କେବଳ ଜଣଙ୍କୁ ଛାଡ଼ି ଆଉ ସମସ୍ତଙ୍କୁକରୋନା ଭୂତାଣୁ ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିଲା; ସେଥିରେ କୌଣସି ଫରକ ପଡ଼ିଲା ନାହିଁ । ସରପଞ୍ଚ, ଗାଁ ଲୋକଙ୍କ ସହିତ ଚୁକ୍ତିନାମା କରି, ନିର୍ଦ୍ଦେଶନାମା ଜାରି କରିଥିଲେ। ପରିବାର ଗୋଟିଏ ମାସ ପାଇଁ ବାହାରକୁ ଯାଇପାରିବେ ନାହିଁ-ଯଦିଓ ବାଧ୍ୟତାମୂଳକ ସଙ୍ଗରୋଧ ଅବଧି ୧୪ ଦିନ ପାଇଁ ଥିଲା। ସେମାନଙ୍କ ମଧ୍ୟରୁ ଜଣେ ଭୂତାଣୁରେ ସଂକ୍ରମିତ ହୋଇଥିଲେ।
ଓସମାନାବାଦ ଜିଲ୍ଲାର ପ୍ରଥମ ମାମଲା ହୋଇଥିବାରୁ ତାଙ୍କ ପାଇଁ ସ୍ଥିତି ଆହୁରି ବିଗିଡ଼ିଗଲା। ଏହାଛଡ଼ା ସେ ହରିୟାଣାର ପାନିପତରୁ ତବଲିଗି ଜମାତ ସମାବେଶରେ ଯୋଗ ଦେଇ ଫେରିଥିଲେ।
ମହାରାଷ୍ଟ୍ରର ଓସମାନାବାଦ ଅନ୍ତର୍ଗତ ଉମର୍ଗା ତାଲୁକାର ସରକାରୀ ଡାକ୍ତରଖାନାରୁ ସେ ଆରୋଗ୍ୟ ଲାଭ କରିସାରିବା ପରେ ମଧ୍ୟ ତାଙ୍କ ପରିବାରକୁ ବାସ୍ତବରେ ଗୃହବନ୍ଦୀ କରି ରଖାଯାଇଥିଲା। “ଏହାର ଅର୍ଥ ଆମକୁ ଚାଷ କରିବାକୁ ମଧ୍ୟ ଦିଆଯାଉନଥିଲା,” ବୋଲି କୁହନ୍ତି ୩୧ ବର୍ଷୀୟ ମହମ୍ମଦ ସଲମାନ (ଛଦ୍ମନାମ)। “ଫସଲ ଅମଳ ପାଇଁ ସମୟ ହୋଇଯାଇଥିଲା ଓ ସେଗୁଡ଼ିକ ନଷ୍ଟ ହେବାକୁ ବସିଥିଲା, କିନ୍ତୁ ମୋ ପରିବାର ଘର ଭିତରେ ବନ୍ଦୀ ହୋଇ ରହିଥିଲେ। କିଛି ଫସଲ ଗୋରୁଗାଈ ନଷ୍ଟ କରିଦେଲେ ଏବଂ ଆଉ କିଛି ଶୁଖିଗଲା। ଆମେ କିଛି ବଞ୍ଚାଇ ପାରିଲୁ ନାହିଁ। ପାଖାପାଖି ୫୦,୦୦୦ ଟଙ୍କାର କ୍ଷତି ହେଲା।”
ସଲମାନ ମାର୍ଚ୍ଚ ୨୪ ତାରିଖରେ ପାନିପତରୁ ଫେରିଥିଲେ- ସେଦିନ ଭାରତରେ କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ସଟଡାଉନ ଘୋଷଣା କରିଥିଲେ। ଏହି ସପ୍ତାହରେ ଦିଲ୍ଲୀ ପ୍ରଶାସନିକ କର୍ତ୍ତୃପକ୍ଷ ତବଲିଗି ଜମାତର ମୁଖ୍ୟ କାର୍ଯ୍ୟାଳୟ ମର୍କଜ ନିଜାମୁଦ୍ଦିନରେ ୨୦୦୦ ଲୋକ ଏକତ୍ରିତ ହୋଇଥିବା ଜାଣିବାକୁ ପାଇଥିଲେ। ୧୯୨୬ରେ ପ୍ରତିଷ୍ଠା ହୋଇଥିବା ତବଲିଗି ଜମାତ ହେଉଛି ରାଜଧାନୀର ସବୁଠୁ ପୁରୁଣା ଇସଲାମିକ ସଂଗଠନ। ସେମାନେ ମାର୍ଚ୍ଚ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଧାର୍ମିକ ସମାବେଶରେ ଅଂଶଗ୍ରହଣ କରିବା ଲାଗି ଏକତ୍ରିତ ହୋଇଥିଲେ, ଯାହାକି ଭୂତାଣୁ ସଂକ୍ରମଣର ହଟସ୍ପଟ ପାଲଟିଥିଲା। ଏହି କାର୍ଯ୍ୟକ୍ରମ ପରେ, ଘୃଣା ଅଭିଯାନ ଆରମ୍ଭ ହୋଇଯାଇଥିଲା, ଯାହାକି ସମ୍ପୂର୍ଣ୍ଣ ସମୁଦାୟକୁ ବଦନାମ କରିବା ଲାଗି ଉଦ୍ଦିଷ୍ଟ ଥିଲା।








