ମଧ୍ୟାହ୍ନ ପାଖାପାଖି ୩୨ ବର୍ଷୀୟ ଅଶ୍ୱିନ ଯେତେବେଳେ ତାଙ୍କ ପରିବାରର ଘରୁ ବାହାରିଲେ ସେ ତାଙ୍କର ୭୬ ବର୍ଷୀୟା ଜେଜେମାଆ ପୋସାନି ଲକ୍ଷ୍ମୀ ଆମ୍ମାଙ୍କ ଆଶୀର୍ବାଦ ନେବା ଲାଗିପାଦ ଛୁଇଁଲେ । ତିନି ଘଣ୍ଟା ପରେ, ଅସ୍ଥାୟୀ ଭାବେ ହେଲେ ବି ସଂପୂର୍ଣ୍ଣ ରୂପାନ୍ତରିତ ହୋଇ ସେ ଯେତେବେଳେ ଘରକୁ ଫେରିଲେ, ଜେଜେମାଆ ତାଙ୍କ ପାଦ ଛୁଇଁଲେ । ଭକ୍ତିଭାଜନର ଏହି ଦୁଇ କ୍ରିୟା ମଧ୍ୟରେ ରହିଛି,ଏକ ସମଗ୍ର ସଂପ୍ରଦାୟର ବିଶ୍ୱାସରେ ଭରା ଶହେ ବର୍ଷ ପୁରୁଣା ବିଧି ବ୍ୟବସ୍ଥା- ପୋଥୁରାଜୁ ପରମ୍ପରା ।
ଶରୀର ସାରା କୁଙ୍କୁମ (ସିନ୍ଦୂର) ଏବଂ ହଳଦି ବୋଳି ହୋଇ ଏବଂ ଉଗ୍ର ଭାବରେ ଏକ ଚାବୁକ୍ ଚଳାଇ ଅଶ୍ୱିନ ଯେତେବେଳେ ଭୟଙ୍କର ପୋଥୁରାଜୁଙ୍କ ରୂପ ନେଇଝଡ଼ ବେଗରେ ଘରକୁ ଫେରୁଥିଲେ ସେତେବେଳେ ରାସ୍ତାକଡ଼ରେ ଏବଂ ଘରଗୁଡ଼ିକର ବାଲକୋନିରେ ଠିଆ ହୋଇଥିବା ଲୋକେ ତାଙ୍କ ଉପରେ ପୁଷ୍ପବୃଷ୍ଟି କରୁଥିଲେ। ଦକ୍ଷିଣ-ପୂର୍ବ ହାଇଦ୍ରାବାଦର ମେକାଲ ବାନ୍ଦା ଅଞ୍ଚଳରେ ଥିବା ତାଙ୍କ ଘର ଲକ୍ଷ୍ମୀ ନିଳୟମର ଫାଟକ ଭିତରକୁ ପ୍ରବେଶ କଲା ବେଳେ ସେ ଚାବୁକ ଚଳାଇ ସେଠାରେ ଭିଡ଼ ଜମାଇଥିବା ଚଳଚଞ୍ଚଳ ଏବଂ ଉଲ୍ଲସିତ ଲୋକଙ୍କୁ ଇତସ୍ତତଃ କରି ଦେଇଥିଲେ । ଘର ଭିତରେ ସେ ତାଙ୍କ ଜେଜେମାଆଙ୍କ ସହ ମୁହାଁମୁହିଁ ହୋଇଥିଲେ । ଲୁହ ଛଳଛଳ ଆଖିରେ ଜେଜେମାଆ ମୁଣ୍ଡ ନୁଆଁଇ ତାଙ୍କ ପାଦ ଛୁଇଁଥିଲେ । ବାପାଙ୍କ ଏଭଳି ରୂପ ଦେଖିବାରେ ଅନଭ୍ୟସ୍ତ ଅଶ୍ୱିନଙ୍କ ଆଠ ବର୍ଷର ଝିଅ ଶାସ୍ରା ଭୟରେ ମାଆ କବିତାଙ୍କ ପଛରେ ଲୁଚି ଯାଇଥିଲା । ଶାସ୍ରାର ବଡ଼ଭାଇ ୧୦ ବର୍ଷୀୟ ଋତ୍ୱିକ୍ ମଧ୍ୟ ଭୟଙ୍କର ଅବତାର ଧାରଣ କରିଥିବା ବାପାଙ୍କଠାରୁ ଦୂରେଇ ରହିଥିଲା ।
ଅଶ୍ୱିନ କହନ୍ତି, “ପୋଥୁରାଜୁ ହେବା ପରେ ମୁଁ ସଂପୂର୍ଣ୍ଣ ଭାବେ ସମ୍ମୋହିତ ଅବସ୍ଥାରେ ଥାଏ’’ । ‘‘ମୋ ଶରୀର ଉପରେ ମୋର ନିୟନ୍ତ୍ରଣ ଶକ୍ତି ନଥାଏ । ମୁଁ ଦେବୀଙ୍କ ଇଚ୍ଛା ଅନୁସାରେ କାମ କରେ । ଏମିତି କି ମୁଁ ମୋ ନିଜ ଘରକୁ ଯିବା ବେଳେ ବି ଏହା ବୁଝିପାରେ ନାହିଁ । ଦେବୀ ହିଁ ମୋତେ ନିର୍ଦ୍ଦେଶ ଦିଅନ୍ତି ।”
ଆଜିକୁ ପାଞ୍ଚ ବର୍ଷ ହେଲା ବୋନାଲୁ ଦିନ ପୋଥୁରାଜୁରେ ରୂପାନ୍ତରିତ ହୁଅନ୍ତି ଅଶ୍ୱିନ। ତେଲେଙ୍ଗାନା ରାଜ୍ୟରେ ଆଷାଢ଼ (ଜୁନ୍-ଜୁଲାଇ) ମାସରେ ଦେବୀ ମହାନ୍କାଳୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ବାର୍ଷିକ ପର୍ବ, ବୋନାଲୁ ପାଳିତ ହୁଏ । ମେକାଲ ବାନ୍ଦାଠାରୁ ପ୍ରାୟ ୧୨ କିଲୋମିଟର ଦୂର ଗୋଲକୋଣ୍ଡାରୁ ଏହି ଉତ୍ସବ ପାଳନ ଆରମ୍ଭ ହୁଏ ଏବଂ ଚାରିଟି ରବିବାର ଧରି ସହରର ବିଭିନ୍ନ ଭାଗରେ ପାଳିତ ହୁଏ ।







