ଦୁଇବର୍ଷରେ ଅତିକମ୍ରେ ୧୩ଟି ମୃତ୍ୟୁ, ୧୫ ବି ହୋଇପାରେ।ଅନେକ ଗୋରୁଗାଈ ମରିଛନ୍ତି ଏବଂ କ୍ଷତବିକ୍ଷତ ହୋଇଛନ୍ତି। ସବୁକିଛି ହୋଇଛି ଯବତ୍ମାଲ୍ର ୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରେ। ଏହି ଜିଲ୍ଲା କୃଷି ବିପର୍ଯ୍ୟୟ ଏବଂ କୃଷକ ମୃତ୍ୟୁ ପାଇଁ ମଧ୍ୟ କୁଖ୍ୟାତି ଅର୍ଜନ କରିଛି। ଗତ ସପ୍ତାହ ପର୍ଯ୍ୟନ୍ତ ବିଦର୍ଭର ରାଲେଗାଓଁ ତହସିଲରେ ନିଜର ଦୁଇ ଶାବକଙ୍କ ସହ ବୁଲୁଥିବା ଏକ ବାଘୁଣୀ ଗ୍ରାମବାସୀ ଏବଂ ଜଙ୍ଗଲ ଅଧିକାରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ପ୍ରାୟ ୫୦ଟି ଗ୍ରାମରେ ଚାଷବାସ ବାଧାପ୍ରାପ୍ତ ହୋଇଥିଲା। କୃଷି ଶ୍ରମିକମାନେ ଏକୁଟିଆ କ୍ଷେତକୁ ଯିବାକୁ ଭୟ କରୁଥିଲେ କିମ୍ବା ଭୟଭୀତ ଅବସ୍ଥାରେ ଦଳ ହୋଇ ଯାଉଥିଲେ।
ସାଧାରଣରେ ଗୋଟିଏ ଆଲୋଚନା ଥିଲା,‘‘ ତିଚା ବନ୍ଦୋବସ୍ତ କରା’’ (‘‘ବାଘୁଣୀର ବନ୍ଦୋବସ୍ତ କର ’’)।
କ୍ରମଶଃ ବୃଦ୍ଧି ପାଉଥିବା କ୍ରୋଧ ଏବଂ ଜନତାଙ୍କ ଚାପ ଜଙ୍ଗଲ ଅଧିକାରୀମାନଙ୍କୁ ଚିନ୍ତାରେ ପକାଇ ଦେଲା, ଟି୧ ବା ଅବନୀ(ପୃଥିବୀ) ଭାବରେ ଜଣାଶୁଣା ଏହି ବାଘୁଣୀକୁ ଧରିବା କିମ୍ବା ମାରିବା ପାଇଁ ବ୍ୟସ୍ତ ହୋଇଉଠିଲେ। ଏହା ଏକ ଜଟିଳ ଏବଂ କଷ୍ଟକର ଅଭିଯାନରେ ପରିଣତ ହେଲା। ଏଥିରେ ୨୦୦ ଜଙ୍ଗଲ ରକ୍ଷକ, ଟ୍ରାକର୍, ସାର୍ପ ସୁଟର୍, ମହାରାଷ୍ଠ୍ର ଜଙ୍ଗଲ ବିଭାଗର ଶୀର୍ଷ ଅଧିକାରୀ ଏବଂ କେନ୍ଦ୍ର ଭାରତର ବହୁ ସଂଖ୍ୟକ ବିଶାରଦ ପ୍ରମୁଖ ଏଥିରେ ସଂଶ୍ଲିଷ୍ଟ ହେଲେ। ସମସ୍ତେ ୨୪ ଘଣ୍ଟିଆ ଅଭିଯାନ ପାଇଁ ଶିବିର ପକାଇଲେ ଯାହାକି ଟି୧କୁ ହତ୍ୟା କରିବା ସହ ନଭେମ୍ବର ୨ ତାରିଖରେ ଶେଷ ହେଲା।
(ଦେଖନ୍ତୁ ଇନ୍ ଟାଇଗ୍ରେସ୍ ଟି୧ ଟେରିଟୋରୀ: କ୍ରୋନିକିଲ୍ ଅଫ୍ ଏ କିଲିଂ ଏବଂ ‘ହ୍ୱେନ୍ ଆଇ ସି ହିମ୍ ବ୍ୟାକ୍ ହୋମ୍ , ଆଇ ଥ୍ୟାଙ୍କ ଦି ଟାଇଗର୍)
୨୦୧୬ ମସିହା ମଧ୍ୟଭାଗରୁ ଆରମ୍ଭ କରି ଏ ମଧ୍ୟରେ ବାଘୁଣୀ ଅନେକଙ୍କୁ ହତ୍ୟା କରିଛି। ତା’ ହେଲେ ଏହି ଦୁଇବର୍ଷରେ ତାକୁ ସନ୍ଦେହ କରି ନଥିବା କେଉଁମାନେ ତା’ର ଶୀକାର ହୋଇଛନ୍ତି।








