ଭଙ୍ଗା ବଙ୍ଗଳା ଭାଷାରେ ମୁରଲୀ କହିଲେ, “ସବ୍ ମାଛ ଶେଷ’’ (ସବୁ ମାଛ ଶେଷ)’’, ସେ ଉଦାସ ଥିଲେ କିନ୍ତୁ ହସୁଥିଲେ । ସେ ଆହୁରି କହିଲେ, “ସବ୍ କିଛୁ ଡିଫରେଣ୍ଟ (ସବୁ ଜିନିଷ ବଦଳିଯାଇଛି)’’ । ପୂର୍ବରୁ ଆମେ ଦୁଇବର୍ଷ ତଳେ ଜଲଧା ଗାଁ ନିକଟରେ ଥିବା ରାମନଗର ମାଛ ବଜାର ପାଖରେ ଭେଟ ହୋଇଥିବା ବେଳେ ସେବେଠାରୁ ଏବେକାର ପରସ୍ଥିତି ବଦଳିଯାଇଛି ବୋଲି ସେ କହିଲେ। ବଙ୍ଗୋପସାଗରରେ ମୁରଲୀ ଯେଉଁ ମାଛଗୁଡ଼ିକୁ ଦେଖିଥିଲେ ତାର ସଂଖ୍ୟା କମୁଛି ।
ସମୁଦ୍ର ମଝିରେ ଏକ ‘କାଳ ଜୋନ୍’ କଥା ସେ କହୁଥିଲେ । ୨୦୧୭ରେ ବୈଜ୍ଞାନିକମାନେ ଏହି ସମୁଦ୍ର ମଧ୍ୟରେ ଏକ ‘ମୃତ ଅଞ୍ଚଳ’ ବା ୬୦,୦୦୦ ବର୍ଗ କିମିର ଏକ ଜୋନ୍ ବୃଦ୍ଧି ହେଉଥିବାର ରିପୋର୍ଟ ଦେଇଥିଲେ। ସେହି ଅଞ୍ଚଳରେ ଖୁବ୍ କମ୍ ଅମ୍ଳଜାନ ଥିବାବେଳେ ସେଠାରେ ନାଇଟ୍ରୋଜେନ୍ର ସ୍ତର କମୁଛି ଏବଂ ସେଠାରେ ପ୍ରାୟ କୌଣସି ପ୍ରକାର ସାମୁଦ୍ରିକ ଜୀବ ବସବାସ କରୁନାହାନ୍ତି । ରିପୋର୍ଟ ଅନୁସାରେ ସ୍ୱାଭାବିକ ପ୍ରକ୍ରିୟା ଏବଂ ମଣିଷର ହସ୍ତକ୍ଷେପର ଏହା ଫଳାଫଳ ।
ମୁରଲୀ (ତାଙ୍କର ସାଙ୍ଗିଆ ଆମେ ଜାଣୁନାହିଁ) ଯିଏକି ବେସ୍ତା ମାଛଧରା ସଂପ୍ରଦାୟର ବାସିନ୍ଦା ସେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲ୍ଲାର ଗୋଭୁଣ୍ଡଲାପାଲେମ୍ ଗାଁ (ଜନଗଣନାରେ ଗୁଣ୍ଡଲାପାଲେମ୍ ଭାବେ ପରିଚିତ)ରେ ବଡ଼ ହୋଇଥିଲେ । ପ୍ରାୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ସେ ଅକ୍ଟୋବର-ମାର୍ଚ୍ଚ ମାସ ଯାଏ ମାଛଧରା ଋତୁରେ ବଙ୍ଗୋପସାଗର କୂଳରେ ଥିବା ପୂର୍ବ ମେଦିନାପୁର ଜିଲ୍ଲାର ରାମନଗର ବ୍ଲକର ଜାଲ୍ଧା ଗାଁକୁ ଯାଉଛନ୍ତି । ବିଗତ ବର୍ଷ ମଧ୍ୟରେ ସେ କିଛି ବଙ୍ଗଳା ଭାଷା ଶିଖିଯାଇଛନ୍ତି, ତାକୁ ସେ ହିନ୍ଦୀ ଏବଂ କିଛି ଇଂରାଜୀ ସହ ମିଶାଇ କହୁଛନ୍ତି ।
ଭାରତ, ବାଂଲାଦେଶ ଏବଂ ଶ୍ରୀଲଙ୍କା ଉପକୂଳରେ ଥିବା ଅନେକ ବନ୍ଦରରେ ମୁରଲୀଙ୍କର ପରିବାର ଏବଂ ବନ୍ଧୁମାନେ ଅଛନ୍ତି । ସେ ଖୁସିରେ କହିଲେ “ଜାଫନାରୁ ଜମ୍ବୁଦ୍ୱୀପ ଯାଏ ସମସ୍ତେ ହେଉଛନ୍ତି ପରିବାର ।’’ ସେ ମୋତେ ଏ ସଂପର୍କରେ ଅଧିକ କିଛି କହିଲେ ନାହିଁ, କିନ୍ତୁ ତାଙ୍କର ବନ୍ଧୁ ସ୍ୱପନ ଦାସଙ୍କ ସହ ପରିଚିତ କରାଇଦେଲେ-ପ୍ରାୟ ୪୦ ବର୍ଷୀୟ ମୂରଲୀ କହିଲେ “ଏଇ ଆମାର ଭାଇ (ସେ ମୋ ଭାଇ)’’ ।






