ମାଡ୍ରାସ୍(ଏବଂ ଚେନ୍ନାଇର) ପୁରୁଣା ବାଣିଜ୍ୟିକ ପେଣ୍ଠସ୍ଥଳୀ ଜର୍ଜ ଟାଉନ୍ର ମଧ୍ୟସ୍ଥଳରେ ଗୋଟିଏ ସଂକୀର୍ଣ୍ଣ ରାସ୍ତାରେ ଖୁବ୍ ସକାଳୁ ଗହଳ ଚହଳ ବଢ଼ିଯାଏ । କିନ୍ତୁ ଏହାର ସରକାରୀ ନାମ ବାଡ୍ରିଆନ୍ ଷ୍ଟ୍ରିଟ୍ ଭାବେ ପଚାରିଲେ ଏହାକୁ ଆପଣ ଖୋଜି ପାଇବେ ନାହିଁ । ସମସ୍ତେ ଏହାକୁ ପୋକାଦାଇ (ଫୁଲ ବଜାର) ବୋଲି କହନ୍ତି । ଏହା ଏଥିପାଇଁ କାରଣ ଦୀର୍ଘ ବର୍ଷ ପୂର୍ବରୁ ୧୯୯୬ ମସିହାରେ କୋୟାମବେଡୁରେ ଚେନ୍ନାଇର ସବୁଠାରୁ ବଡ଼ ପନିପରିବା ଏବଂ ଫୁଲ ବଜାର ଥିଲା, ଯେଉଁଠି ଏଠାରୁ ଅଖାରେ ଫୁଲ ନେଇ ବିକ୍ରି ହେଉଥିଲା । ଏବଂ ଆଜି ମଧ୍ୟ ୧୮ ବର୍ଷ ପରେ ପୋକାଦାଇ ସକାଳେ ଗହଳ ଚହଳ ହୋଇଉଠେ, କାରଣ ବିକ୍ରେତାମାନେ ଏହି ସ୍ଥାନ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି ଏବଂ କ୍ରେତାମାନେ ମଧ୍ୟ ନିର୍ଦ୍ଧାରିତ ବଜାରକୁ ଯାତ୍ରା କରିବା ପାଇଁ ଅନିଚ୍ଛୁକ ।
ଭୋର ପୂର୍ବ ସମୟରେ, ପୋକାଦାଇ କେବଳ ଲୋକରେ ଭରପୁର ହୋଇଯାଏ ଏବଂ ଆପଣ ଚାହିଁଲେ ଗୋଟିଏ ବିଲେଇ ଛୁଆକୁ ମଧ୍ୟ ଘୁଞ୍ଚାଇ ପାରିବେ ନାହିଁ । ଫୁଲର ଅଖା ଗୁଡିକ କୋୟାମବେଡୁରୁ, ଆନ୍ଧ୍ରପ୍ରଦେଶରୁ, ଆଭ୍ୟନ୍ତରୀଣ ଦକ୍ଷିଣ ତାମିଲନାଡୁରୁ ଆସିଥାଏ । ରାସ୍ତାଟି ସବୁବେଳେ ପ୍ରାୟତଃ କାଦୁଆ ହୋଇଥାଏ, ମଝିରେ ଗୋଟିଏ ଲମ୍ବା, ନିଚ୍ଚା ଆବର୍ଜନାର ପାହାଡ଼ ଥାଏ । ଅନୁମାନ କରନ୍ତୁ ମଉଳା ଫୁଲ ଉପରେ ହଜାର ହଜାର ପାଦ ଚଢ଼ି ଯାଉଥିବ, ଅନୁମାନ କରନ୍ତୁ ହଜାର ହଜାର ସଂଖ୍ୟାରେ ଟାୟାର ତା’ ଉପରେ ଚଢ଼ି ଯାଉଥିବ ଏବଂ ତା’ ପରେ ତା’ର ଦୁର୍ଗନ୍ଧ ଅନୁମାନ କରନ୍ତୁ । ଏହା ସେତେ ସୁଖକର ନୁହେଁ । କିନ୍ତୁ ରାସ୍ତା ଟିଁ ଏହିଭଳି । ଉଭୟ ପଟରେ ଧାଡ଼ି ଧାଡ଼ି ହୋଇ ଦୋକାନ, କେତେକ ପକ୍କା ସିମେଣ୍ଟରେ ତିଆରି, କପ୍ବୋର୍ଡ ଥିବା ଏବଂ ସିଲିଂ ଫ୍ୟାନ୍ ଲାଗିଥିବା, ଅନ୍ୟ କେତେକ କେବଳ ଅଖାରେ ତିଆରି । ଏବଂ ସେ ସବୁର ଧାରରେ ରଙ୍ଗ ଦିଆଯାଇଥାଏ । ଏହା ପୋକାଦାଇର ପକ୍କା ଦୋକାନଙ୍କ ମଧ୍ୟରୁ ଗୋଟିଏ । ସେହି ରାସ୍ତାର ଉଭୟ ପଟରେ ଏମିତି ଶହ ଶହ ସଂଖ୍ୟାରେ ଦୋକାନ ଅଛି । ଅଧିକାଂଶ ପ୍ରବାସୀଙ୍କ ଦ୍ୱାରା ଚଳାଯାଏ, ଯେଉଁମାନେ କି ନିଜ ଗାଁର ଶୁଷ୍କ ଜମି ଓ କମ୍ ରୋଜଗାରକୁ ଛାଡ଼ି ଏଠାକୁ ଧାଇଁ ଆସିଛନ୍ତି। ସେମାନଙ୍କର ସହଯୋଗୀମାନେ ସାଧାରଣତଃ କମ୍ ବୟସର ପିଲା ହୋଇଥାଆନ୍ତି ଯେଉଁମାନେ କି ସେମାନଙ୍କର ନିଜ ଗାଁ ବା ପଡ଼ୋଶୀ ଗାଁର । ସେମାନେ ପଛରେ ବା ଉପରେ ଥିବା ଛୋଟ ରୁମ୍ରେ ରହନ୍ତି । (୨୦୧୨ ମସିହା ଏପ୍ରିଲ ୧୯ ତାରିଖରେ ମୁଁ ଯେତେବେଳେ ଭୋର୍ ସମୟରେ ପୋକାଦାଇକୁ ଯାଇଥିଲି ସେତେବେଳେ ଏହି ଫଟୋ ନେଇଥିଲି)






