ପ୍ରତିଦିନ ରାତିରେ ପ୍ରାୟ ୧୦ଟା ସମୟରେ, ସେଟ୍ଟୀ ଶ୍ରୀକାନ୍ତ ଏବଂ ସେଟ୍ଟୀ ଗୋପୀଚାନ୍ଦ ବିଜୟୱାଡ଼ା ଦେଇ ଯାଇଥିବା ଚେନ୍ନାଇ-କୋଲକାତା ଜାତୀୟ ରାଜପଥର ଟ୍ରାଫିକ୍ ଡିଭାଇଡର ଉପରେ ଏକ ପୁରୁଣା ଭିନାଇଲ୍ ବ୍ୟାନର ବିଛାଇ ଦିଅନ୍ତି। ଏବଂ ସେମାନଙ୍କର ଟାୱେଲକୁ ବିଛାଇ ଶୋଇ ପଡନ୍ତି ।
ସକାଳେ ସେମାନେ ନିକଟସ୍ଥ ବେଞ୍ଜ ଗୋଲେଇକୁ ଯାଆନ୍ତି, ଯେଉଁଠି ଦିନ ମଜୁରିଆ ମାନେ କାମ ପାଇବା ଉଦ୍ଦେଶ୍ୟରେ ସକାଳ ୬ଟାରୁ ଏକାଠି ହୁଅନ୍ତି। ଶ୍ରମିକ ଆଡ୍ଡାରେ ସେଟ୍ଟୀ ଭାଇମାନେ ସାଇକେଲରେ ଆସିଥିବା ଦୋକାନୀଙ୍କଠାରୁ ଇଡଲି ଖାଆନ୍ତି। ଅଧିକାଂଶ ସମୟରେ ସେମାନେ ଖାଲି ପେଟରେ ବି କାମକୁ ଯାଆନ୍ତି।
୧୬ ବର୍ଷ ବୟସ୍କ ଶ୍ରୀକାନ୍ତ କହିଲେ, “ଆମେ ବିଜୟୱାଡ଼ା ଆସିବା ବର୍ଷେ ହେଲାଣି ।” ସେ ଓ ୨୨ ବର୍ଷର ଗୋପୀଚାନ୍ଦ, ତେଲଙ୍ଗାନା ଖାମ୍ମମ ଜିଲ୍ଲାର ମଡୁପଲ୍ଲେ ଗାଁ ଛାଡି ଏଠାକୁ ଚାଲି ଆସିଥିଲେ। କାରଣ ୨୦୧୬ ମସିହାରେ ତାଙ୍କର ଗାଁରେ ଚାଷରେ ବିପୁଳ କ୍ଷତି ହୋଇଥିଲା, ଯଦିଓ ସେତେବେଳ ଯାଏଁ ଚାଷରୁ ଖର୍ଚ୍ଚ ଉଠିଯାଉଥିଲା। ଶ୍ରୀକାନ୍ତ କହନ୍ତି “ଆମ ବାପା ପାଞ୍ଚ ଏକର ଜମି (ଲିଜରେ ଆଣି)ରେ ଲଙ୍କା, କପା ଓ ହଳଦୀ ଚାଷ କରନ୍ତି। କିନ୍ତୁ ସେହି ବର୍ଷ ଆମର ପାଞ୍ଚ ଲକ୍ଷ ଟଙ୍କା କ୍ଷତି ହେଲା(ଏବଂ ସାହୁକାରମାନଙ୍କ ଦ୍ୱାରା ନିଆଯାଉଥିବା ଉଚ୍ଚ ସୁଧ ହାର ଯୋଗୁଁ ଏବେ ସେହି ଟଙ୍କା ବଢି ସାତ ଲକ୍ଷ ହୋଇଗଲାଣି)।” ହଳଦୀ ଫସଲର ଭଲ ଦାମ ମିଳିଲା ନାହିଁ, ସେମାନଙ୍କର କପା ମଧ୍ୟ କୀଟ ଆକ୍ରମଣରେ ସଂକ୍ରମିତ ହେଲା, ଏବଂ ଖରାପ ମଞ୍ଜି ଫଳରେ ଲଙ୍କା ଭଲ ଉତ୍ପାଦନ ହେଲା ନାହିଁ। ଋଣ ଟଙ୍କା ସୁଝିବା ପାଇଁ ଆମେ ବାହାରକୁ କାମ କରିବାକୁ ଆସିବାକୁ ବାଧ୍ୟ ହେଲୁ। ଶ୍ରୀକାନ୍ତ କହିଲେ, ଯିଏ ୧୦ମ ଶ୍ରେଣୀରୁ ପଢା ବନ୍ଦ କରିଥିଲେ, ଆଉ ଗୋପୀଚାନ୍ଦ ପଲିଟେକନିକ୍ କୋର୍ସ ଅଧାରୁ ଛାଡିଥିଲେ, ଯେଉଁଠି ସେ ଅଟୋମୋବାଇଲ୍ ମେକାନିକ୍ ହେବାକୁ ତାଲିମ୍ ନେଉଥିଲେ।
ପ୍ରତିଦିନ ସକାଳେ, ସେଟ୍ଟୀ ଭାଇଙ୍କ ଭଳି, ପ୍ରାୟ ୧,୦୦୦ରୁ ଅଧିକ ଲୋକ ବେଞ୍ଜ ଗୋଲେଇରେ କଠିନ ପରିଶ୍ରମ ବିଶିଷ୍ଟ ଦିନ ମଜୁରୀ ସନ୍ଧାନରେ ଅପେକ୍ଷା କରନ୍ତି। ନିକଟସ୍ଥ ଗାଁରୁ ଆସୁଥିବା ମହିଳାମାନେ ସଂଧ୍ୟାରେ ଫେରିଯାଉଥିବାବେଳେ ଅଧିକାଂଶ ପୁରୁଷ ପ୍ରାୟ ତିନି କିମି ପରିଧି ମଧ୍ୟରେ ଆସୁଥିବା ଖାଲି ଚଟାଣ ବା ଡିଭାଇଡର ଉପରେ ଶୋଇପଡନ୍ତି। ସେମାନେ ରାଜ୍ୟର ବିଭିନ୍ନ ଭାଗରୁ ଏହି ସହରକୁ ଆସିଛନ୍ତି, ଆନ୍ଧ୍ରପ୍ରଦେଶର ଉତ୍ତର ଶ୍ରୀକାକୁଲମ ଜିଲ୍ଲାରୁ ନେଇ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ନେଲ୍ଲୋର ଜିଲ୍ଲାରୁ ।











