ଉପକୂଳ ଆନ୍ଧ୍ରପ୍ରଦେଶର କୋଟାପାଲେମ୍ ଗ୍ରାମର ବନ୍ତୁ ଦୁର୍ଗା ରାଓଙ୍କ ନଡ଼ିଆ ବଗିଚା ଖୁବ୍ ଶୀଘ୍ର ଅଦୃଶ୍ୟ ହୋଇଯାଇପାରେ । ତାଙ୍କର ଏହି ଏକ ଏକର ଜମି ଶ୍ରୀକାକୁଲମ୍ ଜିଲ୍ଲାର କୋଟାପାଲେମ୍, କୋଭାଡ଼ା, ମାରୁଭାଡ଼ା (ଏବଂ ଏହାର ଦୁଇଟି ବସ୍ତି ବୁଡେମ୍ ଏବଂ ଟେକାଲି)ର ୨,୦୭୩ ଏକର ଜମିର ଅଂଶ ଯାହା- ଭାରତୀୟ ଆଣବିକ ଶକ୍ତି ନିଗମ ଲିମିଟେଡ୍ (NPCIL) ପ୍ଲାଣ୍ଟ ନିମନ୍ତେ ଜିଲ୍ଲା ପ୍ରଶାସନ ଅଧିଗ୍ରହଣ କରୁଛି । କିନ୍ତୁ ୨୦୧୭, ମେ’ ମାସରେ ଦୁର୍ଗା ରାଓ ଆନ୍ଧ୍ରପ୍ରଦେଶ ଗ୍ରାମୀଣ ବିକାଶ ବ୍ୟାଙ୍କରୁ ୬୦,୦୦୦ ଟଙ୍କା ଋଣ ଆଣିଛନ୍ତି । ସେ ଦ୍ୱନ୍ଦ୍ୱର ସହ କୁହନ୍ତି, “ଗୋଟିଏ ପଟେ ବ୍ୟାଙ୍କମାନେ କୃଷିଋଣ ଦେଉଛନ୍ତି, ଅନ୍ୟପଟେ ରାଜ୍ୟସ୍ୱ କର୍ତ୍ତୃପକ୍ଷ ଦାବି କରୁଛନ୍ତି ଯେ ସର୍ଭେ ନଂ ୩୩ (ଯେଉଁଠାରେ ତାଙ୍କ ଜମି ରହିଛି) ଏକ ଝରଣା। ଉଭୟ ସରକାରୀ ତନ୍ତ୍ର । କିନ୍ତୁ ଉଭୟଙ୍କ ଦାବି କେମିତି ସତ ହେବ?
ଏହି ପାୱାରପ୍ଲାଣ୍ଟ ଯୋଗୁ କୃଷକ ଏବଂ ମତ୍ସ୍ୟଜୀବୀମାନଙ୍କର ୨୨୦୦ ପରିବାର ବିସ୍ଥାପିତ ହେବେ ବୋଲି ହାଇଦ୍ରାବାଦସ୍ଥ ପରିବେଶ ସୁରକ୍ଷା ତାଲିମ୍ ଏବଂ ଗବେଷଣା ଅନୁଷ୍ଠାନ ପକ୍ଷରୁ ୨୦୧୭ ଜାନୁଆରୀ ମାସରେ କରାଯାଇଥିବା ସାମାଜିକ ପ୍ରଭାବ ଆକଳନ ରିପୋର୍ଟରେ କୁହାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ଏବଂ ଅନ୍ୟାନ୍ୟ ପଛୁଆବର୍ଗର । ଏହି ରିପୋର୍ଟର ଆକଳନ ଅନୁଯାୟୀ ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୪ଲକ୍ଷ କୋଟି ଖର୍ଚ୍ଚ ହେବ ।
ରଣସ୍ଥଳମ୍ ବ୍ଲକର ତିନୋଟି ଗ୍ରାମ ଏବଂ ଦୁଇଟି ଜନପଦରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ୨୦୧୧ ମସିହାରୁ ଆରମ୍ଭ ହୋଇଛି ଏବଂ ୨୦୧୪ ସାଧାରଣ ନିର୍ବାଚନ ପରେ ତ୍ୱରାନ୍ୱିତ ହୋଇଛି । କିନ୍ତୁ ୨୦୧୮ ମାର୍ଚ୍ଚ ମାସରେ ରାଜ୍ୟର କ୍ଷମତାସୀନ ତେଲୁଗୁ ଦେଶମ୍ ପାର୍ଟି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରରୁ ଅଲଗା ହୋଇଥିଲା । ଯେହେତୁ ଏନପିସିଆଇଏଲ୍ ଏକ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ, ତେଣୁ ଏହି ପ୍ରକଳ୍ପ ଆହୁରି ବିଳମ୍ବ ହେବ ବୋଲି କୁହନ୍ତି କୋଟାପାଲେମର ସରପଞ୍ଚ ସୁଙ୍କାରା ଧନୁଞ୍ଜୟ ରାଓ ।
ଏହା ଗ୍ରାମବାସୀଙ୍କ ମଧ୍ୟରେ ଅନିଶ୍ଚିତତା ଏବଂ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି ।








