ନିଜ ପିତାଙ୍କ ସହିତ ହୋଇଥିବା ଶେଷ କଥାବାର୍ତ୍ତା ବ୍ୟତୀତ ଅନ୍ୟ କୌଣସି ବିଷୟକୁ ନେଇ ବିଜୟ ମରୋତ୍ତରଙ୍କ ମନରେ ଅନୁଶୋଚନା ନାହିଁ।
ସେଦିନ ଥିଲା ଗ୍ରୀଷ୍ମ ଋତୁର ଏକ ଉଷ୍ମ ଅପରାହ୍ଣ। ୟବତମାଲ ଜିଲ୍ଲାରେ ଥିବା ସେମାନଙ୍କ ଗାଁ ଧୀରେ ଧୀରେ ଗୋଧୂଳି ବେଳାକୁ ଅତିକ୍ରମ କରି ଯାଉଥିଲା। ଅଳ୍ପ ଆଲୋକିତ ନିଜ କୁଡ଼ିଆରେ ସେ ନିଜ ପିତା ଓ ନିଜ ପାଇଁ ଦୁଇଟି ଥାଳିରେ ରାତ୍ରୀ ଭୋଜନ ବାଢ଼ିଥିଲେ – ସେଥିରେ ଥିଲା ଦୁଇଟି ରୁଟି, ଡାଲି ଆଉ ଗୋଟିଏ ଗିନା ଭାତ।
କିନ୍ତୁ ତାଙ୍କ ପିତା ଘନଶ୍ୟାମ ଥାଳି ଉପରେ ଥରେ ନଜର ବୁଲାଇ ଆଣିଲେ ଏବଂ କ୍ରୋଧିତ ହୋଇ ଉଠିଲେ। କଟା ପିଆଜ କାହିଁକି ନାହିଁ? ତାଙ୍କର ଏଭଳି ପ୍ରତିକ୍ରିୟା ଅସ୍ୱାଭାବିକ ଥିଲା, କିନ୍ତୁ ସେ ସ୍ୱାଭାବିକ ଥିଲା ଭଳି ଜଣାପଡ଼ୁଥିଲେ ବୋଲି ୨୫ ବର୍ଷ ବୟସ୍କ ବିଜୟ କୁହନ୍ତି। ‘‘କିଛି ସମୟ ପାଇଁ ସେ ପାଗଳ ପ୍ରାୟ ହୋଇଯାଇଥିଲେ,’’ ସେ କୁହନ୍ତି। ମହାରାଷ୍ଟ୍ରର ଅକପୁରୀ ଗ୍ରାମରେ ସେମାନଙ୍କର ଗୋଟିଏ ବଖୁରିକିଆ କୁଡ଼ିଆ ବାହାରେ ଥିବା ଖାଲି ସ୍ଥାନରେ ଏକ ପ୍ଲାଷ୍ଟିକ ଚେୟାର ଉପରେ ବସି ବିଜୟ କହିଥାନ୍ତି ଯେ, ‘‘ଛୋଟ ଛୋଟ କଥାରେ ସେ ଅସନ୍ତୁଷ୍ଟ ହୋଇପଡ଼ୁଥିଲେ।’’
ବିଜୟ ରୋଷେଇ ଘରକୁ ଗଲେ ଏବଂ ନିଜ ବାପାଙ୍କ ପାଇଁ ପିଆଜ କାଟି ଆଣିଲେ। କିନ୍ତୁ ବାପ-ପୁଅଙ୍କ ମଧ୍ୟରେ ରାତ୍ରୀଭୋଜନ ପରେ ପ୍ରବଳ ଯୁକ୍ତିତର୍କ ହେଲା। ସେଦିନ ରାତିରେ ମୁହଁରେ ଏକ ତିକ୍ତ ଅନୁଭୂତି ନେଇ ବିଜୟ ଶୋଇବାକୁ ଗଲେ। ପରଦିନ ସକାଳେ ବାପାଙ୍କ ସହିତ ସବୁକିଛି ଠିକ୍ ହୋଇଯିବ ବୋଲି ସେ ଭାବିଥିଲେ।
କିନ୍ତୁ ଘନଶ୍ୟାମଙ୍କ ପାଇଁ ସେଦିନ ସକାଳ ଆସିଲା ନାହିଁ।
ସେହି ରାତିରେ ୫୯ ବର୍ଷ ବୟସ୍କ ଚାଷୀ ଘନଶ୍ୟାମ କୀଟନାଶକ ପିଇ ଦେଇଥିଲେ। ବିଜୟ ଉଠିବା ପୂର୍ବରୁ ସେ ଆରପାରିକୁ ଚାଲି ଯାଇଥିଲେ। ଏହା ଏପ୍ରିଲ ୨୦୨୨ର ଘଟଣା।









