କିଛି ମାସ ପୂର୍ବର କଥା, ସନ୍ଧ୍ୟା ଯାଇ ରାତିର ଅନ୍ଧକାର ଛାଇ ଆସୁଥିବା ସମୟରେ, ଛୋଟ ଶକ୍ତିଭେଲ ନିଜ ଘର ବାହାରେ ମାଟି ଚଟାଣରେ ବସି ମୂଷା ଛୁଆ ସହିତ ଖେଳୁଥିଲା। ସେ ସେହି ପ୍ରାଣୀର ପେଟକୁ ଖୁବ ଧୀରେ ଆଙ୍ଗୁଠିରେ ଚାପି ଦେଉଥିଲା ଯାହାଫଳରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିବ, ଏହାପରେ ତା’ର ଲାଞ୍ଜକୁ ଧରି ପୁଣି ତା’କୁ ନିଜ ଆଡ଼କୁ ଟାଣି ନେଉଥିଲା। ବର୍ଷକର ପିଲା ଶକ୍ତିଭେଲ ପାଇଁ ଏହି ମୂଷା ହିଁ ଏକମାତ୍ର ଖେଳନା ଥିଲା।
ଏହି ପିଲା ଓ ତା’ର ମା’-ବାପା, ୧୯ ବର୍ଷୀୟା ଆର. ବନଜା ଏବଂ ୨୨ ବର୍ଷୀୟ ଆର. ଜନସନ, ବଙ୍ଗଳାମେଡ଼ୁ ବସ୍ତିରେ ଏକ ମାଟି ଘରେ ରହୁଥିଲେ। “ଆମେ ଖେଳନା କିଣିନଥାଉ। ନବଜାତ ଶିଶୁଙ୍କ ପାଇଁ (ବେଳେ ବେଳେ) ଝୁମୁକା କିଣି ଦେଇଥାଉ। “ମୁଁ ଭାବୁନାହିଁ ଯେ ଗାଁରେ କାହା ପାଖରେ ଖୁବ ଅଧିକ ଖେଳନା ଥିବ”, ବନଜା କୁହନ୍ତି, ଯିଏକି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମନରେଗା କ୍ଷେତ୍ରରେ କାମ କରିଥାନ୍ତି। ଅନ୍ୟପଟେ ଜନସନ ନିର୍ମାଣ ସ୍ଥଳୀ, ଇଟାଭାଟିରେ କାମ କରିଥାନ୍ତି କିମ୍ବା ତାମିଲନାଡ଼ୁର ତିରୁତ୍ତାନି ବ୍ଲକରେ ଥିବା ନିଜ ପଞ୍ଚାୟତ, ଚେରୁକ୍କନୁର ଗ୍ରାମରେ ଗଛ କାଟିଥାନ୍ତି।
“ଆମର ପିଲାମାନେ ପାଳିତ ପଶୁଙ୍କ ସହିତ ଖେଳିଥାନ୍ତି। ଆମେ ଘରେ ଠେକୁଆ, ମୂଷା, ଗୁଣ୍ଡୁଚି ମୂଷା ପାଳିଥାଉ। ଅଧିକାଂଶ ପିଲା ମୂଷା ପାଳିବାକୁ ପସନ୍ଦ କରିଥାନ୍ତି। ସେମାନଙ୍କୁ ଖୋଜିବା ମଧ୍ୟ ସହଜ। ମୋର ଠେକୁଆ ପସନ୍ଦ । ସେମାନଙ୍କର ଶରୀର କୋମଳ, କିନ୍ତୁ ଆପଣ ଠେକୁଆ ଛୁଆମାନଙ୍କୁ ଏତେ ସହଜରେ ରଖିପାରିବେ ନାହିଁ”, ବୋଲି କୁହନ୍ତି ୨୮ ବର୍ଷୀୟା ଏସ. ସୁମତୀ। ସେ ଏହି ପଡ଼ାରେ ଥିବା ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ପଢ଼ାଇଥାନ୍ତି, ସେ ମଧ୍ୟ ମନରେଗା ସ୍ଥଳୀ ଏବଂ ଇଟା ଭାଟିରେ କାମ କରିଥାନ୍ତି।
ରାଜ୍ୟର ତିରୁଭଲ୍ଲୁର ଜିଲ୍ଲାରେ ୩୫ଟି ଇରୁଲା ଆଦିବାସୀ ପରିବାରକୁ ନେଇ ଗଢ଼ି ଉଠିଥିବା ଏହି ପଡ଼ାର ପିଲାମାନଙ୍କ ମଧ୍ୟରେ ମୂଷା ଛୁଆ ବିଶେଷ ଭାବେ ଲୋକପ୍ରିୟ। (ଦେଖନ୍ତୁ, ବଙ୍ଗଲାମେଡ଼ୁରେ ପୋତି ହୋଇଥିବା ସମ୍ପତ୍ତିର ଖନନ)। ଏହି ଛୋଟ ଜୀବ କାମୁଡ଼ି ନଥାନ୍ତି ଏବଂ ଅନ୍ୟ ପାଳିତ ପଶୁଙ୍କ ଭଳି ପରିବାର ସହିତ ରହିଥାନ୍ତି। (ଏକ ଯାତ୍ରା ସମୟରେ, ମୁଁ ସେହି ମହିଳାଙ୍କୁ ଭେଟିଲି, ଯିଏକି ନିଜ ପାଳିତ ମୂଷାକୁ ତାର ଝୁଡ଼ିରେ ରଖି ବୈଠକକୁ ଆଣିଥିଲେ)












