ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖ, ସକାଳ ପ୍ରାୟ ୭.୩୦। ପେନୁଗୋଲାନୁ ଗାଁର ୪୩ ବର୍ଷର ପଣ୍ଡି ଭେଙ୍କେୟା ତାଙ୍କ ଜମିରେ କୀଟନାଶକ ପିଇଦେଲେ। କୀଟନାଶକ ପିଇବା ବେଳେ ଜମିରେ ସେ ଏକା ଥିଲେ, ଘରେ ଥିଲେ ପରିବାର ଲୋକ। ସକାଳ ପ୍ରାୟ ୯ଟା ବେଳେ ଗାଁର ଆଉ କିଛି ଚାଷୀ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିଲେ।
କେବଳ ୨୦୧୬ରେ ତାଙ୍କର ୧୦ ଲକ୍ଷ ଟଙ୍କାର କ୍ଷତି ଘଟିଥିଲା। ଫଳରେ ତାଙ୍କ ଋଣ ପରିମାଣ ବଢିବଢି ୧୭ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ତାଙ୍କ ନିଜର ଗୋଟିଏ ଏକର ଜମି ଥିଲା। ଆଉ ସାତ ଏକର ଜମି ବାର୍ଷିକ ୩୦,୦୦୦ ଟଙ୍କାରେ ଲିଜ୍ ଆଣିଥିଲେ। ସେପଟେମ୍ବର ୨୦୧୬ରେ ଏହି ଜମିରେ ୧ ଲକ୍ଷ ଟଙ୍କାର ବିହନ ବୁଣିଥିଲେ। ଚାରି ଏକର ଜମିରେ ଲଙ୍କା ମଞ୍ଜି ଏବଂ ଆଉ ଚାରି ଏକର ଜମିରେ କପା ବୁଣିଥିଲେ। ତାଙ୍କ ପତ୍ନୀ ୩୫ ବର୍ଷୀୟା ସୀତାଙ୍କ କହିବା ଅନୁସାରେ ଏହି ଜମିରେ ସେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଏଥିରୁ କିଛି ଟଙ୍କା ମହାଜନୀ ସୁଧରେ ଆଣିଥିବାବେଳେ ବାକି ଟଙ୍କା ସୁନା ବନ୍ଧକ ରଖି ବ୍ୟାଙ୍କରୁ ଆଣିଥିଲେ।
ଡିସେମ୍ବର ୨୦୧୬, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲା ଗମ୍ପାଲାଗୁଡ଼େମ୍ ମଣ୍ଡଳର ପେନୁଗୋଲାନୁ ଗାଁର ୮୭ ଜଣ ଚାଷୀ ଉପଲବ୍ଧି କଲେ ଯେ, ସେମାନଙ୍କର ଲଙ୍କା ଫସଲ ଉଜୁଡ଼ି ଯାଉଛି। ଦୁଇଟି ସ୍ଥାନୀୟ ନର୍ସରୀରୁ ସେମାନେ ମଞ୍ଜି କିଣିଥିଲେ। ୨୬ ବର୍ଷୀୟ ବଡ଼େରାପୁ ତିରୁପତି ରାଓ କହନ୍ତି, "ମୋଟ ଉପରେ ୧୬୨ ଏକରର ଲଙ୍କା ଫସଲ ଉଜୁଡ଼ି ଗଲା। ସବୁ ଖର୍ଚ୍ଚ ଏବଂ ପରଶ୍ରମ ପାଣିରେ ପଡ଼ିଲା।"










