ବସ୍ କୋଲକାତା ଛାଡ଼ି କିଛି ଦୂର ଯିବା ପରେ ରାସ୍ତାର ଦୁଇ କଡ଼ରେ ମାଛ ଚାଷ ହୋଇଥିବା ପୋଖରୀ, ଛୋଟ ଛୋଟ ହାତ ତିଆରି ବନ୍ଧ ଏବଂ ଅସ୍ଥାୟୀ ଚା’ ଦୋକାନ ସହିତ ଆବଡ଼ାଖାବଡ଼ା ସଡ଼କ ପଡ଼ିଥାଏ। ଏହି ସମୟରେ ଆପଣ ଆଗକୁ ଏକ ବଡ଼ ଜଳାଶୟ ଥିବାର ଅନୁଭବ କରିପାରିବେ। ଏହାପରେ, ଆମର ବଡ଼ ଯନ୍ତ୍ରଚାଳିତ ଡଙ୍ଗା ଯେତେବେଳେ ବିଶାଳ ନୀଳ ଚଦର ଦେଇ ଅତିକ୍ରମ କଲା, ଆମେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅଧୀନ ସୁନ୍ଦରବନର ବାଲି ଦ୍ୱୀପରେ ପହଞ୍ଚି ଯାଇଥିଲୁ। ଏହି ସମୟରେ ‘ଖୁସିର ସହର’ ସ୍ମୃତି ଆପେ ଆପେ ବୁଡ଼ି ଯାଇଥାଏ।
ଦାରିଦ୍ର୍ୟ ଓ ବେକାରୀ ସମସ୍ୟା ଏହି ଦ୍ୱୀପର ଯୁବକମାନଙ୍କୁ ବାଘ, ହରିଣ ଓ ଅନ୍ୟ ପ୍ରାଣୀଙ୍କ ଶିକାର ତଥା ଚୋରା କାଠ କାରବାର ଭଳି ବେଆଇନ କାମ ଦିଗରେ ଟାଣି ନେଉଥିଲା। କିନ୍ତୁ କିଛି ବର୍ଷ ହେବ, ଗୋଷ୍ଠୀ ଆଧାରିତ ପର୍ଯ୍ୟଟନ ଏ ସମସ୍ୟା ଦୂର କରିଛି – ଯେଉଁ ଯୁବକମାନେ ଶିକାରୀ ହେବାର ଆଶଙ୍କା ରହିଥିଲା ସେମାନେ ଏବେ ସୁରକ୍ଷା ପ୍ରଦାନକାରୀ ପାଲଟିଛନ୍ତି। ଜୀବିକାର ବିକଳ୍ପ ମାଧ୍ୟମ ଜଙ୍ଗଲ ଉପରେ ସେମାନଙ୍କର ନିର୍ଭରଶୀଳତାକୁ ହ୍ରାସ କରିଛି। କେତେଜଣ ସ୍ଥାନୀୟ ଲୋକ ପର୍ଯ୍ୟଟନ ଗାଇଡ୍ ପାଲଟିଛନ୍ତି। ଅନ୍ୟମାନେ ପର୍ଯ୍ୟଟକମାନଙ୍କୁ ବୋଟ୍ ସେବା ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଆଉ କିଛି ଲୋକ ହୋଟେଲ୍ କର୍ମଚାରୀ ଭାବେ ନିଯୁକ୍ତି ପାଇଛନ୍ତି। ଯଦିଓ ସେମାନେ କମ୍ ବେତନ ପାଉଛନ୍ତି ତଥାପି କିଛି ଲୋକଙ୍କ ପାଇଁ ପର୍ଯ୍ୟଟନ ଉଦ୍ୟୋଗ ସହ ଯୋଡ଼ି ହେବା ଏକ ଗର୍ବର ବିଷୟ ପାଲଟିଛି।
ନିକଟରେ ଦ୍ୱୀପକୁ ଏକ ଯାତ୍ରାର କିଛି ଫଟୋ







