ବାଙ୍ଗନି ସହରରେ ତାଙ୍କ ଦୁଇ ବଖରା ଘରର ଗାଧୁଆଘରେ ଲୁଗା ଧୋଉଛନ୍ତି ବିମଲ ଠାକ୍ରେ । ଗଦାଏ ଶାଢ଼ି, ଶାର୍ଟ ଓ ଅନ୍ୟ ପୋଷାକପତ୍ରରେ ସାବୁନ ଲଗାଇବା ବେଳେ ଦୁର୍ବଳ ହାତ ଦୁଇଟି ଥରି ଉଠୁଛି, ଗୋଟିଏ ଶାଗୁଆ ରଙ୍ଗର ପ୍ଳାଷ୍ଟିକ୍ ମଗ୍ରୁ ସେଇ ଲୁଗାପଟା ଉପରେ ପାଣି ଢାଳୁଛନ୍ତି ।
ତା’ପରେ, ଧୁଆ ହୋଇଥିବା ଲୁଗାପଟା ସବୁ ସଫା ହୋଇଛି ବୋଲି ନିଶ୍ଚିତ କରିବା ଲାଗି ସେଗୁଡ଼ିକୁ ସେ ଗୋଟି ଗୋଟି କରି ନାକ ପାଖକୁ ନେଇ ବାରମ୍ବାର ଶୁଂଘନ୍ତି । ଏଥର ସେ କାନ୍ଥ ଧରି ଧରି ଉଠନ୍ତି, ଦୁଆରର ଚଉକାଠ ଛୁଇଁ ଦିଗ ବାରନ୍ତି ଏବଂ ଗାଧୁଆଘରୁ ବାହାରି ଆସନ୍ତି, ହେଲେ ଏ ଘରର ଏରୁଣ୍ଡିବନ୍ଧରେ ଝୁଣ୍ଟି ପଡ଼ନ୍ତି । ଏବଂ ମୋ ସହିତ କଥାବାର୍ତ୍ତା କରିବା ଲାଗି ଘର ଭିତରେ ପଡ଼ିଥିବା ଶେଯ ଉପରେ ବସି ପଡନ୍ତି ।
“ହାତରେ ଛୁଇଁ ଆମେ ସାରା ଦୁନିଆକୁ ଦେଖୁ ଏବଂ ଛୁଇଁବା ଜରିଆରେ ହିଁ ଆମ ଆଖପାଖର ହାଲଚାଲ ଜାଣିପାରୁ,”୬୨ ବର୍ଷୀୟା ବିମଲ କହନ୍ତି । ସେ ଓ ତାଙ୍କ ସ୍ଵାମୀ ନରେଶ, ଉଭୟ ଦୃଷ୍ଟିଶକ୍ତିହୀନ । ପଶ୍ଚିମ ରେଳବାଇ କ୍ଷେତ୍ରର ମୁମ୍ବାଇରେ, ଚର୍ଚ୍ଚଗେଟ୍ରୁ ବୋରିଭଲି ଷ୍ଟେସନ ପର୍ଯ୍ୟନ୍ତ ସେମାନେ ଲୋକାଲ ଟ୍ରେନ୍ରେ ରୁମାଲ ବିକ୍ରି କରନ୍ତି । ଦେଶବ୍ୟାପୀ କୋଭିଡ୍-୧୯ ଲକ୍ଡାଉନ୍ ଲାଗୁ ହେବା ଅବସରରେସମସ୍ତ ଲୋକାଲ ଟ୍ରେନ୍ ଚଳାଚଳ ବାତିଲ ହୋଇଯିବାରୁ, ମାର୍ଚ୍ଚ ୨୫ ତାରିଖରୁ ସେମାନଙ୍କର କାମ ବନ୍ଦ ହୋଇଯାଇଛି ।
ଲକ୍ଡାଉନ୍ ପୂର୍ବରୁ, ମୁମ୍ବାଇର ଲୋକାଲ ଟ୍ରେନ୍ଗୁଡ଼ିକରେ ଲାଗି ରହିଥିବା ଲୋକଙ୍କ ପ୍ରବଳ ଭିଡ଼ରେ କଷ୍ଟେମଷ୍ଟେ ପଶି ସେମାନେ ଦିନକୁ ଅତି ବେଶୀରେ ୨୫୦ ଟଙ୍କା ରୋଜଗାର କରୁଥିଲେ । କିଛିଟା ବିଶ୍ରାମ ପାଇଁ ରବିବାର ଦିନ କାମରୁ ବିରତି ନେଉଥିଲେ । ଦକ୍ଷିଣ ମୁମ୍ବାଇର ମସଜିଦ ବନ୍ଦରରେ ଥିବା ପାଇକାରୀ ବଜାରରୁ ସେମାନେ ଥରକରେ ୧,୦୦୦ଟି ରୁମାଲ କିଣୁଥିଲେ । ଲକ୍ଡାଉନ୍ ପୂର୍ବରୁ, ସେମାନେ କୌଣସି ପ୍ରକାରେ ପ୍ରତିଦିନ୨୦-୨୫ଟି ରୁମାଲ ବିକ୍ରି କରୁଥିଲେ। ରୁମାଲ ଗୋଟିକୁ ୧୦ ଟଙ୍କା ହିସାବରେ ବିକୁଥିଲେ ।
ସେମାନଙ୍କ ସହ ରହୁଥିବା ସେମାନଙ୍କର ୩୧ ବର୍ଷୀୟ ପୁଅ ସାଗର ୧୦ମ ଶ୍ରେଣୀ ଯାଏ ପଢ଼ିଛନ୍ତି ଏବଂ ଲକ୍ଡାଉନ୍ ଆରମ୍ଭ ହେବା ବେଳକୁ ସେ ଥାନେରେ ଥିବା ଏକ ଅନ୍ଲାଇନ୍ କମ୍ପାନୀର ପଣ୍ୟାଗାରରେ କାମ କରୁଥିଲେ । ସେ ଓ ଘରୋଇ ସହାୟିକା ଭାବେ କାମ କରୁଥିବା ତାଙ୍କ ସ୍ତ୍ରୀ ମଞ୍ଜୁ ମିଶି ପରିବାରର ମାସିକ ଆୟରେ ୫,୦୦୦-୬,୦୦୦ ଟଙ୍କା ଯୋଡ଼ି ପାରୁଥିଲେ । ସେମାନଙ୍କର ପାଞ୍ଚ ବର୍ଷର ଝିଅ ସାକ୍ଷୀକୁ ମିଶାଇ ଠାକ୍ରେ ପରିବାରର ପାଞ୍ଚ ଜଣ ସଦସ୍ୟ ସେଇ ଛୋଟ ଦୁଇ ବଖରା ଘରେ ମିଳିମିଶି ରହୁଥିଲେ । ନରେଶ କହନ୍ତି, “ଏବେ ୩,୦୦୦ଟଙ୍କା ଘରଭଡ଼ା, ତା ସାଙ୍ଗକୁ ଖାଇବା ପିଇବା ଜିନିଷ, ଔଷଧପତ୍ର ଏବଂ କେବେ କେମିତି ଡାକ୍ତରଙ୍କ ଫି’ ଦେବା କଷ୍ଟକର ହୋଇପଡ଼ିଛି ।”









