କିଛି ବର୍ଷ ପୂର୍ବରୁ ଗୋଟିଏ ଏକର ଜମିରେ କିଏ ଅଧିକ ଆଖୁ ଫସଲ ଅମଳ କରିପାରିବ ତା’କୁ ନେଇ ମହାରାଷ୍ଟ୍ରର ହାଟକାନଙ୍ଗଲେ ତାଲୁକାର ଖୋଚି ଗ୍ରାମରେ ଥିବା ଚାଷୀମାନେ ପରସ୍ପରର ସହ ପ୍ରତିଯୋଗିତା କରୁଥିଲେ। ଗାଁ ଲୋକମାନେ କୁହନ୍ତି ଯେ ଏହି ପରମ୍ପରା ପ୍ରାୟ ଛଅ ଦଶନ୍ଧି ଧରି ଚାଲି ଆସୁଥିଲା। ଏହା ଏକ ପ୍ରକାରର ସୁସ୍ଥ ପ୍ରତିଯୋଗିତା ଥିଲା। ଏଥିରେ ସମ୍ପୃକ୍ତ ରହୁଥିବା ପ୍ରତ୍ୟେକ ଚାଷୀଙ୍କୁ ବେଶ ଭଲ ଅମଳ ମିଳୁଥିଲା। କିଛି ଚାଷୀ ଗୋଟିଏ ଏକର ଜମିରୁ ୮୦,୦୦୦-୧୦୦,୦୦୦ କିଲୋଗ୍ରାମ ଫସଲ ଅମଳ କରୁଥିଲେ, ଯାହାକି ସ୍ୱାଭାବିକ ଅମଳଠାରୁ ପ୍ରାୟ ଦେଢ଼ ଗୁଣ ଅଧିକ ଥିଲା।
ହେଲେ ୨୦୧୯ ଅଗଷ୍ଟ ମାସରେ ଆସିଥିବା ବନ୍ୟା ଏହି ପରମ୍ପରାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲା। ଏହି ବର୍ଷ ପ୍ରାୟ ୧୦ ଦିନ ଧରି ଗାଁର ଅଧିକାଂଶ ଭାଗ ବନ୍ୟା ଜଳରେ ବୁଡ଼ି ରହିଥିଲା, ଫଳରେ ଗାଁ ଲୋକଙ୍କ ଆଖୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଦୁଇ ବର୍ଷ ପରେ, ଜୁଲାଇ ୨୦୨୧ରେ, ଆସିଥିବା ପ୍ରବଳ ବର୍ଷା ଏବଂ ବନ୍ୟା ପୁଣିଥରେ ଖୋଚି ଗ୍ରାମର ଆଖୁ ଓ ସୋୟାବିନ ଫସଲକୁ ବ୍ୟାପକ ଭାବେ ନଷ୍ଟ କରି ଦେଇଥିଲା।
‘‘ଏବେ, ଚାଷୀମାନେ ଆଉ ପରସ୍ପର ସହ ପ୍ରତିଯୋଗିତା କରୁନାହାନ୍ତି, ବରଂ ସେମାନଙ୍କ ଆଖୁ ଫସଲର ଅତିକମ୍ରେ ଅଧା ଭାଗ ସୁରକ୍ଷିତ ରହୁ ବୋଲି ପ୍ରାର୍ଥନା କରୁଛନ୍ତି’’, ଖୋଚି ଗ୍ରାମର ଭାଗ ଚାଷୀ ଗୀତା ପାଟିଲ (୪୨) କୁହନ୍ତି। ଆଖୁ ଅମଳ ବଢ଼ାଇବା ଲାଗି ସବୁ ଜ୍ଞାନକୌଶଳ ଜାଣିଛନ୍ତି ବୋଲି ଗୀତା ଏକଦା ବିଶ୍ୱାସ କରୁଥିଲେ, କିନ୍ତୁ ଗତ ଦୁଇଟି ବନ୍ୟାରେ ସେ ୮ ଲକ୍ଷ କିଲୋଗ୍ରାମରୁ ଅଧିକ ଆଖୁ ଫସଲ ହରାଇଛନ୍ତି। ‘‘କିଛି ଭୁଲ ହୋଇଯାଇଛି,’’ ସେ କୁହନ୍ତି। ଜଳବାୟୁ ପରିବର୍ତ୍ତନକୁ ସେ ଦାୟୀ କରି ପାରିନଥିଲେ।
‘‘ବୃଷ୍ଟିପାତର ସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି (୨୦୧୯ ବନ୍ୟା ପରଠାରୁ),’’ ସେ କୁହନ୍ତି। ୨୦୧୯ ପର୍ଯ୍ୟନ୍ତ ତାଙ୍କର ଏକ ବ୍ୟବସ୍ଥିତ କାର୍ଯ୍ୟଧାରା ରହିଥିଲା। ପାଖାପାଖି ଅକ୍ଟୋବର-ନଭେମ୍ବର ମାସ ବେଳକୁ, ଆଖୁ ଅମଳ ପରେ, ସେ ଜମିରେ ବିଭିନ୍ନ ପ୍ରକାର ଫସଲ ଯଥା – ସୋୟାବିନ, ଭୁଇମୁଗ (ଚିନାବାଦାମ), ବିଭିନ୍ନ ପ୍ରକାରର ଧାନ, ଶାଲୁ (ହାଇବ୍ରିଡ ଯଅ) କିମ୍ବା ବାଜରା (ପର୍ଲ ମିଲେଟ୍) ଚାଷ କରୁଥିଲେ। ଏହା ଜମିର ପୋଷକ ତତ୍ତ୍ୱକୁ ବଜାୟ ରଖୁଥିଲା। ସେତେବେଳେ ତାଙ୍କ ଜୀବନ ଓ ଜୀବିକାରେ ଏକ ନିର୍ଦ୍ଧାରିତ, ପରିଚିତ ଓ ବ୍ୟବସ୍ଥିତ ଧାରା ରହିଥିଲା। ଯାହା ଏବେ ଆଉ ନାହିଁ।
‘‘ଚଳିତ ବର୍ଷ (୨୦୨୨), ମୌସୁମୀ ଗୋଟିଏ ମାସ ବିଳମ୍ବିତ ହୋଇଥିଲା। କିନ୍ତୁ ବର୍ଷା ଯେତେବେଳେ ଆରମ୍ଭ ହେଲା, ଗୋଟିଏ ମାସ ମଧ୍ୟରେ ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଥିଲା।’’ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହିଥିଲା ଏବଂ ଅଗଷ୍ଟ ମାସ ସାରା ପ୍ରବଳ ବର୍ଷା ଲାଗି ରହିଥିଲା; ଆଖୁ ଚାଷ ଆରମ୍ଭ କରିଥିବା ଚାଷୀମାନେ ବିପୁଳ କ୍ଷତି ସହିଥିଲେ କାରଣ ଜମିରେ ଅତ୍ୟଧିକ ପାଣି ଜମି ରହିବା କାରଣରୁ ଫସଲ ବଢ଼ିପାରିଲା ନାହିଁ ଓ ନଷ୍ଟ ହୋଇଗଲା। ଏପରିକି ବନ୍ୟା ଜଳସ୍ତର ଆହୁରି ବଢ଼ିବା କାରଣରୁ ଲୋକମାନଙ୍କୁ ନିଜ ଘର ଛାଡ଼ି ଚାଲିଯିବାକୁ ପଞ୍ଚାୟତ ପକ୍ଷରୁ ପରାମର୍ଶ ଦିଆଗଲା।



















