ରାଜୁ ଚୌଧୁରୀ ଜଣେ ବହୁରୂପି। ବର୍ତ୍ତମାନ ତାଙ୍କ ବୟସ ୪୦। ସେ ୧୪ ବର୍ଷ ବୟସରୁ ପ୍ରଦର୍ଶନ କରି ଆସୁଛନ୍ତି। ସେ କହନ୍ତି, “ମୁଁ ଦୀର୍ଘ ବର୍ଷ ଧରି ଏହା କରି ଆସୁଛି। ମୋ ପୂର୍ବଜମାନେ ବହୁରୂପି ଥିଲେ, ମୋ ପିଲାମାନେ ମଧ୍ୟ ... ”
ରାଜୁ ବେଡିଆ ସଂପ୍ରଦାୟର। ବେଡିଆ ସଂପ୍ରଦାୟ ହେଉଛି ଏକ ଅନୁସୂଚିତ ଜନଜାତି। ପଶ୍ଚମବଙ୍ଗରେ ବାସ କରୁଥିବା ବିଭିନ୍ନ ଜନଜାତିର ମୋଟ ସଂଖ୍ୟାର ୫.୮ ପ୍ରତିଶତ ହେଉଛନ୍ତି ବେଡ଼ିଆ ସଂପ୍ରଦାୟର (୨୦୧୧ ଜନଗଣନା ଅନୁସାରେ)। ବୀରଭୂମ ଜିଲ୍ଲା ଲବପୁର ବ୍ଳକର ବିଷୟପୁର ଗାଁରେ ତାଙ୍କ ଘର। ଏହି ଗାଁରେ ପ୍ରାୟ ୪୦ଟି ବେଡ଼ିଆ ପରିବାର ବସବାସ କରନ୍ତି।
ଏଠାରେ ଚିତ୍ରିତ ହୋଇଥିବା ଭିଡ଼ିଓରେ ରାଜୁ ତାରା ସୁନ୍ଦରୀ ବେଶ ହୋଇଛନ୍ତି। ତାରା ସୁନ୍ଦରୀ ଏକ କଳ୍ପନିକ ଚରିତ୍ର। ସ୍ଥାନୀୟ ଅଞ୍ଚଳର ଲୋକକଥା ଅନୁସାରେ ତାରା ସୁନ୍ଦରୀ ହେଉଛନ୍ତି ଦେବୀ କାଳୀଙ୍କର ଏକ ରୂପ। ଏହି ଚରିତ୍ର ଭିତରେ ସେ ବୁର୍ଦ୍ୱାନର ରାଜାଙ୍କ କାହାଣୀ ବର୍ଣ୍ଣନା କରନ୍ତି। ଏଥିପାଇଁ ତାଙ୍କର କୌଣସି ପୂର୍ବ ପ୍ରସ୍ତୁତି ନଥାଏ। କିଛି ସାଙ୍ଗୀତିକ ପଦ ଏବଂ କିଛି ମନଗଢା ଶବ୍ଦରେ ସେ କାହାଣୀ କହନ୍ତି । ଏସବୁ ପ୍ରାୟ ବେଙ୍ଗଲୀ ଭାଷାର। ମେ ମାସର ୪୦ ଡିଗ୍ରୀ ସେଲସିୟସ ଖରାରେ ପାଦରେ ଘୁଙ୍ଗୁର ପିନ୍ଧି ନାଚନ୍ତି ଏବଂ ସବୁ ଶକ୍ତି ଖଟାଇ ଖୁବ୍ ଉଚ୍ଚାଙ୍ଗ ସ୍ୱରରେ ଗୀତ ଗଆନ୍ତି। (୨୦୧୭ ଯେତେବେଳେ ଏହି ଫିଲ୍ମଟି ତାଙ୍କ ଗାଁରେ ସୁଟିଂ ହୋଇଥିଲା) ଗୀତ ଆଉ ନୃତ୍ୟରେ ଲୟ ରକ୍ଷା କରିବାକୁ ହାତରେ ବେତ ବାଡ଼ି ଖଣ୍ଡେ ଧରିଥାନ୍ତି।




