ଧୀରଜ ରେହୁୱାମନସୁର୍ ବନ୍ଧୁପରି ବ୍ୟବହାର କରୁଥିବା ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିଲେ, "ଆପଣ ମୋ ପାଇଁ ଏଠି ଏହି ନୂଆ ଖାତା ଖୋଲିବେ। ମୁଁ ଏହାକୁ ଦେଶସାରା ଯେ କୌଣସି ସ୍ଥାନରୁ ସଞ୍ଚାଳନ କରିପାରିବି ?”
ସଞ୍ଜୟ ଆସ୍ତୁରକାର ସ୍ମିତ ହାସ୍ୟ କରି କହିଲେ , “ମୁଁ ତୁମକୁ ଏକ ଏଟିଏମ୍ କାର୍ଡ ଦେଇଦେବି। ତୁମେ ନିଜ ରାଜ୍ୟ ଓ ସହରରେ ଯେଉଁଠାରେ ବି ଏଟିଏମ୍ ଥିବ ସେଠାରେ ଏହା ବ୍ୟବହାର କରିପାରିବ।”
ଆହୁରି ବ୍ୟସ୍ତ ହୋଇ ଧୀରଜ ପଚାରିଲେ, “ସେଇଟା ମୋର କି କାମରେ ଲାଗିବ ? ମୁଁ ଜାଣିନି ଏଟିଏମ୍ କାର୍ଡ କେମିତି ବ୍ୟବହାର କରାଯିବ। ଏହା ମୋ ଟିପ ଚିହ୍ନରେ କାମ କରିବ ତ ?”
ଏଥର ବ୍ୟସ୍ତ ହେବା ପାଳି ବ୍ୟାଙ୍କ୍ ମ୍ୟାନେଜରଙ୍କର। ସେ ଜାଣିଥିଲେ ଏହା ଏକ ବୈଧ ପ୍ରଶ୍ନ। ସେ ଜାଣନ୍ତି, ଏହି ଦଳର ଯେଉଁ ତିନିଜଣ ସହ ସେ କଥା ହେଉଛନ୍ତି, ସେମାନେ ନିରକ୍ଷର। ଏ କଥା ସତ ଯେ, ବାୟୋମେଟ୍ରିକ୍ ଦିନେ ସେମାନଙ୍କ ପାଇଁ ଉତ୍ତର ହୋଇପାରିବ ମାତ୍ର ଔରଙ୍ଗାବାଦ୍ ଜିଲ୍ଲାର ଅଦୁଲ ସହରରେ ଏପରି କୌଣସି ମାପକ ବ୍ୟବସ୍ଥା ନାହିଁ। ଯେଉଁଠାରେ ଏ ବ୍ୟବସ୍ଥା ଥିବ ସେଠାରେ ଏହା ଅବ୍ୟବହୃତ କିମ୍ବା ଅଚଳ ଅବସ୍ଥାରେ ଥିବ। ସେ କଥା ମଧ୍ୟ ଜାଣିଥିଲେ ଯେ ଉତ୍ତର ପ୍ରଦେଶର ବାହରାଇଚ୍ ଜିଲ୍ଲାର ନିଜ ଗ୍ରାମରେ କିମ୍ବା ଗ୍ରାମୀଣ ଲକ୍ଷ୍ନୌରେ ଯେଉଁଠାରେ ତାଙ୍କ ପରିବାର ରହୁଛନ୍ତି , ସେଠାରେ ଏଟିଏମ୍ ବ୍ୟବହାରର ସୁଯୋଗ ପାଇବାର ଆଶା ଧୀରଜଙ୍କ ପାଇଁ ଏକଦମ୍ ନଗଣ୍ୟ।
“ଯଦି ମୁଁ ଚେକ୍ ବୁକ୍ ପାଇବି ତା' ହେଲେ ମୁଁ ମୋ ଟିପଚିହ୍ନରେ ଏହାକୁ ବ୍ୟବହାର କରିପାରିବି ନା?” ନା, ନା, ପ୍ରକୃତରେ ଏମିତି ବି ହୋଇପାରିବନି। କାରଣ ଏଇଟା ନୋ-ଫ୍ରିଲ୍ସ ବ୍ୟାଙ୍କ ଜମା ଖାତା, ଏଥିରେ ଚେକ୍ ବୁକ୍ ନାହିଁ।
ଧୀରଜ କାନ୍ଦକାନ୍ଦ ହୋଇଗଲେ। “ ତା' ହେଲେ ମୁଁ ମୋ ପରିବାର ପାଖକୁ ଅର୍ଥ କେମିତି ପଠାଇବି ? ଯଦି ମୁଁ ଏଠି ଟଙ୍କା ଜମା କରିବି ଏବଂ ସେମାନେ ଲକ୍ଷ୍ନୌ ଗଲେ ବି କେମିତି ଏହା ପାଇପାରିବେ ? ମୁଁ ସେମାନଙ୍କ ପାଖରେ କିଛି ଅର୍ଥ ନେଇ ନ ପହଞ୍ଚିବା ପର୍ଯ୍ୟନ୍ତ ସେମାନେ କ'ଣ ଭୋକିଲା ରହିବେ ?”
ପାଞ୍ଚଟି ଭିନ୍ନ ଭିନ୍ନ ରାଜ୍ୟରୁ ଆସି ମହାରାଷ୍ଟ୍ରର ଅଦୁଲରେ କାମ କରୁଥିବା ୧୧ ଜଣ ଶ୍ରମିକଙ୍କ ମଧ୍ୟରୁ ଧୀରଜ ଅନ୍ୟତମ। ତାଙ୍କ ସହ ସମାନ ସାଙ୍ଗିଆ ଥିବା ଅନ୍ୟ ଚାରିଜଣ ମଧ୍ୟ ଉତ୍ତର ପ୍ରଦେଶରୁ ଆସିଛନ୍ତି । ଅନ୍ୟମାନେ ଆସାମ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର। ସମେସ୍ତ ଦିନକୁ ୩୫୦ ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି। ଏହି କମ୍ ରୋଜଗାର ମଧ୍ୟରୁ ଏହି ପ୍ରବାସୀ ଶ୍ରମିକମାନେ ନିଜର ଖାଇବା, ରହିବା, ଯିବାଆସିବା ଓ ପୋଷାକପତ୍ର ଆଦି ସବୁ ଖର୍ଚ୍ଚ କରିବା ପରେ ମଧ୍ୟ ଘରେ ଥିବା ତାଙ୍କ ପରିବାର ପାଇଁ କିଛି ପଠାନ୍ତି। ନଭେମ୍ବର ୮ ତାରିଖରେ ବିମୁଦ୍ରିକରଣ ଆଦେଶ ସେମାନଙ୍କ ଉପରେ ବଜ୍ରପ୍ରହାର ନ କରିବା ପର୍ଯ୍ୟନ୍ତ ଏମିତି ହିଁ ଚାଲିଥିଲା।
ଆମେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅନ୍ୟତମ ସହଯୋଗୀ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ହାଇଦ୍ରାବାଦ(ଏସବିଏଚ୍)ର ଅଦୁଲ୍ ବ୍ରାଞ୍ଚରେ ଥିଲୁ । ମ୍ୟାନେଜରଙ୍କ ସମେତ ଦଳେ ସାହାଯ୍ୟକାରୀ ବ୍ୟାଙ୍କ୍ କର୍ମଚାରୀଏହି ପ୍ରବାସୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ପାଇଁ ଯଥାସମ୍ଭବ ଚେଷ୍ଟା ଚଳାଇଥିଲେ। ସେତେବେଳକୁ ଅଫିସ୍ ସମୟ ଅତିକ୍ରାନ୍ତ ହୋଇସାରିଥାଏ, କିନ୍ତୁ କର୍ମଚାରୀମାନେ ଅସୁବିଧାରେ ପଡିଥିବା ତଥା ଅସହାୟ ଏହି ଦଳଟିକୁ ସାହାଯ୍ୟ କରିବା ପାଇଁ ସେଠାରେ ଉପସ୍ଥିତ ଥାଆନ୍ତି । ଆଜି ରାତିରେ ସେମାନେ ସେମାନଙ୍କ ନୂଆ ଗ୍ରାହକମାନଙ୍କର ଯାଞ୍ଚ ପ୍ରକ୍ରିଆ ଶେଷ କରିନେବେ। ଆସନ୍ତାକାଲି ଠାରୁ ଏହା ସକ୍ରିୟ ହୋଇଯିବ । ପୂର୍ବ ଦିନ ଆମେ ଓସମାନାବାଦ ସହରର ଏକ ସମବାୟ ବ୍ୟାଙ୍କକୁ ଯାଇଥିଲୁ, ସେଠାରେ ଗରୀବ ଗ୍ରାହକମାନଙ୍କ ପ୍ରତି ବ୍ୟବହାର ଖୁବ୍ କଦର୍ଯ୍ୟ ଥିଲା। କିନ୍ତୁ ଏହି ବ୍ୟାଙ୍କର ମନୋଭାବ ଏକଦମ୍ ଓଲଟା ଥିଲା । ଏବେ ଏସବିଆଇରେ କେବଳ ଏହି ଏଗାର ଜଣ ପ୍ରବାସୀ ଗ୍ରାହକ ଅଛନ୍ତି । ଜଣେ କର୍ମଚାରୀ କହିଲେ,”ଅତ୍ୟଧିକ ଚାପ ଯୋଗୁଁ ସର୍ଭର ଖରାପ ହୋଇଗଲା ଏବଂ ଆଜି ଆମକୁ ନିତିଦିନିଆ କାମ ଶୀଘ୍ର ବନ୍ଦ କରିବାକୁ ହେଲା। “ ଏବେ ସାଙ୍ଗେ ସାଙ୍ଗେ ଗୋଟିଏ ନୂଆ ସର୍ଭର୍ ଆସି ପହଞ୍ଚିଛି ଏବଂ ଯଥାଶୀଘ୍ର ଏହାକୁ ସଂଯୋଗ କରାଯାଉଛି।”




