“କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ବ୍ୟତୀତ ସନ୍ଧ୍ୟା ୭ଟାରୁ ସକାଳ ୭ଟା ମଧ୍ୟରେ ସାଧାରଣ ଲୋକଙ୍କ ଯାତାୟାତ ‘ସଂପୂର୍ଣ୍ଣ ନିଷିଦ୍ଧ’ ରହିବ।”
-କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ଆଦେଶପତ୍ର (ମେ ୧୭ ତାରିଖର ଇଣ୍ଡିଆ ଟୁଡେରିପୋର୍ଟରେ ପ୍ରକାଶିତ)
ଏହି ଆଦେଶପତ୍ରରେ “ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଆଶ୍ଵସ୍ତିର ବିଷୟ ଏତିକି ଥିଲା ଯେ ଅନ୍ତଃରାଜ୍ୟ ଯାତ୍ରୀବାହୀ ଗାଡ଼ି ଓ ବସ ଚଳାଚଳକୁ ଏଥିରେ ଅନୁମତି ଦିଆଯାଇଥିଲା” (କେବଳ ଯଦି ଦୁଇ ପଡ଼ୋଶୀ ରାଜ୍ୟ ଏଥିରେ ରାଜି ହୁଅନ୍ତି) । କିନ୍ତୁ ବିଭିନ୍ନ ରାଜପଥରେ ପାଦରେ ଚାଲି ଚାଲି ସହରର ସାଂଗଠନିକ ବ୍ୟବସ୍ଥା ପରିତ୍ୟାଗ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସଂପର୍କରେ ଏଥିରେ କିଛି କୁହାଯାଇ ନଥିଲା ।
ଗ୍ରୀଷ୍ମକାଳର ସର୍ବାଧିକ ଉତ୍ତପ୍ତ ପର୍ଯ୍ୟାୟରେ, ତାପମାତ୍ରା ୪୭ ଡିଗ୍ରୀ ସେଲ୍ସିୟସ୍ ଛୁଉଁଥିବା ସମୟରେ ଜାରି କର୍ଫ୍ୟୁର ସେଇ ସମୟ ନିର୍ଘଣ୍ଟ ଯୋଗୁଁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେମାନେ ଚାଲିବାକୁ ବାଧ୍ୟ ହେଉଥିଲେ ।
ମାସକ ପୂର୍ବରୁ, କର୍ଫ୍ୟୁ ଜାରି ହେବା ଯୋଗୁଁ କାମ ଓ ରୋଜଗାର ଅଟକି ଯିବା ପରେ, ତେଲଙ୍ଗାନାର ଲଙ୍କାମରିଚ କ୍ଷେତରେ କାମ କରୁଥିବା ୧୨ ବର୍ଷୀୟା ଆଦିବାସୀ ଝିଅ ଜାମଲୋ ମାଡ଼କାମ, ଛତିଶଗଡ଼ର ନିଜ ଘରକୁ ଫେରିଯିବା ପାଇଁ ପାଦରେ ଚାଲିବା ଆରମ୍ଭ କରିଥିଲା । ଏହି ଝିଅଟି ତିନି ଦିନରେ ୧୪୦ କିଲୋମିଟର ରାସ୍ତା ଚାଲି ସାରିଥିଲା, କିନ୍ତୁ ତା’ପରେ, ଘରଠାରୁ ୬୦ କିଲୋମିଟର ପୂର୍ବରୁ, କ୍ଲାନ୍ତି, ଶରୀରରେ ଜଳୀୟ ଅଂଶର ଅଭାବ ଏବଂ ମାଂସପେଶୀ ଦୁର୍ବଳତା କାରଣରୁ ପ୍ରାଣ ହରାଇଥିଲା । ଏମିତିକା କର୍ଫ୍ୟୁ ନିର୍ଦ୍ଦେଶ ଆଉ କେତେ ଜଣ ଜାମଲୋ ସୃଷ୍ଟି କରିବ ?
ପ୍ରଥମେ, ମାର୍ଚ୍ଚ ୨୪ ତାରିଖ ଦିନ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଆତଙ୍କ ଖେଳାଇ ଦେଇଥିଲା । ୧୩୦ କୋଟି ମାନବଙ୍କର ଏକ ଦେଶକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ମାତ୍ର ଚାରି ଘଣ୍ଟା ସମୟ ଦିଆଯାଇଥିଲା । ସବୁ ଜାଗାରୁ ପ୍ରବାସୀ ଶ୍ରମିକମାନେ ଲମ୍ବା ପଦଯାତ୍ରାରେ ଘରକୁ ବାହାରିଲେ । ତା’ପରେ ଯେଉଁମାନଙ୍କୁ ପୋଲିସ ମାଡ଼ ମାରି ସେମାନଙ୍କ ସହରୀ ବସ୍ତିକୁ ଫେରାଇ ପାରିଲା ନାହିଁ, ସେମାନଙ୍କୁ ରାଜ୍ୟ ସୀମାରେ ଆମେ ଅଟକାଇଲୁ । ଆମେ ଲୋକଙ୍କ ଉପରେ ବିଶୋଧକ ଛିଞ୍ଚିଲୁ । ସେମାନଙ୍କ ମଧ୍ୟରୁ ଅନେକ ‘ସହାୟତା ଶିବିର’କୁ ଗଲେ । କାହା ପାଇଁ ସହାୟତା, ତାହା କହିବା କଷ୍ଟ ।
ସ୍ଵାଭାବିକ ଦିନ ତୁଳନାରେ ଲକ୍ଡାଉନ୍ ସମୟରେ ମୁମ୍ବାଇ-ନାସିକ ରାଜପଥ ଅଧିକ ବ୍ୟସ୍ତବହୁଳ ଲାଗୁଥିଲା । ଲୋକେ ଯେଉଁ ରାସ୍ତାରେ ପାରିବେ, ସେହି ରାସ୍ତାରେ ଚାଲିଲେ । କିଛି ବର୍ଷ ତଳେ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିବା ବିମଳେଶ ଜୟସ୍ଵାଲ, ତାଙ୍କ ସ୍ତ୍ରୀ ଓ ତିନି ବର୍ଷର ଝିଅ ସହିତ, ଗୋଟିଏ ଗିଅର ବିହୀନ ସ୍କୁଟରରେ ମହାରାଷ୍ଟ୍ରର ପାନବେଲରୁ ମଧ୍ୟପ୍ରଦେଶର ରେୱା ଯାଏଁ ୧,୨୦୦ କିଲୋମିଟର ଯାତ୍ରା କରିଥିଲେ । ସେ ପଚାରନ୍ତି, “ଚାରି ଘଣ୍ଟା ସମୟ ଦେଇ ଗୋଟିଏ ଦେଶକୁ କିଏ ବନ୍ଦ କରିଦିଏ ?” ଛାଡ଼ନ୍ତୁ ବିମଳେଶ, ସେ ପ୍ରଶ୍ନର ଉତ୍ତର ତ ଆପଣ ଜାଣନ୍ତି ।









