ବିଶବଜ୍ୟୋତ୍ ଗ୍ରେୱାଲ୍ ଯିଏକି ହରିୟାଣା-ଦିଲ୍ଲୀ ସୀମାରେ ଥିବା ସିଂଘୁରେ ଆନ୍ଦୋଳନ କରୁଛନ୍ତି କହିଲେ,‘‘ଆମେ ଏହି କୃଷି ଆଇନର ପ୍ରତ୍ୟାହାର ଚାହୁଁ । ’ ‘ଆମେ ଆମର ଚାଷଜମି ସହ ଖୁବ୍ ଜଡ଼ିତ ଏବଂ କେହି ଆମଠାରୁ ତାକୁ ଛଡ଼େଇ ନେବ ଆମେ ସହ୍ୟ କରିପାରବୁ ନାହିଁ ।’ ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଆଇନଗୁଡ଼ିକ ସଂସଦରେ ପାରିତ ହେବା ପରେ ଚାଷୀ ପରିବାରରୁ ଆସିଥିବା ୨୩ ବର୍ଷୀୟ ବିଶବଜ୍ୟୋତ ଲୁଧିଆନା ଜିଲ୍ଲାରେ ଥିବା ନିଜ ଗାଁ ପାମାଲରେ ବିକ୍ଷୋଭ ଆୟୋଜନ ପାଇଁ ସହାୟତା କରିଥିଲେ ।
ଗ୍ରାମୀଣ ଭାରତର ଅତି କମ୍ରେ ୬୫ ପ୍ରତିଶତ ମହିଳା (୨୦୧୧ ଜନଗଣନା ଅନୁସାରେ)ଙ୍କ ପରି ତାଙ୍କ ପରିବାରର ମହିଳାମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଚାଷ ସହ ଜଡ଼ିତ । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ନିଜର ଜମି ନାହିଁ, କିନ୍ତୁ ସେମାନେ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ସେମାନେ ବିହନ ବୁଣିବା, ତାକୁ ଜମିରେ ରୋଇବା, ଫସଲ ଅମଳ କରିବା, ତାକୁ କାଟିବା, ଫସଲକୁ ଚାଷ ଜମିରୁ ଘରକୁ ଆଣିବା, ଖାଦ୍ୟ ପ୍ରକ୍ରିୟାକରଣ କରିବା, ଗାଈ ଦୁହିଁବା ପରି ଅନ୍ୟାନ୍ୟ ଅଧିକାଂଶ କାମ କରିଥାନ୍ତି ।
ତଥାପି, ଜାନୁଆରୀ ୧୧ ତାରିଖରେ ଯେତେବେଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ୩ଟି କୃଷି ଆଇନକୁ ସ୍ଥଗିତ ରଖିବା ଲାଗି ରାୟ ଦେଲେ, ସେତେବେଳେ ପ୍ରଧାନ ବିଚାରପତି ମଧ୍ୟ କହିଲେ ଯେ ମହିଳା ଓ ବୟସ୍କମାନଙ୍କୁ ବିକ୍ଷୋଭସ୍ଥଳରୁ ଫେରିଯିବା ଲାଗି ‘ରାଜି’ କରାଯିବା ଆବଶ୍ୟକ । କିନ୍ତୁ ଏହି ଆଇନର ପରିଣାମ ମହିଳା (ବୟସ୍କମାନଙ୍କୁ) ମଧ୍ୟ ଚିନ୍ତିତ ଓ ପ୍ରଭାବିତ କରୁଛି ।
କୃଷକମାନେ ବିରୋଧ କରୁଥିବା ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି ।
୨୦୨୦ ଜୁନ୍ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା । ସମସ୍ତ କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ୱାରା ବଡ଼ ବ୍ୟାବସାୟିକ ସଂସ୍ଥାଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି), କୃଷି ଉତ୍ପାଦ ବଜାର କମିଟି (ଏପିଏମ୍ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି ।
ଅଲ୍ଇଣ୍ଡିଆ ଡେମୋକ୍ରାଟିକ୍ ୱିମେନ୍ସ ଆସୋସିଆସନ୍ର ମହାସଚିବ ମରିୟମ ଧାୱଲେ କହିଲେ,‘‘ମହିଳାମାନେ ନୂଆ କୃଷି ଆଇନ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ହେବାକୁ ଯାଉଛନ୍ତି । ଯଦିଓ ସେମାନେ କୃଷି କ୍ଷେତ୍ରରେ ବହୁତ ଅଧିକ ସମ୍ପୃକ୍ତ ଥାଆନ୍ତି, ତେବେ ସେମାନଙ୍କର ସିଦ୍ଧାନ୍ତ ନେବାର କ୍ଷମତା ନ ଥାଏ। ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନରେ ପରିବର୍ତ୍ତନ (ଉଦାହରଣସ୍ୱରୂପ) ଖାଦ୍ୟ ସଂକଟ ସୃଷ୍ଟି କରିବ ଏବଂ ମହିଳାମାନଙ୍କୁ ତା’ର ପରିଣାମ ଭୋଗ କରିବାକୁ ପଡ଼ିବ।’’
ଏବଂ ଏହି ମହିଳାଙ୍କ ମଧ୍ୟରୁ ଅନେକ ଯୁବତୀ ଓ ବୃଦ୍ଧା ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଚାଷୀ ଆନ୍ଦୋଳନସ୍ଥଳରେ ଉପସ୍ଥିତ ଅଛନ୍ତି ଓ ବିକ୍ଷୋଭରେ ସାମିଲ ହୋଇଛନ୍ତି । ଯେତେବେଳେ କି ଅନେକ ମହିଳା ଯେଉଁମାନେ ଚାଷୀ ନୁହନ୍ତି, ସେମାନେ ସମର୍ଥନ ଜ୍ଞାପନ କରିବା ଲାଗି ସେଠାକୁ ଆସୁଛନ୍ତି । ଆଉ କିଛି ମହିଳା ସେଠାରେ କିଛି ଜିନିଷପତ୍ର ବିକ୍ରି ନ କରି ଦିନକର ମଜୁରୀ ଉଠାଇବାକୁ ଆସିଛନ୍ତି କିମ୍ବା ଲଙ୍ଗରରେ ଦିଆଯାଉଥିବା ଭରପୁର ଖାଦ୍ୟ ଖାଇବା ଲାଗି କେବଳ ସେଠାରେ ପହଞ୍ଚିଛନ୍ତି ।
ଅନୁବାଦ - ଓଡ଼ିଶାଲାଇଭ୍