ଜୁଲାଇ ମାସ ଶେଷ ସୁଦ୍ଧା ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ସାତନଲା ଜଳଭଣ୍ଡାର ପୂର୍ଣ୍ଣ ହୋଇଯାଇଥିଲା। କରାଞ୍ଜି ଗ୍ରାମର କୃଷକମାନେ ଖୁସି ହୋଇଗଲେ। ଆଶା କଲେ ସେମାନେ ଉଭୟ ଖରିଫ ଏବଂ ରବି ଋତୁ ପାଇଁ ସେମାନଙ୍କ ଫସଲକୁ ଜଳସେଚିତ କରିପାରିବେ। କିନ୍ତୁ ଅଗଷ୍ଟ ୧୬ ଏବଂ ୧୭ ତାରିଖରେ ଭୀଷଣ ବର୍ଷା ହୋଇଥିଲା, ପ୍ରାୟ ୨୦୦ ମିଲିମିଟର ବର୍ଷା। ଏହା ସାତନଳା ନଦୀର ଜଳଭଣ୍ଡାରରେ ଉପର ଏବଂ ତଳମୁଣ୍ଡରେ ଥିବା କେନାଲଗୁଡ଼ିକର କୂଳରେ ଥିବା ଜମିଗୁଡ଼ିକୁ ପ୍ଲାବିତ କରିଦେଲା। ଏହି ସାତନଲା ପେଙ୍ଗାଙ୍ଗାର ଏକ ଶାଖା ନଦୀ ଯାହାକି କ୍ରମଶଃ ଗୋଦାବରୀରେ ମିଶିଛି। ଏହି ବନ୍ୟା ଫସଲ ଧୋଇନେଲା- ମୁଖ୍ୟତଃ କପା, କିଛି ସୋୟାବିନ। ଏହା କେବଳ ଗୋଡ଼ି ଏବଂ ବାଲି ଚାଷ ଜମିରେ ଛାଡ଼ି ଦେଇଗଲା।
ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଆଦିଲାବାଦରେ ସ୍ୱାଭାବିକ ବର୍ଷାଠାରୁ ୪୪ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ସାଧାରଣତଃ ଏହି ମାସମାନଙ୍କରେ ପ୍ରାୟ ୮୮୦ ମିଲିମିଟର ବର୍ଷା ହୋଇଥାଏ। ଗତ ବର୍ଷ ଏହି ମାସମାନଙ୍କରେ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୭ ପ୍ରତିଶତ କମ୍ ବର୍ଷା ହୋଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗର ତଥ୍ୟରୁ ଜଣାପଡିଛି। ତେଣୁ ୨୦୧୭ ଅଧିକାଂଶ ଚାଷୀଙ୍କ ପାଇଁ ନିମ୍ନ-ଆୟ ବର୍ଷ ହୋଇଥିବା ବେଳେ ୨୦୧୮ ଏ ପର୍ଯ୍ୟନ୍ତ ଏକ ଶୂନ୍ୟ-ଆୟ ସମୟ ହୋଇଛି। ସେମାନଙ୍କ ମଧ୍ୟରେ ଜୈନାଦ ମଣ୍ଡଳରେ କରାଞ୍ଜିର କୁନ୍ତାଓ୍ୱାର ସଙ୍ଗୀତା ଅଛନ୍ତି। ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୧୩୬୦। ସାତନଳା ଡ୍ୟାମ୍ର ତଳ ମୁଣ୍ଡରେ ଏହା ଅଛି। ଗତ ଜୁନ୍ମାସରେ ସେ ଏବଂ ତାଙ୍କ ସ୍ୱାମୀ ଗଜାନନ ସେମାନଙ୍କର ପ୍ରଥମ କପା ଫସଲ ଲଗାଇଥିଲେ। ଏହା ସେମାନେ ୨୦୧୯ ଜାନୁଆରୀ-ଫେବୃଆରୀରେ ଅମଳ କରିବାର ଆଶା କରିଥିଲେ।
ନିଜ ଜମିରେ ପ୍ରଥମ ମଞ୍ଜି ବୁଣିବା ପୂର୍ବରୁ ସଙ୍ଗୀତା ଜଣେ କୃଷି ଶ୍ରମିକ ଥିଲେ। ଗଜାନନ ମଧ୍ୟ ବାର୍ଷିକ ୮୬,୦୦୦ଟଙ୍କା ମଜୁରୀରେ ଜଣେ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ସେ କାମ କରୁଥିବା ଜମି ମାଲିକଙ୍କର ସର୍ତ୍ତ ଥିଲା ସଙ୍ଗୀତା ମଧ୍ୟ ସେହି ଜମିରେ କାମ କରିବେ। ତାଙ୍କ କାର୍ଯ୍ୟ ଦିବସଗୁଡ଼ିକ ଅସ୍ଥିର ଥିଲା ଏବଂ ସେ ଦିନକୁ ୧୨୦ଟଙ୍କା ରୋଜଗାର କରୁଥିଲେ। ସେ କୁହନ୍ତି, ‘‘ଆମେ ଗତ ୩ବର୍ଷ ଜଣେ ମାଲିକ (ଜମି ମାଲିକ) ସହ କାମ କରିଥିଲୁ।’’ ଯେତେବେଳେ ସେମାନେ କାମ ପାଆନ୍ତି ନାହିଁ, ଏମ୍ଜିଏନ୍ଆର୍ଇଜିଏସ୍ ଜରିଆରେ ମଜୁରିଆ ଶ୍ରମିକ ଭାବରେ କାମ କରିବା ସାହାଯ୍ୟ କରିଥିଲା। ଗଜାନନ କୁହନ୍ତି, ‘‘ନହେଲେ ମୁଁ ଟ୍ରାକ୍ଟରକୁ ବାଲି ଲୋଡ୍ କରେ ଏବଂ ଅନଲୋଡ୍ କରେ [ଜଣେ ଘରୋଇ ଠିକାଦାର ପାଇଁ ପେଙ୍ଗାଙ୍ଗାରୁ]’’।








