ସାବୁନ ଫେଣ ଭର୍ତ୍ତି ଗରମ ପାଣିରେ ଭିଜୁଥିବା ଗୋଟିଏ କମ୍ବଳକୁ ଏକଲୟରେ ପାଦରେ ମାଡ଼ି ଚାଲିଛନ୍ତି ଯୁବକ ତାଲବ ହୁସେନ୍। ଲାଗୁଛି, ସତେ ଅବା ସେ ନାଚୁଛନ୍ତି; ଆଉ ତାଙ୍କ ଓଠରେ ଫୁଟି ଉଠୁଛି ଏକ ଦୀର୍ଘ ସ୍ମିତହାସ୍ୟ। ତାଙ୍କ ଆଗରେ ଥିବା ଗଛ ଉପରେ ଭରା ଦେଇ ସେ କହନ୍ତି, “ନିଜ ଶରୀରର ଭାରସାମ୍ୟ ରଖି, ଭିଜା ଯାଇଥିବା କମ୍ବଳ ଉପରେ ଆପଣଙ୍କୁ ଠିଆ ହେବାକୁ ପଡ଼ିବ।” କମ୍ବଳ ଭିଜୁଥିବା ସେହି ବଡ଼ ଘମେଲା (କୁଣ୍ଡ)ରେ ଆହୁରି ଅଧିକ ଗରମ ସାବୁନ ପାଣି ଢାଳିବାରେ ଲାଗିଥାଆନ୍ତି ଆଉ ଜଣେ ବ୍ୟକ୍ତି।
ଏ ହେଉଛି ଜାମ୍ମୁର ସାମ୍ବା ଜିଲ୍ଲାର ଗୋଟିଏ ଛୋଟ ବକରୱାଲ ଶିବିରରେ ଅନ୍ଧକାରମୟ ଏକ ଶୀତ ରାତିର କଥା। ନିକଟବର୍ତ୍ତୀ ଏକ ଅସ୍ଥାୟୀ କାଠଚୁଲିର ନିଆଁରୁ ହିଁ ଯାହା କିଛି ଆଲୋକ ବାହାରି ଆସୁଥିଲା। ସେହି ଚୁଲିରେ ବସିଥିବା ପାତ୍ରରେ ସଦ୍ୟ ପ୍ରସ୍ତୁତ ଉଲ୍ ତିଆରି କମ୍ବଳ ସଫା କରିବା ପାଇଁ ଲାଗୁଥିବା ପାଣି ଫୁଟୁଥିଲା।
ଉଲ୍ କାରିଗରୀ ନିମନ୍ତେ ସୁପରିଚିତ ମିଘ୍ ଏବଂ ମିଂଘ୍ ଅଧିସୂଚିତ ଜନଜାତି ସଂପ୍ରଦାୟର ସଦସ୍ୟମାନେ ଏହି ଉଲ୍ କମ୍ବଳ ତିଆରି କରିଥାଆନ୍ତି। ଥରେ କମ୍ବଳ ତିଆରି ହୋଇଗଲେ, ବକରୱାଲ ପୁରୁଷମାନେ ସେଗୁଡ଼ିକୁ ଧୋଇ ଶୁଖାଇ ଦିଅନ୍ତି। ସାଧାରଣତଃ ବକରୱାଲ ମହିଳାମାନେ କମ୍ବଳ ପାଇଁ ଆବଶ୍ୟକ ସୂତା ଏବଂ ତନ୍ତ ପ୍ରସ୍ତୁତ କରନ୍ତି ଏବଂ ବକରୱାଲ ପରିବାର ଲୋକେ ନିଜ ନିଜ ଘରେ ତନ୍ତରେ ରଙ୍ଗ ଦେଇଥାଆନ୍ତି।












