ପଶ୍ଚିମ ବିଦର୍ଭର ଡିଭିଜନାଲ୍ ହେଡ୍ କ୍ବାର୍ଟର ଅମରାବତୀସ୍ଥ ଜିଏମ୍ ସିଏଚ୍ ରେ ୨୦୧୭ର ଏହି ବିପର୍ଯ୍ୟୟକୁ ଭଲଭାବରେ ପରିଚାଳନା କରାଯାଇ ପାରିଥିଲା କାରଣ ଏଠାରେ କୋଲିନେଷ୍ଟେରେଜ୍ ପରୀକ୍ଷା କରାଯାଇପାରୁଥିଲା। କୋଲିନେଷ୍ଟେରେଜ୍ ଏକ ଏନଜାଇମ୍ ଯାହା ନ୍ୟୁରୋ ଟ୍ରାନ୍ସମିଟର ଏସିଟିଲକୋଲାଇନକୁ ଠିକ୍ ଭାବରେ କାର୍ଯ୍ୟକ୍ଷମ କରାଇଥାଏ। ସହ ଅର୍ଗାନୋଫସଫେଟ୍ ବିଷାକ୍ତତା କୋଲିନେଷ୍ଟେରେଜ୍ ନଷ୍ଟ କରିଦିଏ, ଯାହାଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡିକ କ୍ଷତିଗ୍ରସ୍ତ ହୋଇଥାଏ। ଏପରିକି ସ୍ନାୟୁପ୍ରଣାଳୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ ଓ ଶେଷରେ ମୃତ୍ୟୁ ଘଟିଥାଏ। ଅମରାବତୀ ଡାକ୍ତରଖାନା ଏଭଳି ବିଷାକ୍ତତା ପାଇଁ ଆଣ୍ଟିଡୋଟ୍ ମଧ୍ୟ ମହଜୁଦ ରଖିଥାଏ ବୋଲି ଏସ୍ଆଇଟି ନିଜ ରିପୋର୍ଟରେ କହିଛନ୍ତି।
କୀଟନାଶକ ବିଷାକ୍ତତା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅମରାବତୀ ଡାକ୍ତରଖାନା ଅନୁରୂପ ବ୍ୟବସ୍ଥା କରାଯିବା ଆବଶ୍ୟକ। ଏଥିପାଇଁ ସରକାର ଯବତ୍ମାଲର ଦୁଇ ତହସିଲ ମୁଖ୍ୟାଳୟ ୱାନି ଓ କୁସାଦ୍ ଉପ-ଜିଲ୍ଲା ଡାକ୍ତରଖାନାରେ ଆଇସିୟୁ ସ୍ଥାପନ କରିବା ସହ ଯବମାôଲ ଜିଏମ୍ସିଏଚରେ ୩୦ଶଯ୍ୟା ବିଶିଷ୍ଟ ଆଇସିୟୁ ଓ ଆକୋଲା ଜିଲ୍ଲା ସରକାରୀ ଡାକ୍ତରଖାନାରେ ୨୦ ଶଯ୍ୟାବିଶିଷ୍ଟ ଆଇସିୟୁ ସ୍ଥାପନ ପାଇଁ ଏସ୍ଆଇଟି ପରାମର୍ଶ ଦେଇଛନ୍ତି।
ଜିଲ୍ଲାରେ କୀଟନାଶକ ବିଷାକ୍ତତାର ଦୀର୍ଘ ଇତିହାସ ଥିବା କାରଣରୁ ଯବମାôଲ ଜିଏମ୍ସିଏଚ୍ରେ ଏକ ବିଶେଷଧରଣର ଟକ୍ସିକୋଲୋଜି ପରୀକ୍ଷାଗାର ସ୍ଥାପନ ପାଇଁ ମଧ୍ୟ ଏସ୍ଆଇଟି ପରାମର୍ଶ ଦେଇଛନ୍ତି। ୨୦୧୭ ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଟକ୍ସିକୋଲୋଜି ପରୀକ୍ଷଣ ନିମନ୍ତେ ରକ୍ତ ନମୁନା ପଠାଇ ନଥିଲେ ଯଦ୍ୱାରା ବିଷାକ୍ତତା ପରବର୍ତ୍ତୀ ପରିଚାଳନାରେ ଅସମନ୍ୱୟ ଦେଖାଯାଇଥିଲା।
ମୋନୋକ୍ରୋଟୋଫସ୍ ନିଷେଧ କରିବା, ଆଣ୍ଟିଡୋଜ୍ ପ୍ରସ୍ତୁତ ରଖିବା।
ଫସଲରେ ରୋଗ ପୋକ ପାଇଁ ପ୍ରତିଷେଧକ ବଳୟ ପ୍ରସ୍ତୁତ କରୁଥିବା ଅର୍ଗାନୋଫସ୍ଫେଟ୍ ଯୁକ୍ତ କୀଟନାଶକ ମୋନୋକ୍ରୋଟୋଫସକୁ ନିଷେଧ କରିବା ନିମନ୍ତେ ଏସ୍ଆଇଟ ପରାମର୍ଶ ଦେଇଛି। ଏହି କୀଟନାଶକର ମନୁଷ୍ୟ ଓ ପକ୍ଷୀମାନଙ୍କ ଉପରେ ବିଷାକ୍ତ ପ୍ରଭାବ ଯୋଗୁଁ ବହୁ ଦେଶ ଏହାକୁ ନିଷେଧ କରିସାରିଛନ୍ତି।
ମହାରାଷ୍ଟ୍ର ସରକାର ନଭେମ୍ବର ମାସରେ ମୋନୋକ୍ରୋଟୋଫସର କିଣା ବିକା ଉପରେ ୬୦ ଦିନ ପର୍ଯ୍ୟନ୍ତ କଟକଣା ଜାରୀ କରିଥିଲେ, କିନ୍ତୁ ଏହା ଉପରେ ସମ୍ପୁର୍ଣ୍ଣ କଟକଣା କରାଯାଇନଥିଲା। କୀଟନାଶକ ଆଇନ ଅନୁଯାୟୀ ମୋନୋକ୍ରୋଟୋଫସକୁ ଦେଶରେ ସମ୍ପୂର୍ଣ୍ଣ ନିଷେଧ କରିବାର ଅଧିକାର କେନ୍ଦ୍ର ସରକାରଙ୍କର ରହିଛି।
ରାଜ୍ୟ ସରକାର ମଧ୍ୟ କୀଟନାଶକ ଉତ୍ପାଦକ ଓ ବିତରକମାନଙ୍କର ଲାଇସେନ୍ସ ରଦ୍ଧ କରିପାରିବେ ଓ ନୂତନ ଲାଇସେନ୍ସ ଓ ଲାଇସେନ୍ସ ନବୀକରଣ ମଧ୍ୟ ବନ୍ଦ କରିଦେଇ ପାରିବେ। ୨୦୧୮ ଜାନୁଆରୀ ମାସ ଶେଷରେ ପଞ୍ଜାବ ଏହା କରିଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ‘ଭୀଷଣ କ୍ଷତିକାରକ’ ମାନ୍ୟତା ପାଇଥିବା ମୋନୋକ୍ରୋଟୋଫସ୍ ସମେତ ୨୦ଟି କୀଟନାଶକ ନିମନ୍ତେ ନୂତନ ଲାଇସେନ୍ସ ନଦେବାକୁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି। କିଛିଦିନ ପୂର୍ବରୁ କେରଳ ମୋନୋକ୍ରୋଟୋଫସକୁ ନିଷେଧ କରିଛି ଏବଂ ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ ସିକିମ୍ କୌଣସି ରାସାୟନିକ କୀଟନାଶକକୁ ଅନୁମତି ଦେଇନାହିଁ।
ଏସଆଇଟିର ପରାମର୍ଶ ଯେଉଁ କୀଟନାଶକ ବିଷାକ୍ତତା ପାଇଁ ଆଣ୍ଟିଡୋଟ୍ ଉପଲବ୍ଧ ନୁହେଁ। ସେହି କୀଟନାଶକର ଉପଯୋଗକୁ ସରକାର ଅନୁମତି ଦେବା ଉଚିତ ନୁହେଁ। ଏହା ବ୍ୟତୀତ ଫସଲ ବୃଦ୍ଧି ନିମନ୍ତେ ଉର୍ବରକ ବ୍ୟବହାରରେ ମଧ୍ୟ ହଠାତ୍ ବୃଦ୍ଧି ଘଟିଛି ବୋଲି ଏସ୍ଆଇଟି ରିପୋର୍ଟରୁ ଜଣାପଡ଼ିଛି। ଏପରି କୈଣସି ରାସାୟନିକ ଦ୍ରବ୍ୟର ଉପଯୋଗ ନିମନ୍ତେ ଅନୁମତି ଦେବା ଆଗରୁ ସରକାର ଦୀର୍ଘଦିନ ପର୍ଯ୍ୟନ୍ତ ଏହାର ବିଜ୍ଞାନସମ୍ମତ ନୀରିକ୍ଷଣ କରିବାକୁ ଏସ୍ଆଇଟି ରିପୋର୍ଟରେ ଦର୍ଶାଇଛନ୍ତି।
ଏହି ରିପୋର୍ଟ କୃଷି ସଂପ୍ରସାରଣ ବ୍ୟବସ୍ଥା, କୃଷି ବିଶ୍ୱବିଦ୍ୟାଳୟ ଓ ରାଜ୍ୟ କୃଷି ବିଭାଗର ସମ୍ପୂର୍ଣ୍ଣ ଅଚଳାବସ୍ଥା ବିଷୟରେ ଉଲେଖ କରି ନଥିଲେ ମଧ୍ୟ ନୂତନ କୀଟନାଶକ ଓ ରୋଗ ନିୟନ୍ତ୍ରଣ କୌଶଳ ଓ ଏହାର ଉପଯୁକ୍ତ ବ୍ୟବହାରକୁ ଠାବ କରିବା ନିମନ୍ତେ ବ୍ୟବସ୍ଥା ନଥିବା ଦର୍ଶାଇଛନ୍ତି। କିନ୍ତୁ ଏପରି ପରିସ୍ଥିତିରେ ଉପରୋକ୍ତ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ।
ଅପରପକ୍ଷେ କୃଷକମାନେ ଏପରି ନୂତନ ରାସାୟନିକ ଦ୍ରବ୍ୟ ସମ୍ପର୍କରେ ବିତରକ ଓ ଦୋକାନୀମାନଙ୍କ ଠାରୁ ସୂଚନା ପାଇଥାନ୍ତି। ଆଉ ଯେତେବେଳେ ଏହା ବିକ୍ରି କରିବା ଦେକାନୀ ବା ବିତରକଙ୍କର ମୁଖ୍ୟ ଲକ୍ଷ୍ୟ ସେତେବେଳେ ସେମାନେ ଏସବୁ ରାସାୟନିକ ଦ୍ରବ୍ୟର ଭୟଙ୍କର ବିଷାକ୍ତତା ସମ୍ପର୍କରେ କୃଷକମାନଙ୍କୁ ସୂଚିତ କରିନଥାନ୍ତି। ରିପୋର୍ଟ ଅନୁଯାୟୀ - ରୋଗ ପୋକ ନିୟନ୍ତ୍ରଣ, ଉର୍ବରକ ଦ୍ୱାରା ଅଧିକ ଅମଳ ଓ ଅଧିକ ଲାଭ ପାଇଁ ଆତୁର କୃଷକମାନେ କୀଟନାଶକ ବିତରକମାନଙ୍କ ପରାମର୍ଶ କ୍ରମେ ଏସବୁ କୀଟନାଶକ ଉପରେ ପରୀକ୍ଷା ନୀରିକ୍ଷା କରନ୍ତି। ଏସବୁ ନୂତନ କୀଟନାଶକ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟର ବହୁଳତା ଓ ଅତ୍ୟଧିକ ଆଦ୍ରତା ଯୋଗୁଁ ସିଞ୍ଚନ ସମୟରେ ଆଘ୍ରାଣ ଓ ସ୍ୱର୍ଶ ବିଷ ପ୍ରତିକ୍ରିୟା ବୃଦ୍ଧି କରିଥିଲା [୨୦୧୭ ଔଷଧ ସିଞ୍ଚନ ସମୟରେ ] ବୋଲି ରିପୋର୍ଟରେ କୁହାଯାଇଛି।