ବୈଗାଇ ନଦୀର ଉତ୍ତର କୂଳରେ ଥିବା ଅରୁଲ୍ଦାସପୁରମ୍ଗ୍ରାମରେ ତାଙ୍କ ପୈତୃକ ଘରର ସାମ୍ନା ଭାଗ ହିଁ ତାଙ୍କର କର୍ମଶାଳା । ବାଲା ମହେନ୍ଦ୍ର ମେଦାରା କାରିଗର ସମୂହର ଯେଉଁମାନେ କି ଉଭୟ ତାମିଲ ଏବଂ ତେଲଗୁ ଭାଷାରେ କଥାବାର୍ତ୍ତା କରନ୍ତି ଏବଂ ତିନି ଶତାବ୍ଦୀ ହେବ ବାଉଁଶ କାମ କରୁଛନ୍ତି ।
୩୮ ବର୍ଷ ବୟସ୍କ ବାଲା କମର୍ସରେ ଉପାଧ୍ୟୁତ୍ତର ଡିଗ୍ରୀ ହାସଲ କରିଛନ୍ତି । ୨୦୦୭ ମସିହାଠାରୁ ସେ ମଧ୍ୟ ତାମିଲନାଡୁ ପବ୍ଲିକ୍ସର୍ଭିସ୍କମିଶନଙ୍କ ଦ୍ୱାରା ପରିଚାଳିତ ଗ୍ରୁପ୍II ପରୀକ୍ଷାରେ ସଫଳ ହେବା ପାଇଁ କେତେଥର ଚେଷ୍ଟା କରିଥିଲେ । ଏଥିରେ ସଫଳ ହୋଇଥିଲେ ଏହା ତାଙ୍କୁ ଏକ କିରାଣୀ ଭାବରେ କିମ୍ବା ରେଜିଷ୍ଟ୍ରାର୍କିମ୍ବା ସରକାରୀ ବିଭାଗରେ ଅନ୍ୟ କୌଣସି ପଦବୀ ଦେଇଥାନ୍ତା । କିନ୍ତୁ କୌଣସି ଚାକିରି ପାଇବାରେ ଅସଫଳ ହେବାରୁ ସେ ପରିବାରର କୌଳିକ ବୃତ୍ତିରେ ରହିଲେ । ସେ କୁହନ୍ତି, ‘‘ମୋ ଜାଣିବାରେ ୭-୮ ପିଢ଼ି ହେବ ଏହା ଆମର କୌଳିକ ବୃତ୍ତି ହୋଇରହିଛି। ଏହା ଅଧିକ ବି ହୋଇପାରେ’’।
ପତ୍ନୀ ପି. ଭୁବନାଙ୍କ ସହ ଏକତ୍ର କାମ କରୁଥିବା ବାଲା ମୁଖ୍ୟତଃ ବାଉଁଶ ପରଦା ତିଆରି କରନ୍ତି । ସେ ସପ୍ତାହକୁ ଥରେ ମଦୁରାଇର ଅଲଓ୍ୱାରପୁରମ୍ର ଗୋଟିଏ ବଜାରରୁ ତାଜା ବାଉଁଶ କିଣନ୍ତି । ସେ କୁହନ୍ତି, ‘‘ଦୁଇ ପ୍ରକାରର ବାଉଁଶ ଅଛି’’। “ସବୁଠାରୁ ଭଲ ବାଉଁଶ ପର୍ବତ ଅଞ୍ଚଳରେ ହୁଏ । ପଲକ୍କଡ୍ଏବଂ ମୁନ୍ନାର [କେରଳରେ]ରୁ ଏହି ବଜାରକୁ ଏ ପ୍ରକାର ବାଉଁଶ ଆସେ । ଅନ୍ୟ ପ୍ରକାରଟି ସମତଳ ଅଞ୍ଚଳରେ ହୁଏ । ଏଗୁଡ଼ିକୁ ତାମିଲନାଡ଼ୁର ତାଞ୍ଜାଭୁର ଏବଂ ପୁଡ଼ୁକୋଟ୍ଟାଇ ଜିଲ୍ଲାରୁ ଆସେ । ଦ୍ୱିତୀୟ ପ୍ରକାରଟି ପ୍ରଥମଟି ଭଳି ଏତେ ଦୃଢ଼ ନୁହେଁ ।’’
ବାଲା ଏବଂ ଭୁବନା ବାଉଁଶକୁ ପତଳା ପାତିଆ କରନ୍ତି । ସେ କୁହନ୍ତି , ‘‘ମନେରଖନ୍ତୁ ବାଉଁଶ ଚିରିବା ତୁମକୁ ଆଘାତ ମଧ୍ୟ ଦେଇପାରେ । ଏହି ଦକ୍ଷତା ହାସଲ ପାଇଁ ବର୍ଷ ବର୍ଷର ଅଭିଜ୍ଞତା ଆବଶ୍ୟକ ହୁଏ ।’’ ଏହାପରେ ସେମାନେ ବାଉଁଶ ପାତିଆକୁ ତିନି ମିଟର ଲମ୍ବ ଗୋଟିଏ ଖୁଣ୍ଟରେ ବାନ୍ଧନ୍ତି । ପ୍ରତି ଦିନ ସେମାନେ ଯେତିକି ପରଦା ତିଆରି କରନ୍ତି ତାହା ପ୍ରାୟ ୫୦-୫୫ ବର୍ଗ ଫୁଟ ଅଞ୍ଚଳ ପାଇଁ ଯଥେଷ୍ଟ ହେବ । ବାଲା କୁହନ୍ତି, ‘‘ଆମ କାମ ଆରମ୍ଭ ହୁଏ ସକାଳ ୭ଟାରୁ ଏବଂ ରାତି ପ୍ରାୟ ୧୦.୩୦ ବେଳକୁ ଶେଷ ହୁଏ । ଆମେ ସାରାଦିନ ଛିଡ଼ା ହେଉ । ଏହି ଝାଳବୁହା ପରିଶ୍ରମରେ ଆମେ ଦିନକୁ ମାତ୍ର ୪୦୦-୫୦୦ ଲାଭ ପାଉ । ଯଦି ବାଉଁଶ ସଂକ୍ରମିତ ହୋଇଥାଏ କିମ୍ବା ପୋକ ଖାଇଥାଏ ତେବେ ଆମର କ୍ଷତି ମଧ୍ୟ ହୁଏ ।’’