ଆରେ ମୁନଷି ଭାଇ, ତାହା କେବଳ ଆମକୁ ଦରକାର।

ସଙ୍ଗୀତ:

ବଙ୍ଗଳା ଗୀତ: କୋହିନୁର ବେଗମ

ଅନୁବାଦ: ଓଡ଼ିଶାଲାଇଭ୍‍

Smita Khator

ସ୍ମିତା ଖାଟୋର ହେଉଛନ୍ତି ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‌ ଇଣ୍ଡିଆ (ପରୀ)ର ଭାରତୀୟ ଭାଷା କାର୍ଯ୍ୟକ୍ରମ ପରୀଭାଷାର ମୁଖ୍ୟ ଅନୁବାଦ ସମ୍ପାଦକ। ଅନୁବାଦ, ଭାଷା ଏବଂ ଅଭିଲେଖ ଆଦି ହେଉଛି ତାଙ୍କ କାର୍ଯ୍ୟ କ୍ଷେତ୍ର। ସେ ମହିଳାମାନଙ୍କ ସମସ୍ୟା ଏବଂ ଶ୍ରମ ସମ୍ପର୍କରେ ଲେଖନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ସ୍ମିତା ଖଟୋର୍
Editor : Vishaka George

ବିଶାଖା ଜର୍ଜ ପରୀର ଜଣେ ବରିଷ୍ଠ ସମ୍ପାଦିକା। ସେ ଜୀବନଜୀବିକା ଓ ପରିବେଶ ପ୍ରସଙ୍ଗରେ ରିପୋର୍ଟ ଲେଖିଥାନ୍ତି। ବିଶାଖା ପରୀର ସାମାଜିକ ଗଣମାଧ୍ୟମ ପରିଚାଳନା ବିଭାଗ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ପରୀର କାହାଣୀଗୁଡ଼ିକୁ ଶ୍ରେଣୀଗୃହକୁ ଆଣିବା ଲାଗି ସେ ପରୀ ଏଜୁକେସନ ଟିମ୍‌ ସହିତ କାର୍ଯ୍ୟ କରିଥାନ୍ତି ଏବଂ ନିଜ ଆଖପାଖର ପ୍ରସଙ୍ଗ ବିଷୟରେ ଲେଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ବିଶାଖା ଜର୍ଜ
Video Editor : Shreya Katyayini

ଶ୍ରେୟା କାତ୍ୟାୟିନୀ ହେଉଛନ୍ତି ଜଣେ ଚଳଚ୍ଚିତ୍ର ନିର୍ମାତା ଓ ‘ପରୀ’ର ବରିଷ୍ଠ ଭିଡିଓ ସମ୍ପାଦକ। ସେ ମଧ୍ୟ ‘ପରୀ’ ପାଇଁ ଅଙ୍କନ କରନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଶ୍ରେୟା କାତ୍ୟାୟିନି
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE