ପଟ୍ଟନାମଥିଟ୍ଟାର ସି.ଏସ୍ ଦାଥାନ କହିଲେ, ‘‘କାଦୁଅ ଶୁଖିଯିବା ପରେ ପାଲସ୍ ଧୂଳି ଉଡ଼ୁଛି ଚାରିଆଡ଼େ ପଙ୍କ କାଦୁଅର ଆବର୍ଜନାମୟ ପରିବେଶ।’’ ମୋତେ ଡାକ୍ତରୀ ମୁଖାଟିଏ ବଢାଇ ଦେଇ କହିଲେ, ‘‘ଦୟାକରି ୟାକୁ ପିନ୍ଧି ଦିଅନ୍ତୁ,’’ ଏକଥା ଦେଖି ତାଙ୍କ ପଛପଟେ ଛିଡ଼ା ହୋଇଥିବା ଜଣେ ମହିଳା ହସୁଥିଲେ। କେରଳ ବନ୍ୟାରେ ଏହି ମହିଳାଙ୍କ କ୍ଷେତ ଉଜୁଡ଼ି ଯାଇଥିଲା। ମହିଳା ଜଣଙ୍କ କହିଲେ, ‘‘ସେ ମୁମ୍ବାଇରେ ରହନ୍ତି,’’ “ପ୍ରଦୂଷଣ ପାଇଁ ସେ କଣ ଆବଶ୍ୟକ ସୁରକ୍ଷା ନେଇଛନ୍ତି?’’
କ୍ଷେତରେ ପ୍ରଳୟର ଛବି। ଯେଉଁ କ୍ଷେତରେ ଦିନେ ଲାଭଦାୟକ ଧାନ ଏବଂ ସାବୁ ଚାଷ ହେଉଥିଲା, ସେ କ୍ଷେତ ଏବେ ପୋତି ହୋଇ ଯାଇଛି। କେଉଁଠି ଇଞ୍ଚେ ତ କେଉଁଠି ଫୁଟେ ବହଳର ପଙ୍କ। ବନ୍ୟା ପାଣିରେ ସବୁ ଆବର୍ଜନା ଭାସି ଆସିଛି। ଟାଣ ଖରାରେ ଶୁଖିଗଲା ପରେ ଏଭଳି ଦିଶୁଛି, ଯେମିତି ମାଟି ଉପରେ କଞ୍ଚା ସିମେଣ୍ଟର ଏକ ଚାଦର ଢଙ୍କା ଯାଇଛି। ଏକର ଏକର ଚାଷ ଜମିରେ ଏହି ସମାନ ଦୃଶ୍ୟ।
ଜଳ ସ୍ତର ଖସି ଯାଉଛି, ଭୂପୃଷ୍ଠର ପାଣି ମାଟି ତଳକୁ ଭେଦୁନି, କୂଅ ଶୁଖି ଯାଉଛି, ତାପମାତ୍ରା ବଢୁଛି। ଭୂପୃଷ୍ଠ ଆଉ ଭୂତଳ ଜଳ ଭିତରେ ଥିବା ସମୀକରଣ ବଡ଼ ଧରଣର ପ୍ରଭାବିତ ହୋଇଛି। ନଦୀର ପର୍ଯ୍ୟାବରଣ ନାଟକୀୟ ଭାବେ ବଦଳି ଯାଇଛି। ବାଲି ଶଯ୍ୟା ଏବଂ ପଟୁ ନଷ୍ଟ ହୋଇଯିବା ଫଳରେ ନଦୀର ଏବଂ ଜଳାଶୟ ଗୁଡ଼ିକର ଜଳଧାରଣ କ୍ଷମତା କମି ଯାଇଛି। ତେଣୁ ଏହା ପରର ବିପର୍ଯ୍ୟୟ ହେଉଛି ମରୁଡି, ଯାହା କେରଳକୁ ସାମ୍ନା କରିବାକୁ ପଡ଼ିବ। ଏଭଳି ସ୍ଥିତିରେ ଚାଷକୁ ପୁଣି ଥରେ ଛିଡ଼ା କରିବା ପାଇଁ କେହି ବି ଭାବି ପାରିବେନି।
କିନ୍ତୁ କୁଡୁମ୍ବାଶ୍ରୀର ମହିଳା ଚାଷୀ ନୁହନ୍ତି।
କେରଳରେ ପ୍ରାୟ ଏକ ନିୟୁତର ଏକ ଚତୁର୍ଥାଂଶରୁ ଅଧିକ ମହିଳା ଏକ ବିଶାଳ ମହିଳା ସଂଗଠନ ସହ ସାମିଲ। କୁଡୁମ୍ବାଶ୍ରୀ(ଶିକ୍ଷିତ, ‘ପରିବାରର ସମୃଦ୍ଧି’)ର ସଦସ୍ୟ ସଂଖ୍ୟା ପ୍ରାୟ ୪.୫ ନିୟୁତ। ସବୁ ପ୍ରାପ୍ତ ବୟସ୍କା ମହିଳାଙ୍କ ପାଇଁ ସଦସ୍ୟତା ଉନ୍ମୁକ୍ତ ରହିଛି। କିନ୍ତୁ ପ୍ରତି ପରିବାରରୁ କେବଳ ଜଣେ ମହିଳା ସଦସ୍ୟ ହୋଇପାରିବେ। କେରଳର ୭୭ ଲକ୍ଷ ପରିବାର ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ପରିବାର ଏହି ସଂଗଠନର ଗୋଟିଏ ଗୋଟିଏ ଅଂଶ। କୁଡୁମ୍ବାଶ୍ରୀ ସଂଗଠନରେ ପ୍ରାୟ ୩.୨ ଲକ୍ଷ ମହିଳା ଚାଷୀ ଅଛନ୍ତି । ଏମାନେ ସଂଘ କୃଷି ନାମରେ ଗୋଷ୍ଠୀ ଗଢିଛନ୍ତି। ଏମାନେ ସଂଗଠିତ ଭାବେ ଚାଷ କରନ୍ତି।






