୧୯୭୦ ମସିହା ଦାଦୁଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେ ଗାୟକ ବାମନ ଦାଦା କର୍ଦକଙ୍କୁ ଭେଟିଥିଲେ ଯିଏକି ଡକ୍ଟର ଆମ୍ବେଦକରଙ୍କ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଆନ୍ଦୋଳନକୁ ମହାରାଷ୍ଟ୍ର ଏବଂ ରାଜ୍ୟ ବାହାରେ ପହଞ୍ଚାଇଥିଲେ। ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ଏହି କାମ କରିଥିଲେ।
ମାଧବରାଓ ଗାୟକୱାଡ଼ (୭୫) ବାମନଦାଦା କର୍ଦକଙ୍କ ପାଖରେ ରହି ସଙ୍ଗୀତ ସଂକଳନ କରୁଥିଲେ। ସେ ହିଁ ଦାଦୁ ସାଲଭେଙ୍କୁ ବାମନଦାଦାଙ୍କ ସହିତ ଭେଟ କରାଇ ଦେଇଥିଲେ। ମାଧବରାଓ ଓ ତାଙ୍କର ପତ୍ନୀ ସୁମିତ୍ରା (୬୧) ମିଶି ବାମନଦାଦାଙ୍କ ଦ୍ୱାରା ଲିଖିତ ୫,୦୦୦ରୁ ଅଧିକ ସଙ୍ଗୀତର ସଂକଳନ ପ୍ରସ୍ତୁତ କରିଛନ୍ତି।
ମାଧବରାଓ କୁହନ୍ତି, ‘‘୧୯୭୦ ମସିହାରେ ସେ ନାଗରରୁ ଆସିଥିଲେ। ଆମ୍ବେଦକରଙ୍କ କାମ ଓ ବାର୍ତ୍ତାର ପ୍ରଚାର ପାଇଁ ସେ ‘ଗାୟନ’ (ସଙ୍ଗୀତ) ଦଳ ଗଠନ କରିବା ଲାଗି ବେଶ୍ ଆଗ୍ରହୀ ଥିଲେ। ଦାଦୁ ସାଲଭେ ଆମ୍ବେଦକରଙ୍କ ବିଷୟରେ ଗୀତ ଗାଉଥିଲେ, କିନ୍ତୁ ତାଙ୍କ ପାଖରେ ବେଶୀ ଭଲ ଗୀତ ନଥିଲା। ତେଣୁ ସେ ବାମନଦାଦାଙ୍କୁ ଭେଟିବାକୁ ଗଲେ ଏବଂ ତାଙ୍କୁ କହିଲେ, ‘ଆମେ ଆପଣଙ୍କ ଗୀତ ଚାହୁଁଛୁ’।’’
ଜବାବରେ ବାମନଦାଦା କହିଲେ ଯେ, ସେ କେବେବି ଗୋଟିଏ ଜାଗାରେ ନିଜର କାମ ରଖିନଥାନ୍ତି: ‘‘ମୁଁ ଲେଖେ, ଗାଏ ଏବଂ ସେହି ସ୍ଥାନ ଛାଡ଼ି ଚାଲିଯାଏ।’’
ମାଧବରାଓ ସେଦିନ କଥା ମନେ ପକାଇ କୁହନ୍ତି, ‘‘ଏପରି ଏକ ସମ୍ପତ୍ତି ନଷ୍ଟ ହୋଇଯାଉଥିବା ଦେଖି ଆମେ ଦୁଃଖିତ ହେଲୁ। ସେ (ବାମନଦାଦା) ଆମ୍ବେଦକରବାଦୀ ଆନ୍ଦୋଳନ ପାଇଁ ନିଜର ସାରା ଜୀବନକୁ ସମର୍ପି ଦେଇଥିଲେ।’’
ତାଙ୍କର କାମକୁ ସଂକଳିତ କରିବାର ଆଗ୍ରହ ନେଇ, ବାମନଦାଦା ଯେଉଁଠି ସଂଗୀତ ପରିବେଷଣ କରୁଥିଲେ ମାଧବରାଓ ସେଠାକୁ ଦାଦୁ ସାଲଭେଙ୍କୁ ନେଇ ଯାଉଥିଲେ: ‘‘ଦାଦୁ ତାଙ୍କୁ ହାର୍ମୋନିୟମରେ ସହଯୋଗ କରୁଥିଲେ ଏବଂ ସେ ଗାଉଥିବା ଗୀତକୁ ମୁଁ ଲେଖି ରଖୁଥିଲି। ସବୁକିଛି ଲାଇଭ୍ (ପ୍ରତ୍ୟକ୍ଷ ଭାବେ) ଚାଲିଥିଲା।’’
ସେ ୫,୦୦୦ରୁ ଅଧିକ ଗୀତକୁ ପ୍ରକାଶ କରିବାକୁ ଗଲେ। ଏହା ସତ୍ତ୍ୱେ, ପ୍ରାୟ ୩,୦୦୦ ଗୀତ ଲୋକଲୋଚନକୁ ଆସିପାରିଲା ନାହିଁ। ‘‘ଆର୍ଥିକ ସମସ୍ୟା କାରଣରୁ ମୁଁ ଏହା କରିପାରିଲି ନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବେ କହିପାରିବି ଯେ, କେବଳ ଦାଦୁ ସାଲଭେଙ୍କ କାରଣରୁ ମୁଁ ଆମ୍ବେଦକରବାଦୀ ଆନ୍ଦୋଳନର ଜ୍ଞାନ ଓ ବୌଦ୍ଧିକତାକୁ ସଂରକ୍ଷିତ କରି ରଖିପାରିଲି,’’ ସେ କୁହନ୍ତି।
ବାମନଦାଦାଙ୍କ କାମରେ ଦାଦୁ ସାଲଭେ ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲେ ଯେ ସେ କଳା ପାଠକ ନାମରେ ମଧ୍ୟ ଏକ ନୂଆ ଦଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ସେ ନିଜ ସହିତ ଶଙ୍କର ତାବଜୀ ଗାୟକୱାଡ଼, ସଞ୍ଜୟ ନାଥ ଯାଦବ, ରଘୁ ଗଙ୍ଗାରାମ ସାଲଭେ ଏବଂ ମିଲିନ୍ଦ ଶିନ୍ଦେଙ୍କୁ ନେଇଥିଲେ। ଏହି ଦଳକୁ ଭୀମ ସନ୍ଦେଶ ଗାୟନ ଦଳ ବା ଆମ୍ବେଦକରଙ୍କ ବାର୍ତ୍ତା ପ୍ରଚାର କରୁଥିବା ଏକ ଗାୟକ ଦଳ ବୋଲି କୁହାଗଲା।
ସେମାନେ ଏକ ଲକ୍ଷ୍ୟ ପୂରଣ ପାଇଁ ଗୀତ ଗାଇଥିଲେ। ତେଣୁ ସେମାନଙ୍କ ସଙ୍ଗୀତରେ କାହା ପ୍ରତି କୌଣସି ଆକ୍ଷେପ ନଥାଇ ଏକ ସ୍ପଷ୍ଟ ବାର୍ତ୍ତା ଦେଉଥିଲା।
ଦାଦୁ ଆମ ପାଇଁ ଏହି ଗୀତ ଗାଇଥାନ୍ତି: