କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ଥିବା ବାନ୍ଦିପୁର ଜାତୀୟ ଉଦ୍ୟାନର ଠିକ୍ ସୀମାନ୍ତରେ ଅବସ୍ଥିତ କାନିୟାନ୍ପୁରା କଲୋନିରେ ରହନ୍ତି କେ. ସୁନୀଲ । କାନିୟାନ୍ପୁରା ଏକ ଆଦିବାସୀ ପଲ୍ଲୀ ଏବଂ ଏକା ନାଁରେ ଥିବା ଏକ ବୃହତ୍ ଗାଁ ମଧ୍ୟ । ସେ ଏକ ସୋଲିଗା ଆଦିବାସୀ ପରିବାରର, ତାଙ୍କ ମାଆ ଓ ବାପା ଶ୍ରମିକ ଏବଂ ତାଙ୍କର ଜଣେ ଭଉଣୀ, ଯେ କି ଘରେ ରହନ୍ତି ।
ସୁନୀଲଙ୍କ ବୟସ ୧୯ ଏବଂ ସେ ୧୦ମ ଶ୍ରେଣୀ ପାସ୍ କରିଛନ୍ତି । ସେ ଏବେ ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ ତିନିଟି ରାଜ୍ୟର ମିଳନସ୍ଥଳରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ମୁଦୁମଲାଇର କାର୍ଗୁଡ଼ି ଗାଁରେ କାର୍ଯ୍ୟରତ, ଯାହାକି ବାନ୍ଦିପୁର ଜାତୀୟ ଉଦ୍ୟାନର ସଂପ୍ରସାରିତ ଭାଗ । ଜଙ୍ଗଲରେ ଗଛ ମାପିବା ଏବଂ ଅନ୍ୟାନ୍ୟ କ୍ଷେତ୍ର ଅଧ୍ୟୟନଲାଗି ଛାତ୍ରଛାତ୍ରୀମାନେ ଆସିଲେ ସେମାନଙ୍କ ସାଙ୍ଗରେ ଯିବା ପାଇଁ ସେ ଭାରତୀୟ ବିଜ୍ଞାନ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଛନ୍ତି।












