‘ବାଉଲ’ ଶବ୍ଦ ସଂସ୍କୃତ ଶବ୍ଦ ବାତୁଳରୁ ଉଦ୍ଧୃତ ହୋଇଛି। ଏହାର ଅର୍ଥ ନିର୍ବୋଧ, ବିଶୃଙ୍ଖଳିତ ବା ଅଧିକୃତ। ‘ବାଉଲ’ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରକାରର ସଂଗୀତ। ବେଙ୍ଗଲରୁ ଏହାର ସୃଷ୍ଟି ହୋଇଛି।
ସାଧାରଣତଃ ବାଉଲ ଏକ ଯାଯାବର ସଂପ୍ରଦାୟ। ବାଉଲ ଦର୍ଶନରେ ଇସଲାମ, ହିନ୍ଦୁ ଏବଂ ବୌଦ୍ଧ ଧର୍ମର ସମନ୍ୱୟ ଦେଖିବାକୁ ମିଳେ। ସବୁ ପ୍ରକାର ଲୋକଙ୍କ ସହ ସେମାନେ ବସବାସ କରନ୍ତି। ସାମାଜର ପାରଂପରିକ ମାନଦଣ୍ଡକୁ ସେମାନେ ଅସ୍ୱୀକାର କରନ୍ତି। ସେମାନଙ୍କ ପାଇଁ ସଙ୍ଗୀତ ହି ଶକ୍ତିର ସ୍ୱରୂପ। ବାଉଲମାନଙ୍କ ସଂଗୀତରେ ଥିବା ଜୀବନ ଦର୍ଶନ ଖୁବ ସ୍ୱଛ। ବାଉଲମାନେ କୌଣସି ସଂପ୍ରଦାୟରେ ଜନ୍ମ ହୋଇ ନଥାନ୍ତି। ଜଣେ ଗୁରୁଙ୍କ ଦ୍ୱାରା ଦୀକ୍ଷିତ ହୋଇ ଏମାନେ ଏହି ମାର୍ଗକୁ ଆପଣାଇଥାନ୍ତି।
ବାଉଲ ସଂପ୍ରଦାୟର ଉଭୟ ପୁରୁଷ ଏବଂ ନାରୀଙ୍କର ସ୍ୱତନ୍ତ୍ର ବେଶଭୂଷା। ଏମାନେ କେଶ କାଟନ୍ତି ନାହିଁ। ସମସ୍ତେ ଜଟା ଧାରଣ କରନ୍ତି। ଉଭୟ ନାରୀ ଏବଂ ପୁରୁଷ ଗେରୁଆ ବସ୍ତ୍ର ପିନ୍ଧିଥାନ୍ତି। ବେକରେ ରୁଦ୍ରାକ୍ଷ ମାଳା ଏବଂ ହାତରେ ଗୋଟିଏ ତାର ବିଶିଷ୍ଟ ଏକତାରା ଧାରଣ କରିଥାନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କ ସଂଗୀତ ପାରମ୍ପାରିକ ଭାବେ ଶ୍ରୁତିରେ ବଞ୍ଚି ରହିଛି। ସେମାନେ ଗୀତ ଗାଇ ଭିକ୍ଷା କରନ୍ତି ଏବଂ ସେଥିରେ ଜୀବନ ନିର୍ବାହ କରନ୍ତି। ଜଣେ ଭଲ ବାଉଲ ଗାୟକ ୨୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରନ୍ତି।




