ଗତ ବର୍ଷ ନଭେମ୍ବର ୮ରେ ପ୍ରଚଳିତ ୫୦୦ ଓ ୧୦୦୦ ମୂଲ୍ୟ ଯୁକ୍ତ ଟଙ୍କା ରଦ୍ଦ କରାଯିବାର ଦୀର୍ଘ ଦିନ ପରେ ଆଜି ମଧ୍ୟ ବିମୁଦ୍ରାକରଣ ଭୂତ ଦୀପକ ବଡାଭ୍ନେଙ୍କୁ ଡରଉଛି ।
ନଭେମ୍ବର ପ୍ରାରମ୍ଭରେ, ବଡାଭ୍ନେ ତାଙ୍କର ୨.୫ ଏକର ଜମିରେ ୩୧କ୍ୱିଣ୍ଟାଲ୍ କାର୍ପାସ୍ ଆଦାୟ କରିଥିଲେ । ସେ ଏଥିରୁ ଭଲ ଲାଭ ଆଶା କରିଥିଲେ । “ବେପାରୀ ଟ୍ରକ୍ର ବ୍ୟବସ୍ଥା କରିସାରିଥିଲେ ଓ ମୋ ଘରୁ କାର୍ପାସ୍ ନେଇ ସେଥିରେ ଲୋଡ୍ ମଧ୍ୟ କରିସାରିଥିଲେ,’’ ବୋଲି ସେ କୁହନ୍ତି । କିନ୍ତୁ ଠିକ୍ ତାପରେ, କୃଷି କ୍ଷେତ୍ରରେ ବିମୁଦ୍ରାକରଣ ଜନିତ ନଗଦ ସଙ୍କଟ ଦେଖା ଦେଇଥିଲା। ଦୀପକଙ୍କ କାର୍ପାସ୍ ପାଇଁ ଅର୍ଥ ପ୍ରଦାନ କରିବା ଆଉ ସମ୍ଭବ ହୋଇପାରିଲା ନାହିଁ । ‘‘ବେପାରୀମାନେ ଦୀପାବଳି ସୁଦ୍ଧା ଦେୟ ପ୍ରଦାନ କରିବେ ବୋଲି ଏବେ କହୁଛନ୍ତି [ଅକ୍ଟୋବର – ୨୦୧୭ର ମଧ୍ୟଭାଗ]” ବୋଲି ଦୀପକ କୁହନ୍ତି ।
ଆଦାୟ ହୋଇଥିବା ତାଙ୍କ କାର୍ପାସ୍ ପାଇଁ ବେପାରୀ ବଡାଭ୍ନେଙ୍କୁ ୧୭୮,୪୮୩ ଟଙ୍କା ଦେୟ ପ୍ରଦାନ କରିବାକୁ ଅଛି । ଏହି ପରିମାଣ ଅର୍ଥ ପାଇଁ ସେ ଗ୍ରହଣ କରିଥିବା ଏକ ଚେକ୍ ମାର୍ଚ୍ଚ ୨୪ରେ ବାଉନ୍ସ ହୋଇଗଲା – ତିନଥର । “ମୁଁ ଏକଲା ନୁହେଁ,’’ ବୋଲି ଦୀପକ, ୩୧, ମହାରାଷ୍ଟ୍ରର ମରାଠ୍ୱାଡା ସହରର ଉପାନ୍ତ ଅଞ୍ଚଳରେ ଅବସ୍ଥିତ ନିଜ ଗ୍ରାମ କରଜ୍ଗାଓଁରେ ଏକ ଗଛ ତଳେ ବସି କୁହନ୍ତି । “ମୋ ଗ୍ରାମରେ ମୋ ଭଳି ଠକେଇର ଶିକାର ହୋଇଥିବା ଅନ୍ୟମାନେ ମଧ୍ୟ ଅଛନ୍ତି’’।
ବଡାଭ୍ନେ, ଯିଏ ଏକ ଯୌଥ ପରିବାରରେ ନିଜର ଦୁଇ ସନ୍ତାନଙ୍କ ସହିତ ରହନ୍ତି, ୧୩୦୦ଗ୍ରାମବାସୀଙ୍କ ମଧ୍ୟରୁ ତାଙ୍କପରି କିଛି ଲୋକଙ୍କୁ ଏକତ୍ରିତ କରିଛନ୍ତି- ସେହି ଲୋକ ଯେଉଁମାନେ ସେମାନଙ୍କ ବାକି ଦେୟ ସବୁ ପାଇବା ପାଇଁ ଅପେକ୍ଷା କରିଛନ୍ତି ବା ଯେଉଁମାନଙ୍କ ଚେକ୍ ବାଉନ୍ସ ହୋଇଯାଇଛି । ଏପ୍ରିଲରେ, ବିମୁଦ୍ରାକରଣର ପ୍ରାୟ ଛଅ ମାସ ପରେ, ଦୀପକଙ୍କ ଭାଇ ଜିତେନ୍ଦ୍ର, ୩୮, ତାଙ୍କର ୩୪ କ୍ୱିଣ୍ଟାଲ୍ କାର୍ପାସ୍ ପାଇଁ ଦୁଇ ଲକ୍ଷ ଟଙ୍କା ପାଇଥିଲେ । ତେବେ ତାହା ମଧ୍ୟ ବାଉନ୍ସ ହୋଇଗଲା । "ଯଦି ମୋ ହାତକୁ ନଗଦ ଟଙ୍କା ଆସୁନି, ତେବେ ଏସବୁକୁ ମୋ ପାଖରେ ରଖି ମୁଁ କଣ କରିବି?” ବୋଲି ସେ ପଚାରନ୍ତି । “ଫସଲ ଋତୁ ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ମୋର ନଗଦ ଟଙ୍କା ଆବଶ୍ୟକ ଅଛି [ଯାହା ଜୁନ୍ର ମଧ୍ୟଭାଗରେ ଆରମ୍ଭ ହୋଇଥାଏ]” ।



