ଜାନୁଆରୀ ମାସର ଶୀତୁଆ ରାତିରେ, ସମୟ ପ୍ରାୟ ୯ଟା ହେବ। ପ୍ରାୟ ୪୦୦ ଦର୍ଶକ ନାଟକ ଆରମ୍ଭ ହେବାକୁ ଅପେକ୍ଷା କରି ରହିଛନ୍ତି। ଗୋଟିଏ ଘଣ୍ଟା ପୂର୍ବରୁ କାର୍ଯ୍ୟକ୍ରମ ଆରମ୍ଭ ହେବାର ଥିଲା।
ହଠାତ୍, ଅସ୍ଥାୟୀ ମଞ୍ଚ ସମ୍ମୁଖରେ ହଲଚଲ ଦେଖାଦେଲା। ବାଉଁଶ ମଞ୍ଚରେ ଦୃଢ଼ ଭାବେ ବନ୍ଧା ହୋଇଥିବା ଲାଉଡସ୍ପିକର (ମାଇକ୍) ରେ କମ୍ପନ ହେଲା ଏବଂ ସେଥିରୁ ଉଚ୍ଚ ସ୍ୱରରେ ଶୁଣାଗଲା : ‘‘ଆମେ ଖୁବଶୀଘ୍ର ମା ବନବିବିଙ୍କୁ ସମର୍ପିତ ଗୀତିନାଟ୍ୟ ଆରମ୍ଭ କରିବାକୁ ଯାଉଛୁ… ମା’ ଆମକୁ ସବୁ ଦୁଷ୍ଟଶକ୍ତିଠାରୁ ସୁରକ୍ଷା ଦେଇଥାନ୍ତି!’’
ଯେଉଁମାନେ ଗୋସାବା ବ୍ଲକରେ ଥିବା ଜବାହର କଲୋନୀ ଗ୍ରାମରେ ଦିଗହରା ହୋଇ ବୁଲୁଛନ୍ତି, ନୂଆ କରି ଆସିଛନ୍ତି, ସେମାନେ ନିଶ୍ଚେ ‘ଦୁଷ୍ଟଶକ୍ତି’ଙ୍କୁ ଦେଖିବାକୁ ଉତ୍ସୁକ ଥିବେ। ଏମାନେ ହେଉଛନ୍ତି ଅଶୁଭ ଭୂତ, ସାପ, କୁମ୍ଭୀର, ବାଘ, ମହୁମାଛି। ଆଠାରୋ ଭା ଟି - ର ଦେଶ (୧୮ଟି ଢେଉର ଭୂମି)ରେ ମା’ ବନବିବି ଏସବୁ ଦୁଷ୍ଟଶକ୍ତିମାନଙ୍କୁ ପରାଜିତ କରି ଦେଇଥାନ୍ତି। ଏହା ହେଉଛି ଲୁଣି ଏବଂ ମଧୁର ଜଳାଶୟରେ ପରିପୂର୍ଣ୍ଣ ବିଶ୍ୱର ସର୍ବବୃହତ ହେନ୍ତାଳ ଜଙ୍ଗଲ ସୁନ୍ଦରବନ ଯେଉଁଠି ବିଭିନ୍ନ ପ୍ରକାରର ପଶୁ ପକ୍ଷୀ, ଉଦ୍ଭିଦ, ସରିସୃପ ଓ ସ୍ତନ୍ୟପାୟୀ ପ୍ରାଣୀ ଦେଖିବାକୁ ମିଳନ୍ତି। ଏଠାରେ, ବନବିବିଙ୍କ କାହାଣୀ ପିଢ଼ି ପରେ ପିଢ଼ି ପ୍ରଚଳିତ ହୋଇଆସିଛି ଏବଂ ଏହା ସ୍ଥାନୀୟ ଅଞ୍ଚଳର ମୌଖିକ ପରମ୍ପରାରେ ଜୀବିତ ରହିଛି।
ଗ୍ରୀନ ରୁମ (କଳାକାରଙ୍କ ବେଶ ହେବା କୋଠରୀ)କୁ ପରଦା ଟାଣି ରାସ୍ତାଠାରୁ ଅଲଗା ଆବଦ୍ଧ କରି ରଖାଯାଇଛି। ତା’ ଭିତରେ ଦର୍ଶକମାନଙ୍କ କୋଳାହଳ ମଧ୍ୟରେ କଳାକାରମାନେ ଗୀତିନାଟ୍ୟ ବନବିବି ପାଲାଗାନ ପରିବେଷଣ ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ଆଜି ରାତିର କାର୍ଯ୍ୟକ୍ରମରେ ରଙ୍ଗମଞ୍ଚ ସାମଗ୍ରୀ ଭାବେ ବ୍ୟବହାର ହେବା ଲାଗି ବଡ଼ ବଡ଼ ମହୁ ଛତା ଓ ବାଘଙ୍କ ଟେରାକୋଟା ମୁଖା ସବୁ ତାରପୋଲିନ୍ କାନ୍ଥ ପାଖରେ ଗଦା ମାରି ରଖାଯାଇଛି। ସେଗୁଡ଼ିକ କେବଳ ବ୍ୟବହାର ଅପେକ୍ଷାରେ ରହିଛନ୍ତି। ୨୦୨୦ରେ ସୁନ୍ଦରବନ ୯୬ ବାଘଙ୍କ ବାସସ୍ଥଳୀ ଥିଲା। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଜୀବନ ସହ ନିବିଡ଼ ଭାବେ ଜଡ଼ିତ ବିଷୟବସ୍ତୁ ପ୍ରାୟତଃ ଏହି ମଞ୍ଚରେ ପରିବେଷଣ କରାଯାଇଥାଏ।
ବୃତ୍ତିରେ ଚାଷୀ, ମତ୍ସ୍ୟଜୀବୀ ଓ ମହୁ ସଂଗ୍ରାହକ ହୋଇଥିବା ଅଭିନେତାମାନେ ସେମାନଙ୍କ ବେଶଭୂଷା ଓ ପୋଷାକ ପରିପାଟୀକୁ ଅନ୍ତିମ ରୂପ ଦେଉଛନ୍ତି। ଏଠାରେ ସାମୁଦାୟିକ ଭାବନା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କାରଣ କିଛି ଦର୍ଶକ ମଞ୍ଚ ପଛରେ ବୁଲୁଛନ୍ତି; ଆଉ କିଛି ଗ୍ରୀନରୁମରେ ଅଭିନେତାମାନଙ୍କୁ ସେମାନଙ୍କ ପଂକ୍ତି ଆବୃତ୍ତି କରିବା କିମ୍ବା ଶୀଘ୍ର ପୋଷାକ ପିନ୍ଧିବାରେ ସହାୟତା କରୁଛନ୍ତି।
ଜଣେ ଟେକ୍ନିସିଆନ ସ୍ପଟଲାଇଟରେ ବିଭିନ୍ନ ରଙ୍ଗର ଫିଲ୍ଟର ବ୍ୟବହାର କରୁଛନ୍ତି। ମାତ୍ର କିଛି ସମୟ ମଧ୍ୟରେ ନାଟକ ଦଳ ରାଧା କୃଷ୍ଣ ଗୀତିନାଟ୍ୟ ଏବଂ ବନବିବି ଯାତ୍ରାପାଲା ପରିବେଷଣ କରିବେ। କାର୍ଯ୍ୟକ୍ରମ ଖୁବଶୀଘ୍ର ଆରମ୍ଭ ହେବ। ଜାନୁଆରୀ-ଫେବୃଆରୀ ମାସରେ ପଡ଼ୁଥିବା ବଙ୍ଗଳା ମାଘ ମାସରେ ବନବିବି ପାଲା ଗାନ୍ ପରିବେଷିତ ହୋଇଥାଏ ଏବଂ ସ୍ଥାନୀୟ ଅଞ୍ଚଳରେ ଏହା ଦୁଃଖେ ଯାତ୍ରା ନାମରେ ପରିଚିତ।
ବର୍ଷକୁ ଥରେ ଆୟୋଜନ କରାଯାଉଥିବା ବନବିବି ପାଲା ଗାନ୍ ଦେଖିବା ଲାଗି ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଗୋସାବା ବ୍ଲକର ବିଭିନ୍ନ ଗାଁରୁ ଲୋକମାନେ ଏଠାକୁ ଆସିଥାନ୍ତି।
ନିତ୍ୟାନନ୍ଦ ଜୋତଦାର ନାଟକ ଦଳର ମାନ୍ୟତାପ୍ରାପ୍ତ ମେକ-ଅପ୍ କଳାକାର ଭାବେ କାମ କରିଥାନ୍ତି। ସେ ଯତ୍ନର ସହକାରେ ଜଣେ କଳାକାରଙ୍କ ମୁଣ୍ଡରେ ରଙ୍ଗୀନ ମୁକୁଟ ପିନ୍ଧାଇ ଦେଉଛନ୍ତି, ଏହି ସମୟରେ ଛୋଟ ଛୋଟ କଥାକୁ ସେ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ଅନେକ ପିଢ଼ି ଧରି ତାଙ୍କ ପରିବାର ପାଲାଗାନ୍ ସହ ଜଡ଼ିତ ହୋଇ ଆସିଛି। ଯଦିଓ ଏବେ, ଏହି ରୋଜଗାରରେ ଚଳିବା ଦିନକୁ ଦିନ କଷ୍ଟକର ହେଉଛି। ସେ କୁହନ୍ତି, ‘‘ ପାଲାଗାନ ରୁ ହେଉଥିବା ରୋଜଗାରରେ କେହି ନିଜ ପରିବାର ଚଳେଇ ପାରିବେ ନାହିଁ। ମୁଁ ବିହାର ଓ ଉତ୍ତର ପ୍ରଦେଶରେ ଖାଦ୍ୟ ପରିବେଷଣ କାମ କରୁଥିଲି।’’ କିନ୍ତୁ କୋଭିଡ-୧୯ ଲକଡାଉନ ସମୟରେ ସେହି ଆୟ ବନ୍ଦ ହୋଇଯାଇଥିଲା।
ପାଲାଗାନ ପରିବେଷଣରୁ ହେଉଥିବା ଆୟରେ ପରିବାର ଚଳାଇବାର ସମସ୍ୟା ସମ୍ପର୍କରେ ନାଟକ ଦଳର ବହୁ ସଦସ୍ୟ ପରୀକୁ କହିଥିଲେ। ଅଭିନେତା ଅରୁଣ ମଣ୍ଡଳ କୁହନ୍ତି, ‘‘ଗତ କିଛି ବର୍ଷ ହେବ ସୁନ୍ଦରବନ ଅଞ୍ଚଳରେ ପାଲାଗାନ କାର୍ଯ୍ୟକ୍ରମ ପାଇଁ ଡାକରା ମିଳିବା ବିଶେଷ କମିଗଲାଣି।’’
ଜଳବାୟୁ ବିପତ୍ତି, ହେନ୍ତାଳ ବନ ହ୍ରାସ ପାଇବା ଏବଂ ଲୋକ ନାଟକ ପ୍ରତି ଦର୍ଶକଙ୍କ ଆଦୃତି କମିବା କାରଣରୁ ବହୁ ପାଲାଗାନ କଳାକାରମାନେ ବାଧ୍ୟ ହୋଇ କାମ ସନ୍ଧାନରେ ବଡ଼ ସହରକୁ ଚାଲି ଯାଉଛନ୍ତି। ୩୦ ବର୍ଷ ବୟସ ଅତିକ୍ରାନ୍ତ କରି ଯାଇଥିବା ନିତ୍ୟାନନ୍ଦ କୋଲକାତା ସହର ଆଖପାଖରେ ଶ୍ରମିକ ଭାବେ କାମ କରିଥାନ୍ତି। ‘‘ମୁଁ ପାଲାଗାନ୍ ବିନା ରହିପାରିବି ନାହିଁ,’’ ସେ କୁହନ୍ତି। ‘‘ତେଣୁ, ଆଜି ରାତିରେ ମୁଁ ଏଠାରେ କଳାକାରମାନଙ୍କର ମେକଅପ୍ କରୁଛି।’’
ଏଭଳି କୌଣସି ଶୋ’ ଦେଖାଇବାକୁ ୭,୦୦୦ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପରିଶୋଧ କରାଯାଇଥାଏ। ଏହି ଅର୍ଥ ମଧ୍ୟରୁ ଯେତେବେଳେ ସବୁ ପାଲାଗାନ କଳାକାରମାନଙ୍କୁ ଟଙ୍କା ଦିଆଯାଏ, ତାହା ଅତି ମାମୁଲି ଅର୍ଥ ହୋଇଥାଏ। ଅରୁଣ କୁହନ୍ତି, ‘‘ବନବିବି ପାଲା ଗାନର ଏହି ପ୍ରଦର୍ଶନ ବଳରେ ୧୨,୦୦୦ ଟଙ୍କା ମିଳିବ, ଯାହାକୁ ୨୦ରୁ ଅଧିକ କଳାକାରଙ୍କ ମଧ୍ୟରେ ବାଣ୍ଟି ଦିଆଯିବ।’’
ମଞ୍ଚ ପଛରେ, ଉଷାରାଣୀ ଘରାନୀ ଜଣେ ସହ ଅଭିନେତାଙ୍କ ଆଖିରେ କଜଳ ଲଗାଉଛନ୍ତି। ସେ ସ୍ମିତ ହସି କୁହନ୍ତି, ‘‘ସହରୀ ଅଭିନେତାଙ୍କ ବିପରୀତ, ଆମେ ନିଜେ ହିଁ ନିଜର ସବୁ ସାଜସଜ୍ଜା ଶୃଙ୍ଖାର ପାଖରେ ରଖିଥାଉ। ଜବାହର କଲୋନୀ ଗାଁର ବାସିନ୍ଦା ଉଷାରାଣୀ ପ୍ରାୟ ଗୋଟିଏ ଦଶନ୍ଧି ପୂର୍ବରୁ ପାଲା ଗାନ୍ ପରିବେଷଣ କରି ଆସୁଛନ୍ତି। ଆଜି ସେ ତିନୋଟି ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବେ, ଯେଉଁଥିରେ ମା’ ବନ ବିବିଙ୍କ ମୁଖ୍ୟ ଭୂମିକା ମଧ୍ୟ ସାମିଲ ରହିଛି।
ଗ୍ରୀନ ରୁମର ଗୋଟିଏ ପଟେ ବନମାଳି ବ୍ୟାପାରୀ ଛିଡ଼ା ହୋଇଛନ୍ତି। ସେ ଜଣେ ଅଭିଜ୍ଞ କଳାକାର। ଗତ ବର୍ଷ ରଜତ ଜୁବଲୀ ଗାଁରେ ମୁଁ ତାଙ୍କୁ ମା’ ମନସା ପାଲା ଗାନ ରେ କଳା ପରିବେଷଣ କରୁଥିବାର ଦେଖିଥିଲି। ସେ ମୋତେ ଚିହ୍ନି ପାରୁଛନ୍ତି ଏବଂ କଥାବାର୍ତ୍ତା ଆରମ୍ଭ ହେବାର କିଛି ସମୟ ପରେ କହୁଛନ୍ତି, ‘‘ମୋ ସାଥୀ କଳାକାରମାନଙ୍କ କଥା ମନେ ଅଛି, ଯେଉଁମାନଙ୍କର ଫଟୋ ଆପଣ ଉଠାଇଥିଲେ? ସେମାନେ ସମସ୍ତେ ଏବେ ଆନ୍ଧ୍ରପ୍ରଦେଶକୁ ଚାଲି ଯାଇଛନ୍ତି, ସେଠାରେ ଧାନ କ୍ଷେତ୍ରରେ ଶ୍ରମିକ ଭାବେ କାମ କରୁଛନ୍ତି।’’
ବିନାଶକାରୀ ବାତ୍ୟା, ୨୦୨୧ରେ ଆସିଥିବା ୟାସ ଏବଂ ୨୦୨୦ରେ ଅମ୍ଫନ, ସୁନ୍ଦରବନରେ କଳାକାରମାନଙ୍କୁ ଆହୁରି ଅଧିକ ସଙ୍କଟ ମଧ୍ୟକୁ ଠେଲି ଦେଇଛି ଏବଂ ସ୍ଥାନୀୟ ଅଞ୍ଚଳରେ ଋତୁକାଳୀନ ପ୍ରବାସ ବଢ଼ି ଚାଲିଛି। ଅସ୍ଥିର ଆୟ କାରଣରୁ ଦିନ ମଜୁରିଆମାନେ ପାଲା ଗାନ୍ କରିବାକୁ କୁଣ୍ଠାବୋଧ କରୁଛନ୍ତି।
‘‘ମୋର ସହକଳାକାରମାନେ ତିନି ମାସ ପାଇଁ ଆନ୍ଧ୍ରପ୍ରଦେଶ ଯିବେ। ସେମାନେ ଫେବୃଆରୀ ମାସ ପରେ ଫେରିବେ,’’ ବନମାଳି କୁହନ୍ତି। ‘‘ଧାନ କ୍ଷେତରେ କାମ କରି ଜଣେ ବ୍ୟକ୍ତି ୭୦,୦୦୦-୮୦,୦୦୦ ଟଙ୍କା ସଞ୍ଚୟ କରିଥାନ୍ତି। ଏହି ଅର୍ଥକୁ ଯେକେହି ଖୁବ ଅଧିକ ବୋଲି ଭାବିପାରନ୍ତି, କିନ୍ତୁ ଏଥିପାଇଁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଥାଏ,’’ ସେ ସୂଚନା ଦିଅନ୍ତି।
ବନମାଳି ଠିକ ଏହି କାରଣରୁ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇନଥିଲେ। ‘‘ ପାଲା ଗାନ୍ ପରିବେଷଣ କରି ଯେଉଁ ଅଳ୍ପ ରୋଜଗାର କରୁଥିଲି, ସେଥିରେ ମୁଁ ଖୁସି ଥିଲି,’’ ସେ କୁହନ୍ତି।
ଥରେ ବନବିବି କାର୍ଯ୍ୟକ୍ରମ ଆୟୋଜନ କଲେ ପ୍ରାୟ ୨୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ ସେଥିମଧ୍ୟରୁ ୧୨,୦୦୦ ଟଙ୍କା ନାଟକ ମଣ୍ଡଳୀ ନିଅନ୍ତି ଏବଂ ବାକି ଟଙ୍କା ମାଇକ ଓ ମଞ୍ଚ ପ୍ରସ୍ତୁତିରେ ବିନିଯୋଗ ହୁଏ। ରୋଜଗାର କମିବା ସତ୍ତ୍ୱେ ବନବିବି ପାଲା ଗାନ ସ୍ଥାନୀୟ ଲୋକମାନଙ୍କ ସକ୍ରିୟ ପ୍ରୋତ୍ସାହନ, ଅଂଶଗ୍ରହଣ ଓ ଆର୍ଥିକ ସହଯୋଗ ଜରିଆରେ ବଞ୍ଚି ରହିଛି।
ଇତିମଧ୍ୟରେ, ମଞ୍ଚ ପ୍ରସ୍ତୁତ ହୋଇସାରିଛି, ସମସ୍ତେ ଆସନରେ ବସି ଯାଇଛନ୍ତି, ଜୋରରେ ସଙ୍ଗୀତ ବାଜିବା ଆରମ୍ଭ କରିଛି ଏବଂ ନାଟକ ପରିବେଷଣ ସମୟ ଆସିଯାଇଛି।
ଉଷାରାଣୀ ଘୋଷଣା କରୁଛନ୍ତି, ‘‘ମା ବନବିବିଙ୍କ କୃପାରୁ, ଆମେ କବି ଜଶିମୁଦ୍ଦିନଙ୍କ ପଟ୍ଟକଥା ଉପରେ ଆଧାରିତ ନାଟକ ଆରମ୍ଭ କରିବାକୁ ଯାଉଛୁ। କିଛି ଘଣ୍ଟା ଧରି ଧୈର୍ଯ୍ୟର ସହ ବସି ରହିଥିବା ଦର୍ଶକମାନେ ସତର୍କ ହୋଇଯାଉଛନ୍ତି ଏବଂ ପରବର୍ତ୍ତୀ ପାଞ୍ଚ ଘଣ୍ଟା ପାଇଁ ନାଟକ ସହ ଯୋଡ଼ି ହୋଇଯାଉଛନ୍ତି।
ଦେବୀ ମା’ ବନବିବି, ମା’ ମନସା ଓ ଶିବ ଠାକୁରଙ୍କ ପାଇଁ ବୋଲା ଯାଉଥିବା ପ୍ରାର୍ଥନା ଗୀତ ବାଜିବା ଫଳରେ ସମ୍ପୂର୍ଣ୍ଣ ଶୋରେ ଉତ୍ସୁକତା ଭରି ଯାଏ। ଦିଲ୍ଲୀପ ମଣ୍ଡଳ ସୁନ୍ଦରବନର ଜଣେ ପ୍ରମୁଖ ପାଲା ଗାନ କଳାକାର ଏବଂ ସେ ଦକ୍ଷିଣ ରାୟର ଭୂମିକା ନିର୍ବାହ କରିଥାନ୍ତି – ଯିଏକି ବେଶ ପରିବର୍ତ୍ତନ କରିଚାଲିଥାଏ ଏବଂ ପ୍ରାୟତଃ ବାଘ ରୂପ ଧରିନିଏ।
ନାଟକର ସେହି ଭାଗ ଯେଉଁଥିରେ ମା’ ବନବିବି ଦକ୍ଷିଣ ରାୟର କବଳରୁ ଦୁଖେ ନାମକ ଜଣେ ପୁଅକୁ ରକ୍ଷା କରିଥାନ୍ତି, ଦର୍ଶକମାନଙ୍କୁ ଭାବ-ବିଭୋର କରି ଦେଇଥାଏ ଏବଂ ଅନେକ ଦର୍ଶକଙ୍କ ଆଖିରେ ଲୁହ ଆସିଯାଏ। ୧୯୯୯ ମସିହାଠାରୁ ୨୦୧୪ ମଧ୍ୟରେ ୪୩୭ ଜଣ ଲୋକ ସୁନ୍ଦରବନରେ ପ୍ରବେଶ କରିବା ସମୟରେ କିମ୍ବା ସେହି ବାଟ ଦେଇ ଯିବା ସମୟରେ ବାଘ ଆକ୍ରମଣରେ ଆହତ ହୋଇଥିଲେ। ଜଙ୍ଗଲରେ ପ୍ରବେଶ କରିବା ମାତ୍ରେ ବାଘ ଆକ୍ରମଣର ଆଶଙ୍କା ଲାଗି ରହିଥାଏ ଏବଂ ଏ ବିଷୟରେ ସ୍ଥାନୀୟ ଲୋକମାନେ ଭଲ ଭାବେ ଜାଣନ୍ତି, ସେଥିପାଇଁ ସେମାନେ ଦୁଖେର ଡର ସହିତ ନିଜକୁ ଯୋଡ଼ି ଦେଖିଥାନ୍ତି ଏବଂ ମା’ ବନବିବିଙ୍କ ଆଶୀର୍ବାଦ ପାଇବାକୁ ଚାହାନ୍ତି।
ଅଚାନକ ଭିଡ଼ ଭିତରୁ କେହି ପାଟି କରି ଉଠିଥାଏ, ‘‘ଏ ମାଇକବାଲା ଏତେ ବୋକା କାହିଁକି! କେତେ ସମୟ ହେଲା କିଛି ଶୁଭୁ ନାହିଁ।’’ ଯେପର୍ଯ୍ୟନ୍ତ ଟେକ୍ନିସିଆନ ତାର ଠିକ୍ କରୁନାହାନ୍ତି ସେ ପର୍ଯ୍ୟନ୍ତ ନାଟକ ବନ୍ଦ ରହିଥାଏ। ଏହାଦ୍ୱାରା କଳାକାରମାନଙ୍କୁ ସାମାନ୍ୟ ବିଶ୍ରାମ ମିଳିଥାଏ ଏବଂ ଟେକ୍ନିକାଲ ଅସୁବିଧା ଦୂର ହେବା ପରେ ୧୦ ମିନିଟ୍ ପରେ ପୁଣି ନାଟକ ଆରମ୍ଭ ହୋଇଯାଏ।
ଯାତ୍ରାପାଲ ମଣ୍ଡଳୀର ମ୍ୟାନେଜର ଯୋଗୀନ୍ଦ୍ର ମଣ୍ଡଳ ମଞ୍ଚ ସାମ୍ନାରେ ଏପରି ବସିଛନ୍ତି ଯେ ଯଦି କେହି କଳାକାର ନିଜ ଲାଇନ ଭୁଲି ଯାଉଛନ୍ତି, ତା’ହେଲେ ସେ ତାଙ୍କୁ ମନେ ପକାଇ ଦେବେ। ସେ ମଧ୍ୟ ପାଲା ଗାନର ହ୍ରାସ ପାଉଥିବା ଚାହିଦାକୁ ନେଇ ଦୁଃଖି ଅଛନ୍ତି, ‘‘ଆଉ ବୁକିଂ କେଉଁଠି ମିଳୁଛି? ପୂର୍ବରୁ ଗୋଟିଏ ପରେ ଗୋଟିଏ ଶୋ’ ଚାଲିଥିଲା ଏବଂ ଆମକୁ ଅତି କଷ୍ଟରେ ସମୟ ମିଳୁଥିଲା। ଏବେ ସେ ସମୟ ଚାଲିଗଲାଣି।’’
ଯୋଗୀନ୍ଦ୍ରଙ୍କ ଭଳି ମ୍ୟାନେଜରଙ୍କ ପାଇଁ ନାଟକ ଦଳର କଳାକାରଙ୍କୁ ଖୋଜିବା କଷ୍ଟ ହୋଇଯାଉଛି, କାରଣ ଲୋକମାନେ ଏଥିରୁ ହେଉଥିବା ରୋଜଗାରରେ ଘର ଚଳେଇ ପାରୁନାହାନ୍ତି। ସେ କୁହନ୍ତି ଯେ, ତାଙ୍କୁ ବହୁ ଦୂରରୁ କଳାକାରମାନଙ୍କୁ ଡାକିବାକୁ ପଡ଼ୁଛି। ‘‘ଏବେ ଆପଣଙ୍କୁ ଅଭିନେତା କେଉଁଠୁ ମିଳିବେ? ପାଲା ଗାନ ର ସବୁ କଳାକାର ଏବେ ମଜୁରି କାମ କଲେଣି।’’
ଇତିମଧ୍ୟରେ କିଛି ଘଣ୍ଟା ବିତିସାରିଛି ଏବଂ ବନବିବି ପାଲା ଗାନ ନିଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। କୌଣସି ପ୍ରକାରରେ ପୁଣିଥରେ ଉଷାରାଣୀଙ୍କ ସହିତ ମୋର ଆଲୋଚନା ହେଉଛି। ସେ କୁହନ୍ତି ଯେ, ପାଲା ଗାନ୍ ବ୍ୟତୀତ, ଗୋସାବା ବ୍ଲକର ଭିନ୍ନ ଭିନ୍ନ ଗାଁରେ ସେ ରାମାୟଣ ଉପରେ ଆଧାରିତ କାହାଣୀ ଶୁଣାଇଥାନ୍ତି। କିନ୍ତୁ ତାଙ୍କର କୌଣସି ସ୍ଥାୟୀ ରୋଜଗାର ନାହିଁ। ‘‘କେଉଁ ମାସରେ ୫,୦୦୦ ଟଙ୍କା ରୋଜଗାର ହୋଇଥାଏ। ଅନ୍ୟମାସରେ କିଛି ନଥାଏ।’’
‘‘ଗତ ତିନି ବର୍ଷ ମଧ୍ୟରେ, ଆମେ ବାତ୍ୟା, କୋଭିଡ-୧୯ ମହାମାରୀ ଓ ଲକଡାଉନର ସାମ୍ନା କରିଛି,’’ ଉଷାରାଣୀ କୁହନ୍ତି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ‘‘ଆମେ ପାଲା ଗାନ କୁ ମୃତ ହେବାକୁ ଦେଇନାହୁଁ,’’ ଆସନ୍ତା ବର୍ଷ ପୁଣିଥରେ ନାଟକ ପରିବେଷଣ କରିବାର ଆଶା ନେଇ ନିଜ ଜିନିଷପତ୍ର ବାନ୍ଧିବା ସମୟରେ ଉଷାରାଣୀ କହିଥାନ୍ତି।
ଅନୁବାଦ : ଓଡ଼ିଶାଲାଇଭ୍