ଆର୍.ବନଜା କହିଥିଲେ, ‘‘ଏହା କେବେ ବି ୧୦୦ ଦିନ ନୁହେଁ, ଏ ବର୍ଷ ଏପର୍ଯ୍ୟନ୍ତ ମାତ୍ର ୫୦ ଦିନ । ସେ ପ୍ରାୟ ୧୮ଜଣ ମହିଳା ଓ ୨-୩ଜଣ ପୁରୁଷଙ୍କ ସହିତ ବଙ୍ଗଳାମେଦୁପଡ଼ାର ଭେଲିକାଥନ ମାରମ (ଶମି) ଗଛର ସାମାନ୍ୟ ଛାଇରେ ତଳେ ବସିଥିଲେ। ସେମାନେ ୨୦୧୯ ଡିସେମ୍ବର ମାସର ଗୋଟିଏ ସକାଳରେ ସେମାନଙ୍କର ପାରିଶ୍ରମିକ ବିଷୟରେ ଚିନ୍ତା କରି ନୁର-ନାଲ ଭେଲାଇ (ଶହେ ଦିନର କାମ) ବିଷୟରେ ଆଲୋଚନା କରୁଥିଲେ । ସେମାନେ ତାମିଲରେ ଏମ୍ଜିଏନ୍ଆର୍ଇଜିଏ କାମକୁ ଏହା କହିଥାନ୍ତି । ବନଜାଙ୍କ ବୟସ ପ୍ରାୟ ୨୦ ଏବଂ ସେ ଏହି ପଡ଼ାର ୩୫ଟି ଇରୁଲା ପରିବାରର ଅଧିକାଂଶ ପ୍ରାପ୍ତ ବୟସ୍କଙ୍କ ପରି ଜଣେ ଦିନ ମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି ।
ତାମିଲନାଡୁର ତିରୁବଲୁର ଜିଲ୍ଲାର ତିରୁତାନି ବ୍ଲକ୍ର ଚେରୁକାନ୍ନୁର ପଞ୍ଚାୟତର ଅଂଶ ଥିବା ଏହି ପଡ଼ାର ପୁରୁଷମାନେ ସାଧାରଣ ଅଣ-ଏନ୍ଆର୍ଇଜିଏ କାମ କରନ୍ତି । ସେମାନେ ଚାଷ ଜମି କଡ଼ରେ କେନାଲ ଖୋଳନ୍ତି, ଆମ୍ବ ବଗିଚାରେ ପାଣି ଦିଅନ୍ତି, ନିର୍ମାଣ ସ୍ଥାନରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି, ମଞ୍ଚ ପ୍ରସ୍ତୁତି, କାଗଜ ମଣ୍ଡ, ଜାଳେଣି ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଶାବୁକୁ (ଝାଉଁ) ଗଛ କାଟନ୍ତି । ଗୋଟିଏ ଦିନର କାମ ସାଧାରଣତଃ ସେମାନଙ୍କୁ ଟ. ୩୦୦ ଦେଇଥାଏ ।
କିନ୍ତୁ ଏ ସମସ୍ତ କାମଗୁଡ଼ିକ ହେଉଛି ଋତୁକାଳୀନ ଏବଂ ଅନିଶ୍ଚିତ। ମୌସୁମୀ ସମୟରେ ଲଗାତାର କେଇଦିନ ଧରି ଯେତେବେଳେ ସେମାନେ କୌଣସି କାମ ନ ପାଆନ୍ତି ସେତେବେଳେ ତାମିଲନାଡୁର ନିର୍ଦ୍ଦିଷ୍ଟ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ଭାବରେ ତାଲିକାଭୁକ୍ତ ଇରୁଲାମାନେ ଆଦୌ କୌଣସି ରୋଜଗାର ବିନା ଚଳନ୍ତି ଏବଂ ଖାଇବା ପାଇଁ ନିକଟସ୍ଥ ଜଙ୍ଗଲରେ ଛୋଟ ଜୀବଜନ୍ତୁ ଶୀକାର କରନ୍ତି କିମ୍ବା ସେମାନଙ୍କ ଭୋଜନରେ ଯୋଗ କରିବା ପାଇଁ ଫଳ କିମ୍ବା କନ୍ଦା ଖୋଜନ୍ତି । (ଦେଖନ୍ତୁ ବଙ୍ଗଲାମେଦୁରେ ପୋତାଧନ ଖନନ ଏବଂ ବଙ୍ଗଲାମେଦୁରେ ମୂଷାମାନଙ୍କ ସହିତ ଏକ ଭିନ୍ନ ରାସ୍ତାରେ).
ଏବଂ ମହିଳାମାନଙ୍କ ପାଇଁ ବିତରଣ ହେଉଥିବା ସେହି କାମଗୁଡ଼ିକ ମଧ୍ୟ କଦବା କ୍ୱଚିତ ଉପଲବ୍ଧ। ବେଳେ ବେଳେ ସେମାନେ ଜାନୁଆରୀ- ଫେବୃଆରୀରୁ ପ୍ରାୟ ମେ-ଜୁନ୍ ପର୍ଯ୍ୟନ୍ତ ସେମାନଙ୍କର ସ୍ୱାମୀମାନଙ୍କ ସହ ନିକଟସ୍ଥ ଇଟାଭାଟିରେ କାମ କରନ୍ତି। କିନ୍ତୁ ଏହି କାମ ଅନିୟମିତ। ଏବଂ ଜଣେ ପତି-ପତ୍ନୀ ଯୋଡ଼ି ସାରା ଋତୁରେ ଅତିବେଶୀରେ ଟ. ୬,୦୦୦ ଆୟ କରନ୍ତି ।














