ଆମ ଜୀବନର ଅନ୍ୟତମ ସ୍ପର୍ଶକାତର, ହୃଦୟସ୍ପର୍ଶୀ ମୁହୂର୍ତ୍ତ ଏବଂ ପିପୁଲସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆ ପାଇଁ ଏକ ମହତ୍ୱପୂର୍ଣ୍ଣ ଘଟଣାର ସାକ୍ଷୀ ପାଲଟିଥିଲା ବୁଧବାର, ଜୁନ୍ ୭। ମୁଁ ଗର୍ବର ସହିତ କହୁଛି ଯେ ଏହା ପରିର ପ୍ରୟାସରେ ଘଟିଥିଲା କ୍ୟାପଟେନ୍ ଏଲଡର ବ୍ରଦର୍ ଏବଂ ହୁଇର୍ଲଉଇଣ୍ଡ କାହାଣୀ ମନେ ଅଛି? ଠିକ୍ ଅଛି ଏଇ ମୁହୂର୍ତ୍ତରେ କ୍ୟାପଟେନ୍ ଏଲଡର ବ୍ରଦର ଏବଂ ଅନ୍ୟ ଭୁଲିଯାଇଥିବା ବୀରମାନେ ମଧ୍ୟ ଜଡ଼ିତ ଥିଲେ।
ବର୍ଷ ପରେ ବର୍ଷ ବିତି ଚାଲିଥିଲା, ଦୁଃଖ ବଢ଼ି ଚାଲିଥିଲା: ଭାରତର ସ୍ୱାଧୀନତା ସଂଗ୍ରାମର ଶେଷ ବୀର ପରଲୋକ ଗମନ କରୁଥିଲେ। ଭାରତର ପରବର୍ତ୍ତୀ ପିଢ଼ିର ପିଲାମାନେ ଆଉ ସେହି ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱର ଆଉ ଶୁଣିପାରିବେ ନାହିଁ କିମ୍ବା ସେମାନଙ୍କୁ ଦେଖିପାରିବେ ନାହିଁ, ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ, ନିଜର ସର୍ବସ୍ୱ ତ୍ୟାଗ କରି ଦେଶ ପାଇଁ ସ୍ୱାଧୀନତା ଆଣି ଦେଇଥିଲେ। ହୁଏତ ଏହି ବିଷୟ ପଢ଼ୁଥିବା ପିଲାମାନଙ୍କର ଏ ବିଷୟରେ କୌଣସି ଅନୁଭୂତି ଥାଇନପାରେ।
ସେଥିପାଇଁ ବର୍ଷ ବର୍ଷ ଧରି ମୁଁ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଏକାଠି କରୁଛି, ସେମାନଙ୍କ ବିଷୟରେ ଲେଖୁଛି, ଭିଡ଼ିଓ ପ୍ରସ୍ତୁତ କରୁଛି। ସବୁବେଳେ ମୁଁ ଗୋଟିଏ କଥା ପାଇଁ ଅନୁତାପ କରୁଛି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅପଚରା ହୋଇ ରହିଯାଇଛନ୍ତି। କୌଣସି ସ୍ୱୀକୃତି ଲାଭ କରିନାହାନ୍ତି।
ତେଣୁ ଆମ୍ଭେମାନେ ସତାରର ପ୍ରତି ସରକାର ବା ଅସ୍ଥାୟୀ ସରକାରଙ୍କର, ୧୯୪୩-୪୬ର ଛଦ୍ମବେଶୀ ସରକାରଙ୍କର ଶେଷ ଜୀବିତ ବ୍ୟକ୍ତିମାନଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରିଥିଲେ। ତୋଫାନ ସେନାର ବରିଷ୍ଠ ଯୋଦ୍ଧାବୃନ୍ଦ ଏବଂ ମହାରାଷ୍ଟ୍ରର ସତାରା ଓ ସାଙ୍ଗଲି ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଜୁନ୍ ୭ ତାରିଖରେ ସମ୍ମାନିତ କରାଯାଇଥିଲା। ୧୯୪୩ ମସିହାରେ ଏହି ଦିବସରେ ସେମାନେ ବ୍ରିଟିଶ୍ ଶାସନ ସମୟରେ ସତାରାରେ ସେନୋଲି ଗ୍ରାମରେ ଅଧିକାରୀମାନଙ୍କର ବେତନ ବହନ କରି ଯାଉଥିବା ଟ୍ରେନକୁ ଆକ୍ରମଣ କରିଥିଲେ। ସେହି ଅର୍ଥ ଲୁଟକରି ଗରିବମାନଙ୍କୁ ବାଣ୍ଟି ଦେଇଥିଲେ ଏବଂ ପ୍ରତି ସରକାର ଚାଲୁ ରଖିବାରେ ଖର୍ଚ୍ଚ କରିଥିଲେ।
ଆମ୍ଭେମାନେ ଅବସରପ୍ରାପ୍ତ କୂଟନୀତିଜ୍ଞ, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ମହାତ୍ମାଗାନ୍ଧୀଙ୍କର ନାତି ଗୋପାଳ ଗାନ୍ଧୀଙ୍କୁ ଦିଲ୍ଲୀରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ କହିଲେ। ସେ ଏଥିପାଇଁ ସମ୍ମତ ହେଲେ ଓ ଏଠାରେ ଆସି ଯାହା ଦେଖିଲେ ସ୍ତମ୍ଭୀଭୂତ ହେଲେ।
ତୋଫାନ ସେନା (ଘୂର୍ଣ୍ଣି ବା ଝଡ ବାହିନୀ) ଥିଲା ପ୍ରତି ସରକାରର ସଶସ୍ତ୍ର ଶାଖା-ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ବିସ୍ମୟକର ଅଧ୍ୟାୟ। ଭାରତଛାଡ଼ ଆନ୍ଦୋଳନର ଏକ ବିଚ୍ଛିନ୍ନ ଶାଖା ଭାବରେ ଏହି ବିପ୍ଳବୀ ଗୋଷ୍ଠୀ ସତାରାରେ ଏକ ସମାନ୍ତରାଳ ସରକାର ଘୋଷଣା କରିଥିଲେ- ସେତେବେଳର ଏହା ଏକ ବିଶାଳ ଜିଲ୍ଲା ଥିଲା, ଯେଉଁଥିରେ ବର୍ତ୍ତମାନର ସାଙ୍ଗଲି ଅନ୍ତର୍ଭୁକ୍ତ ଥିଲା।




