ଡିସେମ୍ବର ୨, ୨୦୧୬ ରେ ଯେତେବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନନ୍ତପୁର ଜିଲ୍ଲା ପେନୁକୋଣ୍ଡା ବ୍ଲକର ଏରାମାଞ୍ଚି ଅଞ୍ଚଳରେ ନବନିର୍ମିତ ଗୋଲାପାଲ୍ଲୀ ଡ୍ୟାମ୍ ଉଦଘାଟନ କଲେ ସେତେବେଳେ ସ୍ଥାନୀୟ କୃଷକମାନେ ବେଶ୍ ଖୁସି ହେଲେ। ନିହାତି ପକ୍ଷେ, ସେମାନଙ୍କ ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ସେମାନେ ଭାବିଥିଲେ।
ଏମାନଙ୍କ ମଧ୍ୟରେ ଥିଲେ ସୁଗଲି (ଅନୁସୂଚିତ ଜନଜାତି) ଚାଷୀ ଏସ୍.ବାଲୁ ନାୟକ। ତାଙ୍କ ଘର ଏରାମାଞ୍ଚିଠାରୁ ୫ କିଲୋମିଟର ଦୂର ଗୁଟୁରୁ ଗାଁର ମକ୍କଜିପାଲ୍ଲୀ ତଣ୍ଡା (ଅନୁସୂଚିତ ଜନଜାତି ପଡ଼ା)ରେ। ୪୦ ଦଶକର ଶେଷଭାଗରେ, ପ୍ରାୟ ୫୦ ଛୁଇଁବାକୁ ଯାଉଥିବା ବାଲୁ ଭାବିଥିଲେ ତାଙ୍କ ଜମିରେ ବିଫଳ ହୋଇଥିବା ତିନିଟି ନଳକୂଅର ଭରଣା କରିବ ଏହି ଡ୍ୟାମ୍। ହଣ୍ଡ୍ରି ନେଭା ସୁଜଲା ଶ୍ରାବନ୍ତି କେନାଲ ଯୋଜନାର ଅଂଶବିଶେଷ ହେଉଛି ଗୋଲାପାଲ୍ଲୀ ଡ୍ୟାମ୍। ଆଶା କରାଯାଇଥିଲା, ଏହା କ୍ରିଷ୍ଣା ନଦୀର ୧.୬ ଟିଏମ୍ସି (ଥାଉଜାଣ୍ଡ ମିଲିଅନ୍ କ୍ୟୁବିକ୍ ଫିଟ୍) ଜଳ ଧାରଣ କରିବ ଆଉ ପିଇବା ପାଣି ଓ ଚାଷ ଜମିକୁ ପାଣି ଦେବା ସହ ଭୂତଳ ଜଳସ୍ତରକୁ ବୃଦ୍ଧି କରିବ।
ଗତ ଦୁଇ ଦଶନ୍ଧି ହେବ ଅନନ୍ତପୁର ସ୍ୱଳ୍ପ ବୃଷ୍ଟିପାତ ଦେଖି ଆସୁଛି ଆଉ ଲଗାତାର ଭାବେ ଗତ ୫ ବର୍ଷ ଧରି ଜିଲ୍ଲାର ସମସ୍ତ ୬୩ଟି ମଣ୍ଡଳ ମରୁଡ଼ି ଘୋଷିତ ହେଇଛି। ଅନନ୍ତପୁର ଜିଲ୍ଲାର ଚାଷ ସଂପୂର୍ଣ୍ଣ ଭାବେ ବର୍ଷା ଏବଂ ନଳକୂପ ଉପରେ ନିର୍ଭର କରେ। କିନ୍ତୁ ଭୂତଳ ଜଳସ୍ତର ଏବେ ଭୟଂକର ଭାବେ ତଳକୁ ଖସି ଚାଲିଛି।
ବାଲୁଙ୍କ ପତ୍ନୀ ଏସ୍. ସଲମ୍ମା କହିଲେ, ‘‘ଆମେ ସମସ୍ତେ ତାଙ୍କ ସହ ଚାରି ପାଞ୍ଚ ଥର ଡ୍ୟାମ ଦେଖିବାକୁ ଯାଇଛୁ।’’ ସେତେବେଳେ କିନ୍ତୁ ଚାଷୀମାନେ ଜାଣି ନଥିଲେ ଯେ, କୋରିଆ ଅନ୍ତର୍ଜାତୀୟ କମ୍ପାନୀ କିଆ ମୋଟର୍ସ ସେହି ଅଞ୍ଚଳରେ ନିର୍ମାଣ କରୁଥିବା କାର୍ ଫ୍ୟାକ୍ଟ୍ରିକୁ ଏହି ନୂଆ ଡ୍ୟାମ ମୁଖ୍ୟତଃ ପାଣି ଯୋଗାଇବ। ଏକ ସ୍ୱତନ୍ତ୍ର ଅର୍ଥନୈତିକ କରିଡ଼ର ପାଇଁ ପ୍ରାୟ ୨,୨୦୦ ଏକର ଜମି ଅଧିଗ୍ରହଣ କରିବା ଉଦ୍ଦେଶ୍ୟରେ ସରକାର ଏହି ଅଞ୍ଚଳରେ ସର୍ବେକ୍ଷଣ କରୁଛନ୍ତି। ଏହି ଜମି ମଧ୍ୟରୁ କିଆ ଫ୍ୟାକ୍ଟ୍ରି ପାଇଁ ପ୍ରାୟ ୬୦୦ ଏକର ଚିହ୍ନଟ ହୋଇ ସାରିଛି। ଏହା ଭିତରେ ବାଲୁ ଜାଣିଥିଲେ ଯେ ତାଙ୍କ ପତ୍ନୀଙ୍କ ନାଁର ଥିବା ତିନି ଏକର ଚାଷ ଜମି ସେ ହରାଇବାକୁ ଯାଉଛନ୍ତି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା, ତଥାପି ବାକି ତିନି ଏକର ଜମିରେ ସେ ଚାଷ କରିବେ ବୋଲି ଆଶା ବାନ୍ଧିଥିଲେ।





