ଉତ୍ତର ଦିଗରେ କାଲୋ ଡଙ୍ଗର (କଳା ପାହାଡ଼ ) ଏବଂ କଚ୍ଛର ଦକ୍ଷିଣରେ ଥିବା ଗ୍ରେଟ ରାନକୁ ନେଇ ଏସିଆର ଦ୍ଵିତୀୟ ବୃହତ୍ତମ ସଂରକ୍ଷଣ ତୃଣଭୂମି ବନ୍ନି ପ୍ରାୟ ୩୮୪୭ ବର୍ଗ କିଲୋମିଟର ପରିବ୍ୟାପ୍ତ । ସିନ୍ଧୁ ନଦୀ ଏକଦା ଏ ଅଞ୍ଚଳ ଦେଇ ପ୍ରବାହିତ ହେଉଥିଲା ଏବଂ ବର୍ତ୍ତମାନର ଇରାନ, ଆଫଗାନିସ୍ତାନ, ସିନ୍ଧୁ ଏବଂ ବେଲୁଚିସ୍ତାନରୁ ଆସିଥିବା ଯାଯାବର ସମ୍ପ୍ରଦାୟୀମାନେ ଏ ଅଞ୍ଚଳରେ ଶହ ଶହ ବର୍ଷ ଧରି ବସବାସ କରୁଥିଲେ । ୧୮୧୯ ମସିହାରେ ଏକ ପ୍ରଚଣ୍ଡ ଭୂକମ୍ପ ସିନ୍ଧୁ ନଦୀର ପ୍ରବାହ ବଦଳାଇ ଦେଲା ଏବଂ ବନ୍ନି ଏକ ଶୁଷ୍କ ତୃଣଭୂମିରେ ପରିଣତ ହେଲା । କାଳକ୍ରମେ ଏହି ଗୋଷ୍ଠୀ ବାସିନ୍ଦାମାନେ ଏହି ଶୁଷ୍କ ଭୂମିକୁ ଉପଯୋଗୀ କରି ପଶୁପାଳନ ବୃତ୍ତି କଲେ ଏବଂ ଗୁଜୁରାଟର ଏହି ଚିହ୍ନିତ ତୃଣଭୂମିରେ ୪୮ଟି କ୍ଷୁଦ୍ର ଗ୍ରାମରେ ବସବାସ କରି ଆସୁଛନ୍ତି ।

ବନ୍ନି ସମ୍ପ୍ରଦାୟ, ଜାଠ, ରାବରିଶ ଏବଂ ସାମା, ଏ ସମସ୍ତେ ଜନଜାତି ଗୋଷ୍ଠୀ ଅନ୍ତର୍ଭୁକ୍ତ ଏବଂ ଏ ସମସ୍ତଙ୍କୁ “ମାଲଧାରୀ’’ କୁହାଯାଏ। କଚ୍ଛି ଭାଷାରେ "ମାଲ" ଅର୍ଥ ପଶୁକୁ ବୁଝାଏ ଏବଂ "ଧାରୀ" ଅର୍ଥ ଅଧିକାରୀ । ମାଲଧାରୀମାନେ କଚ୍ଛର ଗୋଟିଏ ଦିଗରୁ ଅନ୍ୟ ଦିଗ ପର୍ଯ୍ୟନ୍ତ ଗାଈ, ମହିଷୀ, ଓଟ, ଘୋଡା,ମେଣ୍ଢା,ଛେଳି ସବୁ ପ୍ରତିପାଳନ କରନ୍ତି । ସେମାନଙ୍କର ଜୀବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ପଶୁମାନଙ୍କୁ ନେଇକି ହୋଇଥାଏ, ଏପରିକି ସେମାନଙ୍କର ଗୀତ ମଧ୍ୟ ପଶୁ ସମ୍ବନ୍ଧୀୟ । କେତେକ ମାଲଧାରୀ ସେମାନଙ୍କର ପଶୁମାନଙ୍କର ଚରାଭୂମି ପାଇଁ କଚ୍ଛ ମଧ୍ୟରେ ଋତୁକାଳୀନ ଯାଯାବର ହୋଇଥାନ୍ତି । ଏହି ପରିବାର ସବୁ ମେ ମାସ ଠାରୁ କିମ୍ବା ସମୟ ସମୟରେ ଜୁନ କିମ୍ବା ଜୁଲାଇ ସୁଦ୍ଧା ବାହାରିଯାନ୍ତି ଏବଂ ସାଧାରଣତଃ ସେପ୍ଟେମ୍ବର ସୁଦ୍ଧା ବର୍ଷାର ସଠିକ ସମୟ ଦେଖି ଫେରି ଆସନ୍ତି ।

ମାଲଧାରୀମାନଙ୍କର ସାମାଜିକ ପ୍ରତିଷ୍ଠା, ତାଙ୍କର ପଶୁସମୁହର ଆକାର ଏବଂ ଗୁଣବତ୍ତା ସହିତ ଜଡିତ । ପ୍ରତିବର୍ଷ ସେମାନେ ନିଜର ପ୍ରତିଷ୍ଠାକୁ ଦର୍ଶାଇବା ପାଇଁ ଏକତ୍ରିତ ହୋଇ ଗୋଷ୍ଠି ଏବଂ ସାଂସ୍କୃତିକ ଉତ୍ସବ ପାଳନ ନିମିତ୍ତ ତୃଣଭୂମିରେ ଆୟୋଜନ ହୋଇଥିବା ବୃହତ୍ତମ ମେଳାକୁ ଦୁଇଦିନ ପାଇଁ ଆସନ୍ତି । ମେଳାର କାର୍ଯ୍ୟସୂଚୀ, ତାରିଖ ଆଦି ସେମାନଙ୍କର ସମ୍ପ୍ରଦାୟର ବ୍ୟକ୍ତିମାନେ ଏକତ୍ର ହୋଇ ସାଧାରଣତଃ ଡିସେମ୍ବର ଜାନୁଆରୀରେ ସ୍ଥିର କରିଥାନ୍ତି । ମେଳାରେ ସାମୟିକ ଭାବେ ଯୋଗାଇ ଦିଆଯାଇଥିବା ପାଣି ଟ୍ୟାଙ୍କରରୁ ଜଣେ ମାଲଧାରୀଙ୍କୁ ପିଇବା ପାଣି ସଂଗ୍ରହ କରୁଥିବା ଦୃଶ୍ୟ ଫୋଟୋରେ ଆପଣ ଦେଖୁଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Ritayan Mukherjee
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE