ବିଲ ମଝିରେ ଏକ ପାଞ୍ଚ ଫୁଟରେ ଦଶ ଫୁଟ ପିଣ୍ଡିରେ ଏକ ଛୋଟ ଫଳକ ଲାଗିଛି । ସେଥିରେ ଲେଖା ହୋଇଛି : ‘ଚେତନ ଦାଦାରାଓ ଖୋବ୍ରାଗୋଡ଼େ। ଜନ୍ମ: ୮/୮/୧୯୯୫। ମୃତ୍ୟୁ: ୧୩/୫/୧୮’। ଯେଉଁ ସ୍ଥାନରେ ଗୋଟିଏ ବାଘ ଦ୍ୱାରା ତାଙ୍କ ପୁଅ ନିହତ ହୋଇଥିଲା ସେହି ସ୍ଥାନରେ ତାଙ୍କ ପିତାମାତା ଏହି ସ୍ମାରକଟି ନିର୍ମାଣ କରିଛନ୍ତି।
୨୩ ବର୍ଷ ବୟସ୍କ ଚେତନ ନିଜ ବଡ଼ ଭଉଣୀ ପାୟଲଙ୍କ ବିବାହ ପାଇଁ ଅପେକ୍ଷା କରିଥିଲେ, ଏହାପରେ ନିଜ ବିବାହ ବିଷୟରେ ଯୋଜନା କରୁଥିଲେ। ୨୫ ବର୍ଷିୟା ପାୟଲ୍ କୁହନ୍ତି, ‘‘ ଆମେ ଜାଣିଥିଲୁ ଗୋଟେ ବାଘ ଆମ ଆଖପାଖରେ ରହୁଛି। କିନ୍ତୁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲୁ ସେ ଗୋଟିଏ ବାଘ ଦ୍ୱାରା ମୃତ୍ୟୁ ବରଣ କରିବ ତାହା ପୁଣି ଆମ ନିଜ ଜମିରେ। ’’
ତାହା ମେ’ ମାସର ଏକ ଗରମ ଦିନ ଥିଲା। ପ୍ରାୟ ସଂଧ୍ୟା ୬ଟା ହୋଇଥିଲା। ଚେତନ ନିଜ ଗାଈମାନଙ୍କ ପାଇଁ ସବୁଜ ଘାସ ଆଣିବାକୁ ଆମ୍ଗାଓଁ ଗ୍ରାମରେ ନିଜ ଜମିକୁ ଯାଇଥିଲା। କିନ୍ତୁ ଯେତେବେଳେ ସେ ୭ଟା ପର୍ଯ୍ୟନ୍ତ ଘରକୁ ଫେରିଲାନି ସେତେବେଳେ ତା’ର ସବା ସାନଭାଇ ୧୭ ବର୍ଷ ବୟସ୍କ ସାହିଲ୍ ଏବଂ ସେମାନଙ୍କର ସମ୍ପର୍କୀୟ ଭାଇ ବିଜୟ ତାକୁ ଖୋଜିବାକୁ ବାହାରିଲେ। ସେମାନେ ଦେଖିଲେ ଚେତନର ଦା’ ତଳେ ପଡ଼ିଛି। ପରିବାରର ୫ ଏକର ଜମି ରାସ୍ତା ଆରପଟେ ସେମାନଙ୍କ ଘର ଠାରୁ ମାତ୍ର ୫୦୦ ମିଟର ଦୂର, ଏହା ପରେ ଶୁଖିଲା ଏବଂ ପତ୍ରଝଡ଼ା ଦେଇଥିବା ଶାଗୁଆନ ଏବଂ ବାଉଁଶ ଜଙ୍ଗଲ।
ସେ ଦୁହେଁ ଚିତ୍କାର କଲେ, ‘‘ୱାଘ୍, ୱାଘ୍ [ ବାଘ, ବାଘ]’’ ଏବଂ ସାହାଯ୍ୟ ପାଇଁ ଅନ୍ୟମାନଙ୍କୁ ଡାକ ପକାଇଲେ। ଅଳ୍ପ କିଛି ଦୂରରେ, ଗୋଖାଦ୍ୟ ଫସଲ କଦ୍ୟାଲୁର ସବୁଜ କିଆରୀ ମଧ୍ୟରେ ଚେତନର କଦର୍ଯ୍ୟ ଭାବରେ କ୍ଷତବିକ୍ଷତ ଶରୀର ପଡ଼ିଥିଲା। ସେ ଏକ ବାଘ ଦ୍ୱାରା ନିହତ ହେଲା ଯିଏ ଆଖପାଖରେ ରହୁଥିଲା ବୋଲି ସାରା ଗାଁ ଜାଣିଥିଲା।
ବିଜୟ କହିଥିଲେ, ‘‘ସେ ବାଘ ଜଙ୍ଗଲ ଆଡ଼କୁ ଯାଉଥିବାର ଆମେ ଦେଖିଲୁ।’’ ସେ ଜମିକୁ ଲାଗିଥିବା ଜଙ୍ଗଲର ଅଂଶ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ। ସେ ମନେ ପକାଇ କହିଥିଲେ, ଏହା ଏକ ବଡ଼ ବାଘ ଥିଲା, ବୋଧହୁଏ ସେ ଭୋକିଲା ଏବଂ ଶୋଷିଲା ଥିଲା।
ସାଧାରଣ ଭୂମିର ସଂକୋଚନ
ଜଣେ ଯୁବକ ଯିଏ ଏହି ଛୋଟ ଗୋଷ୍ଠିଟିର ସାମାଜିକ ଏବଂ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକର ନେତୃତ୍ୱ ନେଉଥିଲେ, ତାଙ୍କର ମୃତ୍ୟୁ ଆମଗାଓଁ (ସ୍ଥାନୀୟ ଲୋକେ ଏହାକୁ ଆମଗାଁଓ ଜଙ୍ଗଲୀ କୁହନ୍ତି)ର ଲୋକମାନଙ୍କୁ ଏକ ଭୟଭୀତ ଏବଂ ଦୁଖଦ ନୀରବତା ଭିତରେ ବୁଡ଼ାଇ ଦେଇଛି। ଏପରିକି ଯେତେବେଳେ ବର୍ଷା ଆସୁଛି ସେତେବେଳେ ମଧ୍ୟ ଜମି ପଡ଼ିଆ ପଡ଼ୁଛି - ଲୋକେ ଜମିକୁ ଯାଉନାହାନ୍ତି।
ୱାର୍ଦ୍ଧା ଜିଲ୍ଲାର ସେଲୁ ତାଲୁକାର ଏହି ଗାଁ ବୋର୍ ବ୍ୟାଘ୍ର ଅଭୟାରଣ୍ୟର ବଫର୍ ଜୋନ୍ରେ ଅଛି। ବଫର୍ରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ଗୋଚର କିମ୍ବା ସାଧାରଣ ଭୂମିର ବ୍ୟବହାର ଏବଂ ନିର୍ମାଣ ଓ ପଶୁଚାରଣ ଉପରେ କଟକଣା ଅଛି। ଏହା ସଂରକ୍ଷିତ ଜଙ୍ଗଲର କେନ୍ଦ୍ରୀୟ (କିମ୍ବା ଅନତି କ୍ରମଣୀୟ) ଅଞ୍ଚଳ ଯେଉଁଠାରେ ମନୁଷ୍ୟର ପ୍ରବେଶ ଜଙ୍ଗଲ ବିଭାଗ ଦ୍ୱାରା ନିୟନ୍ତ୍ରିତ ଏବଂ ଜଙ୍ଗଲି କ୍ଷେତ୍ର ବା ବଫର୍ ବାହାରେ ଯେଉଁଠାରେ ଗ୍ରାମଗୁଡ଼ିକ ଥାଏ।
ବୋର୍ ସଂରକ୍ଷିତ ଜଙ୍ଗଲ ଦେଶର ନୂତନତମ ଏବଂ କ୍ଷୁଦ୍ରତମ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଅନ୍ୟତମ। ଏହା ନାଗପୁରଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅଛି। ୨୦୧୪ ମସିହା ଜୁଲାଇ ମାସରେ ଏହା ଏକ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ର ହେଲା ଏବଂ ମାତ୍ର ୧୩୮ ବର୍ଗ କିଲୋମିଟର ପରିମିତ।












