ଶାନ୍ତି ଦେବୀଙ୍କର ମୃତ୍ୟୁ କୋଭିଡ୍-୧୯ରେ ହୋଇଛି ବୋଲି ପ୍ରମାଣ କରିବା ଲାଗି କୌଣସି ମୃତ୍ୟୁ ପ୍ରମାଣପତ୍ର କିମ୍ବା ଅନ୍ୟ ଉପାୟ ନାହିଁ । କିନ୍ତୁ ଯେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ତାହା ଅନ୍ୟ କୌଣସି ନିଷ୍କର୍ସ ଆଡ଼କୁ ନେଇଯାଉନାହିଁ ।
ଏପ୍ରିଲ୍, ୨୦୨୧ରେ ଯେତେବେଳେ କୋଭିଡ୍-୧୯ର ଦ୍ୱିତୀୟ ଲହରୀ ଦେଶରେ କାୟା ବିସ୍ତାର କରୁଥିଲା ପ୍ରାୟ ୪୫ ବର୍ଷୀୟା ଶାନ୍ତି ଦେବୀ ଅସୁସ୍ଥ ହୋଇପଡ଼ିଲେ ତାଙ୍କଠାରେ ଗୋଟିଏ ପରେ ଗୋଟିଏ ଲକ୍ଷଣ ଦେଖାଗଲା: ପ୍ରଥମେ କଫ ଓ ଥଣ୍ଡା ହେଲା । ପରଦିନ ଜ୍ୱର ହେଲା । ତାଙ୍କର ୬୫ ବର୍ଷୀୟା ଶାଶୁ କଳାବତୀ ଦେବୀ କହିଲେ, ‘‘ଗାଁରେ ସେହି ସମୟରେ ପ୍ରାୟ ସମସ୍ତେ ଅସୁସ୍ଥ ଥିଲେ । ଆମେ ତାକୁ ପ୍ରଥମେ ଝୋଲା ଛାପ ଡାକ୍ତର ପାଖକୁ ନେଇଯାଇଥିଲୁ।’’
ଡାକ୍ତରୀ ସେବା ପ୍ରଦାନ କରୁଥିବା ଝୋଲା ଛାପ ବା କ୍ୱାକ୍ମାନେ ଉତ୍ତରପ୍ରଦେଶର ପ୍ରାୟ ସବୁ ଗାଁରେ ଦେଖାଯାଆନ୍ତି। ମହାମାରୀ ସମୟରେ ସେହି ‘ଡାକ୍ତର’ଙ୍କ ପାଖକୁ ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଲୋକ ଯାଉଥିଲେ, କାରଣ ସେମାନେ ସହଜରେ ଉପଲବ୍ଧ ଏବଂ ସାଧାରଣ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ। ବାରଣାସୀ ଜିଲ୍ଲାର ଡାଲିପୁର ଗାଁରେ ରହୁଥିବା କଳାବତୀ କହିଲେ ‘‘କେହି ହସ୍ପିଟାଲ ଗଲେ ନାହିଁ କାରଣ ଆମେ ସମସ୍ତେ ଭୟଭୀତ ହୋଇଯାଇଥିଲୁ। ଆମେ ଡରୁଥିଲୁ ଯେ ଆମକୁ ଏକ (କ୍ୱାରେଣ୍ଟାଇନ୍) ସେଣ୍ଟରରେ ରଖି ଦିଆଯିବ। ଏବଂ ସରକାରୀ ହସ୍ପିଟାଲଗୁଡ଼ିକରେ ରୋଗୀ ଭର୍ତ୍ତି ଥିଲେ । ସେଠାରେ କୌଣସି ବେଡ୍ ଖାଲି ନ ଥିଲା । ତେଣୁ ଆମେ କେବଳ ଝୋଲା ଛାପ ଡାକ୍ତରଙ୍କ ପାଖକୁ ଯାଇପାରୁଥିଲୁ ।’’
କିନ୍ତୁ ଏହି ‘ଡାକ୍ତରମାନେ’ ଅଣତାଲିମପ୍ରାପ୍ତ, ଅଶିକ୍ଷିତ ଥିଲେ ଏବଂ ତେଣୁ ସେମାନେ ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ରୋଗୀଙ୍କର ଚିକିତ୍ସା କରିପାରୁ ନ ଥିଲେ ।
ଝୋଲା ଛାପଙ୍କ ପାଖକୁ ଯିବାର ୩ ଦିନ ପରେ ଶାନ୍ତିଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଆରମ୍ଭ ହେଲା । ସେତେବେଳେ କଳାବତୀ, ଶାନ୍ତିଙ୍କର ସ୍ୱାମୀ ମୁନୀର ଓ ଅନ୍ୟ ପରିବାର ସଦସ୍ୟମାନେ ଭୟଭୀତ ହୋଇପଡ଼ିଥିଲେ। ସେମାନେ ତାଙ୍କୁ ବାରଣାସୀର ପିଣ୍ଡ୍ରା ବ୍ଲକ୍ରେ ଥିବା ସେମାନଙ୍କ ଗାଁଠାରୁ ୨୦ କିମି ଦୂର ଏକ ଘରୋଇ ହସ୍ପିଟାଲକୁ ନେଇଗଲେ । କଳାବତୀ କହିଲେ, ‘‘କିନ୍ତୁ ଡାକ୍ତରଖାନାର କର୍ମଚାରୀ ତାଙ୍କୁ ଦେଖିଲେ (ତାଙ୍କର ପରିସ୍ଥିତିକୁ) ଏବଂ କିଛି ଆଶା ନାହିଁ ବୋଲି କହିଲେ । ଆମେ ଘରକୁ ଫେରିଲୁ ଏବଂ ଝାଡ୍-ଫୁଙ୍କ୍ ଆରମ୍ଭ କଲୁ।’’ ଝାଡ୍-ଫୁଙ୍କ ହେଉଛି ରୋଗକୁ ଏକ ଝାଡୁ ଦ୍ୱାରା ଦୂର କରିବାର ଏକ ବହୁ ପୁରୁଣା, ଅବୈଜ୍ଞାନିକ ପ୍ରଥା ।
ଏହା କାମ କଲାନାହିଁ; ଶାନ୍ତିଙ୍କର ସେହିଦିନ ରାତିରେ ମୃତ୍ୟୁ ହେଲା ।








