ବେସ୍ କ୍ୟାମ୍ପରେ ଏକ ନୂଆ ଆଶା ଓ ଉତ୍କଣ୍ଠା ଥିଲା ଯେଉଁଠାରେ ସବୁଜ ପୋଷାକ ପିନ୍ଧିଥିବା ପୁରୁଷ ଓ ମହିଳାମାନେ ନିରନ୍ତର ଭାବେ ମେସେଜ୍, ମାନଚିତ୍ର ଓ ଫଟୋକୁ ସେମାନଙ୍କର ସେଲଫୋନ୍ରେ ଅନୁଧ୍ୟାନ କରୁଥିଲେ ।
ପୂର୍ବରୁ ସେଦିନ ସକାଳେ ଏକ ଟ୍ରାକ୍ ଟିମ୍ ନିକଟସ୍ଥ ଜଙ୍ଗଲରେ ବାଘର ସଦ୍ୟ ପାଦଚିହ୍ନ ଠାବ କରିଥିଲେ ।
ଜଙ୍ଗଲ ବିଭାଗର ଏକ ସୂତ୍ର ଅନୁସାରେ ଆଉ ଏକ ଟିମ୍ ଜଙ୍ଗଲରେ ଲଗାଯାଇଥିବା ୯୦ଟି କ୍ୟାମେରା ମଧ୍ୟରୁ ଗୋଟିଏରେ ବାଘର ଏକ ଅସ୍ପଷ୍ଟ ଛବି ଦେଖିଲେ । କପା କ୍ଷେତ ଓ ଜଳାଶୟ ସହ ବିକ୍ଷିପ୍ତ ଭାବେ ଥିବା ପର୍ଣ୍ଣମୋଚି ବୁଦୁବୁଦୁକିଆ ଜଙ୍ଗଲର ୫୦ ବର୍ଗ କିମି ଅଞ୍ଚଳରେ ଏହି କ୍ୟାମେରା ଲାଗିଛି । ସବୁଜ ପୋଷାକ ପିନ୍ଧିଥିବା ଜଣେ ଯୁବ ଫରେଷ୍ଟର କହିଲେ, “ତାର ଦେହରେ ଥିବା ଦାଗରୁ ତାହା ବାଘୁଣୀ ବୋଲି ଜଣାପଡୁଛି ।” ତାଙ୍କର ସ୍ୱର ଖୁବ୍ ଚିନ୍ତାଯୁକ୍ତ ଥିଲା । ତାଙ୍କର ବରିଷ୍ଠ ଅଧିକାରୀ କହିଲେ, “ଚିତ୍ରଟି ସ୍ପଷ୍ଟ ନାହିଁ । ଆମକୁ ସେ ନେଇ ଅଧିକ ସ୍ପଷ୍ଟ ହେବା ଆବଶ୍ୟକ ।’’
ଏହା ସେ ହୋଇପାରେ କି? ସେ ଆଖପାଖରେ ଥାଇପାରେ କି?
ବନରକ୍ଷୀ, ଟ୍ରାକର ଓ ସାର୍ପ ସୁଟରମାନଙ୍କର ଏକ ଟିମ୍ ଆଉ ଏକ କଠିନ ଦିନରେ ଜଙ୍ଗଲର ବିଭିନ୍ନ ଦିଗରେ ତଲାସୀ କରିବାକୁ ବାହାରିଲେ, ସେମାନେ ଏଭଳି ଏକ ବାଘୁଣୀକୁ ଖୋଜୁଥିଲେ ଯାହାକି ତାର ଦୁଇଟି ଶାବକଙ୍କ ସହ ପ୍ରାୟ ୨ ବର୍ଷ ଧରି ବିଭ୍ରାନ୍ତ କରିଆସୁଥିଲା ।
ଅତି କମ୍ରେ ୧୩ ଜଣ ଗ୍ରାମବାସୀ ବାଘ ଦ୍ୱାରା ଆକ୍ରମଣର ଶିକାର ହେବା ସହ ପ୍ରାଣ ହରାଇଥିଲେ । ଏହି ସବୁ ମାମଲାରେ ସେ ସନ୍ଦିଗ୍ଧ ଥିଲା ।
ବନ୍ୟପ୍ରାଣୀ ୱାର୍ଡେନଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨ ମାସ ହେଲା ବାଘୁଣୀକୁ ‘ଧରିବା ବା ହତ୍ୟା’ କରିବା ପାଇଁ ଏକ ବଡ଼ ଧରଣର ଅଭିଯାନ କରାଯାଉଥିଲା । କିନ୍ତୁ ଦୁଇଟି ଯାକ ବିକଳ୍ପ ମଧ୍ୟରୁ କୌଣସିଟି ସହଜ ନଥିଲା । ଅଗଷ୍ଟ ୨୮, ୨୦୧୮ରୁ ସେ କୌଣସି ସଙ୍କେତ ବି ଛାଡ଼ି ନଥିଲା । କ୍ୟାମେରାରେ ଗୋଟିଏ ଅସ୍ପଷ୍ଟ ଛବି କିମ୍ବା ପାଦଚିହ୍ନ ଦେଖିବା ପରେ ତାକୁ ଧରିବା ପାଇଁ ଗଠିତ ହୋଇଥିବା ଟିମ୍ ମଧ୍ୟରେ ଆଶା ସଞ୍ଚାର ହେଉଥିଲା ।











