କେନ୍ଦ୍ର ଛତିଶଗଡ଼ରେ ଏକ ସହର ଭିଲାଇରେ ଲୋକ ସଂଗୀତଜ୍ଞମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ବାର୍ଷିକ ମେଳାରେ ଯେତେବେଳେ ମୁଁ ତାଙ୍କୁ ଭେଟିଥିଲି ସେତେବେଳେ ପଞ୍ଚରାମ ଯାଦବ କହିଥିଲେ, ‘‘ଆମର ବଡ଼ମାନେ ଅନେକ ଦିନ ହେବ ଏହି ବାନ୍ସ ଗୀତ ଗାଇ ଆସୁଛନ୍ତି’’ ।
କିଛି ବର୍ଷ ପୂର୍ବେ ମେ’ ମାସରେ ଏହି ମେଳା ପଡ଼ିଆରେ ବୁଲୁଥିବା ସମୟରେ ମୁଁ ଏହି ଗୀତର ଗଭୀର ପ୍ରତିଧ୍ୱନିତ ଶବ୍ଦ ପ୍ରତି ଆକର୍ଷିତ ହୋଇଥିଲି । ତିନି ଜଣ ଲୋକ ବାନ୍ସ ବାଜା ବଜାଉଥିଲେ । ଏହା ଏକ ଲମ୍ବା, ଚମତ୍କାର ଭାବରେ ସଜାଯାଇଥିବା ସିଲିଣ୍ଡର ଆକୃତିର କାଠ ତିଆରି ପବନ ବାଦ୍ୟ । ଏହାକୁ ଛତିଶଗଡ଼ର ମୁଖ୍ୟତଃ ଦୁର୍ଗ (ଯେଉଁଠାରେ ଭିଲାଇ ସହର ଅବସ୍ଥିତ), ବାଲୋଦ, ଧମ୍ତାରି, ଗରିଆବନ୍ଦ, କାଙ୍କେର ଏବଂ ମହାସମୁନ୍ଦ ଜିଲ୍ଲାରେ ବାସ କରୁଥିବା ଯାଦବ ଜାତିର ଏକ ଓବିସି ଉପଗୋଷ୍ଠୀ ରାଉତମାନେ ବଜାନ୍ତି ।
ଯେତେବେଳେ ବୟସର ବିଳମ୍ବିତ ୫୦ ଏବଂ ୬୦ ଦଶକରେ ପହଞ୍ଚି ଯାଇଥିବା ଏହି ତିନି ଜଣ ଯାକ ବାଦକ ବାଦ୍ୟ ବଜାଉଥିଲେ, ସାଙ୍ଗରେ ଥିବା ଅଳ୍ପ କେଇ ଜଣ ଗାୟକ ବାଖ୍ୟା କରୁଥିଲେ ଏବଂ ଭଗବାନ କୃଷ୍ଣ ଏବଂ ଅନ୍ୟ କିମ୍ବଦନ୍ତୀୟ ଗୋପାଳକମାନଙ୍କର କାହାଣୀର ଗୀତ ସମାନ ଭାବରେ ପରିଷ୍କାର ସ୍ୱରରେ ଗାଉଥିଲେ ।
ଏହି ୪ରୁ ୫ ଫୁଟ୍ ଲମ୍ବା ବାନ୍ସ ବାଜା ପାରମ୍ପରିକ ଭାବରେ ଗୋପାଳକମାନଙ୍କର ବାଦ୍ୟ । କଳାକାରମାନେ (ଏହି ଜାତିର କେବଳ ପୁରୁଷମାନେ ଏହି ବାଦ୍ୟ ବଜାନ୍ତି) ସାଧାରଣତଃ ସେମାନଙ୍କର ବାଜା ନିଜେ ତିଆରି କରନ୍ତି, ବେଳେ ବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ଠିକ୍ ବାଉଁଶ ଚୟନ କରିବା ଏବଂ ଏହା ପରେ ଚାରୋଟି ଛିଦ୍ର କରିବା ଏବଂ ଏହି ବାଦ୍ୟକୁ ଉଲ୍ର ଫୁଲ ଓ ରଙ୍ଗିନ୍ କପଡ଼ାରେ ସଜାଇବା ପର୍ଯ୍ୟନ୍ତ କାମ ସ୍ଥାନୀୟ ବଢ଼େଇମାନଙ୍କର ସାହାଯ୍ୟରେ କରିଥା’ନ୍ତି ।




