“ଚାଷୀ ଭାବେ ମୋର ୨୧ ବର୍ଷ ଜୀବନ କାଳରେ ମୁଁ କେବେ ମଧ୍ୟ ଏଭଳି ସଙ୍କଟର ସମ୍ମୁଖୀନ ହୋଇନାହିଁ” ବୋଲି ଏ.ସୁରେଶ କୁମାର, ଚିଥରକାଦୁ ଗ୍ରାମର ଜଣେ ତରଭୁଜ ଚାଷୀ କୁହନ୍ତି । ଏହି ଅଞ୍ଚଳର ଅନ୍ୟ ଚାଷୀମାନଙ୍କ ଭଳି ୪୦ବର୍ଷ ବୟସ୍କ କୁମାର ମୁଖ୍ୟତଃ ଧାନ ଚାଷ କରନ୍ତି କିନ୍ତୁ ତାମିଲନାଡୁର ଚେଙ୍ଗଲପଟ୍ଟୁ ଜିଲ୍ଲାର ଚିଥାମୁର୍ ବ୍ଲକ୍ରେ ଅବସ୍ଥିତ ୧,୮୫୯ ଜନସଂଖ୍ୟା ବଶିଷ୍ଟ ତାଙ୍କ ଗ୍ରାମରେ ସେ ଶୀତ ଦିନରେ ତାଙ୍କର ନିଜସ୍ୱ ପାଞ୍ଚ ଏକର୍ ଜମି ଓ ତାଙ୍କ ବନ୍ଧୁ ଓ ପରିବାର ଠାରୁ ଲିଜ୍ରେ ନେଇଥିବା ୧୮.୫ ଏକର୍ ଜମିରେ ତରଭୁଜ ଚାଷ କରନ୍ତି ।
“ତରଭୁଜଗୁଡିକ ୬୫-୭୦ ଦିନ ମଧ୍ୟରେ ପ୍ରସ୍ତୁତ ହୋଇଯାଏ । ମାର୍ଚ୍ଚ ୨୫ରେ ତାଲାବନ୍ଦ ପାଇଁ ଘୋଷଣା ହେବା ବେଳକୁ ଆମେ ସମସ୍ତେ ଫଳଗୁଡିକୁ ଅମଳ କରିବାକୁ ଓ ତାମିଲ୍ନାଡୁ, ବେଙ୍ଗାଲୁରୁ ଓ କର୍ଣ୍ଣାଟକର ଅନ୍ୟ ଭାଗକୁ ପଠେଇବାକୁ ପ୍ରସ୍ତୁତ ହୋଇ ସାରିଥିଲୁ” ବୋଲି ସେ କୁହନ୍ତି । “ବର୍ତ୍ତମାନ ସେଗୁଡିକ ପଚିବାକୁ ଆରମ୍ଭ ହେଲାଣି । ସାଧାରଣତଃ ଟନ୍ ପିଛା ଆମକୁ କ୍ରେତାମାନଙ୍କ ଠାରୁ ୧୦,୦୦୦ଟଙ୍କା ମିଳିଥାଏ କିନ୍ତୁ ଏହି ବର୍ଷ କେହି ମଧ୍ୟ ଆମକୁ ୨୦୦୦ଟଙ୍କାରୁ ଅଧିକ ଦେବା ପାଇଁ ରାଜି ହେଉନାହାନ୍ତି ।’’
ତାମିଲନାଡୁରେ ତାମିଲ୍ କ୍ୟାଲେଣ୍ଡର ଅନୁସାରେ କେବଳ ମରଗାଝି ଓ ଥାଇ ମାସରେ ତରଭୁଜ ଫସଲ ପାଇଁ ବୀଜ ରୋପଣ କରାଯାଏ, ଯାହା ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ପ୍ରାୟତଃ ଡିସେମ୍ବରରୁ ଫେବୃଆରି ମାସ ପର୍ଯ୍ୟନ୍ତ ସମୟକୁ ବୁଝାଇଥାଏ। ଏହି ଋତୁରେ ଏହି ଅଞ୍ଚଳରେ ଏହାର ଭଲ ବୃଦ୍ଧି ହୋଇଥାଏ ଓ ଅତି ଉତ୍ତପ୍ତ ଦାକ୍ଷିଣାତ୍ୟର ଗ୍ରୀଷ୍ମ ଋତୁ ଆରମ୍ଭ ହେବା ବେଳକୁ ଫସଲ ଅମଳ କରିବାକୁ ପ୍ରସ୍ତୁତ ହୋଇଯାଏ । ତରଭୁଜ ଉତ୍ପାଦନକାରୀ ରାଜ୍ୟମାନଙ୍କ ମଧ୍ୟରେ ତାମିଲ୍ନାଡୁ ଅଷ୍ଟମ ସ୍ଥାନରେ ରହିଛି ଯେଉଁଠାରେ ୬.୯୩ ହଜାର ହେକ୍ଟର ଜମିରେ ୧୬୨.୭୪ ହଜାର ମେଟ୍ରିକ୍ ଟନ୍ ଫଳ ଉତ୍ପାଦନ କରାଯାଏ ।
“ମୁଁ ମୋର ଜମିରେ ଏପରି ଭାବେ ଗଛ ଲଗେଇଛି ଯେପରିକି ମୋ ଜମିର ବିଭିନ୍ନ ଅଂଶରେ ପ୍ରତି ଦୁଇ-ସପ୍ତାହ ବ୍ୟବଧାନରେ ଫସଲ ପାଚିବ । ଯଦି ସେଗୁଡିକ ପ୍ରସ୍ତୁତ ହୋଇସାରିବାର ଅଳ୍ପ ଦିନ ମଧ୍ୟରେ ଆପଣ ସେଗୁଡିକୁ ଅମଳ କରିବେ ନାହିଁ ତାହାହେଲେ ଫଳଗୁଡିକ ନଷ୍ଟ ହୋଇଯିବ, ବୋଲି କୁମାର କୁହନ୍ତି (ଶୀର୍ଷରେ ପ୍ରଚ୍ଛଦ ଫଟୋରେ) । “ଆମକୁ ତାଲାବନ୍ଦ ବିଷୟରେ କିଛି କୁହାଯାଇ ନଥିଲା, ଏଣୁ ଯେତେବେଳେ ମୋର ପ୍ରଥମ ଅମଳ ପ୍ରସ୍ତୁତ ହୋଇଗଲା (ମାର୍ଚ୍ଚର ଶେଷ ସପ୍ତାହରେ) ସେତେବେଳେ ଏହାକୁ କିଣିବା ପାଇଁ କୌଣସି କ୍ରେତା ବା ଏହି ବୋଝକୁ ପରିବହନ କରିବା ପାଇଁ କୌଣସି ଟ୍ରକ୍ ଡ୍ରାଇଭର୍ ଉପଲବ୍ଧ ହେଲେ ନାହିଁ ।
କୁମାରଙ୍କ ହିସାବ ମୁତାବକ ଚିଥାମୁର ବ୍ଲକ୍ରେ ପ୍ରାୟ ୫୦ଜଣ ତରଭୁଜ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ ସେମାନଙ୍କ ଫଳଗୁଡିକୁ ପଚିବାକୁ ଛାଡିଦେବାକୁ ବା ସେମାନଙ୍କ ଅମଳ ପାଇଁ ଅତି ନିମ୍ନ ମୂଲ୍ୟ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ।





