“ଦିନବେଳା ମୁଁ ମୋ ପିଲାମାନଙ୍କୁ ଶୁଆଇ ଦିଏ ଏବଂ ସେମାନେ ଘର ଭିତରେ ରହିଛନ୍ତି ବୋଲି ନିଶ୍ଚିତ କରିନିଏ । ଏହି ଉପାୟରେ ଅନ୍ୟ ପିଲାମାନଙ୍କ ଖାଦ୍ୟ ଖାଇବା ଦେଖିବାରୁ ମୁଁ ସେମାନଙ୍କୁ ଦୂରେଇ ରଖେ ।” ଏପ୍ରିଲ ୧୪ ତାରିଖ ଦିନ ଆମ କଥାବାର୍ତ୍ତା ସମୟରେ ଦେବୀ କନକରାଜ (ପରିବର୍ତ୍ତିତ ନାମ) ମୋତେ ଏହା କହିଥିଲେ । ସେଦିନ ତାଙ୍କ ପାଖରେ ଆଉ ଦୁଇ ଦିନ ପାଇଁ ଖାଦ୍ୟ ସାମଗ୍ରୀ ରହିଥିଲା । ସେ କହିଲେ, “ସେମାନଙ୍କୁ ମୁଁ ଯଥେଷ୍ଟ ଖାଇବାକୁ ଦେଇପାରୁନାହିଁ । ସାହାଯ୍ୟ ଲୋଡ଼ିବାକୁ ବି ମୋର କେହି ନାହାନ୍ତି ।”
ତାମିଲ ନାଡୁର ବିରୁଧୁନଗର ଜିଲ୍ଲାରେ ଅବସ୍ଥିତ ଏଡ଼ାୟାପୋଟ୍ଟଲପଟ୍ଟି ବସ୍ତିରେ ରହୁଥିବା ଦାରିଦ୍ର୍ୟ ପ୍ରପୀଡ଼ିତ ଏବଂ ଅଧିସୂଚିତ ଜାତି ରୁପେ ତାଲିକାଭୁକ୍ତ, ଅରୁନ୍ଥାଥିୟାର ସଂପ୍ରଦାୟର ଅନେକ ମହିଳାଙ୍କ ଭଳି ୨୮ ବର୍ଷୀୟା ଦେବୀ ମଧ୍ୟ ସେଠାରୁ ପ୍ରାୟ ୨୫ କିଲୋମିଟର ଦୂର ଶିବକାଶୀ ସହରର ଏକ ବାଣ ତିଆରି କାରଖାନାରେ, ସାପ୍ତାହିକ ମଜୁରି ଭିତ୍ତିରେ କାମ କରନ୍ତି । ମାର୍ଚ୍ଚ ୨୪ ତାରିଖ ଦିନ କୋଭିଡ୍-୧୯ ଲକ୍ଡାଉନ୍ ଜାରି ହେବା ପର୍ଯ୍ୟନ୍ତ, ସେ ରକେଟ୍ ନଳିରେ ଏବଂ କାଗଜ ଖୋଳରେ ବାରୁଦ ଭରିବା ଭଳି ଅତି ବିପଜ୍ଜନକ କାର୍ଯ୍ୟ କରି ଦିନକୁ ୨୫୦ ଟଙ୍କା ରୋଜଗାର କରୁଥିଲେ ।
ଏପ୍ରିଲ ମାସ ଆରମ୍ଭରୁ ରାଜ୍ୟ ସରକାରଙ୍କ ଲକ୍ଡାଉନ୍ ସହାୟତା ବାବଦରେ ଦେବୀଙ୍କୁ ୧୫ କିଲୋ ଚାଉଳ, ଏକ କିଲୋ ଡାଲି ମିଳିଥିଲା, କିନ୍ତୁ ତାହା ଖୁବ୍ ଶୀଘ୍ର ସରିଆସିଲା । ମୋତେ ସେକହିଥିଲେ, “ଆମେ (ତାଙ୍କ ପରିବାର) ସରକାରଙ୍କ ପାଖରୁ ୧,୦୦୦ ଟଙ୍କା ବି ପାଇଥିଲୁ । ଏହାକୁ ପରିବାପତ୍ର ଏବଂତେଜରାତି ଜିନିଷ କିଣାରେ ଖର୍ଚ୍ଚ କରିଦେଲୁ । ସରକାରୀ ରାସନ ଦୋକାନ ଆମକୁ ତେଲ ଦେଲା ନାହିଁ । ମୁଁ ଏବେ ମାପିଚୁପି ଖାଦ୍ୟ ତିଆରି କରୁଛି, ଦିନକୁ କେବଳ ଦୁଇ ବେଳା ଭୋଜନ ।”
ମେ ମାସ ଆରମ୍ଭରୁ ଦେବୀଙ୍କ ପରିବାରକୁ ୩୦ କିଲୋ ଚାଉଳ, ୧ କିଲୋ ଡାଲି, ଗୋଟିଏ ଲିଟର ତେଲ ଓ ୨ କିଲୋ ଚିନି ମିଳିଥିଲା । ଦୁଇ ସପ୍ତାହ ପରେ, ଅଳ୍ପ କିଛି ଚାଉଳ ଯାହା ବଳିଥିଲା । ସେ କହିଲେ, “ପରିବାପତ୍ର ଏବଂ ତେଜରାତି ଜିନିଷ କିଣିବାକୁ ପଇସା ନାହିଁ । ଏବେ ଆମେ କେବଳ ଭାତ ଓ ଆଚାର ଖାଉଛୁ ।”
ଜିଲ୍ଲାରେ ଅଳ୍ପସଂଖ୍ୟକ କୋଭିଡ୍-୧୯ ସଂକ୍ରମଣ ମାମଲାର ରିପୋର୍ଟ ମିଳିଥିବାରୁ, ମେ ୧୮ ତାରିଖ ଦିନ ବିରୁଧୁନଗରରେ ଲକ୍ଡାଉନ୍ କୋହଳ କରାଗଲା । ସେଦିନ ଦେବୀ କାମ କରିବାକୁ ଗଲେ ଏବଂ ୧୨, ୧୦ ଓ ୮ ବର୍ଷ ବୟସର ତାଙ୍କ ତିନି ଝିଅଙ୍କୁ ଖାଦ୍ୟ ଦେବା ପାଇଁ ଟଙ୍କା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ତାଙ୍କ ସ୍ଵାମୀ, ୩୦ ବର୍ଷ ବୟସର ଆର୍.କନକରାଜ (ପରିବର୍ତ୍ତିତ ନାମ) ଜୀବିକା ଅର୍ଜନ ପାଇଁ ଟ୍ରକ୍ ଚଳାନ୍ତି ଏବଂ ନିଜ ରୋଜଗାରର ବଡ଼ ଭାଗ ମଦ ପିଇବାରେ ଖର୍ଚ୍ଚ କରିଦିଅନ୍ତି ।





