‘‘ସେହି ମା’ ରାତି ପରେ ରାତି ତା’ର ଚାରିଜଣ ସନ୍ତାନ ସହ ଚାଲୁଛି- ସେ ମୋ ପାଇଁ ମା’ ଦୁର୍ଗା’’
ରିଣ୍ଟୁ ଦାସଙ୍କୁ ଭେଟନ୍ତୁ, ସେ ହେଉଛନ୍ତି ସେହି କଳାକାର, ଯିଏ ବସ୍ତୁତଃ ଜଣେ ପ୍ରବାସୀ ଶ୍ରମିକ ଭାବରେ ଦେବୀ ଦୁର୍ଗାଙ୍କର ଏକ ପ୍ରତିମା ତିଆରି କରିଛନ୍ତି । ଏହା ଦକ୍ଷିଣ ପଶ୍ଚିମ କୋଲକାତାର ବେହେଲାସ୍ଥିତ ବାରିସା କ୍ଲବ୍ର ଦୁର୍ଗାପୂଜା ମଣ୍ଡପରେ ଏକ ଭିନ୍ନ କଳାକୃତି । ଦୁର୍ଗାଙ୍କ ସହିତ ଅନ୍ୟ ଦେବାଦେବୀମାନେ ମଧ୍ୟ ପ୍ରବାସୀ ଶ୍ରମିକ ଭାବରେ ଏଠାରେ ଅଛନ୍ତି- ସରସ୍ୱତୀ, ଲକ୍ଷ୍ମୀ, ଗଣେଶ ଏବଂ ଆଉ ଅନ୍ୟମାନେ। ସମୁଦାୟ ପ୍ରଦର୍ଶନ ହେଉଛି କରୋନା ଭୂତାଣୁ ମହାମାରୀ ମଧ୍ୟରେ ପ୍ରବାସୀମାନଙ୍କ ସଂଘର୍ଷ ପ୍ରତି ଏକ ପ୍ରତିବେଦନ।
ଏହି ଲକ୍ଡାଉନ୍ ଅବଧି ରିଣ୍ଟୁ ଦାସ, ୪୬ଙ୍କୁ ଏହି ଅନୁଭବ ଦେଇଥିଲା ଯେ ସେ, ‘‘ଗତ ଛଅମାସ ହେବ ଗୃହବନ୍ଦୀରେ ଅଛନ୍ତି’’ ଏବଂ ସେ କୁହନ୍ତି, ‘‘ଯେତେବେଳେ ମୁଁ ଟିଭି ଖୋଲେ ସେତେବେଳେ ମୃତ୍ୟୁ ଦେଖେ, ଏତେ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଅନେକେ ଲୋକ ଦିନ ପରେ ଦିନ ରାତି ପରେ ରାତି ଚାଲୁଥିଲେ । ବେଳେ ବେଳେ ସାମାନ୍ୟ ଖାଦ୍ୟ ଏପରିକି ସାମାନ୍ୟ ପାଣି ମଧ୍ୟ ପାଉନଥିଲେ । ମା’ମାନେ, ଝିଅମାନେ ସମସ୍ତେ ଚାଲୁଥିଲେ । ସେତେବେଳେ ମୁଁ ଚିନ୍ତା କଲି ଯଦି ଏ ବର୍ଷ ମୁଁ ପୂଜା କରେ ତେବେ ଲୋକମାନଙ୍କ ପାଇଁ ପୂଜା କରିବି । ଏହି ମାଆମାନଙ୍କୁ ମୁଁ ସମ୍ମାନ ଦେବି’’ । ଏବଂ ଏହିପରି ଭାବରେ ମା’ ଦୁର୍ଗା ଜଣେ ପ୍ରବାସୀ ଶ୍ରମିକ ମାଆ ଭାବରେ ।
ରିଣ୍ଟୁ ଦାସଙ୍କ ଯୋଜନାକୁ ମୂର୍ତ୍ତୀର ରୂପ ଦେଇଥିବା ପଲ୍ଲବ ଭୌମିକ, ୪୧ ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ ଥିବା ତାଙ୍କ ଘରୁ ପରୀକୁ କହିଥିଲେ, ‘‘ମୂଳ ବିଚାରଧାରା ଆଉ କିଛି ଭିନ୍ନ ଥିଲା । ୨୦୧୯ ଦୁର୍ଗାପୂଜାର ଉତ୍ସବ ଶେଷ ହେବା ପୂର୍ବରୁ ବାରିଷା କ୍ଲବର ଆୟୋଜକମାନେ ଏହି ବର୍ଷର ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କିନ୍ତୁ ଏହା ପରେ କୋଭିଡ୍ ୧୯ ମହାମାରୀ ଏହା ସ୍ପଷ୍ଟ କରିଦେଇଥିଲା ଯେ ୨୦୨୦ କିଛି ଭିନ୍ନ ହେବ - ତେଣୁ କ୍ଲବକୁ ସେହି ପୁରୁଣା ଯୋଜନା ତ୍ୟାଗ କରିବାକୁ ପଡ଼ିଲା।’’ ଏହା ପରେ ଏହି ନୂତନଟି ଲକଡାଉନ୍ ଏବଂ ଶ୍ରମିକ ବିପର୍ଯ୍ୟୟକୁ କେନ୍ଦ୍ର କରି ପରିକଳ୍ପନା କରାଗଲା ।



