ଫାଆ..ଟ୍ !
ଏକ ଟୁପକୀରୁ ଫୁଟା ଯାଉଥିବା ପେଙ୍ଗ ଫଳ ଗୁଳିରୁ ଏମିତି ଶବ୍ଦ ବାହାରିଥାଏ। ଛତିଶଗଡ଼ର ଜଗଦଲପୁର ସହରରେ ଅନୁଷ୍ଠିତ ହେଉଥିବା ଗୋଞ୍ଚା ପର୍ବରେ ସେମାନେ ସମସ୍ତେ ମିଶି ପାରମ୍ପରିକ ତୋପ ସଲାମୀ ପ୍ରଦାନ କରିଥାନ୍ତି।
ଟୁପକୀ ହେଉଛି ଏକ ‘ବନ୍ଧୁକ’ ଯେଉଁଥିରେ ଏକ ବାଉଁଶ ନଳି ଲାଗିଥାଏ ଏବଂ ଏଥିରେ ଜଙ୍ଗଲୀ ଫଳ ପେଙ୍ଗ କୁ ଗୁଳି ଭାବେ ବ୍ୟବହାର କରାଯାଏ। ଏହି ଲୋକପ୍ରିୟ ପର୍ବରେ ପ୍ରଭୁ ଜଗନ୍ନାଥଙ୍କ ରଥ ଚାରି ପାଖରେ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ‘ବନ୍ଧୁକ’ରୁ ଗୁଳି ଫୁଟାଯାଏ। ଜୁଲାଇ ମାସରେ, ଅନୁଷ୍ଠିତ ହେଉଥିବା ଏହି ପର୍ବ ରାଜ୍ୟର ବସ୍ତର କ୍ଷେତ୍ରରୁ ହଜାର ହଜାର ଲୋକଙ୍କୁ ଆକୃଷ୍ଟ କରିଥାଏ।
‘‘ନିକଟସ୍ଥ ଗାଁର ଲୋକମାନେ ଗୋଞ୍ଚା ପର୍ବରେ ସାମିଲ ହେବାକୁ ଆସନ୍ତି ଏବଂ ନିଶ୍ଚିତ ଭାବେ ଏକ ଟୁପକୀ କିଣିଥାନ୍ତି,’’ ଜଗଦଲପୁର ବାସିନ୍ଦା ବନମାଳୀ ପାଣିଗ୍ରାହୀ କୁହନ୍ତି । ଶୋଭାଯାତ୍ରାରେ ଟୁପକୀ ବ୍ୟବହାର କରିବାର ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା ତାଙ୍କର ମନେ ନାହିଁ ।
ପେଙ୍ଗ ନାମକ ସେହି ଗୁଳି ଏକ ଗୋଲ ସବୁଜ-ହଳଦିଆ ଫଳ ଯାହାକି ନିକଟବର୍ତ୍ତୀ ଜଙ୍ଗଲରେ ଦେଖିବାକୁ ମିଳୁଥିବା ଏକ ଲମ୍ବା ଲତା ମାଲକାନଗିନି (ସେଲାଷ୍ଟ୍ରସ ପାନିକୁଲେଟସ ୱାଇଲ୍ଡ)ରେ ଫଳିଥାଏ।
ପୁରୀରେ ମଧ୍ୟ ଗୋଞ୍ଚା ଉତ୍ସବ ପାଳନ କରାଯାଇଥାଏ, କିନ୍ତୁ ଟୁପକୀ ଏବଂ ପେଙ୍ଗୀ ସାହାଯ୍ୟରେ ସଲାମୀ ଦିଆଯିବାର ଅଭିନବ ପରମ୍ପରା କେବଳ ବସ୍ତର କ୍ଷେତ୍ରରେ ଦେଖିବାକୁ ମିଳେ। ଏକଦା ଜଙ୍ଗଲରେ ଜଙ୍ଗଲୀ ପଶୁଙ୍କୁ ଘଉଡ଼ାଇବା ପାଇଁ ଏହି ବାଉଁଶର ‘ବନ୍ଧୁକ’ ଉପଯୋଗ କରାଯାଉଥିଲା।









